ନିର୍ଦ୍ଧିଷ୍ଟ ଅବଧି ପରେ ବର୍ଷଟିଏ ସରେ । ଡାହାଣ ପାଶ୍ୱର୍ରେ ନୂଆ ଅଙ୍କ ଯୋଡିହେବା ପରେ ପୁଣି ଗୋଟେ ନୂଆବର୍ଷର ପ୍ରାରଂଭ ହୁଏ । କ୍ୟାଲେଣ୍ଡର୍ର ପୃଷ୍ଠା ବଦଳେନି ବରଂ କ୍ୟାଲେଣ୍ଡର୍ ହିଁ ବଦଳିଯାଏ । ବର୍ଷ ପ୍ରାରଂଭରୁ ନୂତନ ଉତ୍ସାହ, ଉଦ୍ଧୀପନା ଓ ପରିକଳ୍ପନା ସହ ପୁଣିଥରେ ନୂଆ ସଂକଳ୍ପମାନ ନିଆଯାଏ । ଅବଶ୍ୟ ଚଳିତ ବର୍ଷକୁ ହର୍ଷୋଲ୍ଲାସରେ ଭରିଦେବାକୁ ବିଗତ ଡିସେମ୍ବରରୁ ଅନେକ ଆୟୋଜନ ବନା ସରିଥାଏ । ଭୋଜିଭାତ, ବୁଲାବୁଲି, ମଉଜ ମଜଲିସ୍ କରିବା ଭିତରେ ସମସ୍ତେ ଭୁଲିଯାଇଥାନ୍ତି ବର୍ଷ ସହିତ ଆୟୁଷ ବି କମେ ! ତା ସହିତ କ୍ଷୟ ହୁଏ ଶାରୀରିକ କ୍ଷମତା । ମଣିଷ କ୍ରମଶଃ ଅସହାୟ ହେଉଥାଏ ନିଜକୁ କ୍ଷମ ପ୍ରମାଣିତ କରିବାର ମିଛ ଆଶ୍ୱାସନାରେ । ତେବେ ବି ଅମର ହେବାର ଅଭିଳାଷାରେ ସେ ମୃତ୍ୟୁକୁ ପାଶୋରିଦିଏ ।
ପ୍ରତିବର୍ଷ ନିଜ ଅନୁଭୂତିକୁ ନେଇ ଗୁଡେ ସଂକଳ୍ପ ନିଏ । ନିଜକୁ ପରିବର୍ତ୍ତନ କରିବାର ଯୋଜନାରେ ଆତ୍ମବିଭୋର ହୁଏ ସିନା କିନ୍ତୁ କେଇଟା ମାସ ଭିତରେ ସେ ଅନୁଭବ କରେ ମଣିଷ ପ୍ରକୃତି ଏତେ ସହଜରେ ବଦଳେନା ଯେପର୍ଯ୍ୟନ୍ତ ଉଦ୍ଧିଷ୍ଟ ପରିବର୍ତ୍ତନକୁ ଅଭ୍ୟାସରେ ପରିଣତ କରାନଯାଇଛି । ବାସ୍ତବରେ ସରଳ ଲୋକମାନେ ହିଁ ନୂଆବର୍ଷର ସଂକଳ୍ପ ନିଅନ୍ତି । ନିଜକୁ ଆଉଟିକେ ସ୍ୱତନ୍ତ୍ର କରି ଗଢି ତୋଳିବା ପାଇଁ ସେମାନେ ପ୍ରଚେଷ୍ଟା ତ କରନ୍ତି ! କିନ୍ତୁ ଅନ୍ୟକୁ ଶୋଷଣ କରି ବଞ୍ଚୁଥିବା ଲୋକେ ବଦଳିବା ତ ଦୂରର କଥା ବରଂ ନିଜ ସାମୟିକ ସୁଖ ସୁବିଧା ଓ ସ୍ୱାର୍ଥ ଲାଳସା ଚରିତାର୍ଥ କରିବା ଉଦ୍ଧେଶ୍ୟରେ କାହାକୁ ପାହାଚ କିମ୍ବା କାନ୍ଧ ବନେଇ ହେବ ସେସବୁର ହିସାବ କରନ୍ତି । ଆବଶ୍ୟକ ପଡିଲେ ଅନ୍ୟକୁ ତଳିତଳାନ୍ତ କରିବାର ମସୁଧା ଚଲେଇ ସମଗ୍ର ପୃଥିବୀକୁ ନିୟନ୍ତ୍ରଣ କରିବାର ଷଡଯନ୍ତ୍ର ରଚନ୍ତି ।
