ଅନୁବାଦ ସାହିତ୍ୟ

ଛୋଟ ସହରର ସମୁଦ୍ର

Ritika Pattnaik translated Anees Salim’s Small Town Sea into Odia as Chota Saharara Samudra.

ତା’ପରେ ଘୋଷଣା କଲେ, ରେଳବାଇ କ୍ୱାର୍ଟରର ସେହି ଝିଅଟି ଝରକା ବନ୍ଦ କରିଦେଇ ସବୁଦିନ ପାଇଁ କୁଆଡ଼େ ଚାଲିଗଲା ।

ଜେମସ୍ ଅନୱିନ
ଅନୱିନ ଆଣ୍ଡ ଆସୋସିଏଟ୍ସ
୭୫ ମନ୍ମାଉଥ ଷ୍ଟ୍ରଟ୍
ଲଣ୍ଡନ
WC 7H 11DG

ପ୍ରିୟ ମିଃ ଅନୱିନ

ଏପରି ଚିଠି ଲେଖିବାର ପ୍ରେରଣା ମୁଁ ମୋ ଭାପ୍ପାଙ୍କଠୁ ପାଇଛି ବା କହିବାକୁ କଲେ ପୈତୃକ ଅଧିକାର ସୂତ୍ରେ ପ୍ରାପ୍ତ କରିଅଛି । ମୋ ତେରତମ ଜନ୍ମଦିନର ତିନିଦିନ ପରେ ଓ ଲିଟିଲ୍‌ର ଦ୍ୱିତୀୟ ଜନ୍ମଦିନର ସାତମାସ ପୂର୍ବରୁ ସମସ୍ତଙ୍କୁ ଆଶ୍ୱସ୍ତ କରି, ଭାପ୍ପା ଚିରନିଦ୍ରାରେ ଶୋଇଗଲେ । ସମୁଦ୍ରକୁ ମୁହଁକରି ପାହାଡ଼ ଶୀର୍ଷସ୍ଥ ସମତଳପୃଷ୍ଠରେ ଆମର ଭଡ଼ାଘର, ବୋଗେନଭିଲ୍ଲିଆରୁ ତାଙ୍କ ମରଶରୀରକୁ ଭାପ୍ପୁୁମ୍ମାଙ୍କ ବାସଭବନକୁ ନିଆଗଲା । ସେଠାରେ ଶେଷଥର ଲାଗି ତାଙ୍କ ଶରୀରକୁ ଧୁଆଧୋଇ କରାଗଲା, ଧଳା ଖଡ଼ଖଡ଼ିଆ ପଲିଷ୍ଟର ଲୁଗା ପିନ୍ଧାଇ ଦିଆଯିବା ପରେ ଏକ ଶିଉଳି ରଙ୍ଗର ବାଉଁଶ କଫିନରେ ଶୁଆଇ ଦିଆଗଲା । ଏହାପରେ ତାଙ୍କୁ କବରସ୍ତାନ ନିଆଗଲା । ପୂର୍ବରାତିର ବର୍ଷା ଯୋଗୁଁ କବରସ୍ତାନ ମାଟି ସନ୍ତସନ୍ତିଆ ଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଅବଧିରେ ଦିନତମାମ୍ ଲିଟିଲ୍‌ ସକେଇ କାନ୍ଦି ଚାଲିଥିଲା, ଅବିରତ । ଆମ ଶୋକରେ ସମ୍ମିଳିତ ହେବାକୁ ଆସିଥିବା ପରିଜନଙ୍କ ମଧ୍ୟରୁ ଅନେକ ଲିଟିଲ୍‌କୁ ଶାନ୍ତ କରିବାକୁ ଅଭିନବ ଚେଷ୍ଟାମାନ କଲେ । ଜଣେ କାସାଭା ପତ୍ରକୁ ମୋଡ଼ିମାଡ଼ି ଲକେଟ ଭଳି କରି ତା’ ସମ୍ମୁଖରେ ହଲାଇଲା, ଆଉ ଜଣେ କଙ୍କି ଧରିଆଣି ତାକୁ ଦେଖାଇଲା । ବିଚରା ପୋକଟି ଆଙ୍ଗୁଟି ମଝିରେ ପ୍ରାଣବିକଳରେ ଛଟପଟ ହେଉଥିଲା । ତୃତୀୟ ଜଣେ ନିକଟସ୍ଥ ବୃକ୍ଷଗଣ୍ଡିକୁ ଧରି ଖୁବ୍ ଜୋରରେ ହଲାଇଲା, ସେଥିରୁ ଗୁସବେରି କୋଳି ସହ ପୂର୍ବରାତିରେ ହୋଇଥିବା ବର୍ଷାର ବୁନ୍ଦା ବୁନ୍ଦା ପାଣି ଟପ୍‌ଟାପ୍ ଝରି ପଡ଼ିଲା । ଅବଶ୍ୟ ଏହିସବୁ ପ୍ରତ୍ୟେକ ଆନ୍ତରିକ ପ୍ରୟାସମାନ ଲିଟିଲ୍‌କୁ କିଛି ମୁହୂର୍ତ୍ତ ପାଇଁ ଶାନ୍ତ କରିଥିଲା କିନ୍ତୁ ତା’ ଧ୍ୟାନକୁ ଭିନ୍ନ ଦିଗରେ ଆକର୍ଷିତ କରାଇ ନେବାକୁ ଏ ଚମତ୍କାର ଉପାୟମାନ ଖୁବ୍ ଶୀଘ୍ର ନିଜ କୁହୁକ ହରାଇଲେ । ଲିଟିଲ୍‌ ପୁଣି ଭେଁ ଭେଁ କରି କାନ୍ଦି ଚାଲିଲା, ମୁଁ କେବେ ଦେଖିଥିବା ଏକ କାର୍ଟୁନ ସୋ’ର ଶିଶୁ ଚରିତ୍ର ଭଳି । ସନ୍ଧ୍ୟାରେ ଅମ୍ମା ଝରକା ପାଖରେ ଛିଡ଼ାହୋଇ ରେଳମାର୍ଗରେ ବାପ୍ପାଙ୍କ କଫିନ ଯାତ୍ରା ଦେଖି ଅଚେତ ହୋଇପଡ଼ିଲେ । ଏହା ଦେଖି ବୁଆ ୟାସମିନ କାନ୍ଦୁରା ଲିଟିଲ୍‌କୁ ଅମ୍ମାଙ୍କ କୋଳରେ ଛାଡ଼ିଦେଲେ ଓ ସେ ଶେଷରେ ତୁନି ହେଇ ଆଙ୍ଗୁଠି ଚୁଚୁମିବାରେ ମନ ଦେଲା ।

ଲିଟିଲ୍‌ ଭଳି କାନ୍ଦୁଥିବା ସେହି କାର୍ଟୁନ ଶିଶୁ ଚରିତ୍ରର ନାମ ୟୁରି ବା ୟେରିଏଲ । ଆମେ ଚ୍ୟାନେଲ ବଦଳଉ ବଦଳଉ ଏହି କାର୍ଟୁନ ସୋ ଅକସ୍ମାତ୍ ନଜରରେ ପଡ଼ିଲା । ଏହା ଋଷୀୟ ଚ୍ୟାନେଲ୍‌ରେ ପ୍ରଦର୍ଶିତ ଋଷୀୟ କାର୍ଟୁନ ସୋ’ ଥିଲା, ତେଣୁ ସୋ’ର ଶୀର୍ଷକ ନାମ ମନେ ରଖିବାରେ ମୁଁ ବିଶେଷ ଧ୍ୟାନ ଦେଇନଥିଲି । ଏହି ପାରିବାରିକ ସୋ’ ଲିଟିଲ୍‌ର ତୁରନ୍ତ ପସନ୍ଦ ହେଲା । ସେ କାର୍ଟୁନ ଚରିତ୍ରଟି କେବଳ ଏକ ନାପି ପିନ୍ଧୁଥିଲା, ଲିଟିଲ୍‌ ବି ଅନେକାଂଶ ତାରି ଭଳି ଦେଖାଯାଉଥିଲା ଯେବେ ସେ ବି ନାପି ପିନ୍ଧି ଘରସାରା ଗୁରୁଣ୍ଡୁଥିଲା । ଉଭୟ ଏକା ଭଳି ଦରୋଟି କଥା କହୁଥିଲେ ଓ ଓଠରେ ଦୀର୍ଘ ଫଟ୍‌ଫାଟ୍ ଶବ୍ଦ କରୁଥିଲେ । କାର୍ଟୁନ ଶିଶୁଟିର ବି ଆମ ଭଳି ପରିବାର ଥିଲା । ବଡ଼ ଭାଇଟିଏ ଥିଲା । ପ୍ରସାରଣ ବନ୍ଦ ସମୟରେ ସେ ମୋ ବୟସର ଥିଲା ଓ କେବେ ଦୁଷ୍ଟାମୀ କଲାବେଳେ ତା’ର ପିତାମାତା କେବଳ ଆଙ୍ଗୁଳି ଦେଖେଇ ତାକୁ ତାଗିଦା କରୁଥିଲେ । ଭାପ୍ପାଙ୍କ ମୃତ୍ୟୁ ଦିନ ମୁଁ ୟୁରି ବା ୟେରିଏଲର ପିତାଙ୍କ କଥା ଭାବୁଥିଲି ଓ ପ୍ରଥମଥର ପାଇଁ ଚିନ୍ତା କଲି କ’ଣ କାର୍ଟୁନ କାହାଣୀରେ ପିତାମାତାଙ୍କ ମୃତ୍ୟୁ ହୁଏନି, ଆଉ ଯଦି ହୁଏ କ’ଣ ସେମାନଙ୍କୁ ବି କାର୍ଟୁନ କଫିନରେ ନିଆଯାଇ କାର୍ଟୁନ କବରସ୍ତାନ ଗର୍ତ୍ତରେ କବର ଦିଆଯାଏ ।

