ଅନୁବାଦ ସାହିତ୍ୟ

ଛୋଟ ସହରର ସମୁଦ୍ର

Ritika Pattnaik translated Anees Salim’s Small Town Sea into Odia as Chota Saharara Samudra.

ଭାପ୍ପାଙ୍କ ପଦପାତ ମୋଠାରୁ ଏତେ ଦ୍ରୁତ ଥିଲା ଯେ ମୁଁ ଦୌଡ଼ିବାକୁ ବାଧ୍ୟ ହେଲି । ୧୩୮ ପାଦ ବଦଳରେ ୬୯ ପାଦରେ ଆମେ ଗାଧୁଆଘରେ ପହଞ୍ଚି ଯାଇଥିଲୁ ।

ପୂର୍ବରୁ

ସଂଯୋଗବଶତଃ ଓ ଅପ୍ରତ୍ୟାଶିତ ଭାବେ ଦିନେ ଆମେ ଆବିଷ୍କାର କଲୁ ବେଳାଭୂମିର ଖଣ୍ଡେ ସଂକୀର୍ଣ୍ଣ ଭୂମି, ଅକ୍ଷତ,ନିର୍ଜନ । ପର୍ବତ ଓ ପଥରଗୁଡ଼ିଏ ତାକୁ ଅତି ଚତ୍ମକାର ଭାବେ ସମସ୍ତଙ୍କ ନଜର ଆଢ଼ୁଆଳରେ ରଖିଥିଲେ । ଏମିତି କି ଏଇ ସହରରେ ବଢ଼ିଥିବା ଭାପ୍ପା ବି ଏ ଭୂମି ବିଷୟରେ ଅଜ୍ଞ ଥିଲେ । ନିଜ ପ୍ରାରମ୍ଭିକ ଜୀବନର ୧୮ ବର୍ଷ ପର୍ଯ୍ୟନ୍ତ କେବେ ବି ସମୁଦ୍ରକୂଳ ଛାଡ଼ି ଭାପ୍ପା ଯାଇନଥିଲେ; ୧୮ ବର୍ଷର ହେବା କ୍ଷଣି ସେ ଘର ଛାଡ଼ି ପଳାଇଥିଲେ । ସେ ଭାବୁଥିଲେ ଘରୁ ପଳାଇଯିବା ବହି ଲେଖିବାର ପ୍ରଥମ ପଦକ୍ଷେପ ହୋଇପାରେ ।

ଆମେ ଏମିତି ଲକ୍ଷ୍ୟହୀନ ଭାବେ ବୁଲୁଥିଲୁ, ଆମର କିଛି ହଜିନଥିଲା, ଏଠାର କୌଣସି ବସ୍ତୁରେ ଆମର ମାଲିକାନା ନଥିଲା, ତଥାପି ଆମେ କିିଛି ଖୋଜୁଥିଲୁ ଯାହା କଦାପି ଆମର ନଥିଲା । ଏତିକିବେଳେ ଏହି କ୍ଷୁଦ୍ର ବେଳାଖଣ୍ଡ ଆମର ଦୃଷ୍ଟିଗୋଚର ହେଲା । ଆମର ଭାସ୍କୋଡା ଗାମା ମୁହୂର୍ତ୍ତକୁ ଲକ୍ଷ୍ୟ କରି ଭାପ୍ପା ସେଦିନ କହିଥିଲେ, ଏମିତି ଅନେକ ସଂଯୋଗ ଆବିଷ୍କାର ଇତିହାସରେ ଦେଖିବାକୁ ମିଳେ । ଆମେ ଗୁପ୍ତ ବେଳାଭୂମିର ସେଇ ଖଣ୍ଡରେ ପାଦ ଥାପିବା ପର୍ଯ୍ୟନ୍ତ ମୁଁ ଜାଣିନଥିଲି ଯେ ସବୁ ଆବିଷ୍କାର ସଂଯୋଗ ବୋଲି । ଏହାର କିଛି ମୁହୂର୍ତ୍ତ ପରେ ଭାପ୍ପା ଉପରୋକ୍ତ ଟିପ୍ପଣୀ ଦେଇଥିଲେ ।

କାହିଁକି ନା ବେଳାଭୂମିର ସେହି ନିବୃତ ଖଣ୍ଡକୁ ଆମେ ହିଁ ଆବିଷ୍କାର କରିଥିଲୁ, ଆମକୁ ପସନ୍ଦ ହେଲା ଭଳି କୌଣସି ନାମ ଦେବା ପାଇଁ ଆମେ ସ୍ୱାଧୀନ ଥିଲୁ । ଭାପ୍ପାଙ୍କ ନାମାନୁସାରେ ତାକୁ ନାମିତ କରିବା ପାଇଁ ମୁଁ ପ୍ରାୟ ସ୍ଥିର କରିସାରିଥିଲି । କିନ୍ତୁ ସେ ଜୀବିତବସ୍ଥାରେ ନୁହେଁ । ତାଙ୍କ ମୃତ୍ୟୁର କିଛିଦିନ ପରେ ମୁଁ ଏଠାକୁ ଆସି ତାଙ୍କ ନାମ ବାଲିରେ ଏମିତି ଏକ ସ୍ଥାନରେ ଲେଖିବି ଯେଉଁଠାକୁ ସମୁଦ୍ରଢେଉ ଆସି ତାକୁ ଲିଭାଇ ପାରୁନଥିବ । ମୁଁ ସାଙ୍ଗରେ ବିଲାଲକୁ ନେଇଯିବ । ଶିବାନକୁ ମଧ୍ୟ ଡାକିନେବି ଯଦି ସେ ଅନ୍ତେଷ୍ଟିର କିଛିଦିନ ପରେ ମୋତେ ସାକ୍ଷାତ କରେ । ଆମେ ସବୁ ନୀରବ, ନିଶ୍ଚଳ ହୋଇ ଛିଡ଼ା ହୋଇରହିବୁ । ଯେମିତି ମୁଁ ଦୁଇ ପୃଥକ ପୃଥକ ସ୍କୁଲରେ ପଢ଼ିବା ଅବସରରେ ଛିଡ଼ା ହେଉଥିଲି । ଅତୀତର ପୂର୍ବ ସ୍କୁଲରେ ଶିବାନ ସହିତ ଓ ଏବେ ବିଲାଲ ସହିତ; ସ୍କୁଲ ସଭାପତି ବା କେହି ନାମଜାଦା ବ୍ୟକ୍ତିଙ୍କ ମୃତ ଆତ୍ମାର ସମ୍ମାନର୍ଥେ ଏକ ମିନିଟର ନୀରବତା ପୂର୍ବକ ଆମେ ଛିଡ଼ା ହୋଇରହୁ, ଓଠ ଚାପି ଖୁବ୍ ହସୁଥାଉ, ସମସ୍ତଙ୍କୁ ଅଗୋଚରରେ । ତା’ପରେ ଆମେ ମୁଖ୍ୟ ବେଳାଭୂମିକୁ ଯାଇ ଖେଳିବୁ ଓ ଆଉ କିଛି ନୁହେଁ, କେବଳ କମଳା ରଙ୍ଗର ସାର୍ଟ ପିନ୍ଧିଥିବା ଜଳଦସ୍ୟୁର ମୃତଦେହ ଭାସିଆସି ପଡ଼ିଥିବା ସ୍ଥାନକୁ ଶିବାନକୁ ଦେଖାଇବି ।

କିନ୍ତୁ ଯେପର୍ଯ୍ୟପ୍ତ ଔପଚାରିକ ନାମକରଣ ନ ହୋଇଛି ମୁଁ ଏହି ସ୍ଥାନଟିକୁ ଗୁପ୍ତ ବେଳାଭୂମି ବୋଲି ଡାକିବି । ମୁଁ ଓ ଭାପ୍ପାଙ୍କ ଛଡ଼ା କେବଳ ପକ୍ଷୀମାନଙ୍କୁ ଏହି ସ୍ଥାନ ବିଷୟରେ ଜଣାଅଛି । ଏକ ଅନିୟନ୍ତ୍ରଣାଧୀନ ଖେଳନା ହେଲିକପ୍ଟର ଯଦି ହଜିଯାଇନଥାନ୍ତା ପ୍ରକୃତି ଆମକୁ ଏହାର ଅବସ୍ଥିତି ବାବଦରେ ଅନ୍ଧାରରେ ରଖିଥାଆନ୍ତା ।

