–ପୂର୍ବରୁ –
ବିପ୍ଲବ ଆଉ ରଂଜନାଙ୍କର ରହଣୀ ଶେଷ । ଛୁଟୀ ସରିଯାଇଛି ବିପ୍ଲବର । ପୁଣି ଦୁଇମାସର ଔଷଧ ଖାଇ ସାରିଲା ପରେ ଚେକ୍ଅପ ପାଇଁ ଆସିବେ । ଆଜି ଭୁବନେଶ୍ଵର ବସ୍ଷ୍ଟାଣ୍ତରେ ରାତି ନଅଟାରେ ବସିଲେ ଭୋରୁ ଭୋରୁ ଅନୁଗୁଳରେ ପହଞ୍ଚିଯିବେ । ସହକର୍ମୀ ସ୍ଵପ୍ନାକୁ ଧରି ବିଦ୍ୟା ଅଫିସ୍ପରେ କଳା ମନ୍ଦିର ଯାଇ ରଂଜନା ପାଇଁ ଶାଢୀ, ସାୟା, ବ୍ଲାଉଜ୍ , ବ୍ରା ଆଉ ପ୍ୟାଣ୍ଟି ସହ ଦୁଇପିଲାଙ୍କ ପାଇଁ କିଛି ଡଲ ଆଉ ଲିଓ ଟୟ, ତା ସାଂଗକୁ କଲର ବକ୍ସ୍ ନେଇ ଆସିଲା । ସେ ଜାଣେ ବିପ୍ଲବକୁ କିଛି ଦେଲେ ସେ ଆଦୌ ଗ୍ରହଣ କରିବ ନାହିଁ । ବରଂ ତା ପାଇଁ ଗୋଟେ ଏଭିନ୍ୟୁ ପାର୍କ ସେଣ୍ଟ ଆଉ ୱାଇଲ୍ଡ ଷ୍ଟୋନର ବଡି ସ୍ପ୍ରେ ନେଇ ଆସିଲା ।
ମନଟା ଭାରି ଉଦାସ ଲାଗୁଛି । ସମସ୍ତେ ନିଜ ନିଜର କଥାବାର୍ତ୍ତା ଭିତରେ ମୂଳ କଥାବାର୍ତ୍ତାକୁ ଯେମିତି ଭୁଲି ଯାଇଛନ୍ତି । ରଂଜନା ବିଦ୍ୟା ସବୁବେଳେ ବକର ବକର ତ ଚୁପିଚୁପି ହସଖୁସୀ ହେଉଥିବା ଦୃଶ୍ୟ ବିପ୍ଲବ ଆଖିରେ ପଡିଲେ ବି ନିଜକୁ ସେ ଦୂରରେ ରଖୁ ପେପର ପଢା ଭିତରେ ହଜେଇ ନିଏ । ଆଜି କିନ୍ତୁ ନା ବକର୍ ବକର୍ ନା ଫୁସ୍ ଫାସ୍ କଥା ନା ହସାହସି ଠେଲାପେଲା । ସବୁ ଯେମିତି ନିଜ ନିଜ କାମ ଚାବିଦିଆ କଣ୍ଢେଇ ପରି କରି ପକଉଛନ୍ତି । ବିପ୍ଳବକୁ ଏସବୁ ଭଲ ଲାଗୁନାହିଁ । ଏବେ କିଛି କହିଦେଲେତ ଦୁହେଁ କାନ୍ଦି ପକେଇବେ !
ସଂଜ ପହରୁ ରୋଷେଇ ସାରି ଦେଇଛି ରଂଜନା । ଘରଦ୍ଵାରା, ରୋଷେଇ ଘର ସବୁ ସଜାଡି ଦେଇଛି । ସେ ଆସିଲା ଦିନରୁ କ୍ୱାଟର ଟା କେତେ ପରିଷ୍କାର ।
ବିଦ୍ୟା ଯେମିତି ସେ ଘରେ ଅତିଥି । ରଂଜନା ଘର ଗୋଟାକର ଦାୟିତ୍ୱ ନିଜ ଉପରକୁ ନେଇ ସବୁ ଚଳେଇ ନେଇଛି ଏଇ ତିନିଚାରିଦିନ ହେଲା । ପାଣିପରି ବହିଗଲା ଏତିନି ଚାରିଦିନର ରହଣୀ ।
ଜୀବନବାବୁ ଠିକ୍ ରାତି ଆଠଟା ବେଳକୁ ବିଦ୍ୟା କ୍ଵାଟରରେ ପହଞ୍ଚିଗଲେ । ବିଦାୟ ବିଦାୟ ଲାଗୁ ଥିଲା ଘରର ପରିବେଶ । ମପାଚୁପା କଥାବାର୍ତ୍ତା । ଆବଶ୍ୟକୀୟ ସ୍ଥାନରେ ସାମାନ୍ୟ ହସି ସମସ୍ତେ ଖାଇ ବସିଲେ । ବିଦ୍ୟା ଆଉ ରଂଜନାଙ୍କ ମୁହଁ ଫୁଲା ଦେଖି ଜୀବନ ଆଉ ବିପ୍ଲବ ହସୁଥିଲେ ଆଖରେ ଆଖରେ ଠରାଠରି ହୋଇ ।