ଭାପ୍ପାଙ୍କୁ ଯେଉଁ କବରସ୍ଥାନକୁ ନିଆଗଲା ତାହା ଏକ ବିକ୍ଷିପ୍ତ ବର୍ଦ୍ଧିତ ବଗିଚା ଥିଲା, ଝରାପତ୍ରର ମୋଟା ଗାଲିଚାରେ ଆଚ୍ଛାଦିତ ଥିଲା ବଗିଚା ଭୂପୃଷ୍ଠ । ମୁଁ ଏଠାକୁ ଆସିଥିଲି, ଚାରିବର୍ଷ ପୂର୍ବେ, ଉପ୍ପୁପ୍ପାଙ୍କ ମୃତ୍ୟୁ ପରେ । ମୋର ମନେ ଅଛି ବଗିଚାକୁ କବ୍ଜା କରି ବସିଥିବା ଅନେକ କାଜୁ ବୃକ୍ଷ । ଏକ ବାମନ-ଜଙ୍ଗଲ ସଦୃଶ୍ୟ ଝାଟିବୁଦା ନିଜଠି କଣ୍ଟାଗୁଡ଼ିଏ ସଜେଇ ସତେ ଅବା ମୃତକଙ୍କୁ ଜୀବିତଙ୍କଠାରୁ ରକ୍ଷା କରୁଥିଲେ । କେବଳ କିଛି କାଜୁ ଗଛର କମନୀୟ ଡାଳରେ ସଫେଦ କୁସୁମପୁଞ୍ଜ ଦୃଷ୍ଟିଗୋଚର ହେଉଥିଲେ । ଅନ୍ୟ ପ୍ରଜାତିର ବୃକ୍ଷ ପ୍ରାୟ ପୁଷ୍ପହୀନ ଥିଲେ । ଲେଉଟାଣୀ ବସନ୍ତରେ ନିକଟସ୍ଥ ମଦ୍ରାସାରୁ ପିଲାମାନେ କବରସ୍ଥାନକୁ ଲୁଚିଛପି ପଶିଆସୁଥିଲେ । ମୃତକଙ୍କ ସହିତ ଚଳପ୍ରଚଳ ହେଉଥିବା ସାପ, ନେଉଳ ଭଳି ଜୀବଜନ୍ତୁଙ୍କୁ ଖଣ୍ଡେ ବାଡ଼ିରେ ସେମାନେ ଘଉଡ଼ାଇ ଦିଅନ୍ତି ଓ ହଳଦିଆ କିନ୍ତୁ ମୁଖ୍ୟତଃ ଲାଲ ଟହଟହ କାଜୁ ଫଳକୁ ଲକ୍ଷ୍ୟ କରି ଟେକା ମାରନ୍ତି । ଇମାମ୍‌ ସେମାନଙ୍କୁ ଠାବ କରିବା ପୂର୍ବରୁ ସେମାନେ କାଜୁ ଫଳକୁ ଗିଳିପକାନ୍ତି ଓ ବାଦାମସବୁ ମସଜିଦ ନିକଟ ଦୋକାନରେ ବିକ୍ରି କରି ଭିନ୍ନ ଭିନ୍ନ ରକମର ଜିନିଷ କିଣନ୍ତି । ଗୋଟିଏ ବାଦାମ ବଦଳରେ ଦୁଇଟା ମିଠେଇ ପାଆନ୍ତି ଓ ଦୁଇଟା ମିଠେଇ ବଦଳରେ ଚାରିଟା । ତିନିଟା ବାଦାମ ବଦଳରେ ରବର ବଲ ଲାଭ କରନ୍ତି, କିନ୍ତୁ ତିନିଟା ବାଦାମ ସଂଗ୍ରହ କରି ବିକିବା କାହା କାହା ଭାଗ୍ୟରେ କ୍ୱଚିତ ସମ୍ଭବ ହୁଏ ।

ଭାପ୍ପାଙ୍କ ଚିର ବିଶ୍ରାମସ୍ଥଳ, କବରସ୍ତାନର ଗଡ଼ାଣିଆ ନିମ୍ନଦେଶରେ ଥିଲା, ମସଜିଦ୍‌ଠାରୁ ସବୁଠୁ ଦୂରରେ, ପାହାଡ଼ ସୁଦୃଶ୍ୟ ଶୈବାଳ ଜମିଥିବା ଏକ କାନ୍ଥ ସନ୍ନିହିତ । ସେ ଜୀବିତ ଥିବାବେଳେ କେହି ଯଦି ମୃତ୍ୟୁ ପରେ କେଉଁଠାରେ କବର ନେବାକୁ ପସନ୍ଦ କରିବେ ବୋଲି ତାଙ୍କୁ ଜିଜ୍ଞାସା କରିଥାନ୍ତା, ସେ ତତ୍କ୍ଷଣାତ ଏହି ନିରୂପିତ ସ୍ଥାନଟିକୁ ଅନୁମୋଦନ କରିଥାନ୍ତେ । ଉପ୍ପୁୁପ୍ପାଙ୍କ ସମାଧି ନିକଟରେ ତାଙ୍କୁ କବର ଦିଆଯାଇଥିଲା । ଜୀବନର ଶେଷ କିଛି ମାସ ପୂର୍ବରୁ ସେ ନିଜ ପିତାଙ୍କ ସ୍ମୃତିକୁ ସସ୍ନେହେ ପଖାଳୁଥିଲେ । ପ୍ରକୃତରେ ନିଜ ପିତାଙ୍କ ସହିତ ତାଙ୍କ ସମ୍ପର୍କରେ ବହୁ ପୂର୍ବରୁ ଅବନତି ଦେଖାଯାଇଥିଲା ଓ ମୋ ଉପ୍ପୁପ୍ପାଙ୍କ ଶେଷନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସମ୍ପର୍କରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା; ସଦା ଭଳି ଭାପ୍ପାଙ୍କ ପ୍ରତି ଉପ୍ପୁପ୍ପାଙ୍କ ବିରକ୍ତିସୂଚକ ଭ୍ରୁକୁଞ୍ଚନ ତାଙ୍କ ଚେହେରାରେ ଜୀବନର ଶେଷ ମୁହୂର୍ତ୍ତ ଯାଏ ଲାଖିରହିଥିଲା । ମୋ ଚାଚା ପୁଅ ଭାଇ ଜୁନେଦର କବର ଧାଡ଼ିଏ ଛାଡ଼ି ଥିଲା, ଅମାନିଆ ବର୍ଦ୍ଧିଷ୍ଣୁ ମୁନ ଗଛବୃଚ୍ଛର ଆଡ଼ରେ । ତେଣୁ ଆମ ପରିବାରର ତିନି ପିଢ଼ିର ତିନୋଟି ବ୍ୟକ୍ତି, କବରସ୍ଥାନର ସବୁଠାରୁ ଶାନ୍ତ ପ୍ରାନ୍ତରେ ପରସ୍ପରର ନିକଟରେ ଚିର ବିଶ୍ରାମ ନେଇଥିଲେ । ସେଇ ସ୍ଥାନର ନୀରବତାକୁ ଭଙ୍ଗ କରୁଥିଲା ମୁଏଜିନ୍‌ଙ୍କ ପାଞ୍ଚ ଥର ନମାଜ ଡାକ ଓ କେବେ କେମିତି ନୂଆ କବର ଖୋଦନ କରୁଥିବା କୁରାଢ଼ି ଛୋଟର ଶବ୍ଦ ।