ଆମେ ବୋଗେନଭିଲ୍ଲିଆରେ ରହିବାର ଚାରିମାସ ପରେ ଏହା ହୋଇଥିଲା । ସେପର୍ଯ୍ୟନ୍ତ ଭାପ୍ପା ମୋତେ ଏକଲା ବିଚ୍‌କୁ ଛାଡ଼ୁନଥିଲେ । ଆମେ ଢାଳୁଆପଥରେ ଛିଡ଼ା ହୋଇଥିଲୁ, ସେହି ସମୁଦ୍ରକୁ ଦେଖୁଥିଲୁ, କିନ୍ତୁ ଆମ ଆଗ୍ରହର ବସ୍ତୁ ଭିନ୍ନ ଭିନ୍ନ ଥିଲା । ମୁଁ ସମୁଦ୍ରରେ କେତେଗୁଡ଼ିଏ କଳା କଳା ବିନ୍ଦୁ ଦେଖିପାରୁଥିଲି, ସମ୍ଭବତଃ ତାହା ଜାହାଜ ହୋଇପାରେ ବା ଏହା ମୋର ଭ୍ରାନ୍ତ କଳ୍ପନା ବି ହୋଇପାରେ । ମୁଁ ଯାହା ଦେଖୁଥିଲି ନିଶ୍ଚିତ ରୂପେ ଭାପ୍ପା ତାହା ଦେଖିପାରୁନଥିଲେ । ସେ କେବଳ ନିଜ ଜୀବନର ଅନ୍ତ ନିକଟତର ହେଉଛି ବୋଲି ଅନୁଭବ କରୁଥିଲେ, ଧୀର ନିଶ୍ଚିତ, ଢେଉର ଗତି ଭଳି । ଅଦୂରରେ ଢାଲୁଆ ପଥରୁ ହେଲିପାଡ଼କୁ ମୋଡ଼ିବା ରାସ୍ତାରେ,ପର୍ବତଧାରରେ ଗ୍ଲାଇଡର ଦଳ ପବନର ବେଗ କମିବାକୁ ଅପେକ୍ଷା କରିଥିଲେ । ଆକାଶରେ ଘର୍ଘର ନାଦ ଶୁଣି ଆମେ ଉପରକୁ ଅନାଇ ଦେଖିଲୁ ଏକ ଛୋଟିଆ ହେଲିକପ୍ଟର ଆମ ମୁଣ୍ଡ ଉପରେ ଚକ୍କର କାଟି ସମୁଦ୍ର ଆଡ଼କୁ ଚାଲିଯାଉଛି । ଅଚାନକ ହେଲିକପ୍ଟରଟି ପର୍ବତଧାର ଦେଇ ତଲକୁ ଖସିଲା, ବୁଦା ଭିତରେ ଅଦୃଶ୍ୟ ହୋଇଗଲା, ପ୍ରବଳ ଧୂଳିର କୁଣ୍ଡଳୀ ଖେଳାଇ । ଏକ ଶ୍ୱେତାଙ୍ଗ ପର୍ଯ୍ୟଟକ ମଥାରେ ସନ୍‌ଗ୍ଲାସକୁ ହେଆର ବ୍ୟାଣ୍ଡ ଭଳି ପିନ୍ଧି, ରିମୋଟ କଣ୍ଟ୍ରୋଲ ସହିତ ଖେଳି ଖେଳି ଚାଲି ଚାଲି ଆସିଲା । ସେ ଆମ ଆଡେ଼ ପ୍ରଶ୍ନିଳ ଆଖି ଘୁରାଇଲା, ସତେ ଯେପରି ସେ ଆମକୁ କିଛି ପଚାରିବାକୁ ଚାହୁଁଛି । ଶ୍ୱେତାଙ୍ଗର ହଜିଯାଇଥିବା ହେଲିକପ୍ଟର ବିଷୟରେ ଭାପ୍ପା ତାକୁ ‘ନିରୁଦ୍ଧିଷ୍ଟ ହେଲିକପ୍ଟରଟି କେଉଁଠାରେ ସନ୍ଧାନ କରିବେ ବୋଲି ଆମେରିକାନ୍ ଉଚ୍ଚାରଣରେ କହିବି ନା ବ୍ରିଟିଶ୍‌ ଢଙ୍ଗ ଆପଣେଇବି’ ବିଚାର କରୁଥିବା ମୁଁ ଲକ୍ଷ୍ୟ କଲି । କିନ୍ତୁ ପର୍ଯ୍ୟଟକ ଜଣକ ତୀବ୍ରଗତିରେ ଲିଟିଲ ତିଦ୍ଭତ ଦିଗରେ ଆଗେଇଗଲା ।

“ସେଇଟା ତୁ ଚାହୁଁଛୁ କି?”, ଭାପ୍ପା ପର୍ବତର ନିମ୍ନଦେଶକୁ ଆଙ୍ଗୁଳି ନିର୍ଦ୍ଧେଶ କରି କହିଲେ ।

ମୁଁ ଅନିଶ୍ଚିୟତାସୂଚକ ମୁଣ୍ଡ ହଲାଇଲି ।

“ଏମିତି ମୁଣ୍ଡ ହଲାନା, ଯାହା ଚାହୁଁଛୁ ସଫା କହ ।”

“ହଁ ।”

ସର୍ପିଳ ପାଦଚଲା ରାସ୍ତାଟିଏ ପର୍ବତର ଢାଲୁଆ ଚଟାଣରୁ ବାହାରି ପାହାଡ଼ର ନିମ୍ନଦେଶକୁ ଲମ୍ବି ଯାଇଥିଲା । ଭାପ୍ପା ସତର୍କତାର ସହ ସେହି ପଥ ଦେଇ ତଳକୁ ଓହ୍ଲାଇଲେ । ଦୂରକୁ ଉଡ଼ିଯିବା ପୂର୍ବରୁ ହେଲିକପ୍ଟରର ଡେଣା ବାଜି କିଛିକାଂଶରେ କଟିଯାଇଥିବା ବୁଦା ମୂଳେ ଅଟକିଗଲେ । ବୁଦାର ଭଙ୍ଗୁର ଡାଳ ଏବଂ ଧୂଳିଆ ପତ୍ରର ଶରୀରକୁ ତନ୍ନତନ୍ନ କରି ପରଖିଲେ । କିନ୍ତୁ କିଛି ନଥିଲା କେବଳ ଅନେକ ଗଛଡାଳ ସମାହାରର ବୁ୍ୟହ ଛଡ଼ା । ତେଣୁ ଆମେ ଆହୁରି ତଳକୁ ଗଲୁ, କଣ୍ଟା ବାଜି ଆମ ହାତ କୁଣ୍ଡେଇବା ଆରମ୍ଭ କରିଦେଇଥିଲା । ଏମିତି ଚାଲୁ ଚାଲୁ ଆମେ ଏକ ଧଳା ବାଲିଆ ସ୍ଥାନରେ ପହଞ୍ଚିଗଲୁ ଯେଉଁଠାରେ ଶଙ୍ଖ, ଶାମୁକା, ସିଗାରେଟ ବିଛାଡ଼ି ପଡ଼ିଥିଲା ।

କାଳିଆ ଶିଳାସମୂହ କଷିକରି ଖୋସାଖୋସି ହୋଇଥିଲେ, ଇଟାଗଡ଼ା ଅଙ୍କାବଙ୍କା ପ୍ରାଚୀର ସଦୃଶ୍ୟ, ସମୁଦ୍ରକୁ ଆଢ଼ୁଆଳରେ ରଖିଥିଲେ । କେବଳ ଶେଷ ଦୁଇ ବେଆଡ଼ା ପଥର ନିଜ ପରିରେଖା ମଝିରେ ଆୱାର ଗ୍ଲାସ ଆକୃତିର ପଥ ସଜାଡ଼ି ଠିଆ ହୋଇ ରହିଥିଲେ । ଆୱାର ଗ୍ଲାସ ଆକୃତିର ଫାଙ୍କର ଉପର ଅର୍ଦ୍ଧାଂଶରେ ଆକାଶ ବ୍ୟାପ୍ତ ଥିଲା ଓ ତଳଅଂଶରେ ସମୁଦ୍ର ଦେଖାଯାଉଥିଲା । ଏପରି ପ୍ରତୀତ ହେଉଥିଲା ସତେ କି ଧଳା ବାଦଲ ଆୱାର ଗ୍ଲାସର ସରୁ ବେକ ଦେଇ ବାହାରି ଆସି ଫିକା ନୀଳ ଜଳରେ ପରିବର୍ତ୍ତିତ ହେଇଯାଉଛି । ଫାଙ୍କଟି ମୋ ପାଇଁ ବେଶ ଓସାର ଥିଲା । କିନ୍ତୁ ଭାପ୍ପା ତା ମଧ୍ୟ ଦେଇ ବାହାରି ପାରିବେ ନା ନାହିଁ ମୁଁ ନିଶ୍ଚିତ ନଥିଲି ।