ଅଟୋ ଆସିଲା । ଚିହ୍ନା ଅଟୋକୁ ଡାକି ଆଣିଥିଲେ ଜୀବନବାବୁ । ଗଲା ବେଳକୁ ରଂଜନା ବିଦ୍ୟାକୁଭିଡି ଧରିବା ଭିତରେ ବେଶ କନ୍ଦା କନ୍ଦି ହେଲେ । ଅଟୋରେ ବିପ୍ଲବ ରଂଜନା ଜିନିଷ ପତ୍ର ସହ ବସିଲେ । ଜୀବନ ବାବୁ ତାଙ୍କ ହୋଣ୍ଡାରେ ଗଲେ ବରମୁଣ୍ଡା ବସ୍ଷ୍ଟାଣ୍ଡ । ହାତହଲଉ ଥିଲା ବିଦ୍ୟା ଅଟୋ ଆଗକୁ ଗଡିଲା । ବିପ୍ଳବ କହୁଥିଲା, “ ଜମା ବ୍ୟସ୍ତ ହୁଅନା । ” ଖୁବ୍ ନିକଟରେ ପୁଣି ଆସିବୁ । ରଂଜନା ଚାହିଁଥିଲେ ବି କୋହ ଲୁହରେ କିଛି କହି ପାରିଲା ନାହିଁ । ଜୀବନ ବାବୁ ସେମାନଙ୍କୁ ବସ୍ରେ ବସେଇ ଦେଇ ତାଙ୍କ ବସାରେ ରହିଯିବେ । ଗେଟ୍ରେ ତାଲାଦେଲା ବିଦ୍ୟା ।
ଘରଟା ଯାକରେ କେବଳ ଭରପୁର ଶୂନ୍ୟତା । ଚାରିଆଡେ ରଂଜନା ଚାଲିଯିବା ଓ କାମକରୁ ଥିବାର ଦୃଶ୍ୟ । ବିପ୍ଲବ ଡାଇନିଂ ଚେୟାରରେ ପେପର ପଢୁଥିବାର ଦୃଶ୍ୟ ନାଚିଯାଉଥାଏ ବିଦ୍ୟା ଆଖିରେ । କେତେ ଗହଳ ଚହଳର ଜୀବନଟା ଥିଲା ଏଇ ଚାରିଦିନରେ । ଏବେ ମରୁଭୂମିର ଏକଲା ପଥିକପରି ପୁଣି ଘୋଷାରି ନେବାକୁ ପଡିବ ଜୀବନକୁ । କାହାକୁ ଖାଇବା, ଚା’ ପିଇବା ଲାଗି ଅପେକ୍ଷା କରିବାର ନାହିଁ । କେହି ତା ବାଟକୁ ଚାହିଁନଥିବେ । କ୍ୱାଟର ଟା ଏକା ଥୁଣ୍ଟା ଗଛ ପ୍ରାୟେ ଥିଲା ତ ଚାରିଦିନରେ ରଂଜନା ଗୋଟେ ସୁନ୍ଦର ସଂସାରଟେ ତିଆରି କରିଦେଇ ତା ବସାକୁ ଚାଲିଗଲା ।
ସତରେ ରଂଜନା ଜୀବନଟି ସ୍ଵାମୀ ପୁଅ ଝିଅର ସମ୍ମିଶ୍ରଣରେ ଗୋଟେ ଛଳଛଳ ପରିପୂର୍ଣ୍ଣ । ରଂଜନାର ବୋହୁବେଶ, ଭଳି ଭଳି ଚୁଡିରେ ହାତ ଭର୍ତ୍ତି ଆଉ ସେଥିରୁ ରୁଣୁଝୁଣୁ ଶବ୍ଦ ସୂଚାଏ ଏଠି ଜୀବନ ଅଛି । ହସଖୁସୀ ଅଛି । ଅନେକ ସ୍ଵପ୍ନ ବି ଅଛି । କେତେ ଭାଗ୍ୟବାନ୍ ବିପ୍ଳବ । ରଂଜନାବି ବହୁତ ଖୁସୀ ବିପ୍ଲବକୁ ପାଇ ।
ଶୋଭନ କ’ଣ ସତରେ ମୋ ଜୀବନକୁ ଏମିତି ପୂର୍ଣ୍ଣତାରେ ଭରି ଦେବେ ? ଜୀବନ ବାବୁ, ବିପ୍ଲବ ଆଉ ବାପା ମାଆଙ୍କ କଥାରେ ଶୋଭନ ସତରେ ରାଜି ହୋଇଯିବେ ? କେତେଥର ଇଚ୍ଛା ପ୍ରବଳ ହେଲାଣି, ଜୀବନ ବାବୁଙ୍କ ଠାରୁ ଶୋଭନଙ୍କର ଫୋନ୍ ନମ୍ବର ଟିକେ ମାଗିବ ନା, ସାହାସ ହୁଏନା । ଥାଉ ଏମିତିରେ କେବଳ ସ୍ମୃତିକୁଧରି ସାତବର୍ଷତ କଟି ଗଲାଣି । ଶୋଭନ ବିନା ଯେଉଁ ଅଭାବ ଆଉ ଖାଲିପଣ ଅଛି ତାକୁ ନେଇତ ସେ ବଞ୍ଚି ଆସିଛି ଏତେଦନ ? ଏକଲା ରହିଲେ ଶୋଭନ ତାକୁ ଘେରି ଥାଆନ୍ତି । ଜାବୁଡି ଧରନ୍ତି । ଏହି ଫିଲିଙ୍ଗସ୍ ଆସିବ କାହୁଁ ?