ଭାପ୍ପା ଧିରେ ଧିରେ କୋମାକୁ ଚାଲିଗଲେ । ସେହି ପ୍ରଲମ୍ବିତ ଗାଢ଼ ମୂର୍ଚ୍ଛିତ ଅବସ୍ଥାରେ ବି ବେଳେ ବେଳେ ଗମ୍ଭୀର ଅସ୍ପଷ୍ଟ ଶବ୍ଦମାନ ଘୁମୁରୁୁଥିଲେ । ଯେବେ ବି ସେ ଏମିତି କରୁଥିଲେ ମୋ ମାନସପଟରେ ଆଙ୍କି ହେଇଯାଉଥିଲା ଏକ ଚିତ୍ର; ଯେପରି ସେ ଏକ ଓଜନିଆ କବାଟକୁ ପେଲି ପେଲି ଖୋଲିସାରି କୋଠରୀ ମଧ୍ୟକୁ ପ୍ରବେଶ କରୁଛନ୍ତି, ଆଉ ଯେଉଁ କୋଠରୀକୁ ବି ସେ ପ୍ରବେଶ କରୁଛନ୍ତି ସେଥିରେ ଆସବାବପତ୍ର ନୁହେଁ ବରଂ ସ୍ମୃତିସବୁ ସଜେଇ ହୋଇଛି । ଆସବାବପତ୍ର ଯେପରି ସୁନ୍ଦର ଅଥବା ସାଧାରଣ ହୋଇପାରେ ସେଇପରି ସ୍ମୃତି ବି ହୋଇପାରେ ମିଠା ଅବା କଷା । ନହେଲେ କାହିଁକି ଗୋଟିଏ ମୁହୂର୍ତ୍ତରେ ତାଙ୍କ ଚେହେରାରେ ସନ୍ତାପ ରଞ୍ଜିତ ରେଖାମାନ ଉକୁଟି ଆସୁଥିଲା ବେଳେ ପରକ୍ଷଣରେ ସନ୍ତୋଷଭରା ଆକର୍ଣ୍ଣ ସ୍ମିତରେ ପ୍ରଫୁଲ୍ଲିତ ଜଣାପଡ଼ୁଥିଲା ? ସେଇ ସମୟରେ ସେ ୟୁରି ବା ୟୁରିଏଲର ପିତା ଭଳି ପ୍ରତୀତ ହେଉଥିଲେ । ୟୁରିର ପିତା ଏକ ଦୀର୍ଘକାୟ ବ୍ୟକ୍ତି ଯେ ଅଧିକାଂଶ ସମୟ ଅଣ୍ଡା କେଶର ସମାନ ହଳଦିଆ ରଙ୍ଗର ସୋଫାରେ ଶୋଇ ରହୁଥିଲେ । ନିଦରେ ଶୋଇ ରହି ମଧ୍ୟ ତାଙ୍କ ମୁହଁ ଖେଳୁଥିଲା ବିିଭିନ୍ନ ଭଙ୍ଗୀର ମୁଦ୍ରାମାନ ।

ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ଭାପ୍ପା କୋମାରୁ ଉଠିଲେ । ଅସୁସ୍ଥ, କ୍ଷୀଣ ଓ ଦୁର୍ବଳ ହେବା ପୂର୍ବରୁ ସେଭଳି କଥାବାର୍ତ୍ତା କରୁଥିଲେ ଠିକ୍ ସେଭଳି କଥା କହିଲେ, ସାଧାରଣ ନୀରୋଗ ମଣିଷଙ୍କ ଭଳି । ସ୍ୱଭାବତଃ ସ୍ୱଳ୍ପଭାଷୀ ଏବଂ ଗମ୍ଭୀର ଭାପ୍ପା ତାଙ୍କର ଏହି ଶେଷ ସମୟରେ ଅଧିକ ସମୟ ବିନା କୌଣସି ସେଙ୍କାଚରେ, ଦୀର୍ଘ ଅବଧି ଅନର୍ଗଳ ବକି ଚାଲିଲେ । ଘରେ ଭିଡ଼ ଜମାଇଥିବା ଆମର ଅନେକ ପରିଜନ ତଥା ଶୁଭେଚ୍ଛୁ ଭାପ୍ପାଙ୍କ କୋଠରୀରୁ ଦୌଡ଼ି ଆସି ତାଙ୍କ ଖଟ ଚାରିପାଖେ ବେଢ଼ିଗଲେ । ସମସ୍ତେ ବେଶ୍ ଉତ୍ସୁକ ଥିଲେ ସତେ କି ଭାପ୍ପା ତାଙ୍କ ଶେଷ ଇଚ୍ଛା ଓ ଇଚ୍ଛାପତ୍ର ବିଷୟରେ କହୁଛନ୍ତି । କିନ୍ତୁ ସେ ଯାହା କହୁଥିଲେ ମୁଁ ବୁଝି ପାରୁନଥିଲି ଆଉ କିଏ କ’ଣ ବୁଝୁଥିଲେ କହିବା କଠିନ । ପ୍ରତୀତ ହେଉଥିଲା ଅନେକ ବର୍ଷ ପୂର୍ବର, ମୋ ଜନ୍ମପୂର୍ବର ଘଟଣାକୁ ସେ ବଖାଣୁଛନ୍ତି । ସେ ମଧ୍ୟ ନିର୍ଦ୍ଧିଷ୍ଟ କୌଣସି ବ୍ୟକ୍ତିକୁ ଲକ୍ଷ୍ୟ କରି କହୁନଥିଲେ । ନିଜ ଅତୀତର କୌଣସି ଚରିତ୍ର ସହିତ ସେ ଆଳାପରତ ଥିଲେ । ସେ କ’ଣ କହୁଥିଲେ ମୁଁ କେବଳ ତାହାର ଏକ କଳା-ଧଳା ଦୃଶ୍ୟର ପରିକଳ୍ପନା କ୍ରମେ ଅତୀତ ବୃତ୍ତାନ୍ତର ଅନୁମାନ କରିବାକୁ ଚେଷ୍ଟା କରୁଥିଲି । କଳା-ଧଳା ଗଛ, କଳା-ଧଳା ସଡ଼କ, କଳା-ଧଳା କୋଠା, ସବୁକିଛି କଳା-ଧଳା ।

ସେ କହୁଥିଲେ ଆଜି ସକାଳେ ଡାକବାଲା ଏକ ବାଦାମୀ ଲଫାପା ଦେଇଯାଇଛି । ସେ ଅନେକ ଦିନ ହେଲା ଏକ ଜରୁରୀ ବାର୍ତ୍ତା ଲାଗି ଅପେକ୍ଷା କରିଛନ୍ତି, ଏମିତି କିଛି ସନ୍ଦେଶ ଯାହା ତାଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଦେବ । ଖବର ଜାଣିବାର ଉଦବେଗରେ ତାଙ୍କ ହୃଦୟ ଦ୍ରୁତଗତିରେ ଧକ୍ ଧକ୍ ହେଉଥିଲା । ସେ ଲଫାପାକୁ ଖୋଲି ଚିଠି କାଢ଼ିଲେ । ସେ ଚିଠିରେ ତାଙ୍କ ଜୀବନର ପ୍ରଥମ ପ୍ରତ୍ୟାଖ୍ୟାନ ବାର୍ତ୍ତା ଥିଲା । ସେତେବେଳେ ତାଙ୍କୁ ମାତ୍ର ଉଣେଇଶ ବର୍ଷ ହୋଇଥିଲା । ଏସବୁ ବିଷୟରେ ମୁଁ ଜ୍ଞାତ । ମୁଁ ପୂର୍ବରୁ ଶୁଣିଛି କିପରି ସେ ନିଜ ପ୍ରଥମ ଅସ୍ୱୀକରଣ ଚିଠି ବିଷୟରେ ଅତି ଗର୍ବର ସହିତ ବ୍ୟାଖ୍ୟାନ କରୁଥିଲେ ସତେ ଯେପରି ତାହା ଥିଲା ଏକ ମସ୍ତ ସଫଳତାର ଉପଲବ୍ଧି ।

“ତୁମେ ବୁଝିପାରିବ ନାହିଁ”, ସେ କହୁଥିଲେ । “ତୁମେ ଦୁଇଜଣ ଏପରି ପୀଡ଼ାକୁ ବୁଝିପାରିବ ନାହିଁ । ”

