ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷ ଅସରନ୍ତି ! ଦାନାକନାର ହେଉ ବା ସିଂହାସନ ଦଖଲ କରିବାର, ସମାଜ ସହିତ ହେଉ ବା ନିଜ ସହ । ଯେଉଁଠି ସଂଘର୍ଷ ସରିଯାଏ, ଜୀବ ପାଲଟେ ଜଡ । ଜଡମାନଙ୍କ ବିଘଟନ କ୍ରିୟା ଥାଏ, ସେମାନେ ବୃଦ୍ଧି ହୋଇପାରନ୍ତିନି । ଜୀବମାନଙ୍କ ପରି ସଂଘର୍ଷ ଜଡଟେ କରିନଥାଏ । ଜୀବ ବୃଦ୍ଧି ହେବାକୁ ସଂଘର୍ଷ କରିଥାନ୍ତି ଓ ଜଡ କ୍ଷୟ ହେବାରେ । ଋତୁ, ସ୍ଥିତି ଓ ପାରିପାଶ୍ୱିର୍କ କ୍ରିୟା ପ୍ରକ୍ରିୟା ସହ ଜଡର ରୂପାନ୍ତର ଘଟୁଥାଏ । ଈଶ୍ୱରଙ୍କ ସଂସାରର ପ୍ରତ୍ୟେକ ସଜୀବ ଓ ନିର୍ଜୀବଙ୍କୁ ବିଭିନ୍ନ ପ୍ରକାରର ସଂଘର୍ଷରେ ଲିପ୍ତ ହେବାକୁ ପଡିଥାଏ । ସେ ହେଉ ପଛେ କ୍ଷୟ ଅବା ବୃଦ୍ଧିର ।
ଭୃଣ ହୋଇ ମାତୃଗର୍ଭରେ ବିକଶିତ ହେବାକୁ ସଂଘର୍ଷ ଓ ଭୂମିଷ୍ଠ ପରେ ବି ଅନେକ ସଂଘର୍ଷରେ ସେ ନିଜକୁ ପ୍ରତିଷ୍ଠିତ କରାଏ । ପାରିପାର୍ଶ୍ଵିକ ଅବସ୍ଥା, ପ୍ରତିଦ୍ୱନ୍ଦ୍ୱୀ ଓ ନିଜ ସହ ସଂଘର୍ଷ କରି ସେ ଅଳ୍ପ ଅଳ୍ପ ରୂପାନ୍ତରିତ ହେଉଥାଏ । ଅସ୍ପଷ୍ଟ ଶବ୍ଦ ଉଚ୍ଚାରଣ କରୁକରୁ କେତେବେଳେ ଠିକ୍ ଶବ୍ଦଟେ କହିପକାଏ । ଅନ୍ୟମାନଙ୍କ ସାବସୀ ପାଇ ଉକ୍ତ ଶବ୍ଦଟିକୁ ସେ ମନେରଖେ । ସେହି ଠିକ୍ ଶବ୍ଦଟିକୁ କହିବାକୁ ସେ କେତେ ସଂଘର୍ଷ କରିଥାଏ ତାହା ଅବଶ୍ୟ ସେ ଜାଣିନଥାଏ ।
ନିଜପାଦରେ ଶକ୍ତ ଭାବେ ଛିଡାହେବା ପାଇଁ ଅନେକବାର ତଳେ ପଡିବାକୁ ହୁଏ । ତଳେ ପଡିବା ପରେ ହିଁ ସେ ଛିଡାହେବାର କଳା ଶିଖେ । ସେମିତି ହାତରେ ଜିନିଷଟେ ଠିକ୍ରେ ଧରିବାକୁ ସେ କେତେଥର ଅନେକ ଜିନିଷ ତଳେ ପକାଇ ଭାଂଗିସାରିଥାଏ କିମ୍ବା ନିଜେ ଲହୁଲୁହାଣ ହୋଇଥାଏ ତାର ହିସାବ ନଥାଏ ! ପ୍ରକୃତି ଓ ସ୍ଥିତି ସହ ସେ ବି ସାମିଲ୍ ହୁଏ ସାମର୍ଥ୍ୟାନୁସାରେ । ଶାରୀରିକ, ଆର୍ଥିକ, ସାମାଜିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ସ୍ତରରେ କ୍ଷମ ହେବାକୁ ତାକୁ ଲାଗିଯାଏ ବର୍ଷ ବର୍ଷ । ହୁଏତ କିଛି ସ୍ତରକୁ ସେ ଅତିକ୍ରମ କରିପାରେନାହିଁ ।