ବେଡ୍ ଲାଇଟ୍ ଲିଭାଇବା ପୂର୍ବରୁ ମୋବାଇଲ୍ରେ ଟାଇମ୍ ଦେଖିଲା ବିଦ୍ୟା । ବାରଟା ଚାଳିଶ୍ ଆରେ ବାପ୍ରେ । ସକାଳ ସାଢେ ଛଅରୁ ନଉଠିଲେ ରୋଷେଇ, ଖିଆପିଆ କରି ଅଫିସ୍ ଯାଇହେବନି ଲାଇଟ୍ ଲିଭାଇଲା ।
ସକାଳ ସାତଟା ବେଳକୁ ଜୀବନ ବାବୁଙ୍କ ଫୋନ । ଗୁଡ୍ମର୍ଣ୍ଣିଂ ମାଡାମ୍ । ଆଜି ଟିକେ ସଅଳ ଅଫିସ୍ ଆସିବାକୁ ଗତକାଲି ବଡବାବୁ ମୋତେ କହିଥିଲେ । ଆପଣଙ୍କୁ ବିଶେଷ କରିଜଣାଇଦେବାକୁ । ଅଫିସ୍ ନୋଟିସ୍ ବୁଲିଲା ବେଳକୁ ଆପଣ କଣ ମାର୍କେଟିଂରେ ଯିବାକୁ କହି ଅଫିସ୍ ଛାଡିଥିଲେ ବୋଲି ବଡବାବୁ ମୋତେ କହିଥିଲେ । ଗତ ସଂଧ୍ୟାରେ ଆପଣଙ୍କର ଯାହା ମୁଡ୍ ଥିଲା, ତେଣୁ ଆଜି ଜଣାଇଲି । ହେଲା ।
“ଠିକ୍ ଅଛି ମୁଁ ଠିକ୍ ସମୟ ପୂର୍ବରୁ ଯିବି ମୋବାଇଲରେ ଟାଇମ୍ ଦେଖିଲା ବିଦ୍ୟା । ଏମ୍ଡି ଥିବେ ଥିବେ କୁଆଡେ ଦୁଇଚାରିଦିନ ଚାଲିଯିବେ । ଆସିଲେ ଯୁଦ୍ଧ କାଳୀନ ଭିିତ୍ତିରେ କାମ । ଯଦିଓ ଏହା ଏକ ପ୍ରାଇଭେଟ୍ ସଂସ୍ଥା । ତେବେ ସରକାରୀ ନୀତି ନିୟମରେ ସବୁ କ୍ୟାସ୍ବୁକ୍, ଲେଜରବୁକ୍ ଓ ଆକାଉଣ୍ଟିଂ ରେକର୍ଡ ପତ୍ର ସବୁବେଳେ ଅପ୍ଟୁଡେଟ୍ ଥାଏ । କମ୍ପାନୀ ଚାକିରୀରେ କୋଳିଗଛ ଗୋଟାକର ଛାୟା ନାହିଁ ନା ନିରାପତ୍ତା ନାହିଁ । କେତେବେଳେ କ’ଣ ହେବ କେହି କହି ପାରିବେ ନାହିଁ । ବର୍ଷକୁ ବର୍ଷ ଚାଟାର୍ଡ ଆକାଉଣ୍ଟାଣ୍ଟ୍ଙ୍କ ଜରିଆରେ ସମସ୍ତ ଅର୍ଥ ସମ୍ବନ୍ଧୀୟ ରେକର୍ଡ ଯାଞ୍ଚ କରାଯାଏ । ସେ ସବୁ ଦାୟିତ୍ୱ ତ ବିଦ୍ୟାର ନାହିଁ । ତଥାପି ଅଫିସ୍ ମିଟିଂ ସମସ୍ତ ଯୋଗ ଦେବାକୁ ବାଧ୍ୟ । ଆଜକୁ ସାତ ଆଠ ଦିନ ହେଲା ଅଡିଟ୍ ଚାଲିଛି । ଅଫିସ୍ ଭିତରେ ଚାପା ଗୁଂଜରଣ । କ୍ୟାସ୍ ସିଟ୍ରେ ଥିବା ମନୀନ୍ଦ୍ର ସାମଲ ଓ ଆକାଉଣ୍ଟାଣ୍ଟ୍ ବାଦଲ ମିଶ୍ର ଏବେ କାହିଁକି କଣ ଚାପରେ । ବଡବାବୁ ବି ।
ଦଶଟା ପୂର୍ବରୁ ଅଫିସ୍ରେ ବିଦ୍ୟା କ୍ୟାବିନ୍ରେ । ଏବେ କାହିଁରେ କ’ଣ ଚାପ । ଜୀବନବାବୁ ପାଖକୁ ମୁହଁ ଆଣି ଫିସ୍ଫିସ୍ ସ୍ୱରରେ କହିଲେ, “ ମିଟିଂ ପରେ ଗୋଟେ ଜରୁରୀ କାମରେ ଦୁଇଦିନ ପାଇଁ ଗାଆଁକୁ ଯାଉଛି । କଣ ଜରୁରୀ ଜିନିଷ ଦରକାର ତ କୁହନ୍ତୁ ମଗେଇ ଦେଇଯିବି ।