ଧୀରେ ସୁସ୍ଥେ ଭାପ୍ପା ଆଣ୍ଠେଇ ପଡ଼ିଲେ ଅନେକ ସମୟ, ଦେଖୁଥିଲେ କିପରି ଢେଉମାନେ ବେଳାଭୂମିରେ ପହଞ୍ଚିବା ପୂର୍ବରୁ ଘୁଞ୍ଚି ଯାଉଛନ୍ତି । କେବଳ ଛୋଟ ଛୋଟ ଲହର କୂଳ ଲଙ୍ଘୁଥିଲା । ତା’ପରେ କିଛି ଚେଷ୍ଟା କରି ସେ ଫାଙ୍କ ବାଟେ ଗୁରୁଣ୍ଡି ଗୁରୁଣ୍ଡି ବାହାରିଗଲେ । ଏକ ବର୍ଷ ପୂର୍ବରୁ ପଥର ଫାଙ୍କ ଦେଇ ସେ କଦାପି ଯାଇ ପାରିନଥାଆନ୍ତେ । କିନ୍ତୁ ଏବେ ସେ କାର୍ଟୁନ ଚରିତ୍ର ଭଳି କ୍ଷୀଣକାୟ ହୋଇଯାଇଥିଲେ, ତାଙ୍କ ହାଡ଼ଗୋଡ଼ କୌତୁକିଆ ଭାବେ ସୁଦୃଶ୍ୟ ଥିଲା । ସେଇ ଫାଙ୍କ ବାଟେ ମୁଁ ତାଙ୍କ ପଛେ ପଛେ ବାହାରଯିବା ସମୟରେ ଦେଖିଲି କଙ୍କଡ଼ାଟାଟିଏ ବି ମୋ ଦୁଇ ଗୋଡ଼ ବାଟେ ଗୁପ୍ତ ବେଳାଭୁମିକୁ ହାମୁଡେ଼ଇ ହାମୁଡେ଼ଇ ବାହାରିଗଲା । ଆମେ ସମୁଦ୍ର ଦିଗରେ ହିଁ ଯାଉଥିଲୁ କିନ୍ତୁ ଲାଗୁଥିଲା ଯେପରି ଆମେ ଡୁବିଯାଇଥିବା କୌଣସି ଜାହାଜରୁ ପ୍ରାଣବିକଳରେ ପଳେଇ ଯାଉଛୁ । ମୁଁ ତ ଏକ ପୁରୁଣାକାଳିଆ ଜାହାଜ ଦୂରରେ ଡୁବିଯାଉଥିବା କଳ୍ପନା କରି ପକାଇଲି, ତା’ର ଭଗ୍ନାଂଶର ପ୍ରଥମ କିସ୍ତି ଏବେ ସମୁଦ୍ରରେ ଭାସମାନ ଥିଲା ।

ଗୁପ୍ତ ବେଳାଭୂମି ଆବିଷ୍କାର ଯୋଗୁଁ ମୁଖ୍ୟ ବିଚ୍‌କୁ ଯିବାର ଆଗ୍ରହ କମିଗଲା । ଏବେ ଆମେ କାହିିଁକି ଗହଳିଆ ମୁଖ୍ୟ ବେଳାଭୂମିକୁ ଯିବା? ଏଇଟା ଆମର ନିଜସ୍ୱ ସମ୍ପତ୍ତି , ଆମେ ନିଜକୁ ସିନେମାରେ ଦେଖିଥିବା ଧନ୍ୟାଢ଼୍ୟ ଲୋକଙ୍କ ଭଳି ଭାବୁଥିଲୁ ଯେଉଁମାନେ ବିଚ୍ ଛତା ତଳେ ବସି ସସେଜ ଆକାରର ବଡ଼ ବଡ଼ ସିଗାର ଟାଣୁଥାନ୍ତି । ଭାପ୍ପା, ଯିଏ ମୁଖ୍ୟ ବେଳାଭୂମିରେ କେବେ ସାର୍ଟ ଖୋଲିବା ପସନ୍ଦ କରନ୍ତି ନାହିଁ, ଏଠାରେ ବିନା ଦ୍ୱିଧାରେ ସାର୍ଟ ଓତାରି ପକାଇଲେ । କେବେ କେବେ ସେ ପୋଷାକ ଭିତରେ ଚଡ଼ି ପିନ୍ଧିଥିବା ବେଳେ ନିଜ ଟ୍ରାଉଜର କାଢ଼ି ପକାଇ ଏକ ଛୋଟ ପଥର ଉପରେ ବସିଯାଉଥିଲେ । ଅଗଭୀର ସମୁଦ୍ର ପାଣିରେ ପାଦ ଡୁବେଇ ରଖି ସତେ କି ସେ ଆଶା କରୁଥିଲେ ମାଛର ଏକ ଦଳ ତାଙ୍କ ପାଦ ତଳେ ପହଁରି ତାଙ୍କ ଦେହରୁ କର୍କଟ ବ୍ୟାଧିକୁ ଶୋଷି ନିଅନ୍ତେ କି ।

ତା’ପରେ ଏକ ଗ୍ରୀଷ୍ମଦିନିଆ ବିଳମ୍ବିତ ଅପରାହ୍ଣରେ ଆମେ ଦେଖିଲୁ ଆମର ଛୋଟିଆ ବିଚ୍ରେ କେହି ଅନଧିକାର ପ୍ରବେଶ କରିଛି ।

ଗତରାତିକୁ ଭାପ୍ପା ଅତିକ୍ରମି ଯିବେ ବୋଲି କେହି ଆଶା କରିନଥିଲେ । ପ୍ରାୟ ସାରାରାତି ସେ ଗଁ ଗଁ କରି ବିତାଇଥିଲେ ଯାହା ନକଲି ହସ ପରି ଶୁଭାଯାଉଥିଲା । କେବେ କେବେ ତାଙ୍କ କଣ୍ଠ ପୀଡ଼ାରେ ଏପରି କର୍କଶ ଶୁଭୁଥିଲା ଯେ ମୋ କଳ୍ପନା ଶକ୍ତି ଚେଇଁ ଉଠୁଥିଲା । ମୋ କଳ୍ପନାରେ କେବଳ ତାଙ୍କର ଅନ୍ତେଷ୍ଟିକ୍ରିୟା ଦୃଶ୍ୟ ଦେଖାଯାଉଥିଲା । ଭାପ୍ପୁମ୍ମା ମୋତେ ଶୋଇବାକୁ ନଦେଇ ଭାପ୍ପାଙ୍କ ଉପରେ ନଜର ରଖିବାକୁ କହିଲେ । ଭାପ୍ପା ଶେଷନିଶ୍ୱାସ ତ୍ୟାଗ ମୁହୂର୍ତ୍ତ ମୁଁ ଦେଖେ ବୋଲି ତାଙ୍କର ଇଚ୍ଛା ଥିଲା । ସେ ଭାବୁଥିଲେ ଭାପ୍ପା କାଳେ ମୋତେ କୌଣସି ଶେଷ ଉପଦେଶ ଦେବେ ବା ଯାଉ ଯାଉ ଚୁମ୍ବନଟିଏ ଲେପି ଦେବେ । ଚୁମ୍ବନ ଦେବାଟା ଟିକେ ଅଖାଡ଼ୁଆ ହୋଇଥାନ୍ତା । କେବଳ ପୁରୁଣା ଫଟୋଗୁଡ଼ିକରେ ସେ ମୋତେ ଚୁମ୍ବନଦେବାର ଦୃଶ୍ୟ ଥିଲା । ମୁଁ ଆଶା କରୁଥିଲି, ସେ ମୋତେ ଚୁମ୍ବନ ଦେବାକୁ ଉଦ୍ୟମ ନକରି ଚାଲିଯିବେ । ଖଟ ପଛରେ ବସି ଖଡ଼ବାଡ଼କୁ ଧରି ମୁଁ ମଧ୍ୟେ ମଧ୍ୟେ ଘୁମେଇ ପଡ଼ୁଥିଲି । ଚଢେ଼ଇମାନେ କିଚିରିମିଚିରି କରିବା ସମୟରେ ବି ସେ ଜାଗ୍ରତ ଥିଲେ । କିନ୍ତୁ ବୋଗେନଭିଲ୍ଲିଆ ପଛପାଶ୍ୱର୍ ଜାଗାରେ ଫର୍ଚ୍ଛା ଆଲୁଆ ଦେଖାଗଲା ବେଳେ ସେ ପୁଣି ଶୋଇପଡ଼ିଥିଲେ, ଘୁଙ୍ଗୁଡ଼ି ମାରୁଥିଲେ । ଏବଂ ଏହା ପରେ ପରେ ସାରାଘରର ଲୋକେ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲେ । ମୁଁ ଉଠିବା ବେଳକୁ ସୂର୍ଯ୍ୟ ଏତେ ଉପରକୁ ଉଠି ଯାଇଥିଲା ଯେ ବାରଣ୍ଡାର ଅଧା ପର୍ଯ୍ୟନ୍ତ ଛାଇ ପଡ଼ିଥିଲା । ତେଣୁ ସେତେବେଳକୁ ପୂର୍ବମଧ୍ୟାହ୍ନ ବା ମଧ୍ୟାହ୍ନପର ହୋଇସାରିଥିଲା ବୋଧହୁଏ । ଭାପ୍ପା ଖଟରେ ଉଠିବସିଥିଲେ । ନଖ କାଟୁଥିଲେ । ଆଦ୍ୟ ଅପରାହ୍ଣରେ ସେ ପର୍ବତ ଢାଲୁଆ ପଥକୁ ଯିବା ପାଇଁ କହିଲେ । ସେଠାରେ ଛିଡ଼ା ହୋଇ ସମୁଦ୍ରକୁ ଦେଖିବାକୁ ତାଙ୍କର ମନ ଥିଲା । ଦୂରଦିଗ୍ବଳୟକୁ କିଛି ମିନିଟର ନିରୀକ୍ଷଣ ପରେ ସେ ଗୁପ୍ତବିଚ୍‌କୁ ଯିବା ପାଇଁ ଇଚ୍ଛାବ୍ୟକ୍ତ କଲେ ।

