ହରିଙ୍କ ଭଜନ କରି କରି କବୀର ଦାସ ଦିନେ ନିଜ ଗନ୍ତବ୍ୟ ସ୍ଥଳୀ ଆଡକୁ ଯାଉଥିଲେ । ହଠାତ୍ ଦେଖିଲେ ନାରୀ ପଟୁଆରଟିଏ ତାଙ୍କ ଆଗେଆଗେ ଚାଲିଛି । ଝିଅବୋହୂମାନେ ପାରସ୍ପରିକ ବାର୍ତ୍ତାଳାପରେ ମଜ୍ଜି ଯାଇଥାନ୍ତି । କବୀର ଦାସ ସେମାନଙ୍କ କଥୋପକଥନ ଶୁଣିପାରୁଥିବା ଭଳି ଦୂରତାରେ ଥିବାରୁ ସେମାନଙ୍କ ବାର୍ତ୍ତାଳାପ ଶୁଣିପାରୁଥାନ୍ତି । କିନ୍ତୁ ତାଙ୍କ ଉପସ୍ଥିତି ସେହି ନାରୀ ପଟୁଆରଟି ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ହୋଇ ନଥିବାରୁ ସେମାନେ ବ୍ୟକ୍ତିଗତ କଥାସବୁ ବଖାଣୁ ଥାନ୍ତି । ସେମାନଙ୍କ ଭିତରୁ ଜଣେ ନିଜ ବିବାହ-ସଂପର୍କିତ କଥାମାନ ବର୍ଣ୍ଣନା କରୁଥାଏ । ବିବାହ ଉଦ୍ଧେଶ୍ୟରେ ବିଭିନ୍ନ ପାରମ୍ପରିକ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ତାକୁ ବୋହୂଦେଖାରେ ଉପହାର ସ୍ୱରୂପ ନୋଥ ବା ନାକବସଣିଟିଏ ମିଳିଥିବା ନେଇ ଅନେକ ଆଲୋଚନା କରୁଥାଏ । ନୋଥର ରୂପବର୍ଣ୍ଣନା ଓ ତାର ଗୁରୁତ୍ୱକୁ ନେଇ ଝିଅଟି ବନେଇଚୁନେଇ ଅନ୍ୟମାନଙ୍କ ଆଗରେ କଥା ଲମ୍ବଉଥାଏ । ଯାହାକୁ ଖାସ୍ ତାରି ପାଇଁ ଶାଶୁଘର ଲୋକ ବନାଇଛନ୍ତି ବୋଲି ମନ୍ତବ୍ୟ ଦେଇ ନିଜର ଅଯଥା ଗୁରୁତ୍ୱ ବୃଦ୍ଧି କରିବାକୁ ବି ପଛାଉନଥାଏ ।
ଏସବୁ କଥା କବୀର ଦାସଙ୍କ କାନରେ ପଡୁଥାଏ । ଝିଅଟିର ମାନସିକତା ତାଙ୍କୁ ଅସ୍ଥିର କରୁଥାଏ । ଏଥର ସେ ସେମାନଙ୍କୁ ଅତିକ୍ରମ କରୁକରୁ ସମ୍ଭାଳି ନପାରି କହିପକାଇଲେ- ‘ନଥନୀ ଦିନୀ ୟାର ନେ, ତୋ ଚିନ୍ତନ ବାରବାର, ନାକ ଦିନୀ କରତାର ନେ, ଉନକୋ ଦିୟା ବିସାର’ । ଅର୍ଥାତ୍ ନୋଥ ପାଇଁ ଏତେ ଚିନ୍ତନ, ନୋଥ ଦେଇଥିବା ଲୋକଙ୍କୁ ଏତେ କୃତଜ୍ଞତା ! ଅଥଚ ନୋଥ ପିନ୍ଧିବା ପାଇଁ ନାକଟିକୁ ଦେଇଥିବା ସ୍ରଷ୍ଟାଙ୍କ ଚିନ୍ତନ ପାଇଁ ସମୟ ନାହିଁ !
ପ୍ରସଂଗଟିର ଆଧ୍ୟାତ୍ମିକ ଭାଗଟିକୁ ଆଡକରି ସାଂସାରିକ ଦୃଷ୍ଟିକୋଣରୁ ବିଚାର କଲେ ଲୋକମାନଙ୍କର ଆତ୍ମବଡିମା ହିଁ ବହୁ ଗୁରୁତ୍ୱପୂର୍ଣ୍ଣ ସଂପର୍କ ସହିତ ମଣିଷ ଜନ୍ମର ଶ୍ରେଷ୍ଠତାକୁ ମ୍ଳାନ କରିଦିଏ । ଆତ୍ମପ୍ରଶଂସାରେ ବିମୋହିତ ହୋଇ ବାସ୍ତବତାକୁ ପାଶୋରି ଦେଉଥିବା ଲୋକେ ବାସ୍ତବରେ ମିଥ୍ୟା ଆବରଣ ତଳେ ବଂଚିବାକୁ ଭଲ ପାଆନ୍ତି । ସେମାନେ ବୁଝପାରନ୍ତି ନାହିଁ କୌଣସି ବ୍ୟକ୍ତିର ଆଚରଣ କିମ୍ବା ସଂପର୍କ ଚିରସ୍ଥାୟୀ ନୁହେଁ । ପାର୍ଥିବ ସୁଖ ମଧ୍ୟ ଅଳିକ । ପ୍ରକୃତ ସତ୍ୟ ବୁଝିବାବେଳକୁ ବିଳମ୍ବ ହୋଇସାରିଥାଏ । ତେଣୁ ମଣିଷ ରୂପେ ଶ୍ରେଷ୍ଠତା ବଜାୟ ରଖି ବାସ୍ତବତାକୁ ଗୁରୁତ୍ୱ ଦେଇ ଜୀବନକୁ ସୁନିୟନ୍ତ୍ରିତ କରାଯାଇପାରିବ ।