ବାପା ତୁମେ ସେଦିନ ମୋ ପ୍ରେମ ମୋ ଭଲ ପାଇବାକୁ ବୁଝିଲନି । କହିଲ ତୁ ଯଦି ସେ ଝିଅକୁ ବାହା ହେବୁ ମୁଁ ତୋତେ ଘରୁ ବାହାର କରିଦେବି, ତେଜ୍ୟପୁତ୍ର କରିଦେବି, ତୋ ପାଇଁ ଶୁଦ୍ଧି ହୋଇଯିବି । ଦରକାର ନାହିଁ ମୋର ତୋ’ ଭଳି କୁଳାଙ୍ଗାର ପୁଅ । ମୁଁ ବି ଭୁଲିପାରିଲିନି ମୋ ଭଲ ପାଇବାକୁ, ଭୁଲିଗଲି ତୁମକୁ ଓ ଦଶମାସ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିବା ମା’ କୁ । ସେଦିନ ସ୍ମିତାକୁ ଧରି ଘରୁ ବାହାରିଯିବା ପରଠୁ ଆଜି ପର୍ଯ୍ୟନ୍ତ କେବେ ପଛକୁ ଫେରି ଚାହିଁନି କି ତୁମେ ବି କେବେ ଡାକିନ । ସମାଜର ରିତିନୀତି, ସାହିପଡ଼ିଶା, ବନ୍ଧୁ ବାନ୍ଧବଙ୍କ ଭୟରେ କି ତୁମ ଆତ୍ମସମ୍ମାନ, ଆତ୍ମବଡିମା ଓ ଆଭିଜାତ୍ୟକୁ ବଞ୍ଚାଇବା ପାଇଁ ତାହା ଜାଣେନା । ମୋ ପୁଅ ଏବେ ୧୮ ବର୍ଷର । ସେ ଆଜି ପଢ଼ିବା ପାଇଁ ବାହାରକୁ ଗଲା । ସେ ଦୂରକୁ ଗଲା ପରେ ମୋ ଭିତରର ବାପା ପଣିଆଟା ଅନୁଭବ କରୁଛି ସେଦିନଠୁ ଆଜି ପର୍ଯ୍ୟନ୍ତ ତୁମକୁ କେତେ କଷ୍ଟ ହୋଇଥିବ । ବେଶ୍ ଭଲ ଭାବରେ ଉପରୁ ଅନେକ କଠୋର ହେବାର ଅଭିନୟ କରୁଥିଲେ ମଧ୍ୟ ଭିତରେ ଭିତରେ କେତେ ଅସହାୟ ହୋଇପଡୁଥିବ । ଜାଣିନି ମୋ ଏହି ଭୁଲର ପ୍ରାୟଶ୍ଚିତ ଅଛି କି ନାହିଁ । ଗୋଟେ ପୁତ୍ର ହୋଇ କରିଥିବା ଭୁଲ୍, ପିତା ହେଲା ପରେ ମୋତେ ପଶ୍ଚ୍ୟାତାପର ଦ୍ୱାରଦେଶରେ ପହଞ୍ଚାଇଦେଇଛି ।
ଇତି ତୁମର ଅବୁଝା ପୁଅ…