ଗତରାତିରେ ମୃତ୍ୟୁର ପ୍ରାୟ ନିକଟତର ଥିବା ଭାପ୍ପା ତୀଖ ପାହାଡ଼ିରାସ୍ତା ଅତି ସହଜରେ ପାର ହୋଇଗଲେ । ବେଳାଭୂମିରେ ପହଞ୍ଚି ସେ ଟ୍ରାଉଜର ଖୋଲି ପଥର ଉପରେ ବସିଲେ, ଖରାଭିଜା ସମୁଦ୍ରପାଣିରେ ଗୋଇଠିଯାଏ ଗୋଡ଼ ରଖି । ଆଉ ମୁଁ ନଇଁପଡ଼ି ମୋ ଲହରିଆ ଛାଇର ଛାତିରୁ ଶାମୁକା ଗୋଟାଇବାରେ ବ୍ୟସ୍ତ ଥିଲି । ସେତିକିବେଳେ କେହି ଗଳା ଝାଡ଼ିବାର ଆମେ ଶୁଣିଲୁ ।

ଆମେ ପ୍ରାୟ ଚମକି ପଡ଼ିଲୁ: ଆମେ ଯାହା ଆବିଷ୍କାର କରିଥିଲୁ ତାହା ପୁଣି ଅନ୍ୟ କେହି ପୁନଃ ଆବିଷ୍କାର କରିଥିଲା; ଆମର ଛୋଟିଆ ବେଳାଭୂମି ଆଉ ଆମର ହୋଇ ନଥିଲା । ଜଣେ ଡେଙ୍ଗା ଲୋକ ପଥର ନିକଟରେ ଛିଡ଼ା ହୋଇଥିଲା, ସମୁଦ୍ରକୂଳିଆ ପଥର ଭଳି କାଳିଆ ଥିଲା ତା ଦେହର ବର୍ଣ୍ଣ । ହାତରେ ଝୁଲୁଥିଲା ଏକ ମାଛ, ଲାଞ୍ଜ ଆଡ଼ୁ ଓହଲେଇ ଧରିଥିଲା । ମାଛଟିର ଏପରି ସୁନ୍ଦର କାତିଥିଲା ଯେ ତାକୁ ଜାଲରେ ଧରିବା ପାପ ବୋଲି ମନରେ ସ୍ୱତଃ ଭାବନା ଉତ୍ପନ୍ନ ହେଉଥିଲା । ଏକ ସବୁଜ ରଙ୍ଗର ପ୍ଲାଷ୍ଟିକ୍ କ୍ୟାପ ତା ମଥା ପଛରେ ଦେଖା ଯାଉଥିଲା । କ୍ୟାପର ଫିତା ତା ଗଳା ଦେଇ କାନରୁ କାନ ଯାଏ ବନ୍ଧା ହେଇଥିଲା । ମୁଁ ତାକୁ ଜାଣିଥିଲି ବୋଧହୁଏ ଯଦିଓ ମୁଁ ତାକୁ କେବେ ବି ଦେଖିନାହିଁ । ସମ୍ଭବତଃ ସେ କୌଣସି ସିନେମାର ବଲିଷ୍ଠ ଗୁଣ୍ଡା ଭଳି ଖଳ ଚରିତ୍ର ସମାନ ଦେଖାଯାଉଥିଲା ଯିଏ ଦୁଃସାହସିକ ଦୃଶ୍ୟରେ ମାଡ଼ ଖାଉଥିଲା ଓ କାଚଦୁଆର ବାଟେ ଠେଲି ଦିଆଯାଉଥିଲା, ଧୀର ଗତିରେ । ମଜବୁତ ହାତ ଦୁଇଟି କିନ୍ତୁ ତା ଶରୀର ଅପେକ୍ଷା ଛୋଟ ଦେଖାଯାଉଥିଲା ।

ମୁଁ ସମୁଦ୍ରପାଣିରେ ଠିଆ ହୋଇରହିଲି ଓ ଭାପ୍ପା ପଥର ସେପଟକୁ ଗଲେ; ଗତଥର ଆମେ ଆମର ଏହି ବ୍ୟକ୍ତିଗତ ବେଳାତୀରକୁ ଆସିଥିବାବେଳେ, ତାଙ୍କ ପିନ୍ଧା ପୋଷାକ ପାଣିରେ ଭାସିଯାଇ ପୁଣି କୂଳକୁ ଭାସିଆସି ଏକ ଗଛଗଣ୍ଡିରେ ଲାଖିଥିଲା । ଭାପ୍ପା ସେଇ ପୋଷାକକୁ ଗୋଟାଇ ଆଣିବା ପାଇଁ ଗଲେ । ଭାପ୍ପା ଧିରେ ସୁସ୍ଥେ ପୋଷାକ ପିନ୍ଧିଥିଲେ ଓ ସେ ଲୋକଟି ହାତରେ ମାଛ ଧରି ଅପେକ୍ଷାରତ ଥିଲା । ଜୀଅନ୍ତା ମାଛଟି ଧୀରେ ଧୀରେ ଶୀତିଳ ପଡ଼ିଯାଉଥିଲା । ପୋଷାକ ପିନ୍ଧିସାରି ଭାପ୍ପା ପୁଣି ସେଇ ବାଟେ ଫେରିଆସିଲେ ; ଯିବାବାଟରେ ଯେଉଁ ପାଦଚିହ୍ନ ଛାଡ଼ିଯାଇଥିଲେ ସେଇ ଚିହ୍ନକୁ ପୁଣି ମାଡ଼ିଥିଲେ ତେଣୁ ପାଦଚିହ୍ନର ଉଭୟ ପାଶ୍ୱର୍ରେ ଏବେ ଆଙ୍ଗୁଠି ଚିହ୍ନ ଥିଲା । ଲୋକଟିର ଅତି ନିକଟକୁ ଆସିଲେ । ତା’ପରେ ଉଭୟ ପରସ୍ପରକୁ ଚାହିଁ ହସିଲେ । ଅବଶ୍ୟ ସେମାନେ ହାତ ମିଳାଇଲେ ନାହିଁ । ବୋଧହୁଏ କେହି ଏକ ମତ୍ସ୍ୟଜୀବୀ ସହିତ ହାତ ମିଳାନ୍ତି ନାହିଁ । ସେମାନେ ସେହିଭଳି ଛିଡ଼ା ହୋଇଥିଲେ ଯେଭଳି ମୁଁ ଓ ବିଲାଲ ପ୍ରଥରଥର ଭେଟିବା ସମୟରେ ଛିଡ଼ା ହୋଇଥିଲି, ହସିଥିଲୁ କିନ୍ତୁ ହାତ ମିଳାଇନଥିଲୁ ।

“କୁଞ୍ଜୁମନ”, ଶେଷରେ ଭାପ୍ପା କହିଲେ । “କେତେ ଦିନ ପରେ ।”

“ହଁ”, କୁଞ୍ଜୁମନ କହିଲା । “ବହୁତ ଦିନ ପରେ ।”

ଭାପ୍ପା ବୁଲିପଡ଼ି କହିଲେ, “ପୁଅ, ଇଏ କୁଞ୍ଜୁମନ, ମୋ ଶୈଶବର ସାଥୀ, ଠିକ୍ ଟାର୍ଜନ ପରି । ତା ପ୍ରକୃତ ନାମ ଶିବାନ । କୁଞ୍ଜୁମନ ତା’ ଡାକନାମ” । ଭାପ୍ପାଙ୍କର କହିବା ଶୈଳୀ ଠିକ୍ ସିନେମାରେ, ଖାସ୍ କରି ଇଂରେଜୀ ସିନେମାରେ ବାପାମାନେ ନିଜ ପୁଅ ସହ କଥା କହିବାର ଅନ୍ଦାସ ଭଳି ଥିଲା ।

ଏହା ମୋ ଜୀବନର ସବୁଠାରୁ ବଡ଼ ସଂଯୋଗ ଯେ ତାଙ୍କ ପିଲାଦିନ ସାଥି ଆଉ ମୋ ପିଲାଦିନ ସାଥିର ଏକ ହିଁ ନାମ ଥିଲା । କେବେ ଶିବାନକୁ ଭେଟିଲେ ଏହି ଉପାଖ୍ୟାନ ବଖାଣି, ଆମେ ବହୁତ ହସିବୁ । ଆସନ୍ତା ଥରକୁ ? ସମ୍ଭବତଃ ଭାପ୍ପାଙ୍କ ମୃତୁ୍ୟ ପରେ ହିଁ ଆମେ ଭେଟିବୁ ଏବଂ ମୁଁ ସେତେବେବେଳେ ତ ବହୁତ ଶୋକାବିଭୂତ ଥିବି, ହସିବି କେମିତି? ଭାପ୍ପାଙ୍କ ବିୟୋଗରେ ମୁଁ ବେମାର ବି ହୋଇଯାଇପାରେ ଓ ସେମାନେ ମୋ ମୁହଁରେ କନାବିଣ୍ଡା ମାଡ଼ି, ମୁଣ୍ଡରେ ହେଡ଼ଫୋନ ଲଗାଇଦେବେ ଜୋରଜବରଦସ୍ତ, ସଙ୍ଗୀତ ଶୁଣିବା ପାଇଁ ନୁହେଁ, ବିଜୁଳି ଝଟ୍କା ଉପଚାର ନିମନ୍ତେ । ସୁସ୍ଥ୍ଥ ମାନସିକ ସ୍ଥିତି ପାଇଁ ମୋତେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ମୁଁ ଏତେ ଅବସାଦଗ୍ରସିତ ହେବା ପାଇଁ ଚାହେଁନି ଯେ ମୋତେ ବିଜୁଳି ସକ୍ ଉପଚାର ଦେବାଯାଏ କଥା ଯିବ ।

“ଟାର୍ଜନ କହୁଥିଲା, ତୁମେ ଫେରିଆସିଛ”, କୁଞ୍ଜୁମନ କହିଲା । “ଭବିଷ୍ୟତର ଉତ୍ତମ ଯୋଜନା ନେଇ ଲେଉଟି ଆସିଛ ନା?