ତେଣୁ ସେ ନିଜ ଅତୀତର ଦୁଇ ବ୍ୟକ୍ତିଙ୍କ ସହିତ କଥା ହେଉଥିଲେ । ଦୁଇ ଜଣ ବ୍ୟକ୍ତି, କଳା-ଧଳା ।

“ହସ ନାହିଁ”,ତାଙ୍କ କଣ୍ଠରେ ଥିଲା କଠୋରତା । ତାଙ୍କ ମୃତ୍ୟୁଶଯ୍ୟା ପାଖେ ଏକତ୍ରିତ ସମସ୍ତେ ପରସ୍ପରର ମୁହଁ ଚାହାଁଚାହିଁ ହେଲେ । କେତେକଙ୍କ ଓଠରେ ଉଦାସ ସ୍ମିତଟିଏ ଲାଖିରହିଥିଲା । କେବଳ ବୁଆ ୟାସମିନ ଆଖି ମୁଦି ପକାଇ, ସୁଁ ସୁଁ ହୋଇ କାନ୍ଦୁଥିଲେ, ଟିଭି ଧାରାବାହିକରେ ଅସହନୀୟ ବ୍ୟଥା ସମୟରେ ନାୟିକାମାନେ ରୋଧନ କଲାପରି ।

ଭାପ୍ପା ନିଜ ଓଠରେ ଦୁଇ ଆଙ୍ଗୁଠି ରଖିଲେ । କିଛି ମୁହୂର୍ତ୍ତ ପାଇଁ ସମସ୍ତେ ଧରିନେଲେ ଯେପରି ସେ ପୂର୍ଣ୍ଣ ନୀରବତା ଦାବି କରୁଛନ୍ତି ଯଦିଚ ସମସ୍ତେ ନୀରବ ଥିଲେ, କେବଳ ତାଙ୍କରି ସ୍ୱର ହିଁ ନୀରବତା ଭଙ୍ଗ କରୁଥିଲା । ସେ ତାଙ୍କ ଆଙ୍ଗୁଠିଦ୍ୱୟକୁ ବାରମ୍ବାର ଯୋଡ଼ୁଥିଲେ ପୁଣି ଖୋଲୁଥିଲେ; ତାଙ୍କ ଆଙ୍ଗୁଠିଦ୍ୱୟ ମଝିର ଛୋଟିଆ ଫାଙ୍କ ସୂଚାଉ ଥିଲା ସେ ନୀରବତା ନୁହେଁ ସିଗାରେଟ୍‌ ଚାହୁଁଛନ୍ତି । ନିଜ କଳ୍ପିତ ସିଗାରେଟ୍‌ରୁ କିଛି ତରବରିଆ ସୁଡ଼ୁକି ନେଲେ, କଳ୍ପିତ ଧୂଆଁର କୁଣ୍ଡଳୀ ଫୁଙ୍କିଲେ ତା’ପରେ ପୁଣି ବକ୍‌ବକ୍ ଆରମ୍ଭ କଲେ ।

ସେ କହୁଥିଲେ, ସେଇ ଝିଅ ବିନା କୌଣସି ସୂଚନା ସ୍ଥାନ ପରିତ୍ୟାଗ କଲା । “କେଉଁ ଝିଅ”, ସେ ପଚାରୁଥିଲେ, ଉତ୍ତେଜିତ ହୋଇ । “ତୁମେ କ’ଣ ଜାଣ ନାହିଁ କେଉଁ ଝିଅ? ସେହି ଝିଅ ଯେ ରେଲବାଇ କଲୋନୀରେ ରହୁଥିଲା । ”

ସମସ୍ତେ ରେଲବାଇ କ୍ୱାର୍ଟର ବସତି ଦିଗକୁ ଦେଖିଲେ । ସେମାନଙ୍କ ହାବଭାବରୁ ଜଣାପଡ଼ୁଥିଲା, ସେମାନେ କେବେ ଏପରି ଘଟଣା ଶୁଣିନାହାଁନ୍ତି । ମୁଁ ବି ଶୁଣିନି । ତେଣୁ ମୁଁ ବି କୋଠରୀରେ ଉପସ୍ଥିତ ସମସ୍ତଙ୍କ ଭଳି ବ୍ୟଗ୍ରତାପୂର୍ବକ କାନେଇଲି ।

ରେଳବାଇ କଲୋନୀର ବଗିଚାରେ ଏକ କାଠଚମ୍ପା ଗଛ ଥିଲା । ଏହି ଝିଅଟି ଗଛ ସାମ୍ନା ଦ୍ୱିତାଲାର ଘରର ଉପର ମହଲାରେ ରହୁଥିଲା । ତା’ ଝରକାରେ ପତଳା ନୀଳ ପରଦା ଝୁଲୁଥିଲା । ସବୁ ରାତିରେ ଭାପ୍ପା ସେ ବୃକ୍ଷକୁ ଆଉଜି ଛିଡ଼ା ହେଉଥିଲେ । ସେ ଅପେକ୍ଷା କରିଥିଲେ ସେ ଝିଅକୁ, କେବେ କେଶବ୍ରସ୍ ହଲାଇ ହଲାଇ ଝରକା ପାଖକୁ ଆସିବ । ଚାନ୍ଦିନୀ ରାତିରେ ସାମାନ୍ୟ ଅଙ୍କାବଙ୍କା କିନ୍ତୁ ତଥାପି ସୁନ୍ଦର ତା’ର ଛାଇ ଭାପ୍ପାଙ୍କ ପାଦ ପାଖରେ ଝରାଫୁଲରେ ଆଚ୍ଛାଦିତ ଚଟାଣରେ ପଡ଼ୁଥିଲା । ଭାପ୍ପା ଆଣ୍ଠେଇପଡ଼ି ଛାଇକୁ ଛୁଉଁଥିଲେ, ଛାଇରେ ସେ ଝିଅର ଗାଲକୁ ସ୍ପର୍ଶ କରୁଥିଲେ, ତା’କେଶକୁ ସାଉଁଲୁଥିଲେ । ତଳେ ପଡ଼ିଥିବା ଓଦା ପଚା ପତ୍ରର ସ୍ପର୍ଶରେ ତାଙ୍କ ଆଙ୍ଗୁଠି ଓଦା ହୋଇପାଉଥିଲା । କିନ୍ତୁ ସେ ସେହି ପତ୍ରଗୁଡ଼ିକୁ ଚୁମା ଦେଉଥିଲେ କାରଣ ସେସବୁ ଝିଅଟିର ଛାଇକୁ ଛୁଉଁଛନ୍ତି ।

ୟାସମିନ୍‌ ବୁଆଙ୍କ ଅପ୍ରତିଭ ଚାହାଣୀ ଭାପ୍ପୁମ୍ମାଙ୍କ ଦିଗେ ପହଁରିଗଲା । ଭାପ୍ପୁମ୍ମା ଶୁଖିଲା ଓଠକୁ ଚାପିରଖି ଭାପ୍ପାଙ୍କ ହାଡ଼ୁଆ ମୁହଁକୁ କୋମଳ ନଜରରେ ଅନେଇ ରହିଥିଲେ । ଭାପ୍ପାଙ୍କ ଆଖିଡୋଳା ତାଙ୍କ ମୁଦ୍ରିତ ଚକ୍ଷୁଯୁଗଳ ତଳେ ଢଳ ଢଳ ହେଉଥିଲା,ସେ କଷ୍ଟରେ ଛେପ ଡୋକିଲା ବେଳେ ତାଙ୍କ ଗଳାର ସଞ୍ଚାଳନ ଏତେ ମୃଦୁ ଥିଲା ଯେ ସହଜରେ ବାରିହେଉନଥିଲା । କେହି ଉମ୍ମାଙ୍କୁ ଦେଖୁନଥିଲେ ଯଦିଚ ସେହି ସମୟରେ ସମସ୍ତେ ତାହା ହିଁ କରିବାକୁ ଚାହୁଁଥିଲେ ।

ଦୁଇ ଆଙ୍ଗୁଳି ଓଠରେ ଚାପି ଧରି ଭାପ୍ପା ସିଗାରେଟ୍‌ ପାଇଁ ମିନତି କଲେ । ତା’ପରେ ସେ ନାଟକୀୟ ଢଙ୍ଗରେ ଦୀର୍ଘଶ୍ୱାସ ଭରିିଲେ ଯେପରି ସେ ଏକ ଶିଶୁକୁ ପ୍ରଶ୍ୱାସ ନେବାକୁ ଶିଖାଉଛନ୍ତି । ତା’ପରେ ଘୋଷଣା କଲେ, ରେଳବାଇ କ୍ୱାର୍ଟରର ସେହି ଝିଅଟି ଝରକା ବନ୍ଦ କରିଦେଇ ସବୁଦିନ ପାଇଁ କୁଆଡ଼େ ଚାଲିଗଲା ।