ଏବେ କିନ୍ତୁ ସମୟ ବଦଳିଛି । ଜୀବନ ଖାଲି ଭାତଲୁଣର ସମସ୍ୟା ହୋଇ ରହିନି ବୋଲି ସେ ବିଭିନ୍ନ ସମସ୍ୟା ଖୋଜେ ସଂଘର୍ଷ କରିବାକୁ । ନିଜକୁ ତିଆରି କରେ ସମସ୍ୟାମାନଙ୍କ ପାଇଁ । ସଂଘର୍ଷ କେତେବେଳେ ନିଜ ସହ ତ କେତେବେଳେ ସ୍ଥିତି ଓ ପରିବେଶ ସହ, ସମସ୍ୟା ଓ ଅଭାବ ସହ । ଧନୀ ଦରିଦ୍ର ନିର୍ବଶେଷରେ ସମସ୍ତେ ଜୀବନର ଯୁଦ୍ଧ ଲଢୁଥାନ୍ତି ବିଭିନ୍ନ ରୂପରେ । ବିନା ସଂଘର୍ଷରେ ସେ ତିଷ୍ଠିପାରେନା ବୋଲି ହୁଏତ ନିଜେ ନିଜ ପାଇଁ ସମସ୍ୟା ତିଆରି କରେ ।
ବଂଚିବାର ଯାନ୍ତ୍ରିକତା ଭିତରେ ନିଜକୁ ଅଣନିଃଶ୍ୱାସୀ କରିବାକୁ ବାଧ୍ୟ ହୁଏ । ଆକାଶର ଉଡାଣ ପାଇଁ ସେ ପାଦତଳର ମାଟିକୁ ଭୁଲିବସେ । ମଣିଷ ଜନ୍ମଠାରୁ ପକ୍ଷୀ ଜନ୍ମର ସାର୍ଥକତା ତାର ଲକ୍ଷ୍ୟ ହୋଇଯାଏ । ଫଳତଃ ବାସ୍ତବତାରୁ ତା ଗୋଡ ଖସିବାରେ ଲାଗେ । ଜଟିଳତା ସହିତ ଜୋକଟେ ପରି ବଂଚି ସେ ଖୁସିହୁଏ । ଜୀବନର ସାଧାରଣ ପ୍ରବହମାନତାକୁ ଗ୍ରହଣ କରିପାରେନା । ନିଜର ଅପାର ଶକ୍ତିକୁ ସେ ବୁଝିବାର କ୍ଷମତା ରଖିଲାଣି ବୋଲି ଆରମ୍ଭ ହୋଇଛି ବଂଚିବାର ନୂତନ ଶୈଳୀ । ଯାହା ଦୂରେଇନେଉଛି ନିଜକୁ ନିଜଠାରୁ । ସାମୟିକ ଖୁସି ପାଇଁ ଯେକୌଣସି ସ୍ତରକୁ ସେ ଯାଇପାରୁଛି । ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (ଏଆଇ) ଓ ସାମାଜିକ ଗଣମାଧ୍ୟମ ଦ୍ୱାରା ଅସାଧ୍ୟକୁ ସାଧ୍ୟ କରି ଜୀବନକୁ ଉପଭୋଗ କରିପାରୁଛି । ଯେଉଁ ଆଧ୍ୟାତ୍ମିକ ପ୍ରସଂଗ ସହିତ ପ୍ରଚକ୍ତାର କୌଣସି ସଂପର୍କ ନଥାଏ । ବରଂ ଆଧ୍ୟାତ୍ମିକତା ଆଧାରରେ ଆର୍ଥିକ ସମ୍ବଳ ବୃଦ୍ଧି ହୋଇପାରେ । କିନ୍ତୁ ବିଡମ୍ବନା ଏଇଆ ଯେ ଯେଉଁ ଅଧ୍ୟାତ୍ମ ମୁକ୍ତିର ମାର୍ଗ ଦର୍ଶାଏ, ଲୌକିକତାରୁ ଆଧ୍ୟାତ୍ମିକତା ଆଡକୁ ମନକୁ ଆକର୍ଷି ନିଏ ସେହି