“ମୁଁ ଏଠାକୁ ମୋର ଶେଷଦିନ କଟାଇବାକୁ ଆସିଛି”, ଭାପ୍ପା କହିଲେ, ଏକ ଉଦାସିଆ ସ୍ମିତ ଖେଳାଇ ।

କୁଞ୍ଜୁମନ ଖୁବ୍ ଜୋରରେ ହସିିଲା, ଅଟ୍ଟହାସ ପ୍ରାୟ । ବୋଧେ ସେ ଭାପ୍ପାଙ୍କ ଉକ୍ତିକୁ ପରିହାସ ଭାବିଲା, ମୁଁ ଏଥିପାଇଁ ତାକୁ ଦୋଷ ଦେଇ ପାରିବି ନାହିଁ । ସେ କେମିତି ଜାଣିବ ଯେ ଭାପ୍ପା ଏଠାକୁ ନିଜ ଶେଷଦିନ କାଟିବାକୁ ଆସିଛନ୍ତି ବୋଲି । କେବଳ ପରିବାର ସଦସ୍ୟ ବାଦ କୌଣସି ବାହାର ବନ୍ଧୁ, ଶୁଭେଚ୍ଛୁଙ୍କୁ ଏ ଖବର ଦିଆଯାଇ ନାହିଁ । ମୃତପ୍ରାୟ ମାଛଟିର ଫୁଲ୍କାର ସ୍ପନ୍ଦନ ସହିତ ତାଳ ମିଳାଇ ତା’ର କାନ୍ଧ ବି ଆନ୍ଦୋଳିତ ହେଉଥିଲା, ହସ ଯୋଗୁଁ । କିନ୍ତୁ ହସ ବନ୍ଦ ପର୍ଯ୍ୟନ୍ତ ମାଛଟି ବଞ୍ଚିଥିଲା ।

“ତୁମେ ତଥାପି ଗଳ୍ପ ଲେଖୁଛ?”, ସେ ପଚାରିଲେ । “ଆମେ ଛୋଟ ଥିଲାବେଳେ ତୁମେ ଗପ ଲେଖୁଥିଲ ଆଉ ସେମାନେ ନ ପଢ଼ି ଫେରାଇ ଦେଉଥିଲେ । ମୁଁ ଏବଂ ଟାର୍ଜନ ତୁମକୁ କିପରି ଥଟ୍ଟା କରି କେତେ ହସୁଥିଲୁ । ତୁମେ ତଥାପି ଗପ ଲେଖିବା ଜାରି ରଖିଛ?”

“ତୁମେ ତଥାପି ଖବରକାଗଜ ପଢ଼ୁନ?” ଭାପ୍ପାଙ୍କ ସ୍ୱରରେ କ୍ରୋଧର କିଞ୍ଜିତ୍ ଆଭାସ ଥିଲା । ଆଉ ମୁଁ ଭାବୁଥିଲି ଯେ ସେ ତାଙ୍କ ସାଙ୍ଗକୁ ଆଉ ପଦେ ବି କଥା ନ କହି ତୁରନ୍ତ ବେଳାଭୂମି ଛାଡ଼ି ଚାଲିଯିବେ ।

ପ୍ରଥମ ପୁରସ୍କାର ପ୍ରାପ୍ତି ପରଠାରୁ ଭାପ୍ପାଙ୍କୁ ଯେବେ ବି ନିଜ ଜୀବିକା ବିଷୟରେ ପଚରାଯାଉଥିଲା, ସେ ବିରକ୍ତିଭରା ଜବାବ ଦେଉଥିଲେ । ଅବଶ୍ୟ ଓଠରେ ସ୍ମିତଟିଏ ଥିଲା ଯଦିଓ ସେ ହସ ପଶ୍ଚାତ୍ରେ ଥିଲା ଲୁକ୍କାୟିତ କ୍ରୋଧ । ସେ କହୁଥିଲେ, ବିଜ୍ଞାପନ ଲେଖି ସେ ଅର୍ଥ ଉପାର୍ଜନ କରୁଥିଲେ ଏବଂ ଯେବେ ଏହି ଉପାୟରେ ପର୍ଯ୍ୟାପ୍ତ ଅର୍ଥ ରୋଜଗାର ହେଉନଥିଲା, ସେ ଋଣ କରୁଥିଲେ ବା ଚୋରି କରୁଥିଲେ । ସେ ମଧ୍ୟ କହୁଥିଲେ ଯେ ସେ ଆସନ୍ତା ସପ୍ତାହରେ ବ୍ୟାଙ୍କ ଲୁଟିବାର ଯୋଜନା କରୁଛନ୍ତି ଏବଂ ଯଦି ଏହା ନିଦ୍ଧ୍ୱର୍ନ୍ଦ୍ୱରେ ହୋଇଯାଏ ତା’ହେଲେ ତା’ପର ଆଗାମୀ ସପ୍ତାହରେ ଗହଣା ଦୋକାନୀକୁ ଲୁଟିବା ତାଙ୍କ ପରବର୍ତ୍ତୀ ଯୋଜନା ବୋଲି ସୂଚନା ଦେଉଥିଲେ । ସବୁ ଉତ୍ତର ସେ ହସିକରି ଦେଉଥିଲେ ଯଦିଚ ସ୍ୱରରେ କିଛି କଠୋରତା ଥିଲା ଏବଂ କେବଳ ଉମ୍ମାଙ୍କ ଛଡ଼ା କେହି ଜାଣି ପାରୁନଥିଲେ ଯେ ସେ ଏପରି କଥା ପରିହାସ ଛଳରେ କହୁଛନ୍ତି ନା ସେମାନଙ୍କୁ ଥଟ୍ଟା କରୁଛନ୍ତି । ଯେବେ ବି ଭାପ୍ପା ନିଜ ଅଭାବୀ ସଂସାର କଥା କହୁଥିଲେ, ଉମ୍ମାଙ୍କୁ ହିଁ ବେଶୀ କଷ୍ଟ ହେଉଥିଲା । କାରଣ ଉମ୍ମାଙ୍କ ପରିବାର ଲୋକେ ହିଁ ଅପମାନଜନକ ପ୍ରଶ୍ନ କରୁଥିଲେ ଏବଂ ଭାପ୍ପା ସେମାନଙ୍କୁ ତତ୍କ୍ଷାଣତ୍ ଡକାୟତି ଯୋଜନାର ସୂଚନା ଦିଆଯାଉଥିଲା ।

“ହାଇସ୍କୁଲ ଛାଡ଼ିବା ପରଠୁ ମୁଁ ଖବରକାଗଜ ପଢ଼ିନି”, କୁଞ୍ଜୁମନ କହିଲା । “ମୁଁ ତ ଲେଖାପଢ଼ା ଭୁଲିଗଲିଣି, କେବଳ ଯାହା ନିଜ ନାମ ଲେଖିପାରେ ଓ ପଢ଼ିପାରେ ।”

ମାଛଟି ନିଶ୍ଚୟ ମରିଯାଇଥିଲା । ତା’ ଗାଲିସି ନିଶ୍ଚଳ ଥିଲା କିନ୍ତୁ ଆଖି ଦୁଇଟି ମେଲା ଥିଲେ, ନଜର ଲାଖିରହିଥିଲା ପାଦଚିହ୍ନଟିରେ ଯେଉଁଥିରୁ ଆଙ୍ଗୁଠି ଚିହ୍ନ ଧିରେ ଧିରେ ମିଳାଇ ଯାଉଥିଲା । ମିଃ ଅନୱିନ ମୁଁ ଜାଣିନି ତୁମେ କେବେ ଲକ୍ଷ୍ୟ କରିଛ ନା ନାହିଁ, କିନ୍ତୁ ସବୁ ମଲାମାଛଙ୍କର ଆଖି ଖୋଲାଥାଏ ଯେମିତି କି ସେମାନେ ଆଖିପଲକ ନ ପକେଇ ବଞ୍ଚିବା ପାଇଁ ପୂରା ସଂଗ୍ରାମ କରୁଛନ୍ତି । କିଛି ଘଣ୍ଟା ପୂର୍ବରୁ କ’ଣ ଏହି ମାଛଟିର ସାମାନ୍ୟ ବି ଶଙ୍କା ଥିବ ଯେ ସେ ଆମ ଗୋପନ ବିଚ୍‌ରେ ମୃତ୍ୟୁ ପ୍ରାପ୍ତ ହେବ? ଆଉ ତାହାର ସାକ୍ଷ୍ୟ ରହିବେ ଜଣେ ବ୍ୟକ୍ତି ଯିଏ ମଧ୍ୟ ଖୁବ୍ ଶୀଘ୍ର କାଳର ଗର୍ଭରେ ଲୀନ ହେବେ?

