ଅଗଣାରେ ପଡିଥିବା ଛୁଞ୍ଚିଟିକୁ ଦେଖି ଅଗଣାରେ ଥିବା କୋଦାଳ, କୁରାଢୀ ଦୁହେଁ ଖୁବ୍ ହସିଲେ । କୁରାଢୀ କହିଲା- ମୋର ଏତେ କାଟତି ଯେ ନିମିଷକରେ ବଡ଼ବଡ଼ କାଠଗଣ୍ଡିକୁ ଖଣ୍ଡଖଣ୍ଡ କରିଦେଇପାରେ । କୋଦାଳ ବି କହିଲା- ମୁଁ କିଛି ସମୟ ଭିତରେ ହାଣିକି ଘାସବୁଦା ସଫା କରିବା ସହିତ ମାଟି ଖୋଳି ଗାତ ବନେଇପାରେ । କରତର ସ୍ୱର ବି ଭିତରୁ ଶୁଭିଲା – ଏତେ ସରୁ ହୋଇ ବି ମୋ ଦାନ୍ତରେ ବଡ ବଡ କାଠପଟାକୁ ମୁଁ ଚିରି ଦେଇପାରେ ।
ଦାଆ, କଟୁରୀମାନେ ବି ଟିକେ ନରମ ସ୍ୱରରେ କହିଲେ – ଆମେ ବି ଛୁଞ୍ଚିଠୁ ଶକ୍ତିଶାଳୀ । ଛୋଟଛୋଟ ଡାଳ କି ଗଛପତ୍ର ଆମେ କାଟିଦେଇପାରୁ । ହେଲେ ଛୁଞ୍ଚି ! ତୁ ଏତେ ସାନ ଯେ ଆଖିକୁ ବି ଦିଶୁନା । ସେଥିପାଇଁ ଏଣେତେଣେ ପଡିଛୁ, ତୋର ଆଦର ନାହିଁ । ଆମେମାନେ ପୋଷାକ ପିନ୍ଧିଛୁ, ତୁ ତ ଉଲଗ୍ନ ! ଛୁଞ୍ଚିକୁ ଏକଥା ଖୁବ୍ ବାଧିଲା । ସେ ନିଜ ଜନ୍ମକୁ ଧିକ୍କାରିଲା । ସେତିକିବେଳେ ଘରେଥିବା ଝିଅଟା ଛୁଞ୍ଚିକୁ ଅଳିଆରୁ ଉଠେଇ ତା ଭିତରେ ସୂତା ପୂରେଇଲା । ଫଟା ଡ୍ରେସ୍କୁ ସିଲେଇ କରି ମନଖୁସିରେ ତାକୁ ପିନ୍ଧି ପଡ଼ିଶାଘରକୁ ଚାଲିଗଲା ।
ଆସିବାବେଳକୁ କିନ୍ତୁ କଷ୍ଟରେ ଚାଲିପାରୁନଥିଲା । ଛୁଞ୍ଚିକୁ ଡବାରୁ ବାହାରକରି ବାମ ଗୋଡରୁ କଣ୍ଟା କାଢିଲା । ତାପରେ ଯାଇ ଶାନ୍ତିରେ ନିଃଶ୍ୱାସ ମାରିଲା । ଛୁଞ୍ଚି ସେ ଝିଅଟି ମୁହଁରେ ହସ ଦେଇଥିବାରୁ ତା ଜୀବନ ଯେ ବ୍ୟର୍ଥ ନୁହେଁ ଜାଣି ଭାରି ଖୁସି ହେଲା । ବରାଦ ଅନୁସାରେ ଝିଅଟି ବାଳକୃଷ୍ଣଙ୍କ ସହିତ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣଙ୍କ ଛୋଟଛୋଟ ପୋଷାକ ବନେଇ କିଛି ଅର୍ଥ ରୋଜଗାର କରିପାରୁଥିଲା । ଛୁଞ୍ଚି ଏଥର ବଡପାଟିରେ ଅନ୍ୟମାନଙ୍କୁ ଶୁଣେଇ କହିଲା – ମୁଁ ତ ଡବା ଭିତରକୁ ଯାଉଛି, ସାନଟାଏ ବୋଲି ! ତୁମେମାନେ ସେଇ ଅନ୍ଧାରକୋଣରେ ଅପରିଚ୍ଛନ୍ନିଆ ହୋଇ ପଡିଥାଅ । ତୁମେମାନେ କେବଳ ହାଣିକାଟି ଜାଣିଥାଅ, ଗଢି ଜାଣିନଥାଅ । ତୁମ ଦ୍ୱାରା ଗଛଲତାମାନେ କେତେ କଷ୍ଟ ପାଆନ୍ତି, ଜାଣିଛ ? ହେଲେ ସେହି ଗଛରୁ ପ୍ରସ୍ତୁତ ବେଣ୍ଟ ମାନଙ୍କୁ ତୁମେମାନେ ପିନ୍ଧିଥାଅ । ମୁଁ ସିଲେଇ କରି ବି ପୋଷାକ ପିନ୍ଧେନି । ତେବେ ବି କିଛି ସତ୍କାର୍ଯ୍ୟର ଅଂଶ ହୋଇଥିବାରୁ ମୁଁ ଭଗବାନଙ୍କୁ ସ୍ପର୍ଶ କରିପାରୁଛି । ସମସ୍ତେ ଚୁପ୍ ହୋଇଯାଇଥିଲେ ।
ପ୍ରତ୍ୟେକ ସଜୀବ ନିର୍ଜୀବର କୌଣସି କାରଣ ପାଇଁ ସୃଷ୍ଟି ହୋଇଥାଏ । ସେ ପଥରଖଣ୍ଡ ହୋଇଥାଉ କି ଧୂଳିକଣା ସମସ୍ତଙ୍କ ସଂସାର ପାଇଁ ଅବଦାନ ରହିଛି । ପଥର ଘରତୋଳା ଓ ଧୂଳିମାଟି ସବୁଜିମା ପାଇଁ ଜରୁରୀ । ତେଣୁ ସୃଷ୍ଟିରେ ସମସ୍ତଙ୍କର ବିଶେଷତା ରହିଥିବାରୁ କାହାକୁ ତାତ୍ସଲ୍ୟ ବା ଅପମାନିତ କରିବା ଅନୁଚିତ୍ ।