ସରଳରେ କହିଲେ କିପରି କେରାଣ୍ଡି ଗୁନ୍ଥି ବାଳିଆ ଧରାଯିବ, ପାଞ୍ଚ ଦେଇ ପଚାଶ ଆଦାୟ କରାଯିବ, ଛଳନାର ଅଠାକାଠିରେ ଛନ୍ଦି ଅନ୍ଧ ମୂକ ବଧିର ବନେଇ ଦିଆଯିବ, ଅନ୍ୟର ଅସହାୟତା ଓ ସାମର୍ଥ୍ୟକୁ ମୋହରା ବନେଇ ଆପଣାର ଶକ୍ତି ସଂଚୟ କରି ସମ୍ରାଟ ବନିବାର ଅଭିପ୍ସାରେ ଅନ୍ଧ ଉଚ୍ଚାଭିଳାଷୀମାନେ ସେମାନଙ୍କ ପାଇଁ ନିର୍ମାଣ କରୁଥାନ୍ତି ସଫଳତାର ସୌଧ । କେତେବେଳେ ଦଲାଲ୍ ତ କେତେବେଳେ ବେପାରି ଭାବରେ ଅନ୍ୟକୁ ସୁବିଧା ଯୋଗାଇଦେବା ଆଳରେ ଲୁକ୍କାୟିତ ରହିଥାଏ ଅସରନ୍ତି ଅଭିସନ୍ଧି । ଏମାନେ ସଂକଳ୍ପ ନିଅନ୍ତି ଅନ୍ୟର ଜୀବନ ବିନିମୟରେ ନିଜ ସୁଖ ସାଧନ, ବିଳାସବ୍ୟସନର ଅଭିବୃଦ୍ଧି ପାଇଁ । ପଛରେ ଛାଡିଯାନ୍ତି ଅସ୍ଥିର ପୃଥିବୀ, ଦଳେ ବିଶୃଙ୍ଖଳିତ ଉଗ୍ର ଅନୁସରଣକାରୀ ଓ ଅସହାୟ ସରଳ ମଣିଷ ଯେଉଁମାନେ ନୀରବ ରହିବାକୁ ବାଧ୍ୟ ।
ବିଡମ୍ବନାର ବିଷୟ ଯେ ଅଧିକାଂଶ ଲୋକଙ୍କ ମୁହଁରେ ଗୋଟେ କି ଦୁଇଟା ନୁହଁ ଅସଂଖ୍ୟ ଖୋଳପା । ତା ଭିତରୁ ସତମୁହଁଟିକୁ ଜାଣିବା ଖାଲି କଷ୍ଟକର ନୁହେଁ ଅସମ୍ଭବ ମଧ୍ୟ । କହିବା ବାହୁଲ୍ୟ ପରିସ୍ଥିତି ସମସ୍ତଙ୍କ ସରଳତାକୁ ଛଡେଇ ନେଇଛି । କିଛି ଉଦ୍ଧଣ୍ଡଙ୍କ ପାଇଁ ସରଳମାନେ ଜଟିଳ ଜୀବନ ଅତିବାହିତ କରୁଛନ୍ତି । ସମାଜକୁ ଗୋଳିଆ ବନେଇଥିବା ଜୀବମାନେ ହିଁ ବର୍ତ୍ତମାନ ସମାଜର ମଙ୍ଗଧର ଓ ନୀତିନିର୍ଦ୍ଧାରକ । ତେଣୁ ସ୍ଥିତି ଚିନ୍ତାଜନକ ଓ ସଂକଳ୍ପର ଅର୍ଥ ଆତ୍ମପ୍ରବଂଚନା ।