ତାଙ୍କ କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା । ମିଟିଂ ଟିକକରେ ହେବ । ଏଣେ ତେଣେ ଅଫସ୍ରେ ଅଡିଟ୍ ଚାଲିଛି । କଣ ଏତେ ଦରକାରୀ ଜରୁରୀ, ଏଇ ସମୟରେ ଗାଆଁକୁ ଯିବାଟା ! ଜୀବନ ବାବୁ ହସିଲେ । “ ଅଫିସ୍ ଟଙ୍କା ପଇସା ମାମଲା ଭିତରେ ମୁଁ ନାହିଁ । ତେଣୁ ଅଡିଟ୍ ଚାଲିଲେ ମୋର ଖୋଜା ପଡିବ ନାହିଁ । ମୁଁ ଯେଉଁ କାମ ପାଇଁ ଛୁଟୀ ନେଇ ଯାଉଛି, ତାହା ମୋ ପରିବାର ପାଇଁ ଜରୁରୀ । ମୋତେ ଯିବାକୁ ହେବ । ମିଟିଂ ପରେ ଏମ୍.ଡି ଙ୍କୁ ଦୁଇଦିନର ସି.ଏଲ୍ ଦରଖାସ୍ତ ଧରେଇ ଦେଇଯିବି । ସମ୍ମତି ଜଣାଇ ମୁଣ୍ଡ ଟୁଙ୍ଗାରିଲି ଓ ମୋ କାମରେ ମୁଁ ମନ ଦେଲି । “ ଶୁକ୍ରବାର ଦିନ ଅଫିସ୍ ଆସିବି ହେଲା । ”
ଅପରାହ୍ନ ଚାରିଟା ପାଖାପାଖି କାମରେ ଏମ୍.ଡିଙ୍କ ଚାମ୍ବରକୁ ଯାଇଥାଏ । ସେଇଠି ପୁଣି ଦେଖା ହେଲେ ଜୀବନ ବାବୁ । ଉଭୟ ଶୁଣି ପାରିବା ଭଳି କହୁଥାନ୍ତି, ସାର୍ ତାହେଲେ ମୁଁ ଆସୁଛି । ଯୋଡ ହାତ । ଏମ୍.ଡିଙ୍କ ଉଦ୍ଦେଶ୍ୟରେ ଥଲେ ବି ଦୁଷ୍ଟାମୀର ହସଟେ ହସି ମୋତେ ଚାହିଁଥିଲେ । ଜୀବନବାବୁ ଙ୍କର ଏପରି ଲକ୍ଷଣ ମୁଁ କେବେ ଆଗରୁ ଦେଖି ନଥିଲି । ତଥାପି ସାମନା ସିଟ୍ରେ ଏମ୍.ଡି । ଫାଇଲ୍ଟି ବଢେଇଦେଇ ମୁଁ ତାଙ୍କ ସାମନାରେ ବସିଥାଏ କିଛି ନଜାଣିବା ଭଳି ।
“ଜୀବନବାବୁ ଆପଣଙ୍କର ସଂପର୍କୀୟ କି ? ପଚାରିଲେ ଏମ୍.ଡି । ”
“ନୋ ସାର୍ । କେବଳ ଅଫିସ୍ରେ ଅଫିସ୍ ଭିତରେ ତାଙ୍କ ସହ ଯାହା ଅଫିସିଆଲ ରିଲେସନ୍ । ”
ଏମ୍.ଡି ଅଫିସ୍ରେ କଥା କିଛି ମୌଖିକ ପଚାରି ମୋତେ ଯିବାକୁ କହିଲେ । ମୋ କେବିନ୍କୁ ଚାଲିଆସିଲି । ଭାବୁଥିଲି ସାର୍ ଆଜି ଏମିତି କାହିଁକି କହିଲେ । ଜୀବନ ବାବୁଙ୍କର ଯୋଡାହାତ ସାର୍ଙ୍କ ଆଡେ ଆଉ ଦୁଷ୍ଟାମୀର ଚାହାଁଣୀଟା ମୋ ଆଡେ ସାରଙ୍କ ନଜର ପଡିଯାଇଛି । ନହେଲେ ଏମିତି ପଚାରି ନଥାନ୍ତେ । ସାର୍ଙ୍କର ମୋ ପ୍ରତି ଖରାପ ଧାରଣା ଆଜି ଥିବନା ?