“ମୋତେ ପଚାରନା କେଉଁ ଆଡ଼େ”, ସେ କହିଲେ, “ମୁଁ ବି ତ ସେଇଆ ଜାଣିବାକୁ ଚେଷ୍ଟା କରୁଅଛି । ”

ପୂର୍ବରାତିସାରା ସେ କାଠଚମ୍ପା ବୃକ୍ଷ ତଳେ ବିତାଇଥିଲେ, ରେଳଗାଡ଼ି ତା ବାଟରେ ଛୁକ୍ ଛୁକ୍ କରି ନିଦ୍ରିତ ସହର ପାର ହେଲା ବେଳେ । ସେ ଝିଅର ଝରକାରେ ଆଲୋକ ଦେଖାଯାଉଥିଲା । ନୀଳ ପରଦା ସେମିତି ଥିଲା ଓ ସେହି ଛୋଟିଆ ଫୁଲକୁଣ୍ଡ ଯେଉଁଥିରେ ସେ ପ୍ରତିଦିନ ପାଣି ଦିଏ ତଥାପି ଝରକା ବାଡ଼ରେ ନିଜ ଉପସ୍ଥିତି ଜାହିର କରୁଥିଲା । କିନ୍ତୁ ସେ ଘରେ ଏକ ଅଜବ ନିର୍ଜନତା ଥିଲା ଯେମିତି ପୂରା ପରିବାରଙ୍କୁ ବନ୍ଦୀ କରି ବାନ୍ଧିଦିଆଯାଇଛି, ମୁହଁରେ ବି କନାବିଣ୍ଡା ଦିଆଯାଇଛି ଓ ସେମାନେ ସେଇ ବନ୍ଧନରୁ ଛାଟିପିଟି ହୋଇ ମୁକୁଳି ଆସି ତାଙ୍କ ଗୃହରେ ଅବୈଧ ଅନୁପ୍ରବେଶ ଘଟଣା ଜଣାଇବାକୁ ଅବିରତ ଚେଷ୍ଟା ଚଳାଇଛନ୍ତି । ପରଦିନ ସକାଳେ ଡାକୁଆର ସେଇ ଚିଠି ଆସିବାର ଏକ ଘଣ୍ଟା ପୂର୍ବରୁ ଭାପ୍ପା ଜାଣିଲେ ଯେ ଝିଅଟି ଓ ତା’ର ପରିବାର କ୍ୱାର୍ଟର ଛାଡ଼ି କୌଣସି ଦୂର ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । ଗୋଟିଏ ଦିନରେ ଦୁଇଟା ପ୍ରତ୍ୟାଖ୍ୟାନ । ଭାପ୍ପା ଦୀର୍ଘଶ୍ୱାସ ଛାଡ଼ି ତୁନି ପଡ଼ିଗଲେ, କେବେ ଆଉ କୌଣସି ଶବ୍ଦ ଉଚ୍ଚାରିବେ ନାହିଁ । କେବେ ନୁହେଁ ।

ରାତିର ଶେଷ ପ୍ରହରରେ ବର୍ଷା ହେଲା । ସମୁଦ୍ରର ଗର୍ଜନ ବି ବର୍ଷାର ଶବ୍ଦରେ ଲୁଚିଗଲା । ବର୍ଷା ଯୋଗୁଁ ପରିଜନଙ୍କ ବୋଗେନଭିଲ୍ଲିଆ ଛାଡ଼ିବା ବିଳମ୍ବିତ ହେଉଥିଲା । ଭାପ୍ପା ସୂର୍ଯ୍ୟଦ୍ୟୋୟ ଦେଖି ପାରିବେ ନା ନାହିଁର ଆଶଙ୍କା ବା ପୂର୍ବାଭାସ ଯୋଗୁଁ ମଧ୍ୟ ଶୁଭେଚ୍ଛୁଗଣ ସ୍ୱଗୃହକୁ ଫେରିବାକୁ କୁଣ୍ଠିତ ଥିଲେ । ବାରଣ୍ଡାରେ ଛିଡ଼ା ହୋଇ, ପାରାପେଟରେ ବସିରହି, କାନ୍ଥରେ ଆଉଜି ଛିଡ଼ା ହେଇ ସେମାନେ ବର୍ଷାପାଣି ଅଗଣାରେ ନିଗିଡ଼ି ପଡ଼ୁଥିବାର ଦେଖି ଦେଖି ନିଜ ନିଜ ମଧ୍ୟେ ଫୁସଫାସ କଥା ହେଉଥିଲେ । ମୁଁ ଏପରି ଏକ ଆଲୋଚନାକୁ ବିଶେଷ ଭାବେ ମନେ ରଖିଛି; ଆଲୋଚନାର ବିଷୟବସ୍ତୁ ଥିଲା, ଏକ ଶୋକବାର୍ତ୍ତା ପ୍ରସ୍ତୁତ ରଖିବା ଏବଂ ଅନ୍ୟ ଏକ ଆଳାପରେ ମୁଁ ଶୁଣିଲି, କେଉଁ ପୃଷ୍ଠାରେ ଏହି ଶୋକବାର୍ତ୍ତା ସ୍ଥାନିତ ହେବ । ତାଙ୍କର ସାହିତ୍ୟ ପ୍ରତି କ’ଣ ଯଥେଷ୍ଟ ଅବଦାନ ନଥିଲା ଯାହାର ଫଳସ୍ୱରୂପ ତାଙ୍କ ମୃତ୍ୟୁ ଖବରକୁ ପ୍ରଥମ ପୃଷ୍ଠାରେ ଛପା ଯିବା ଭଳି ଗୁରୁତ୍ୱ ଦିଆଯାଇପାରିବ ? କିନ୍ତୁ ସେ ସେହି ସାହିତ୍ୟ ପୁରସ୍କାର ପାଇବା ପରଠାରୁ କ’ଣ ଅନେକ କିଛି ବଦଳିଯାଇ ନାହିଁ ? ସେ ମାତୃଭାଷା ନୁହେଁ ବରଂ ଇଂରେଜୀରେ ଲେଖୁଥିବା ହେତୁ କ’ଣ ସ୍ଥାନୀୟ ଖବରକାଗଜସବୁ ତାଙ୍କ ମୃତ୍ୟୁଖବର ଭିତର ପୃଷ୍ଠାରେ ଛାପିବେ?

ତଥାପି ଭାପ୍ପା ପ୍ରଥମ ପୃଷ୍ଠାରେ ବେଶ କିଛି ଶବ୍ଦ ସଂଯୋଜିତ ଶ୍ରଦ୍ଧାଞ୍ଜଳୀର ହକ୍‌ଦାର, ଏଥିପାଇଁ ସେ ଯୋଗ୍ୟ ହୁଅନ୍ତୁ ବା ନହୁଅନ୍ତୁ । ଭାପ୍ପା ସ୍ୱୟଂ ଏକ ପତ୍ରିକାକୁ ସାକ୍ଷାତକାରରେ କହିଥିଲେ ଯାହା ସାହିତ୍ୟ ପୁରସ୍କାର ପାଇବାର ତ୍ୱରିତ୍ ପରେ ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ନିଜ ଫଟୋ ପାଶ୍ୱର୍ରେ ନିଜର ହିଁ ମୃତ୍ୟୁ ଶୋକବାର୍ତ୍ତା ସମ୍ବନ୍ଧିତ ତିନିଟି ବାକ୍ୟ, ଦୁଇଟି ଉଦ୍ଧରଣ ଚିହ୍ନ ମଧ୍ୟରେ; ବାକ୍ୟକୁ ରେଖାଙ୍କିତ କରିବା ଉଦ୍ଧେଶ୍ୟରେ ଚିହ୍ନଦ୍ୱୟ ଅକ୍ଷର ଆକାରଠାରୁ ଅପେକ୍ଷାକୃତ ବଡ଼ ଥିବା ହେତୁ ବାକ୍ୟର ଗୁରୁତ୍ୱବ୍ୟଞ୍ଜକ ସାଜିିବେ କ’ଣ ତାକୁ ଢାଙ୍କି ପକାଉଥିବା ଭଳି ଦିଶୁଥିଲା । ଭାପ୍ପା ଫଟୋରେ ହସୁଥିଲେ । କିନ୍ତୁ ପ୍ରାୟ ଅନ୍ୟ ସବୁ ବୟଃପ୍ରାପ୍ତ ଫଟୋରେ ସେ ବିରକ୍ତିସୂଚକ ଚାହାଣୀରେ କୁଞ୍ଚିତ ଭ୍ରୃକୁଟି ସହ ଅନେଇଥିଲେ । ଅସୁସ୍ଥ ହୋଇ, କ୍ଷୀବ୍ରଗତିରେ ମୃତ୍ୟୁ ନିକଟତର ହେବାର ବହୁବର୍ଷ ପୂର୍ବରୁ ଏହି ସାକ୍ଷାତକାରରେ ମୃତ୍ୟୁ ବିଷୟକ ତାଙ୍କର ମନ୍ତବ୍ୟ ସେତେବେଳେ ଲାଗୁଥିଲା ବଡ଼ ଅଖାଡ଼ୁଆ । ଅତୀତ ପର୍ଯ୍ୟବେସିତ ଥିଲା ତାଙ୍କର ମୃତ୍ୟୁ ସମ୍ବନ୍ଧୀୟ ଅଭିମତ । ମୃତ୍ୟୁ ଏକ ତତ୍କାଳୀକ ଅବଶ୍ୟମ୍ଭାବୀ ଘଟଣା ନୁହେଁ ବରଂ ଏକ ପ୍ରେରଣାଦାୟକ ଉତ୍ସ ବୋଲି ତାଙ୍କ ଧାରଣା ଥିଲା ।