“କିନ୍ତୁ ତୁମେ କାହିଁକି ଏହା ପଚାରିଲ? କ’ଣ ଶେଷରେ ତୁମର କୌଣସି ଗପ ସେମାନେ ଖବରକାଗଜରେ ଛପାଗଲା କି?”, କୁଞ୍ଜୁମନ ପଚାରିଲା ।

“ତୁମ ସହିତ ସାହିତ୍ୟ ଚର୍ଚ୍ଚା କରି କିଛି ଲାଭ ନାହିଁ”, ଭାପ୍ପା କହିଲେ, ତାଙ୍କ ସ୍ୱର କ୍ରୋଧଜର୍ଜରା ନଥିଲା । “ଆଜି ଆମ ଘରକୁ ଆସ । ଟାର୍ଜନ ଜାଣେ ଆମେ କେଉଁଠି ରହୁଛୁ । ଘରଟିର ନାମ ବୋଗେନଭିଲ୍ଲିଆ ।”

“ହଁ ନିଶ୍ଚୟ ଆସିବି”, କୁଞ୍ଜୁମନ କହିଲା । “ଅଚ୍ଛା ତୁମେ ସମୁଦ୍ର ଆଡେ଼ ଗଲଣି କି?”

ଭାପ୍ପା କୌଣସି ଉତ୍ତର ଦେଲେ ନାହିଁ ।

“ତୁମେ କେବେ ସମୁଦ୍ରକୁ ଯାଇଛ?”, ସେ ପୁଣି ପଚାରିଲା । ଏବଂ ସେତେବେଳେ ମୁଁ ଜାଣିଲି ଯେ ଭାପ୍ପାଙ୍କୁ ନୁହେଁ ମୋତେ ପଚରା ଯାଉଛି ।

“ନା”, ମୁଁ କହିଲି । “ଆଜି ପର୍ଯ୍ୟନ୍ତ ମୁଁ ସମୁଦ୍ରର ଫେନିଳକୂଳ ଛଡ଼ା ଆଉ କୁଆଡେ଼ ଯିବାର କଳ୍ପନା ବି କରିନଥିଲି ।

“ଛିଃ ଛିଃ କି ଲଜ୍ଜା କଥା”, ସେ କହିଲା, ନିଜର ଏକ ଆଙ୍ଗୁଠିକୁ ନାକକୁ ଛୁଆଇଁ । “ଆଚ୍ଛା ନୌକା ଚଢ଼ିଥିବ ତ ଅନ୍ତତଃ?

ମୁଁ “ନା” କହିବା ପୂର୍ବରୁ ତି୍ରିଭୂଜ ଆକାରର ଅନେକ ଛାୟା ବେଳାଭୂମି ଦେଇ ଉଡ଼ି ସମୁଦ୍ର ଦିଗରେ ଗଲେ । ଆମ ସମସ୍ତଙ୍କ ନଜର ଆକାଶ ଦିଗରେ ପହଁରିଗଲା ।

ପାରାଗ୍ଲାଇଡର । ପାଞ୍ଚ ଜଣ ଥିଲେ । ସେମାନଙ୍କ ଉଡ଼ିବାର ପ୍ରଥମ ମିନିଟରେ ।

କିଛି ମୁହୂର୍ତ୍ତ ପାଇଁ ଲାଗିଲା, ସେମାନେ ନିଜ ଇଚ୍ଛାରେ ଉଡ଼ୁନାହାଁନ୍ତି; ଲାଗୁଥିଲା ସତେ କି ସେମାନେ ଅନେକ ବୃହତ ପ୍ରଜାପତିଙ୍କ ଦ୍ୱାରା ଅପହୃତ ହୋଇଛନ୍ତି । ସେମାନେ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ ନିଜ ଅପହର୍ତ୍ତାଙ୍କ ଠାରୁ ଛାଟିପଟି ହୋଇ ଖସିଯିବାର ବାଟ ପାଉନାହାଁନ୍ତି । ତିନିଜଣ ମୁଖ୍ୟ ବିଚ୍ ଦିଗେ ଉଡ଼ିିିଗଲେ । ସେଠାରେ ଅନେକ ଦର୍ଶକ ଆକାଶକୁ ଅନାଇ ଚାହିଁବସିଥିବେ, ଆଖିକୁ ଘୋଡ଼ାଇ ଧରିଥିବେ ସୂର୍ଯ୍ୟତେଜରୁ ରକ୍ଷା ପାଇଁ । ଜଣେ ଉତ୍ତର ଦିଶାରେ ଗଲା, ପର୍ବତର ଶେଷ ସୀମାଯାଏ । ପଞ୍ଚମ ଜଣକ ଦୂରଦିଗ୍ବଳୟକୁ ଚାଲିଲେ, ଭଙ୍ଗୀରେ ଲକ୍ଷ୍ୟହୀନତା ଥିଲା । ତା’ପରେ ସେ ଧୀରେ ଡାହାଣକୁ ମୋଡ଼ିଲେ ଏବଂ ଆକାଶରେ ଏକ ଅର୍ଦ୍ଧାବୃତ୍ତାକାର ଚକ୍କର କାଟି ଗୋପନ ବେଳାଭୂଇଁ ଦିଗେ ପହଁରିଗଲେ । ଆମେ ଉପରେ ଯାଉ ଯାଉ ସେ ହେଲିପାଡ଼ର ଧାରକୁ ଗଲେ ଏବଂ ଆକାଶରେ ପୁଣି ଚକ୍କର କାଟି ଫେରି ଆସିଲେ । ପୂରା ନିସ୍ତବ୍ଧ ଥିଲା ତାଙ୍କ ଗତି, ସାଇଁ ସାଇଁ ଶବ୍ଦ ବି ନଥିଲା । ଆକାଶରେ ଉଡ଼ି ଯାଉ ଯାଉ ପ୍ରଶ୍ନିଳ ଦୃଷ୍ଟିରେ ତଳକୁ ଅନେଇଲେ ଚାଳକ ଜଣକ ।

ସେ ଗ୍ଲାଇଡର ଜଣକ କ’ଣ ଦେଖିଲେ?

ସେ ଏକ ବାଳକ ଓ ଦୁଇଜଣ ବ୍ୟକ୍ତିଙ୍କୁ ଦେଖିଲେ ଏବଂ ଦେଖିଲେ ପଥର ପଛରେ ଲଙ୍ଗର ପକାଇଥିବା ଛୋଟିଆ ଦେଶୀ ଡଙ୍ଗା । ସେହି ଦଳଙ୍କ ହାବଭାବ କିଛିଟା ସନ୍ଦେହଜନକ ଥିଲା । ସେ ବାଳକର ପିତା ଧୀବର ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ସହିତ ଯୁକ୍ତତର୍କରେ ବ୍ୟସ୍ତ ଥିଲେ । ଯୁକ୍ତିତର୍କ ବେଶି ସମୟ ଚାଲିଲାନି ଏବଂ ଧୀବର ଜଣକ ଜିତିଗଲେ । ପିତା ନିଜ ପୁଅ ବିନିମୟରେ ବଡ଼ ମାଛ କିଣିଲେ । ଧୀବର ଜଣକ ପୁଅକୁ ଡଙ୍ଗା ମଝିରେ ବସାଇ, ସମୁଦ୍ରକୁ ଡଙ୍ଗା ପେଲିନେଇ କାତ ମାରି ବାହିଲେ, ସମୁଦ୍ର ଭିତରକୁ ।