ଅଫିସ୍ ଫେରନ୍ତା ବାଟଯାକ ବି ମନଟା ଗୁଡୁପୁଡୁ ହେଉଥିଲା । ଲୁଗାପଟା ବଦଳାଇ ବାଥରୁମ ଯାଇ ଧୂଆ ଧୋଇ ହୋଇ ଆସିଲା ବେଳକୁ ଫୋନ୍ଟା ବାଜିଲା । ଭାବିଲି ଜୀବନ ବାବୁ ହୋଇଥିଲେ କଡା ମିଠା ଦିପଦ ଶୁଣେଇବି ତାଙ୍କର ଆଜିର ଦୁଷ୍ଟାମି ପାଇଁ । ନା, ଆରାଧ୍ୟାର ଥିଲା ଫୋନ୍ ।
‘ହଁ କହ ଆରାଧ୍ୟା । ମା ପୁଅ କେମିତି ଅଛରେ ?’
ଅପା ମୋ ପୁଅ ହସିଲାଣି । ଅପା ତୋର ଦେଖିବାକୁ ଆଉଥରେ ଇଚ୍ଛା ହେଉନି ? ତୋ ଇଚ୍ଛା ନ ହେଲା ନାହିଁ ଏଠିକି ଆସିବାକୁ । ମୁଁ ଏଇ ରବିବାର ତୋ ପୁତୁରାକୁ ନେଇ ତୋତେ ଦେଖାଇ ଆଣିବି ।
‘ସତ କହୁଛୁ । ତମେମାନେ ରବିବାର ଆସିବ ? ସତ ତ ?’
‘ହଁ ହଁ ନିଶୟ ଯିବି । ଗଲେ ବହୁତ କଥା ହେବା । ରହୁଛି ? ଫୋନ୍ ସେପଟୁ ଆରାଧ୍ୟା କାଟିଦେଲା ଯା ହେଉ ରଂଜନା ଟା ଗଲାପରେ ଘରଟା ପୂରାଫାଙ୍କା ଲାଗୁଛି । ଆରାଧ୍ୟା ଆସୁ । ଅନ୍ତତଃ ରବିବାରଟା ତ ଭଲରେ ଭଲରେ କଟିଯିବ ।
ବିବାହ ପରେ ଭଉଣୀ, ଭଉଣୀ ଜ୍ୱାଇଁ ଆସୁଛନ୍ତି । ସାଥିରେ ନବଜାତ ଶିଶୁ । ଏଥର ବେଭାର ଟା ମୋ ତରଫରୁ ପଡିବ । ତଥାପି ଆସନ୍ତୁ ।
ମନେ ମନେ ଏକୁଟିଆ ହିସାବ କରି, ତାଙ୍କର ରହିବା ଭିତରେ କଣ ଜରୁରୀ ଜିନିଷର ଆବଶ୍ୟକତା ପଡି ପାରେ । ଦୁଇଜଣଙ୍କ ପାଇଁ କିଛି ଭିନ୍ନ ଭିନ୍ନ ମିଠା, ଥଣ୍ଡା ପାନୀୟ, ବିସ୍କୁଟ, ମିଶ୍ଚର ତା ସାଙ୍ଗକୁ ସେଦିନ ପାଇଁ ମାଂସ, ପନିର୍ ଓ ପାମ୍ପଡ ଇତ୍ୟାଦି । ଜୀବନବାବୁଙ୍କୁ କହିଲେ ମାଂସ ଓ ପନିର୍ ଆଣିଦେବେ । ସେ ଯେ ଶୋଭନଙ୍କର ସାନଭାଇ, ଆରାଧ୍ୟା ଜାଣିଲେ କେତେ ଖୁସୀ ହେବ । ଥଟ୍ଟା ପରିହାସ ବି ଜମେଇ ଦେବ ।
ଏହି ଖୁସିରେ ଚା’ ଟା ଖଟ ଉପରେ ବସି ପିଆ ଯାଇପାରେ । ବିସ୍କୁଟ୍କୁ ଖାଇବାର ମଜ୍ଜା ସ୍ଵାଦ ଅନୁଭବ କରାଯାଇପାରେ । ତାହାର ଇଚ୍ଛା ଆଉ ସ୍ଵପ୍ନ ସହ ମୋର ସ୍ଵପ୍ନ ଆଉ ଖୁସୀକୁ ମିଶାଇ ତାକୁ ତା ମନର ମଣିଷ ସହ ମିଶାଇଲି, ତାର ଫଳଶ୍ରୁତି ହେଲା ଆଜି ସେମାନେ ନବଜାତ ଶିଶୁର ବାପାମାଆ । ଏହା ମୋର ଭିନ୍ନ ଏକ ସଫଳତା । ଆଜି ଆରାଧ୍ୟାର ପତ୍ନୀତ୍ୱ , ମାତୃତ୍ୱ ଭିତରେ ବେଳେବେଳେ ନିଜକୁ ପାଇବାର ଲୋଭଟା ମନ ଭିତରେ ରୁକ୍ରୁକ୍ ପୀଡା ଦିଏ । ତଥାପି ମୋ ସାନ ଭଉଣୀଟା । ମୋ ପରି କଷ୍ଟ ପାଇଥିଲେ ନା ମୋତେ ନା ତାକୁ ନା ବାପା ମାଆଙ୍କୁ ଭଲ ଲାଗିଥାନ୍ତା । ବାପା ଦୁଇ ଦୁଇଟି ଝିଅର ଦୁଃଖକୁ ସମ୍ଭାଳି ପାରି ଥାନ୍ତେ ତ ?