ସତ୍କାର୍ଯ୍ୟଟି ପାଇଁ ପ୍ରବକ୍ତା ଅର୍ଥ ଦାବୀ କରନ୍ତି ନୋଚେତ୍ ବିଭିନ୍ନ ଆଧାରରେ ଅର୍ଥ ହାସଲ କରଥାନ୍ତି, ଏହା ହିଁ ସେମାନଙ୍କ ରୋଜଗାର-ପନ୍ଥା ! ଆତ୍ମଘୋଷିତ ବାବାମାତାମାନଙ୍କ ପ୍ରାଦୁର୍ଭାବ ବି କମ୍ ନୁହେଁ । ଧର୍ମଭୀରୁତା ପାଇଁ ଏମାନେ ଲୋକମାନଙ୍କୁ ପ୍ରତାଡିତ କରି ବେଶ୍ ଲାଭବାନ୍ ହୁଅନ୍ତି । ମାନସିକ ଦୁର୍ବଳତା ପାଇଁ ମଣିଷ ଏମାନଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହୁଏ । ଦ୍ୱନ୍ଦ୍ୱ ତିଆରି କରି ଦ୍ୱିଧାରେ ପଡେ ।
ପ୍ରବଚକ ବା ପ୍ରବକ୍ତାଟିଏ ଆଜିକାଲିର ସମାଜକୁ ପରଖି ନିଜକୁ ପ୍ରତାରକ ବା ଅବିଶ୍ୱସ୍ତ ପ୍ରମାଣିତ କରିବାରେ ସଂକୋଚ ରଖୁନି । ଅପମାନିତ କିମ୍ବା ଦଣ୍ଡିତ ହେବାର ଭୟ ନାହିଁ ମନରେ । କାରଣ ଆଇନ୍ କାନୁନ୍ର ଗଳାବାଟ ଆମ ସମାଜକୁ କଳୁଷିତ ହେବା ପାଇଁ ସାହାଯ୍ୟ କରିଛି । ଏହା ଭିନ୍ନ ସଂଘର୍ଷର ଭିନ୍ନ ରୂପରେଖ । ମଣିଷ ପରିଚିତ ହେବା ପାଇଁ ଯେକୌଣସି ସ୍ତରକୁ ଯାଇପାରେ । ଏହା ଯେ ଦୁଃସ୍ଥ ପରଂପରାର ଆରମ୍ଭ ଅସ୍ୱୀକାର କରିହେବ ନାହିଁ । କିଛିଲୋକଙ୍କ ଏକପାଖିଆ ଅନୁଶୀଳନକୁ ଗୁରୁତ୍ୱ ଦିଆଯାଏ, ଯେଉଁମାନେ ହଜାରେ ଅନୈତିକ କାମ କରି ବି ଲୋକପ୍ରିୟତାର ଶିଖରରେ ଥାନ୍ତି ଏବଂ ବିଜ୍ଞ ଲୋକେ ନୀରବ, ଅସମ୍ମାନିତ ବା ଅଗ୍ରାହ୍ୟ ହେବା ଭୟରେ ।
କିଛି ତଥାକଥିତ ବା ଆତ୍ମଘୋଷିତ ବିଜ୍ଞଙ୍କ ସମାଲୋଚନାକୁ ବେଦବାକ୍ୟ ଭାବେ ଗ୍ରହଣ କରାଯାଏ । ଯାହା ବ୍ୟକ୍ତିବିଶେଷ, ସ୍ଥାନ କାଳ ପାତ୍ର କିମ୍ବା ପରିବେଶକୁ ନେଇ ବଦଳୁଥାଏ । ଯେଉଁ ମତ ବାହ୍ୟ ଓ ଅନ୍ତର୍ଚାପରେ ବଦଳୁଥାଏ ସେଥିରେ ସତ୍ୟତା କମ୍ ଥାଏ । ନିଜ ଆତ୍ମାର ଉନ୍ନତି ଦୂରର କଥା ପର ଛାତରେ କେତେ ଫାଟ ତାହା ଗଣିବା ହିଁ ସାର ହୁଏ ।