ଏକ ସାକ୍ଷାତକାର ଅବସରରେ ସେ କହିଥିଲେ, ସେ ମାତ୍ର ୧୨ ବର୍ଷ ହୋଇଥିବେ କି ନା, ଯେବେ ଏକ ବିଶିଷ୍ଟ ଶ୍ରଦ୍ଧାଞ୍ଜଳୀ ଅର୍ଜନ ଭାବନାରେ ତାଙ୍କ ମନ ଉଦ୍‌ବେଳିତ ହେଲା । ସମୟାନ୍ତରରେ ପ୍ରକାଶ ପାଉଥିବା ଏକ ଭାରତୀୟ ପତ୍ରିକାରେ ଜଣେ ଶିକ୍ଷାନବୀଶଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସେଦିନ ସେ ସବୁଦିନ ଭଳି ସ୍କୁଲରୁ ଏକାକୀ ଫେରୁଥିଲେ, ଦୁଇ କଡ଼ରେ ଘରଥିବା ଧୂଳି ଧୂସରିତ ରାସ୍ତାରେ । ଫକିରୁଦ୍ଧିନ ଅଲ୍ଲୀ ଅହମଦ, ଭାରତର ତତ୍କାଳୀନ ରାଷ୍ଟ୍ରପତିଙ୍କ ତିରୋଧାନ ଖବର ପ୍ରାପ୍ତ ମାତ୍ରକେ ଅପରାହ୍ଣ ବିରତି ପୂର୍ବରୁ ସ୍କୁଲଛୁଟି କରିଦିଆଯାଇଥିଲା । ରାସ୍ତାପାଶ୍ୱର୍ସ୍ଥ ଏକ ଘର ମଧ୍ୟରୁ ଭାଓଲିନ ନିସ୍ତୃତ ମୁଦୃ ବିଷଣ୍ଣ ସଙ୍ଗୀତ ଭାସି ଆସୁଥିଲା ଓ ନିଜ ଘରେ ପହଞ୍ଚିବା ପର୍ଯ୍ୟନ୍ତ ସେହି ସଙ୍ଗୀତ ତାଙ୍କ କାନରେ ଗୁଞ୍ଜୁରୁଥିଲା । ଶୋକର ବ୍ୟାପକତା ତାଙ୍କୁ ଆକୃଷ୍ଟ କରିଥିଲା । ଜଣେ ଲୋକର ସମ୍ମାନରେ ଦେଶସାରା ହଜାର ହଜାର ରେଡ଼ିଓରେ ସେଇ ସମାନ ଧୂନ ଶୁଭୁଥିଲା । ସଙ୍ଗୀତ ଅବଶ୍ୟ ସନ୍ତପ୍ତରଞ୍ଜିତ ଥିଲା କିନ୍ତୁ ସେଥିରେ କିଛି ଭବ୍ୟତା ଥିଲା । ତାଙ୍କ ମାନସପଟରେ ଅନେକ ଚିତ୍ର ଆଙ୍କି ହୋଇଗଲେ, ଶୋକବିଦୂର ଜନତା, ପରଲୋକଗତ ବ୍ୟକ୍ତି, କଫିନ ଉପରରେ ବିଛାଡ଼ି ପଡ଼ିଥିବା ଫୁଲ, ଆକାଶ ଦିଗରେ ବନ୍ଧୁକ ମୁନରୁ ସଲାମୀ ଏବଂ ଅର୍ଦ୍ଧନିମୀଳିତ ଜାତୀୟ ପତାକା । ବିମର୍ଷାଚ୍ଛାଦିତ ହୋଇ ସେ ନିଜକୁ ଗାଧୁଆ ଘରେ ବନ୍ଦକରି ବାପାଙ୍କ କ୍ଷୌର ଆଇନାରେ ସ୍ୱୟଂକୁ ଅବଲୋକନ କଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁରେ ବ୍ୟଥିତ ହୋଇ ନୁହେଁ ବରଂ ନିଜ ମୃତ୍ୟୁ ଖବର ତାଙ୍କ ଛୋଟିଆ ସହରର ପରିସୀମା ଡେଇଁ ବାହାରକୁ କେବେ ଯାଇପାରିବ ନାହିଁ ବୋଲି ଭାବିଭାବି ଅବସାଦଗ୍ରସ୍ତ ହୋଇପଡ଼ିଲେ । ଭୁଲରେ ବି ରେଡ଼ିଓ ତାଙ୍କ ମୃତ୍ୟୁ ଖବର କହିବନି । ସହରଛକରେ କେହି ଦୋକାନର କେର୍ପାଳରୁ କଳା ପତାକା ଟାଙ୍ଗିବେନି । ଯଦି ପୋଲିସ ଗୁଳିରେ ମୃତ୍ୟୁ ଲଭିବେ ତା’ ହେଲେ ହୁଏତ ସେ ଖବର ପାଲଟିଯିବେ । ରୁହ ଗୋଟିଏ ମିନିଟ, ସେ ନିଜ ପ୍ରତିବିମ୍ବକୁ କହିଲେ । ମୋର ମୃତ୍ୟୁ କାହିଁକି ଚର୍ଚ୍ଚିତ ଖବର ହେବନି ? ମୁଁ ଏକ ଖ୍ୟାତନାମା ଚଳଚିତ୍ର ନାୟକ ହୋଇପାରିବି, କବି ବି , ଲେଖକ ବା ଏକ କି୍ରକେଟ ଖେଳାଳୀ । ଏଭଳି ବ୍ୟକ୍ତିତ୍ୱ ହୋଇଥିଲେ,ଅଲ ଇଣ୍ଡିଆ ରେଡ଼ିଓର ଆଉ କିଛି ଚାରା ରହିବନି, ବାଧ୍ୟ ହେବେ ମୋ ମୃତ୍ୟୁକୁ ଗମ୍ଭୀର ସ୍ୱରରେ, ବଡ଼ ଖବର ଭଳି ଉଦ୍ଘୋଷଣା କରିବାକୁ । ଔପଚାରିକ ସାକ୍ଷାତକାର ନେବାକୁ ଆସିଥିବା ବ୍ୟକ୍ତିଜଣକ, ଗାଧୁଆ ଘର ଭିତରେ ଭାପ୍ପାଙ୍କ ଏଭଳି କଳ୍ପନାକୁ ତାଙ୍କର ଥଟ୍ଟାମଜା କରିବାର ଅଗାଧ କ୍ଷମତା ଓ ଆଶ୍ଚର୍ଯ୍ୟଜନକ ସଚ୍ଚୋଟ ସ୍ପଷ୍ଟବାଦିତା ବୋଲି ଆଖ୍ୟା ଦେଲେ ।