ଅଳ୍ପ ସମୟରେ ଡଙ୍ଗାଟି ଢେଉରେ ଚଢ଼ି ଗଭୀର ସମୁଦ୍ରକୁ ଚାଲିଲା ଏବଂ ଗ୍ଳାଇଡ଼ର ଭାବୁଥିଲା ଦୁଃଖିତ ହୋଇ, “ଗୋଟିଏ ବଡ଼ ମାଛ ନିଜ ପୁଅ ବିନିମୟରେ? ଏ ଦୁନିଆର ଏପରି ଦୁରାବସ୍ଥା ହେଲା?” କିନ୍ତୁ ଗ୍ଲାଇଡ଼ର ଜଣକ ବୁଝିପାରୁନଥିଲା ବାଳକଟି ଉସôାହିତ ହେବାର କାରଣ । ବାଳକଟି ବରଂ ନିଜ ପିତାଙ୍କଠୁ ବିଦାୟ ନେଇ ଯିବା ପାଇଁ ବ୍ୟାକୁଳ ଜଣାପଡ଼ୁଥିଲା । କ’ଣ ତା’ର ମା କିଛି କହିବେ ନାହିଁ? ନ ହେଲେ କ’ଣ ସେହି କେଉଟ ଜଣକ ବାଳକର ପ୍ରକୃତ ପିତା, ଅନ୍ୟ ବ୍ୟକ୍ତିଜଣକ ତା’ର ଅପହର୍ତ୍ତା ଏବଂ ସେଇ ବଡ ମାଛଟି ଏକ ଅଜବ ମୁକ୍ତିମୂଲ୍ୟ, ବିମୁକ୍ତି ନିମନ୍ତେ? ପବନର ତୀବ୍ରବେଗ ଅପେକ୍ଷା ଏହି ପ୍ରଶ୍ନ ତାକୁ ବେଶି ଆନ୍ଦୋଳିତ କରୁଥିଲା । ଏବେ ଗ୍ଲାଇଡରଟି ଆକାଶରେ ତୀକ୍ଷ୍ମଣ ମୋଡ଼ ନେଇ ପୂର୍ବ ଦିଗେ ମାଡ଼ିଗଲା ।

ତାହା ମୋର ପ୍ରଥମ ଏବଂ ଆଜି ପର୍ଯ୍ୟନ୍ତ ଶେଷ ସମୁଦ୍ରଯାତ୍ରା ।

କ୍ଷୁଦ୍ର ସହର ଧାରେ ସମୁଦ୍ର; ସେଇ ସମୁଦ୍ର ସଦାବେଳେ ରହିଆସିଛି । ସେହିଭଳି ଗର୍ଜନ କରୁଛି ମୁଁ ଜନ୍ମ ହେବାର ବହୁ ପୂର୍ବରୁ , ଏମିତି କି ଭାପ୍ପା ଓ ଉମ୍ମା ଜନ୍ମ ହେବା ପୂର୍ବରୁ, ସମୁଦ୍ର ଏତେ ସୁନ୍ଦର ଯେ ସାରା ପୃଥିବୀରୁ ଲୋକେ ଏଠାକୁ ଆସନ୍ତି ବେଳାଭୂମିର ସୌନ୍ଦର୍ଯ୍ୟରେ ମୋହିତ ହୁଅନ୍ତି । ସବୁଠାରୁ ବଡ଼ କଥା ଭାପ୍ପା ମଧ୍ୟ ଏଠାକୁ ଚାଲିଆସିଲେ, ନିଜ ଶେଷ ଦିନରେ ସମୁଦ୍ରତାନ ଶୁଣିବା ସକାଶେ । ଏବଂ ଜଣେ ପ୍ରାୟ ଆଗନ୍ତୁକ ହିଁ ମୋତେ ହୃଦବୋଧ କରାଇଲା ଯେ ସମୁଦ୍ର ମାତ୍ର ଏକ ତରଳ ମରୁଭୂମି ଯେଉଁଠାରେ ଡଙ୍ଗାମାନେ ଓଟ , ଢେଉମାନେ ବାଲିସ୍ତୁପ, ଜାହାଜ କାରାଭାନ ଏବଂ ଦିଗ୍‌ବଳୟ ନିକାଞ୍ଚନ ମରୁଦ୍ୟାନ ।

କିଛି ମିନିଟ୍‌ ସମୁଦ୍ରରେ ରହିବା ପରେ ମୁଁ କ୍ଲାନ୍ତ ହୋଇପଡ଼ିଲି । ତୁମେ କ’ଣ କେବେ ସମୁଦ୍ରକୁ ଯାଇଛ ମିଃ ଅନୱିନ? ମୁଁ ମାତ୍ର ଥରୁଟିଏ ସେଠାକୁ ଯାଇଥିଲି ତେଣୁ ମୁଁ ଏଠାରେ ତୁମକୁ କହିରଖେ । ସମୁଦ୍ରର କେଉଁ ଅଂଶ ସବୁଠାରୁ ଭଲ ଦେଖାଯାଏ ଜାଣିଛ? ଯେଉଁଠି ସମୁଦ୍ର ଆକାଶରେ ମିଳିତ ହୁଏ । ସମୁଦ୍ରର ବାକି ଅଂଶ ବାସ୍ ଫୁଲଛିଟା ପରଦା ଭଳି । ତୁମେ ଯଦି ବାସ୍ କେବଳ ଏକ ସେଣ୍ଟିମିଟର ଦେଖିଛ ତାହେଲେ ତୁମେ ସବୁ ଦେଖିନେଇଛ । ସମୁଦ୍ର ବେଳାଭୂମି, ସେଇ ବିରାଟ ପରଦାର ସଫେଦ ଝାଲର, ତ ଆଉ ଏକ କାହାଣୀ ।

ମୁଁ ବୁଲି ଚାହିଁଲି, କୂଳ ଆଉ ଦିଶୁନଥିଲା । ସେହି ପାଞ୍ଚଜଣ ଗ୍ଳାଇଡର ବି । ଯେବେ କୌଣସି ସତର୍କତା ସୂଚନା ସତ୍ତ୍ୱେ ପଦକ୍ଷେପ ନେବାରେ ବହୁତ ଡେରି ହୋଇ ଯାଇଥାଏ ଏକ ବିଚିତ୍ର ଭୟ ଅନୁଭୂତ ହୁଏ । ମୋର ମନ ପଡ଼ୁଛି କେତେ ଆଗ୍ରହର ସହ ତାଙ୍କ ସହରର ସମୁଦ୍ରରେ ବୁଡିଯାଇ ମୃତ୍ୟୁ ଘଟଣାସବୁ ଭାପ୍ପା ଖବରକାଗଜରେ ପଢ଼ୁଥିଲେ । ମୋ ପେଟ ଆଉଟି ହେଇଯାଉଥିଲା । ମୁଁ ପାଟିରେ ହାତ ଚାପି ଧରିଲି ।

“ସମୁଦ୍ର ଯୋଗୁଁ ଅସୁସ୍ଥ୍ୟ?”, କୁଞ୍ଜୁମନ ପଚାରିଲା ।

“ହଁ”, ମୁଁ କହିଲି, ବାନ୍ତି କରିବାର ବାହାନା କରି ।

“ଚାଲ, ତାହେଲେ ଆମେ ଫେରିଯିବା”, ସେ କହିଲା । ସେ ଆହୁଲାଟିକୁ କଷିକରି ଧରିଥିଲା ଏବଂ ଡଙ୍ଗାଟି ଧୀରେ ସୁସ୍ଥେ ଧିମେଇ ଗଲା, ତା’ପରେ ସେ ଡଙ୍ଗାଟିକୁ ଏକ ଓସାରିଆ ବୃତ୍ତାଂଶରେ ଘୁରାଇନେଲା ଠିକ୍ ଯେପରି ଆକାଶରେ ଗ୍ଳାଇଡର କରିଥିଲା । ତା’ପରେ ସେ କୂଳ ଦିଗେ କାତ ମାରି ଆଗେଇଲା ।

“ଆଉ ଟିକେ ଦୂରକୁ ଯାଇଥିଲେ ମୁଁ ତୁମ ପାଇଁ ମାଛଟିଏ ଧରିଆଣିଥାନ୍ତି”, ସେ କହିଲା ।

କାଳେ ସେ ଫେରିବା ପାଇଁ ମନ ବଦଳାଇ ଡଙ୍ଗା ବୁଲାଇ ନେଇ ସମୁଦ୍ର ଗଭୀରକୁ ଚାଲିଯିବ ଭାବି ମୁଁ ଆତଙ୍କିତ ହୋଇପଡ଼ିଲି । ମୋତେ ଆହୁରି ଜୋରରେ ବାନ୍ତି ମାଡ଼ିଲା । ମୋତେ ତାକୁ କହିବାକୁ ଇଛା ହେଉଥିଲା, ସମୁଦ୍ରକୁ ଯାଇଥିଲି ବୋଲି ମୋତେ କୌଣସି ସ୍ମୃତିଚିହ୍ନ ଦରକାର ନାହିଁ । ମୋ ପାଖରେ ପୂର୍ବରୁ ହିଁ ସମୁଦ୍ର ବିଷୟକ ଏପରି ଛୋଟମୋଟ ବିବରଣୀ ଅଛି ଯାହା କୌଣସି ମତ୍ସ୍ୟଜୀବୀ ବି ଜାଣିନଥିବେ ନା ଭାପ୍ପା, ଯିଏ ସବୁବେଳେ ସମୁଦ୍ରକୁ ଏକ ଗାଳ୍ପିକ ହିସାବରେ ଦେଖନ୍ତି ।