ନୀତି ନିୟମର ପାଠ ପଢଉଥିବା ପଣ୍ଡିତେ ନିଜେ ନୀତି ବର୍ହିଭୂତ କାର୍ଯ୍ୟରେ ଲିପ୍ତ ଥିଲେ ପରପିଢି ତାଙ୍କଠୁ କି ଶିକ୍ଷା କରିବ ! ସେଥିପାଇଁ ବୋଧେ ଶୃଂଖଳହୀନ ସମାଜଟେ ଗଢିଉଠେ ସବୁ ନିୟମ ଉଦ୍ଧ୍ୱର୍ରେ । କୁହାଯାଏ – ଆଜିକାଲି ନୀତି ଆଉ ନୀତି ହୋଇ ରହିନାହିଁ । ସେପାଇଁ ଜଣେ ଆରଜଣକୁ ଗ୍ରହଣ କିମ୍ବା ସମ୍ମାନ କରିପାରନ୍ତି ନାହିଁ ବିନାସ୍ୱାର୍ଥରେ । ‘ଅହଂ’ ସର୍ବସ୍ୱ ଦୁନିଆରେ ମଣିଷ ନିଜକୁ ସ୍ୱତନ୍ତ୍ର ଦାବୀ କରେ । ତ୍ୟାଗପୂତ ଜୀବନ ଅପେକ୍ଷା ଭୋଗବାଦକୁ ଗୁରୁତ୍ୱ ଦିଏ ।
ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାଜ୍ଞାନୀଙ୍କ ସକାରାତ୍ମକ ବିଚାରଧାରାରେ କେହି ଅନୁପ୍ରାଣିତ ହେବାକୁ ଚାହାଁନ୍ତିନି । କାହା ଅନୁସାରେ ନିଜକୁ ଗଢିବା ଅପେକ୍ଷା ନିଜ ଅନୁସାରେ ବଂଚିବାକୁ ସେ ବେଶି ପସନ୍ଦ କରେ । ଈଶ୍ୱର ତାକୁ ଯେଉଁଭଳି ବନେଇଛନ୍ତି ସେହିଭଳି ରହିବା ତାର ପ୍ରକୃତି ବୋଲି ସେ ସଫେଇ ଦିଏ । ତେଣୁ ସେ ନିଜେ ହିଁ ନିଜର ଆଦର୍ଶ ବୋଲି ମାନିନିଏ । ଯେଉଁ ସମାଜ ସୁଗୁଣ ଗ୍ରହଣ କରେନି ସେଠି ସଂଶୋଧନ କରିବ କିଏ ଏବଂ ସଂଶୋଧିତ ହେବେ କେଉଁମାନେ ତାହା ଏକ ଗୁରୁତର ପ୍ରଶ୍ନ । ଚୋରଟେ କଣ ଚୋରୀ କରିବା ଉଚିତ? ପଚାରିଲେ ସଫେଇ ଦେବ ନିଜ ଦୁଃସ୍ଥିତି ଦର୍ଶାଇ?
ମଣିଷ ମାରୁଥିବା ନୃଂଶସ ଲୋକକୁ ବି ଦୋଷ ଦେଇହେବନି କାରଣ ସେ ବି ତା ବିଚାରରେ ଠିକ୍ କରୁଥିବ । ସେଥିପାଇଁ ଆଜିକାଲି ପିଲାମାନେ ମହାପୁରୁଷଙ୍କ ଜୀବନୀ ପଢୁନାହାନ୍ତି । ଆମେ ସୃଷ୍ଟି କରିଥିବା ପରିବେଶ ଓ ଅଗ୍ରହଣୀୟତା ଏଥିପାଇଁ ଦାୟୀ । ଯେଉଁମାନେ ଶିଖାଇବା କଥା ସେମାନେ ମୂଳରୁ ନିଜକୁ ସ୍ୱତନ୍ତ୍ର ବୋଲି କହିଆସିଛନ୍ତି । ତେଣୁ ଉତ୍ତରାଧିକାରୀମାନେ ବି ନିଜକୁ ସ୍ୱତନ୍ତ୍ର କରିବା ନିଶାରେ ଉନ୍ମତ୍ତ । ସଂଘର୍ଷର ରୂପରଂଗ ବଦଳିଯାଇଛି । ଅନ୍ୟର ପଦ ଲେହନ କରି ମଣିଷ ସହଜରେ ଆକାଶକୁ ଛୁଇଁପାରୁଛି ଯଦି ସେ ଚାଟୁକାର ହେବ ହିଁ ହେବ । ସିଂହାସନ ଓ ଅୟସଭରା ଜୀବନଟେ ପାଇଁ ନିଜ ବିବେକ ମରୁ ପଛେ, ପ୍ରଶଂସା ତ ମିଳୁଛି ।
ରାଜଭୋଗ କଣ ସମସ୍ତଙ୍କ ଭାଗ୍ୟରେ ଜୁଟେ ! ଭୋଗବାଦର ଅନ୍ତହୀନ ଆକାଂକ୍ଷା ମଣିଷକୁ ବିଳାସର ପ୍ରାଚୁର୍ଯ୍ୟ ଭିତରେ କୀଡନକ ବନାଇ ସଂଘର୍ଷର ଧାରା ଓ ରୂପ ବଦଳାଇ ଦେଇଛି । ନିଜ ବିପକ୍ଷରେ ଯୁଦ୍ଧର ବିଗୁଲ୍ ବଜାଇ ସୀମା ବାହାରକୁ ଚାଲିଯାଉଛି । ପ୍ରବହମାନତାକୁ ଭାଂଗି ନିଜ ପାଇଁ ଦୁର୍ଗଟେ ତିଆରି କରୁଛି ବିଭିନ୍ନ ଯୁଦ୍ଧ ସରଂଜାମ ସହ । ଆବଶ୍ୟକ ସ୍ଥଳେ ଯେପରି ଟ୍ରିଗର୍ କିମ୍ବା ଛୁରୀ ଚଲେଇହେବ ବିଭିନ୍ନ ସଂପର୍କରେ । ସୁଖ ହାସଲ କରିବାକୁ ଅନ୍ୟର ବେକ କିମ୍ବା ବିଶ୍ୱାସକୁ ହଣାଯିବା ସାଧାରଣ କଥା । ଆଜିକାଲି ଏସବୁ ଆଉ ପାପ ହୋଇ ରହିନାହିଁ । ‘ସସେମିରା’ର କାହାଣୀ ପରି ସମସ୍ତେ ଏଠି ଜଣେ ଲେଖାଏଁ ବିଶ୍ୱାସଘାତକ ରାଜକୁମାର! ସେଥିପାଇଁ ଏସବୁ ପ୍ରାକୃତିକ ଦୁର୍ବିପାକ, ବିପର୍ଯ୍ୟୟ । ଏବେକାର ଦୁନିଆର ସଂଘର୍ଷ -ସାମ୍ନା ଲୋକ ସହ କିମ୍ବା ନିଜ ସହ । ତେବେ ଅନ୍ୟକୁ ନିଜ ପ୍ରତିଦ୍ୱନ୍ଦ୍ୱୀ ବୋଲି ‘ଚତୁର ମଣିଷ’ଟି ଗ୍ରହଣ କରୁନି । ସେ ନିଜେ ହିଁ ନିଜ ଶତ୍ରୁ କିମ୍ବା ମିତ୍ର ବୋଲି ସଫେଇ ଦେଉଛି ।
ସକାରାତ୍ମକ ସଂଘର୍ଷରେ ଆତ୍ମିକ, ଭାବଗତ, ଆର୍ଥିକ ଉନ୍ନତି ହୁଏ । ନକାରାତ୍ମକ ହେଲେ ବିଲୟ ସୁନିଶ୍ଚିତ । ସଂଘର୍ଷରେ ହାର୍ ଜିତ୍ ଅଛି ଓ ରହିବ । ଭୀରୁ ପରି ମୁହଁ ଲୁଚାଇବା ଯେପରି ଅରୁଚିକର, ସଂଘର୍ଷକୁ ଜୋର୍ କରି ତିଆରି କରିବା ବି ଅବିବେକୀ । ଅନ୍ୟକୁ ଆଘାତ ନକରି ନିଜ ରାସ୍ତାରେ ଚାଲିବାରେ ଅସୁବିଧା କଣ! ପକ୍ଷପାତିତାଠୁ ଉଦ୍ଧ୍ୱର୍ରେ ରହି ଯେ ଭାବିପାରେ ସେ ଅନୁକରଣୀୟ । କଥାରେ ନୁହେଁ ଯେ କାମରେ କରି ଦେଖାଏ, ସେ ହିଁ ଉଦାହରଣର ପାତ୍ର । ତେଣୁ ମନତଳର ବିକାର ଯାହା ଶତ୍ରୁ ପରି ସକାରାତ୍ମକତାକୁ ନଷ୍ଟ କରୁଥାଏ, ସେସବୁକୁ ଜିତିବା ଜୀବନର ଲକ୍ଷ୍ୟ ହେଉ । ମାନବ ଜୀବନରେ ମାନବିକତା ବଜାୟ ରଖିବା ଜୀବନର ଲକ୍ଷ୍ୟ ହେଉ ।