କେବଳ ଖଣ୍ଡେ ରୁଟି ପାଇଁ
ଭୋକର ଜନ୍ମ ନୁହେଁ,
ଶୁଣିଛ କି ତାର ଜାତି, ଗୋତ୍ର, ଠିକଣା
ଇଚ୍ଛା ଅନିଚ୍ଛା ଆଉ
ସୀମା ପରିସୀମାର ଭିତ୍ତି
କେବେ ଇତିହାସ କୁହେ ?
ରାତିରେ ପାଗଳ ହେଇ
ସକାଳର କଅଁଳ ସୂର୍ଯ୍ୟାଲୋକରେ
ପାପ ଧୋଇ ଧୋଇ
ମଣିଷ ପରି ମଣିଷଟିଏ ଦୂଶିବାର
ଧାଁ ଧପାଡ଼ କରୁଥିବା ଲୋକଙ୍କୁ
ଅନ୍ତତଃ ପଚାରିଲେ ଭଲ
ଭୋକ କ’ଣ ?
ଏଇ କୂଳରେ ଛିଡାହେଇ
ସେ ଲୋକ ଶୁଖିଲା
ପାଦରେ ଫେରିଆସୁଛି
ଜହ୍ନର ବେଳେ ତଳେ କେହି ଜଣେ
ଅନ୍ଧାର ଶେଯରେ ଶୋଇ କୁନ୍ଥଉଛି ।।
ଖୋଲା ପବନରେ ଦୌଡ଼ି ବି
ରୁନ୍ଧି ହେଇଯାଉଛି କାହା ଛାତିର ନିଃଶ୍ବାସ
ଭୋକ ନୁହେଁ ତ ଅସଫଳତା
କ୍ଷୋଭ, ଅବସୋସ ?
ଦେଖି ହୁଏନି ଜାଣି ହୁଏନି ସିନା
ଭୋକ ଲୁଚି ଲୁଚି ମଜା ଦେଖ
ଯେବେ ଉତୁରା ବାସ୍ନା ଖୋଜେ
ଶୁଖିଲା ଧାନକ୍ଷେତ
ସବୁଜିମା ଲୋଡ଼େ, ବୈଶାଖୀର ଧକ୍କାରେ
ପିଞ୍ଜରା ଦେଖାଇ ଆକାଶ ଆଡେ
ଲମ୍ବିଥିବା ଥୁଣ୍ଟା ଗଛ ।।
ଖୋଜିବାଟା କି ଭୋକର ନାଁ ?
ଏ ଅମୀମାଂସିତ ପ୍ରଶ୍ନର
ପଛେ ପଛେ ଗଲେ ବାଟ ଦିଶିବନି
ଶବ୍ଦ ହାଣିହାଣି ଅଟକିଯିବ କଲମ
ମୁକ୍ତି ଆଢୁଆଳରେ ଆବୋରି
ନେବାକୁ ହେବ, ବୋଝବୋଝ ପାପ ।
କୌଣସି ପ୍ରାୟଶ୍ଚିତ, ଔଷଧ ନଥିବା
ଭୋକ ଗୋଟେ
ଜଘନ୍ୟ ପାପ, ମାରାତ୍ମକ ବ୍ୟାଧି
ଏନ୍ତୁଡିରୁ ଜୁଇଯାଏଁ ସାଲୁସାଲୁ
ମେଞ୍ଚେ ପୋକ ଭଳି
ନିଜ ନିଜର କ୍ଷତକୁ ଘାଣ୍ଟିଘାଣ୍ଟି
ନର୍କ ତିଆରୁଥାଏ ।।