ଚା’ ଟା ଅଧା ପିଆ ଓ ବାଁ ହାତରେ ଅଧାଖଣ୍ଡ ବିସ୍କୁଟ ଅବସ୍ଥାରେ ଘର ଭିତରକୁ ପଶି ଆସିଲେ ବୟସ୍କା ସ୍ତ୍ରୀ ଲୋକଟିଏ । ବେଶ୍ ସ୍ଵାସ୍ଥାବତୀ, ସୁଦୃଶ୍ୟା ଓ ଆଉ ଗୌର ବର୍ଣ୍ଣା ।
ଥ ଥ ମମ ହୋଇଗଲି ମୁଁ । ଆପଣ ?
‘ତମ ସାମ୍ନା କ୍ଵାର୍ଟରରେ ଆମେ ଅଛୁ ବା । ଘର ଭିତରକୁ ସିଧା ପଶିଆସି ମୋତେ ପଛରେ ପକେଇ ଆଗ ସୋଫା ଉପରେ ବସିଯାଇ କହିଲେ; “ ଆଜିକାଲି ଟିକେ ଧାଁ ଧପଡ କଲେ ଥକି ପଡ଼ୁଛି ଝିଅ । ଦେଖୁନା କେମିତି ଧଇଁ ସଇଁ ହୋଇ ପଡୁଛି । ‘
“ଆପଣ ଆଗ କିଛି ସମୟ ବସି ପଡନ୍ତୁ । ତାପରେ ଯେଉଁ କଥା” ବିଦ୍ୟା ଭରସା ଦେଇ ତାଙ୍କ ପାଖରେ ବସି ପଡିଲା ।
“ମୁଁ ବରାଳ ବାବୁଙ୍କ ମିସେସ୍ ମାଆ । କଥା କଣ କି ମୋ ନାତିର ଆଜି ପ୍ରଥମ ଜନ୍ମ ବାର୍ଷିକୋତ୍ସବ ତ ଆଜି ରାତିରେ ରୋଷେଇ କରିବ ନାହିଁ । ଆମ ଘରକୁ ଯିବ । ତମ ବରାଳ ବାବୁ କହିଲେ ଏଇ ଆମ ଘର ସାମ୍ନାରେ ବିଦ୍ୟା ମାଡାମ୍ ନୂଆ ଆସି ରହିଛନ୍ତି ଯାଇ କହିଦେଇ ଆସିବ ଭଲ ହେଲା ତମକୁ ଟିକେ ଦେଖିଲି । ”
‘ହଁ ମାଉସୀ, ବିଦ୍ୟା ମାଡାମ୍ କଣ ? ଆପଣ ମୋତେ ବିଦ୍ୟା ବୋଲି ଖାଲି ଡାକିବେ । ମୁଁ ଯିବି ନିଶ୍ଚୟ । ‘ ବରାଳ ବାବୁଙ୍କ ମିସେସ୍ ଚାଲିଗଲେ କବାଟ ଟା ମେଲା କେମିତି ରଖି ଦେଇଛି ଅନ୍ୟମନସ୍କରେ । ଆଜି ବରାଳ ବାବୁଙ୍କ ମିସେସ୍ ନ ହୋଇ ଯଦି ଆଉ କେହି ଧସି ପଶି ଥାନ୍ତେ । ସରି ସରି ।
ଏବେ ଏକୁଟିଆ ପୁଣି ଏତେ ଗୁଡାଏ ସମୟ କେମିତି କଟା ଯାଇପାରେ । ଟି.ଭି. ଦେଖାଯାଇପାରେ । ଆରାଧ୍ୟାକୁ ଫୋନ କରି ପୁଅ ଖବର ନିଆଯାଇପାରେ । ବାପା ମାଆଙ୍କୁ ଫୋନ୍ କରି ଦୁଃଖ ସୁଖ ହୋଇପାରେ । ରାଜ୍ର ବିବାହ କରିବା ଯୋଜନାକୁ ନିଜେ ତିଆରି କରି ଖୁସୀ ଅନୁଭବ କରାଯାଇପାରେ । ବୁଦ୍ଧଦେବ କୁଆଡେ କହିଥିଲେ ଜୀବନ ଦୁଃଖପୂର୍ଣ । ଦୁଃଖର କାରଣ କାମନା । ମାତ୍ର ଏଥିରେ କାମନା କିଛି ନାହିଁ । ତେବେ ଦୁଃଖ କଣ ? ଦୁଃଖ ସାଥେ ଈଶ୍ଵର ସୁଖ ବି କିଛି ରଖିଥାନ୍ତି । ମାତ୍ର ଆମେ ଦୁଃଖକୁ ଯେତେ ଗଭୀର ଭାବରେ ଅନୁଭବ କରୁ । ଲୁହ ଗଡାଉ, ସୁଖକୁ ସେତିକି ଗମ୍ଭୀର ଭାବରେ ଅନୁଭବ କରି ଖୁସୀ ହୁଅନ୍ତି ନାହିଁ । ଯାହା ଫଳରେ ଜୀବନଟା ଖାଲି ଦୁଃଖମୟ ଲାଗେ । ହାତକୁ ଆସିଥିବା ସୁଖ ବିଜୁଳି ପରି ଝଟ୍କି ଚାଲିଯାଏ । ଶୋଭନକୁ ନେଇ ଯେତିକି ଦୁଃଖ ବୋଲି ଝୁରି ଲୁହ ଗଡାଏ, ସେତିକି ଖୁସୀ କଣ ଆରାଧ୍ୟା, ଅମିତ୍ ଆଉ ତା ଶିଶୁକୁ ନେଇ, ରାଜ୍ର ପାଠପଢା, ଚାକିରୀ ଆଉ ବିବାହକୁ ନେଇ କିମ୍ବା ବାପା ମାଆଙ୍କର ଆମପ୍ରତି ଥିବା ଭଲ ପାଇବା, ସ୍ନେହ ସଦିଚ୍ଛାକୁ ନେଇ ମୁଁ ଖୁସୀ ହୋଇଛି ? ହୋଇଛି ନା ? ହେବା ଉଚିତ୍ କି ନୁହେଁ ?
ଏସବୁ ପରେ ଆଉଗୋଟେ ଦୁନିଆଁ ଅଛି । ସେ ଦୁନିଆଁ ମୋର ନିଜସ୍ଵ । ସେ ଦୁନିଆର ଈଶ୍ଵର ହେଉଛନ୍ତି କେବଳ ଶୋଭନ । ସେ ସକାଳର ଆଦ୍ୟ କିରଣ ତ ମଧ୍ୟାହ୍ନର ତାତିବି । ସେ ସଂଧ୍ୟାର ମଧୁର ଆଳତି, ଗଭୀର ନିଶାର୍ଦ୍ଧର ସ୍ଵପ୍ନ ଆଉ ସାଥୀ । ସବୁ ଚିନ୍ତାର ଆରମ୍ଭରେ ତମେ । ଶୋଭନ ସବୁ ଚିନ୍ତାର ଶେଷତମ ବିନ୍ଦୁ ବି ତମେ !
ଶୋଭନ ତମକୁ ଠିକ୍ ସମୟରେ ପାଇ ପାରିଥିଲେ, ବାପା ଜିଦ୍ ନକରି ତମ ସହ ବିବାହ ଦେଇଥିଲେ ହୁଏତ ଆଜି ଯେଉଁ ଗୁରୁତ୍ୱପୂର୍ଣ୍ଣ ଆସନରେ ତମେ ଅଛ, ସେମିତିରେ ନଥାନ୍ତ । ୟା ଭିତରେ ହୁଏତ ମୁଁ ତମ ଗୋଟେ ଦି’ଟା ପିଲାର ମାଆ ହୋଇ ସାରିଥାନ୍ତି । ଆମ ଛୋଟ ସଂସାର ଭିତରେ କେତେବେଳେ ନା କେତେବେଳେ ପିଲାଙ୍କୁ ନେଇ, ତେଲଲୁଣର ଜୀବନକୁ ନେଇ ଅଥବା କିଏ କାହାକୁ କମ୍ ଭଲ ପାଉଛି ତ କିଏ ବେଶୀ କହି କଳି ଲାଗୁଥାନ୍ତେ । ଯୁକ୍ତିତର୍କ ଲାଗୁଥାନ୍ତେ । ଲାଗୁଥାନ୍ତେ ନା ? ନା ମୋ ପାଖରେ ତମକୁ ଏତେ ଗୁରୁତ୍ୱ ନା ତୁମ ପାଖରେ ମୋର ଏତେ ପ୍ରାଧାନ୍ୟ ଥାଆନ୍ତା ।
ତମେ ତ କିନ୍ତୁ ଏବେ ମୋର ଦୂର ଆକାଶର ଜହ୍ନ ।
ଏମିତି ଭାବନା କଣ ତୁମକୁ ବିଚଳିତ କରୁନଥିବ । ତମେ କ’ଣ ତମ କଲେଜ ଜୀବନ, ତମ ବିଦ୍ୟା କୁ ଭାବି କଷ୍ଟ ପାଉନଥିବ ? ପୁରୁଷ ମାନଙ୍କର ଏତେଟା ଭାବପ୍ରବଣତା ନଥାଏ, ବୋଲି କେହି କେହି କହନ୍ତି । ତା ବି କଣ ତମ ପାଇଁ ପ୍ରଜୁଯ୍ୟ ? ସତରେ ମୋ କଥାକୁ ନେଇ ତମେ କଷ୍ଟ ପାଇନ ? ପାଉନ ଏବେ ? ତେବେ କାହିଁକି ସେ ଘରର ନାଆଁ ରଖିଛ ଶୋଭନ ବାପା ବିଦ୍ୟାଳୟ ? ତମକୁ ଅନିଦ୍ରା କରୁନଥିବ ଏ ଲମ୍ବା ଦୀର୍ଘ ରାତି ତମ ବିଦ୍ୟାର ସ୍ମୃତିକୁ ଧରି ? ନିଶ୍ଚୟ କରୁଥିବ ଶୋଭନ । କେବେ କଣ ବିଦ୍ୟା ପାଇଁ ଉଚ୍ଚାଟ ଅଧୀର ହୋଇ ପଡିନ ? ଭଗବାନଙ୍କ ଉପରେ ତମେ ଭରସା ରଖ ଶୋଭନ ? ନିଶ୍ଚୟ ଭଗବାନ ଅଛନ୍ତି ଏବଂ ଆମର ସମସ୍ତ କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁଛନ୍ତି । ଆମ ଭଲ ସମୟ ଆସିବାକୁ ଅପେକ୍ଷା କରିଛନ୍ତି । ଭଗବାନ ନିଶ୍ଚୟ ଅଛନ୍ତି । ନଇଲେ ମୋର ଚରମ ଦୁର୍ଦ୍ଦିନରେ ବିପ୍ଲବ ପରି ବନ୍ଧୁ, ଚାକିରୀ, ସର୍ବୋପରି ଅଫିସ୍ରେ ଜୀବନବାବୁ ପରି ଲୋକଙ୍କୁ ମୋ ପାଖରେ କିଏ ପହଁଞ୍ଚେଇ ଦେଇଛି ।
କଲିଂ ବେଲ୍ କିଏ ମାରୁଛି ! ଭାବୁ ଭାବୁ ନିଦ କେତେବେଳ ଚାଲି ଆସିଛି । ଘଣ୍ଟା ଦେଖିଲା ରାତି ଦଶଟାରୁ ଅଧିକ ହେଲାଣି । ଆରେ ବାପରେ, ଏତେ ଡେରି ହେଲାଣି । ମୋର ତ ବରାଳ ସାରଙ୍କ ଘରକୁ ଯିବାର ଥିଲା । ତରତରରେ ମୁହଁ ଧୋଇ କବାଟ ଖୋଲିଲି । ଆଗରେ ବରାଳ ବାବୁ ଓ ପଛରେ ତାଙ୍କ ମିସେସ୍ ।
‘ସାର ନମସ୍କାର, ସରି ସାର୍ । ଏକୁଟିଆ ଟା ତ ! ଖଟରେ ଗଡୁଗଡୁ ନିଦ ହୋଇ ଯାଇଛି । ମୁଁ ଯାଇପାରିଲି ନାହିଁ । କ୍ଷମା କରିବେ ସାର୍ । ମୁଁ ଭୀଷଣ ଲଜ୍ଜିତ । ‘
‘କି କଥା ତମେ ମୋ ଝିଅଭଳି । ସେପଟେ ଭୋଜିଭାତ ଭାସିଯାଉଛି । ଏପଟେ ମୋ ଝିଅ ଉପାସ । ୟେ କଣ କଥା ?’ ବରାଳ ବାବୁଙ୍କୁ କଥା ନ କୁହାଇଦେଇ କହିପକାଇଲେ ମିସେସ୍ ବରାଳ ଅର୍ଥାତ ମାଉସୀ । ‘ ହଁ ଠିକ୍ କଥା । ମୁଁ ଭାବିଲି, ଆପଣ ଏକୁଟିଆ ତ, ଶୋଇ ପଡିଛନ୍ତି । କିଛି କଥା ନାହିଁ । ଏଇ ସାମ୍ନା କ୍ୱାଟରରେ ତ ଆମେ ରହୁଛୁ, କେତେବେଳ ଯାଇ ଟିକେ ବୁଲି ଆସିବ । ହଉ, ଏ ଜିନିଷ ଟିକେ ରଖିଲ । ଆମେଯାଉଁ !’
ସ୍ୱାମୀ ସ୍ତ୍ରୀଙ୍କ ସ୍ନେହ ଆଉ ଆପଣା ପଣରେ କୃତଜ୍ଞ ହୋଇ ପଡି କହିଲି, ଯେ ଆଖି ଲାଗିଗଲା ! ଆପଣ ମାନଙ୍କୁ କଷ୍ଟ କରିବାକୁ ପଡ଼ିଲା । ମୁଁ ଦୁଃଖିତ ସାର୍ । ‘
“ନାନା ଏଥିରେ ଦୁଃଖ କରିବାର କଣ ଅଛି ? ଆଚ୍ଛା, ଏଥର ଆସୁଛି । ସେ ଖିଆପିଆ କରୁ ବରାଳ ବାବୁ କହି ଚାଲିଗଲେ ତ ପଛରେ ବାସନ ଧରି ଯାଉଥିଲେ ମିସେସ୍ ବରାଳ ।
–ତା’ପରେ –