ଏହି ସାକ୍ଷାତକାର ଅବସରରେ ମିଃ ଅନୱିନ, ତୁମକୁ ଲେଖିଥିବା ଚିଠି ବିଷୟରେ ଭାପ୍ପା କହିଥିଲେ । ତାଙ୍କୁ ଉଣେଇଶି ବର୍ଷ ହୋଇଥିଲା ବେଳେ ତଥାକଥିତ ପତ୍ରିକା ଦ୍ୱାରା ପ୍ରେରିତ ଚିଠିର ଭାଷାଠାରୁ ତୁମ ଚିଠିର ଭାଷା ଅପେକ୍ଷାକୃତ ନମ୍ର ଥିଲା । ଯଦିଚ ଉଭୟଙ୍କ ସାର ଏକ ଥିଲା; ପ୍ରତ୍ୟାଖ୍ୟାନ । ତୁମ ଚିଠି ପଢ଼ିଲା ପରେ ସେ ପକ୍ଷପାତିତାର ଶିକାର ହୋଇଥିବା ଭଳି ମନେ କଲେ ନାହିଁ ବା କ୍ରୋଧରେ ଗାଳି ଦେଲେ ନାହିଁ । ସେତେବେଳକୁ ସେ ସବୁବେଳେ ହାରୁଥିବା ଜଣେ ଅନୁଭୂତି ସମ୍ପନ୍ନ ବ୍ୟକ୍ତି ହୋଇଯାଇଥିଲେ । କିନ୍ତୁ ସେ ପୂର୍ବାପେକ୍ଷା ଆହୁରି ପ୍ରତ୍ୟାଖ୍ୟାତ ଅନୁଭବ କଲେ, ଏଭଳି ମୁର୍ଖତାପୂର୍ଣ୍ଣ ବ୍ୟର୍ଥ ଅଭିଳାଷ ପାଇଁ ଆହୁରି ପରିହସିତ ହୋଇଛନ୍ତି ବୋଲି ମନେ ମନେ ଘାରି ହେଲେ । କେବଳ ମାତ୍ର ସମୁଦ୍ର, ଉତ୍କୃଷ୍ଟ ପ୍ରସିଦ୍ଧ ବେଳାଭୂମି ଛଡ଼ା କୌଣସି ଅନ୍ୟ ସୁବିଧା ନଥିବା କ୍ଷୁଦ୍ର ସହରରେ ଜନ୍ମିତ ବୋଲି ନିଜକୁ ସମ୍ପାତିଲେ ।

ଏହି ସାକ୍ଷାତକାରେ ଭାପ୍ପା ମୋ ନାମ ପ୍ରଥମଥର ପାଇଁ ଉଲ୍ଲେଖ କରିଥିଲେ, ଯାହା ଶେଷଥର ବି ଥିଲା । ତାଙ୍କ ଅନ୍ୟ କୌଣସି ପୂର୍ବ ସାକ୍ଷାତକାରରେ ନିଜ ପରିବାର ସଦସ୍ୟଙ୍କ ନାମ କେବେ କହିନାହାନ୍ତି ଏବଂ ଆଉ କେବେ ବି ନିଜ ପରବର୍ତ୍ତୀ ଜୀବନ କାଳରେ ସେ ଏହା କରିନଥିଲେ; ଶୈଶବକାଳରୁ ଦେଖିଆସିଥିବା ନିଜ ନିକଟତମ ପରିବାରବର୍ଗଙ୍କୁ ଅବଶ୍ୟ ସବୁଠାରୁ ବଡ ଛିଦ୍ରାନ୍ୱେଷୀ ବୋଲି ସମାଲୋଚନା କରିବାକୁ ପଛେଇନାହାଁନ୍ତି । ସେ ସେମାନଙ୍କୁ କେବଳ ବାପା, ଭାଇଭଉଣୀ, ପୁତୁରା-ଝିଆରୀ, ମାମୁ, ଦାଦା ବୋଲି କୁହନ୍ତି । କାହାରି ପ୍ରକୃତ ନାମ ବିଶେଷ ଭାବେ ଉଲ୍ଲେଖ କରିନାହାନ୍ତି କେବେ । କିନ୍ତୁ ଏହି ସାକ୍ଷାତକାରରେ ସେ ମୋ ନାମ ନେଇଥିଲେ । ସେ ମୋ ବିଷୟରେ ମିଛ କହିଥିଲେ । ସେ କହିଥିଲେ ମୁଁଁ ତାଙ୍କର ପ୍ରତିଛବି, ମାନସିକ ସ୍ତରରେ, ଯେ ମୁଁ ପୁସ୍ତକ ଲେଖିବା ପାଇଁ ଆଗ୍ରହୀ ଏବଂ କୁଆଡ଼େ ଏକ ଗୁପ୍ତ ଖାତାରେ ମୁଁ ଭେଟୁଥିବା ପ୍ରତ୍ୟେକ ଲୋକଙ୍କ ଚରିତ୍ର ଚିତ୍ରଣ କରୁଛି, ମୁଁ ବୁଲିଆସିଥିବା ସ୍ଥାନମାନଙ୍କ ବିଷୟରେ ସୂଚନା ଟିପି ରଖୁଛି । ସେସବୁ ଘଟଣାକୁ ଲିପିବଦ୍ଧ କରୁଛି ଯାହା ଅନ୍ୟ ସବୁଠାରୁ ଭିନ୍ନ ମନେ ହୁଏ ଓ ଯାହା ମୁଁ ସ୍ୱୟଂ ପ୍ରତ୍ୟକ୍ଷ କରେ । ସେ ପୂରା ନିଶ୍ଚିତ ଥିଲେ ଯେ ମୁଁ ତାଙ୍କ ପଦାନୁକରଣ କରିବି ଏବଂ ସେସବୁ ଅନିଶ୍ଚିୟତାର ସାମ୍ନା କରିବି ଯାହା କାଳକ୍ରମେ ତାଙ୍କ ଦେହସୁହା ହେଇଯାଇଛି । ଆଜି ତୁମ ପାଖକୁ ମୁଁ ଲେଖୁଥିବା ଏହି ପତ୍ର ବିଷୟରେ ଭବିଷ୍ୟବାଣୀ କରିଥିଲେ ଭାପ୍ପା ।

ବର୍ଷା ଧିମେଇ ଗଲା ପରେ ସମୁଦ୍ରର ଗର୍ଜନ ପୂର୍ବବତ୍ ଶୁଣାଗଲା ବା ଯେପରି ରୁଦ୍ଧଗଳା ଫିଟିଗଲା, ସେ ନିଜ କଣ୍ଠସ୍ୱର ଫେରିପାଇଲା । କିନ୍ତୁ ବର୍ଷା ପୁନଃ ବହୁ ବଳ ଗୋଟାଇ ପାହାଡ଼ରେ ମାଡ଼ ହେଲା ଓ ସମୁଦ୍ରର ଶବ୍ଦ ପୁଣି ହଜିିଗଲା । ଲିଟିଲ୍‌ ତା ପାପୁଲିକୁ ବୁଆ ୟାସମିନଙ୍କ ବକ୍ଷରେ ଚାପି ରଖି ଅଗଣାରେ ପଡ଼ୁଥିବା ବର୍ଷାଜଳକୁ ଛୁଇଁବା ଚେଷ୍ଟାରେ ପଛକୁ ନଇଁପଡ଼ୁଥିଲା । ଅଗଣାରେ ଖୁଦ ଖୁମ୍ପିବାକୁ ଆସୁଥିବା ପାରାମାନେ ବାରଣ୍ଡାର ଅନ୍ଧାରୁଆ କୋଣରେ ଛପିଯାଇଥିଲେ, ଜୁଳୁଜୁଳୁ ଆଖିରେ ବର୍ଷା ଥମିବାକୁ ଅପେକ୍ଷାରତ ଲୋକଙ୍କ ପରି ଛିଡ଼ା ହେଇଥିଲେ ।

ଏତିକିବେଳେ ଏକ ଡ଼େଙ୍ଗା ବ୍ୟକ୍ତି ଛତାଟିଏ ଧରି ଜାକିଜୁକି ହେଇ ଓଦା ଗାଡ଼ିରାସ୍ତାରେ ଆସିଲେ । ପାହାଚ ପାଦଦେଶରେ ଅଳ୍ପ ସମୟ ପାଇଁ ଛିଡ଼ା ହେଇ ସେ ରବର ପାପୋଚ୍ଛରେ ପାଦ ପୋଛିଲେ । ତାଙ୍କ ଚେହେରାରେ ଶୋଭା ପାଉଥିଲା ଏକ ବେଢ଼ଙ୍ଗିଆ ବଡ଼ ନିଶ । ସେ ଦୀର୍ଘ ପୌରାଣିକ ଟିଭି ସିରିଏଲରେ ହିନ୍ଦୁଙ୍କ ମୃତ୍ୟୁ ଦେବତା ଯମ ସଦୃଶ୍ୟ ଦେଖାଯାଉଥିଲେ । ଦ୍ୱାରବନ୍ଧରେ ସେ ଅଟକି ରହିଲେ କିଛି ମୁହୂର୍ତ୍ତ ସକାଶେ ସତେ କି ସେ ନିଜ ଚେହେରା ସହିତ କାହାର ସାଦୃଶ୍ୟତା ବିଷୟରେ ସଂପୂର୍ଣ୍ଣ ଜ୍ଞାତ ଏବଂ ଏଥିପାଇଁ ସେ କ୍ଷମା ଯାଚନା କରୁଛନ୍ତି । ତାଙ୍କୁ ଫୁଫା ଇକବାଲ ପାଛୋଟି ନେଲେ, କେତେବେଳେ ସକ୍‌ସକ୍ କାନ୍ଦୁଥିବା, କେତେବେଳେ ଚାପାରୋଳରେ ଫୁସ୍‌ଫାସ୍‌ ହେଉଥିବା କଠୋରୀ ମଧ୍ୟକୁ ।