ମୁଁ ସମୁଦ୍ରଠାରୁ କ’ଣ ଶିଖିଲି ଏଠାରେ କହୁଛି ।

ସମୁଦ୍ର ଲକ୍ଷ ଲକ୍ଷ ମାଛଙ୍କର ନିବାସସ୍ଥଳୀ ହୋଇଥିବା ସତ୍ୱେ ମାଛ ଭଳି ଗନ୍ଧାଏ ନାହିଁ ବରଂ ଓଦାଳିଆ ମୋଜା ଭଳି ଗନ୍ଧାଏ ।

ଲୋକେ ଯାହା ବିଶ୍ୱାସ କରନ୍ତୁ ନା କାହିଁକି ସମୁଦ୍ର ସବୁବେଳେ ମୌନ । ଏହାର କୂଳ ହିଁ ଅଧିକ କୋଳାହଳମୟ । ସମୁଦ୍ରର ଗର୍ଜନ ଶୁଣିବା ପାଇଁ ତୁମକୁ ଏହା ମଧ୍ୟରୁ ବାହାରି ଆସିବାକୁ ପଡ଼ିବ ।

ପ୍ରକୃତରେ ସମୁଦ୍ର ଏକ ଜଙ୍ଗଲ ପରି । ତମେ ଥରେ ତାହା ମଧ୍ୟକୁ ଚାଲିଗଲେ ବାହାରି ଆସିବାକୁ ବ୍ୟସ୍ତ ହେବ । ସେସବୁ ଲୋକେ ଯେଉଁମାନେ ସମୁଦ୍ରଯାତ୍ରା ମଝିରେ ମୃତ୍ୟୁ ଲଭିଥାଆନ୍ତି ସମସ୍ତେ ବୁଡ଼ି ମରିଛନ୍ତି ବୋଲି କୁହାଯାଇପାରିବ ନାହିଁ । କିଛି ତ ଖାଲିଠାରେ ବସି ବସି ଅସହ୍ୟ କ୍ଳାନ୍ତି, ଅନାଗ୍ରହ ଯୋଗୁଁ ମୃତ୍ୟୁ ଲଭନ୍ତି ।

ଛୋଟ ଘଟଣାର ପରିସମାପ୍ତି ।

“ଚାଲ ଫେରିଯିବା”, ମୁଁ କହିଲି ଅଧା ବାନ୍ତି କରିସାରି, ଅଧା ମୁଁ ଅଭିନୟ କରୁଥିଲି । ମୁଁ ଆଖି ବନ୍ଦ କରି ଅନ୍ଧକାରରେ ବସିରହିଲି । ମୋତେ କେବଳ ଡଙ୍ଗାପାଶ୍ୱର୍କୁ ସମୁଦ୍ରପାଣିର ମୃଦୁ ମାଡ଼ ଶବ୍ଦ ଶୁଣାଯାଉଥିଲା । ଏବଂ ଶୁଣିପାରୁଥିଲି ସମୁଦ୍ର ପବନର ନୀରବ ହ୍ୱିସିଲ ।

“ଦେଖ, ତୁମ ବାପା କେତେ ବ୍ୟସ୍ତ ହେଉଛନ୍ତି”, କୁଞ୍ଜୁମନ କହିଲା ।

ଆମେ ଯାତ୍ରା ଆରମ୍ଭ କରିବା ପରଠାରୁ ଭାପ୍ପାଙ୍କ ବୟସ ଦଶ ବର୍ଷ ଯେପରି ବଢ଼ିଯାଇଥିଲା । ସେ ବିଚ୍ରେ ବ୍ୟସ୍ତ ହୋଇ କ୍ଷୀବ୍ର ପଦଚାଳନା କରୁଥିଲେ, ଜାହାଜ ବୁଡ଼ିିବା ଘଟଣାକୁ ମାନିନେବା ପାଇଁ ମାନସିକ ପ୍ରସ୍ତୁତି କରୁଥିବା ଏକ ବାସନ୍ଦସମ । ଡଙ୍ଗା ଦେଖିପାରି ସେ ସ୍ଥିର ହୋଇ ଛିଡ଼ା ହୋଇଗଲେ । ଏକ ପଥର ଦେହରେ ଆଉଜିପଡ଼ି ସେ ଆମକୁ ଅପେକ୍ଷା କରି ରହିଲେ । ସମୁଦ୍ର ଭିତରେ ଥିଲେ ଲାଗେ ଯେପରି ସମୟ ଗୁରୁଣ୍ଡି ଗୁରୁଣ୍ଡି ଗଡ଼ୁଛି, ଖୁବ୍ ଆସ୍ତେ ଆସ୍ତେ ଆଲସ୍ୟ ଗତିରେ । କାରଣ ପ୍ରାୟ ଅନେକ ସମୟ ପରେ ହିଁ ଆମେ କୂଳରେ ପହଞ୍ଚିଲୁ, ଦେଖିଲୁ, ଭାପ୍ପାଙ୍କ ମୁହଁରେ ଓଜନିଆ ଅସ୍ୱସ୍ତିର ଛିଟା । ଆମେ ତାଙ୍କ ବିରକ୍ତିସୂଚକ ଚାହାଣୀର ସାମ୍ନା କଲୁ । ସେ ଏତେ ଦୁର୍ବଳ ହୋଇଯାଇଥିଲେ ଯେ ଶାନ୍ତ ସମୁଦ୍ରର ସାମ୍ନା କରିବାକୁ ବି ତାଙ୍କ ଦେହରେ ଯଥେଷ୍ଟ ବଳ ନଥିଲା । ନିଜ ଦୁର୍ବଳତା ଭୁଲି ସେ ପାଣି ଭିତରେ ପଶି ଆମ ନିକଟକୁ ଆସିଲେ । ତାଙ୍କ ହାତ ପ୍ରସାରିତ ଥିଲା ।

“ତୁମ ପୁଅ ତୁମଠାରୁ ସାହସୀ”, କୁଞ୍ଜୁମନ କହିଲା, “ସେ ଯାହା ଖାଲି ସମୁଦ୍ର ଅସୁସ୍ଥ”

ଆହୁଲାଟି ପଥରରେ ସାମାନ୍ୟ ଘଷି ହେଇ ଡଙ୍ଗାଟି ଅଟକି ଗଲା ପରେ ଭାପ୍ପା ମୋତେ ଆସ୍ତେ କରି ଡଙ୍ଗାରୁ ଉଠାଇନେଲେ ଏବଂ ନିଜ ପିଲାଦିନର ସାଙ୍ଗଠୁ ଶୀଘ୍ର ଶୀଘ୍ର ବିଦାୟ ନେଲେ । ବୁଦାଳିଆ ପଥରେ ମୋତେ ଘୋଷାରି ନେଇ ପର୍ବତତୀଖ ଦିଗେ ଚାଲିଲେ । ବାଉଁଶର ବୁଦା ପାଖେ ସେ ମୋତେ ଛାଡ଼ିଦେଲେ । ସମୁଦ୍ରର ଗନ୍ଧ, ଓଦା ମୋଜାର ଗନ୍ଧ ମୋ ଦେହରେ ତଥାପି ଲାଖିରହିଥିଲା ।

“ଡଙ୍ଗା ବୁଡ଼ି ଯାଇଥିଲେ କ’ଣ ହୋଇଥାଆନ୍ତା?”, ସେ ଧକେଇ ହେଉଥିଲେ । “ଲିଟିଲର ଦେଖାରେଖା କିଏ କରିଥାଆନ୍ତା ମୋ ଅନ୍ତେ?”

ମୋର ମନେ ପଡ଼ିଲା କେମିତି ଗତରାତିରେ ସେ ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ, ଆମେ ତ ଆଶା ଛାଡ଼ି ଦେଇଥିଲୁ । ଭାପ୍ପୁମ୍ମା ମୋତେ ଉଜାଗର ରହିବାକୁ କହିଥିଲେ, ଭାପ୍ପାଙ୍କ ଅନ୍ତିମକ୍ଷଣର ପ୍ରତୀକ୍ଷାରେ । ସେ ଏବେ ଖୁବ୍ ଶୀଘ୍ର ଚାଲୁଥିଲେ । ତାଙ୍କ ହାଡ଼ୁଆ ହାତ ବହୁତ ଜୋରରେ ଦୋହଲୁଥିଲା, ପୂରା ମଜାଳିଆ ଢଙ୍ଗରେ, ଯେମିତି କି ମୃତ୍ୟୁକୁ ଉପହାସ କରୁଥିଲା । ମୋତେ ହସ ମାଡ଼ୁଥିଲା । ମୋତେ ତ ଦୌଡ଼ିବାକୁ ପଡ଼ିଲା ତାଙ୍କ ସହ ତାଳ ରଖିବାକୁ । ଯେମିତି ମୁଁ ତାଙ୍କ ପାଖାପାଖି ହେଲି ସେ ଧପ୍ କରି ଅଟକିଗଲେ ।

“ତୁ ମୋ ପଛରେ ଆସିବୁ ନହେଲେ ମୋ ଆଗରେ”, ସେ କହିଲେ ।

“କାହିଁକି?”

“ତୋତେ ଏକୁଟିଆ ଚାଲିବା ଶିଖିବାକୁ ପଡ଼ିବ ।”

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top