ଦୁଃସ୍ଥିତି ଭିତରେ ବଞ୍ଚିବାର ସୂତ୍ରଟିକୁ ପାଇବା ପାଇଁ ବେଙ୍ଗ ପରି ଖାଲି ସ୍ଥିତି ଅନୁଯାୟୀ ନବଦଳି ଧୈର୍ଯ୍ୟଶୀଳ ହେବାକୁ ପଡିବ । କାରଣ ଏ ପୃଥିବୀ କେବଳ ହିଂସ୍ରମାନଙ୍କ ପାଇଁ ନୁହେଁ, ନିରୀହମାନଙ୍କ ପାଇଁ ବି । ବେଙ୍ଗ ସିନା ପାଣିର ତାପମାତ୍ରା ବୃଦ୍ଧି ଅନୁଯାୟୀ ସହନ ଶକ୍ତି ଉତ୍ପନ୍ନ କରିଜାଣେ କିନ୍ତୁ ସେଠାରୁ ମୁକୁଳିବାକୁ ନିରନ୍ତର ଚେଷ୍ଟା କରିକରି ଦୁର୍ବଳ ହେବା ଫଳରେ ମୃତ୍ୟୁମୁଖରେ ପଡ଼େ । ସେ ଈଶ୍ୱରପ୍ରଦତ୍ତଶକ୍ତିର ଉପଯୁକ୍ତ ବିନିଯୋଗ କରିଜାଣେନା ।
ଯେ କ୍ଷମତାର ଅପବ୍ୟବହାର କରିଛି ତାକୁ ଏ କାଳଖଣ୍ଡ ଛାଡି ନାହିଁ । କ୍ଷମତା ସବୁବେଳ ପାଇଁ କାହା ହାତରେ ରହିନାହିଁ । ଏକଥା ଜାଣି ମଧ୍ୟ ଲୋକଙ୍କ ମନରେ ନିଜ ଶକ୍ତିକୁ ନେଇ ଆସ୍ପର୍ଦ୍ଧା କମ୍ ନୁହେ । ମାଇକେଲ୍ ଜ୍ୟାକସନ୍ ପୃଥିବୀର ଅଧିକ ଲୋକପ୍ରିୟ ବ୍ୟକ୍ତି ଥିଲେ ଯାହାଙ୍କ ମୃତ୍ୟୁରେ ଇଂଟରନେଟ୍ ଦୀର୍ଘ ସମୟ ଧରି ଜାମ୍ ହୋଇଯାଇଥିଲା ! ସୁଖକର ଜୀବନ ଅତିବାହିତ କରିବାକୁ ସେ ସମସ୍ତ ସାଧନ ଯୋଗାଡିଥିଲେ । ବଡିଗାର୍ଡମାନଙ୍କ ସହିତ ଡାକ୍ତରୀ ଟିମ୍ ଟିଏ ତାଙ୍କ ସହିତ ସବୁବେଳେ ରହୁଥିଲା । ନିଜ ସୁନ୍ଦରତା ବଜାୟ ରଖି ଅମର ହେବାର ଚେଷ୍ଟା ଚଲେଇଥିବା ଲୋକପ୍ରିୟ ବ୍ୟସ୍ତ ତାରକାଙ୍କ ନିଦ କ୍ରମଶଃ ହ୍ରାସ ହେବାରେ ଲାଗିଲା । ସେଥିପାଇଁ ସେ ଆବଶ୍ୟକ ପରିମାଣର ନିଦବଟିକା ସେବନ କଲେ ।
ହଠାତ୍ ଦିନେ ଲୋକମାନଙ୍କୁ ମ୍ରିୟମାଣ କଲା ପ୍ରିୟ ତାରକା ମାଇକେଲ୍ ଜାକସନ୍ ଙ୍କ ମୃତ୍ୟୁ ଖବର । ପୋଷ୍ଟମର୍ଟମରୁ ଜଣାପଡିଲା ଅତ୍ୟଧିକ ନିଦବଟିକା ସେବନ ହିଁ ତାଙ୍କ ମୃତ୍ୟୁର କାରଣ । ସତ୍ୟ କିନ୍ତୁ ଆହୁରି ନିର୍ମମ, ହୃଦୟ ବିଦାରକ ଥିଲା । ଡାକ୍ତରଙ୍କ କହିବାନୁଯାୟୀ ସେଦିନ ସେ ଅଧିକ ପରିମାଣର ନିଦ ବଟିକା ନଖାଇଥିଲେ ବି ମୃତ୍ୟୁ ୟବରଣ କରିଥାନ୍ତେ କାରଣ ନିଦ୍ରାହୀନତା ପାଇଁ ତାଙ୍କ ମସ୍ତିଷ୍ଟର ସେଲ ଗୁଡ଼ିକ ନଷ୍ଟ ହୋଇଯାଇଥିଲା ।