“ସେ ତାଙ୍କ ସ୍ୱପ୍ନରେ ତୁମ ସହିତ କିଛି ସମୟ ପୂର୍ବରୁ କଥା ହେଉଥିଲେ”, ଭାପ୍ପୁମ୍ମା ଆଗନ୍ତୁକ ଜଣଙ୍କୁ କାନ୍ଦୁରା ସ୍ୱରରେ ଜଣାଇଲେ । ଭାପ୍ପାଙ୍କ କକ୍ଷ ବାହାର ଚଟାଣରେ ଭାପ୍ପୁମ୍ମା ବସିଥିଲେ । କେତେବେଳେ ଛାତର କଡ଼ି ଓ କେତେବେଳେ ଛାତର ଟାଇଲ ଦିଗରେ ତାଙ୍କ ନଜର ଘୁରି ଯାଉଥିଲା । “ବୋଧହୁଏ ତୁମେ ତାଙ୍କ ସହିତ କଥା ହେଲେ ସେ ତୁମକୁ ଚିହ୍ନିପାରିବେ । ”

ଆଗନ୍ତୁକ ଜଣକ ସତର୍କତାର ସହ କ୍ଷୁଦ୍ର ଶୋଇବା କକ୍ଷକୁ ପ୍ରବେଶ କଲେ । ପାଦ ଚିପି ଚିପି ଖଟ ନିକଟକୁ ଗଲେ, ଓ ସେଠାରେ ପହଞ୍ଚି ଅତି ବିନମ୍ରତା ଓ ଯତ୍ନର ସହିତ ଆଣ୍ଠେଇ ପଡ଼ିଲେ । ସେଠାରେ ଏକତ୍ରିତ ଅନ୍ୟ ପରିଜନ, ଶୁଭେଚ୍ଛୁ ଝରକା ପାଖେ ଆସି ରୁଣ୍ଡ ହେଲେ, କିଛି ନାଟକୀୟ, କିଛି ଦୁଃଖଦ ବା କିଛି ଅଳ୍ପ ମଜାଳିଆ ଦୃଶ୍ୟଦର୍ଶନ ଆଶାରେ । ଅଚାନକ ଉତ୍ସୁକତା ଯୋଗୁଁ ସେମାନେ ପୁଣି ଦଳ ଦଳ ହୋଇ ଭିଡ଼ ଜମାଇଲେ । କକ୍ଷଟି ଅଧିକ କ୍ଷୁଦ୍ର ଜଣାଗଲା, କାନ୍ଥରେ ସେମାନଙ୍କ ଛାଇ ଘରକୁ ଆହୁରି ଅନ୍ଧାରୁଆ କରିପକାଇଲା । ଭାପ୍ପାଙ୍କ କପାଳରେ ବ୍ୟକ୍ତିଜଣକ ଧୀରେ ହାତ ରଖିଲେ ସତେ ଯେମିତି ତାଙ୍କୁ ଆର୍ଶୀବାଦ କରୁଛନ୍ତି । ଅତିନମ୍ର ଲାଜୁଆ ସ୍ୱରରେ ସେ ଡାକିଲେ, “ଭାଇ, ଆଖି ଖୋଲି ଦେଖ କିଏ ଆସିଛି” ।

ଭାପ୍ପା ଆଖି ଖୋଲି ଦେଖିବେ କ’ଣ ଆଖିପତାରେ ବି କୌଣସି ହଲଚଲ ହେବାର ଜଣାଗଲାନି । ସତେ ଯେମିତି ତାଙ୍କ ନିର୍ଜୀବ ଶରୀରକୁ ରାସାୟନିକ ପଦାର୍ଥ ଦ୍ୱାରା ସଂରକ୍ଷିତ କରିଦିଆଯାଇଛି ।

“ ଆଖି ଖୋଲ, ଭାଇ, ଦେଖ ତୁମ ପୁରୁଣା ବନ୍ଧୁ ଆସିଛି”, ସେ ଭାପ୍ପାଙ୍କ ପତଳା କେଶରାଶିରେ ଆଙ୍ଗୁଳି ଚାଳନା କରି କହିଲେ ।

ଗୋଟିଏ ମୁହୂର୍ତ୍ତ ଲାଗି ମୋତେ ଲାଗିଲା ଭାପ୍ପା ଯେମିତି ଆଖି ଖୋଲିଲେ ଏବଂ ହିନ୍ଦୁଙ୍କ ମୃତ୍ୟୁ ଦେବତା ସାଦୃଶ୍ୟ ମୁଖଟିକୁ ସାମ୍ନା କଲେ; ହଡ଼ବଡ଼େଇ ଯାଇ ସେ ଶେଯରୁ ଉଠି ବସିଲେ, ଭୁଲିଗଲେ ଯେ ଜଣେ ହିନ୍ଦୁ ଦେବତା ଏକ ମୁସଲମାନର କୌଣସି କ୍ଷତି କରିପାରିବେ ନାହିଁ ।

“ ତୁମେ ମୋ ସ୍ୱର ଚିହ୍ନି ପାରୁଛ ନା ? ଆଖି ଖୋଲ”, ସେ ଏବେ ବେଶ ଉଚ୍ଚସ୍ୱରରେ ଶୁଣିପାରିଲା ଭଳି ଖଡ଼ଖଡ଼ିଆ ସ୍ୱରରେ କହୁଥିଲେ । “ମୁଁ ଆସିଛି, ତୁମ ପୁରୁଣା ବନ୍ଧୁ, ତୁମର ଅନ୍ତରଙ୍ଗ ବନ୍ଧୁ” ।

ହଠାତ୍ ଭାପ୍ପା ନିଜର ଏକ ହାତ ଉଠାଇଲେ, ଦୁଇ ଆଙ୍ଗୁଳିରେ ଓଠକୁ ସ୍ପର୍ଶ କଲେ, ସିଗାରେଟ ଫୁଙ୍କିବା ଭଳି ସୁଆଙ୍ଗ କଲେ । ତାଙ୍କ ମୁଖମଣ୍ଡଳରେ କୌଣସି ଚିନ୍ତା, ହତାଶର ସେହିପରି ରେଖାମାନ ଉକୁଟି ଆସିଥିଲା ଯେପରି ଢଙ୍ଗରେ ଦିନେ ପ୍ରତ୍ୟାଖ୍ୟାନ ଚିଠି ପାଇଁ ପ୍ରତିବାଦ କରିଥିଲେ ବା ରେଲୱେ କ୍ୱାର୍ଟରରେ ରହୁଥିବା ଝିଅଟି ପାଇଁ ଶୋକାତୁର ହୋଇ ପଡ଼ିଥିଲେ । ତା’ପରେ ତାଙ୍କ ଆଙ୍ଗୁଳିସବୁ ମୁଦି ହେଇଗଲା ଏବଂ ହାତ ନିସ୍ତେଜ ହୋଇପଡ଼ିଲା ।

କାନ୍ଥରେ ଛାୟାମାନଙ୍କ ବିଚଳନ ଦେଖାଗଲା । ସେଇ ଦୀର୍ଘକାୟ ବ୍ୟକ୍ତିଜଣକ ମୁଣ୍ଡ ତଳକୁ ନୁଆଁଇ କକ୍ଷ ପରିତ୍ୟାଗ କଲେ, ସତେ ଯେପରି ତାଙ୍କୁ କେହି ନ ଚିହ୍ନିବା ଯୋଗୁଁ ସେ ସଙ୍କୋଚ ଅନୁଭବ କରୁଛନ୍ତି । ବୁଆ ୟାସମିନଙ୍କ ପାଖ ଦେଇ ଗଲା ବେଳେ ସେ ବୁଲିପଡ଼ି ଲିଟିଲର ଲଣ୍ଡା ମଥାକୁ ଦେଖିଲେ । ତା’ପରେ ସେ ପାରାପେଟରେ ବସିଯାଇ ବର୍ଷାକୁ ଅନେଇ ରହି ମୃଦୁ ହସିଲେ । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କ ଆଖିରୁ ଧାର ଧାର ଲୁହ ବୋହିଚାଲିଲା ।

— –ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top