ଲୋକପ୍ରିୟତା ଶୀର୍ଷରେ ରହି ଐଶ୍ୱର୍ଯ୍ୟଭରା ଜୀବନଯାପନ କରି ମଧ୍ୟ ମଣିଷ ସମୟ ପାଖରେ ଅସହାୟ ! କ୍ଷମତା ଓ ଲୋକପ୍ରିୟତା ଭାଗ୍ୟ ଓ ଭବିତବ୍ୟକୁ ବଦଳାଇପାରେନା ! ମଣିଷ ସବୁବେଳେ ସଂକଳ୍ପ ନେବା ଉଚିତ୍ ଗୋଟେ ଗଠନାତ୍ମକ ପୃଥିବୀର ବିକଳ୍ପରେ ସାମିଲ୍ ହେବାକୁ । ବିନାଶ କେବେ ବି ବିକଳ୍ପ ନହେଉ । ଚେତନାର ବିକାଶ ସୁନ୍ଦର ପୃଥିବୀଟିଏ ନିର୍ମାଣ କରୁ । ବୌଦ୍ଧିକ ଚେତନାର ଅଭିବୃଦ୍ଧି ଘଟୁ । ସର୍ବୋପରି ଚତୁରମାନେ ଜୋକ ପରି ରକ୍ତ ନଶୋଷି ସରଳମାନଙ୍କୁ ସେମାନଙ୍କ ବାଟରେ ବଞ୍ଚିବାକୁ ଦିଅନ୍ତୁ ।
ଗତ ଡିସେମ୍ବର ମାସ ୨୭ ତାରିଖରେ କେନ୍ଦ୍ରାପଡାଠାରେ ପ୍ରଥମ ଥର ପାଇଁ ଜିଲ୍ଲା ଯୁବ ସାଂସ୍କୃତିକ ମହୋତ୍ସବ “ଯୁବ ତରଙ୍ଗ” “ଆମେଓଡ଼ିଆ” ର ସହଯୋଗରେ ଅନୁଷ୍ଠିତ ହୋଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ମହାବିଦ୍ୟାଳୟର ପଠନରତ ବିଦ୍ୟାର୍ଥୀମାନଙ୍କ ଅନ୍ତର୍ନିହିତ କଳାକୁ ଲୋକ ଲୋକଲୋଚନକୁ ଆଣିବାର ଅଭିନବ ଉଦ୍ୟମ ରୂପେ ଏହା ବେଶ୍ ସଫଳ ଓ ଉତ୍ସାହଜନକ ହୋଇପାରିଥିଲା । ଏଥିରେ ଅଂଶଗ୍ରହଣ କରି ଏହାକୁ ସଫଳ ବନାଇଥିବା ଯୁବଲେଖକ/ଲେଖିକାମାନଙ୍କଠାରୁ ମିଳିଥିବା ଗପ ଓ କବିତା ଏଥରର ମୁଖ୍ୟ ଆକର୍ଷଣ । ସେମାନଙ୍କ ପ୍ରଦତ୍ତ କିଛି ଗଳ୍ପ ଓ କବିତା ଲେଖକୀୟ ସ୍ୱାତନ୍ତ୍ର୍ୟ ବହନ କରେ । ସେମାନଙ୍କ ସୃଜନଶୀଳତାକୁ ଉତ୍ସାହିତ କରିବାର ଏହି ନୂତନ ପ୍ରୟାସ ଅନ୍ୟମାନଙ୍କ ପାଇଁ ଆଲୋକବର୍ତ୍ତିକା ପାଲଟିବ, ଏଥିରେ ସନ୍ଦେହ ନାହିଁ । ଯୁବ ତରଙ୍ଗ ଯୁବ ମାନସକୁ ନବ ଚେତନାରେ ଉଦବୁଦ୍ଧ କରୁ । ଏହି ସଂଖ୍ୟାଟି ସେମାନଙ୍କ ଲେଖନୀରେ ସମୃଦ୍ଧ ହୋଇଥିବାରୁ “ଆମେ ଓଡିଆ” ପରିବାର ତରଫରୁ ସେମାନଙ୍କୁ ଶୁଭକାମନା ।