ଅଣୁଗଳ୍ପ

ସହରୀ ରଜନୀ

କିଛି ସମୟ ଭାବି କହିଲା , “ ଜେଜେମା ଠିକ୍ ହୋଇଯିବେ। ଜେଜେ ବ୍ୟସ୍ତ ହୁଅନି ! ” – ଏହା ହିଁ ଫୋନ୍ କାଟିବା ପୂର୍ବରୁ ତାର ଶେଷ ବାକ୍ୟ ଥିଲା, ସତେ ଯେପରି ଜୀବନ ଓ ମୃତ୍ୟୁ ତା ହାତରେ

ସହରୀ ରଜନୀ

ତିନି ମହଲା ଉଚ୍ଚ ଅଟ୍ଟାଳିକାର ଛାତ ଉପରେ ଠିଆ ହୋଇ ରଜନୀକାନ୍ତ ଏକାକୀଭାବେ ଗ୍ରାମୀଣ ରାଜନୀକୁ ଝୁରୁଥିଲା | ରଜନୀ କୌଣସି ସୁନ୍ଦର ଅଳ୍ପବୟସୀ ଚପଳାର ନାମ ନୁହେଁ , ବରଂ ରାଜନୀକାନ୍ତର ସେଇ ଚିର ଇପ୍ସିତ ଗୋଧୁଳି ପରବର୍ତ୍ତୀ ସେଇ ତିନି ଚାରି ଘଣ୍ଟା ଯେଉଁଥିରେ କି ରଜନୀକାନ୍ତ ତା’ର , ଛୋଟ ଗାଁଆଟିର ଅନ୍ଧକାରର ଚାଦରରେ ଘୋଡ଼ାଇ ହେଉଥିଲା, ଆଉ ଅଳ୍ପଅଳ୍ପ ଝାପ୍ସା ଆଲୁଅରେ ଗାଁ ପଡିଆରେ , ସେ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲା । ଦିଲ୍ଲୀର ଏକ ପ୍ରଖ୍ୟାତ କମ୍ପାନୀରେ ମ୍ୟାନେଜର୍ (କାର୍ଯ୍ୟପାଳକ) ଭାବରେ ସେ ବିଗତ ତିନିବର୍ଷ ହେଲାଣି କାର୍ଯ୍ୟରତ ।

କାର୍ଯ୍ୟ ସମ୍ପାଦନ କରିବାରେ ସେ ଏତେମାତ୍ରାରେ ନିମଜ୍ଜିତ ହୋଇଯାଇଛି ସେ, ଯେ ତାହାର ପରିବାରଠାରୁ ଶାରୀରିକ, ମାନସିକ ଏବଂ ଆବେଗିକ ସ୍ତରରେ, ସେ ଯଥେଷ୍ଟ ଦୂରରେ । ଅଫିସ୍ ଛାତ ଉପରେ ଠିଆ ହୋଇ, ସନ୍ଧ୍ୟାବେଳେ ଧସିହୋଇ ବାହାରିଆସୁଥିବା ପଲପଲ ଲୋକମାନଙ୍କୁ ଦେଖିଲେ, ତା’ର ନିଜ ଗାଁ ଗୋଧୁଳି ବେଳର, ଗାଈପଲଙ୍କ କଥା ମନେପଡ଼େ । କିନ୍ତୁ ଫରକ୍ ଏତିକି କି , ନିର୍ବାକ୍ ଗାଈ ମାନଙ୍କ ମୁହଁରେ କିଛିଟା ସ୍ମିତହାସ୍ୟ ତ ଥାଏ, କିନ୍ତୁ ବାକ୍ ପଟୁ ମନୁଷ୍ୟମାନେ ତାଙ୍କ କର୍ମଦିବସର ଶେଷରେ ତିଆରି କରିଥାନ୍ତି, ସତେଯେପରି ଏକ ଏକାକୀ ଜନସମୂହ ।

କିଛିଟା ଉଚ୍ଚାଭିଳାଷ, ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନା, କାର୍ଯ୍ୟର ପ୍ରକାରଭେଦ ତଥା ଏକ ସହରୀ ଜୀବନର ଚାକଚାକ୍ୟ ପ୍ରତି ଲାଳାୟିତ ହୋଇ ରଜନୀକାନ୍ତ ଦିଲ୍ଲୀ ମହାନଗରୀକୁ ଆସିଯାଇଥିଲା ସତ ; କିନ୍ତୁ ମାୟାବିନୀର ନାଗଫାସପରି ତା ବେକପାଖରେ ଗୁଡ଼ାଇ ହୋଇଯାଇଥିଲା ; ଲୋଭ , ଉଚ୍ଚ ଆକାଂକ୍ଷା ଏବଂ ବୈଷୟିକ ସୁଖରେ ସମୃଦ୍ଧହେବାର ଏକ ପ୍ରତିଯୋଗିତା ।

ଆଠଦିନ ଆଗରୁ ଜେଜେ ଥରଥର କଣ୍ଠରେ ଫୋନ୍ କରିଥିଲେ , “ ବାବୁ! ବୁଢ଼ୀ ଦେହଟା ଖରାପ ଅଛିରେ । ଖଟରେ ପଡ଼ି ତତେ ହିଁ ଝୁରୁଛି , ଟିକିଏ ଆସିଦେଖି ଯା ! କିଏ ଜାଣେ, କେତେବେଳେ କୋଉ କଥା !”

ମ୍ୟାନେଜର୍‌ଙ୍କର ତାଗିଦ୍ ଆଉ ବୈଠକରେ ସ୍ଥିର କରାଯାଇଥିବା ବ୍ୟବସାୟିକ ଲକ୍ଷ, ଯାହାକୁ ମାସ ଶେଷ ସୁଦ୍ଧା ହାସଲ ନକରିଲେ ବୋଧହୁଏ ଚାକିରିରୁ ହାତ ଧୋଇବାକୁ ପଡିପାରେ; ଏ ବିଷୟରେ ଭାବିଲା ମାତ୍ରେ ହିଁ ତାର ଗୋଡ଼ରେ ପଡିଥିବା ବେଡିଗୁଡିକ ଅଧିକ ଭାରି ଭାରି ଲାଗୁଥିଲା । କିଛି ସମୟ ଭାବି କହିଲା , “ ଜେଜେମା ଠିକ୍ ହୋଇଯିବେ। ଜେଜେ ବ୍ୟସ୍ତ ହୁଅନି ! ” – ଏହା ହିଁ ଫୋନ୍ କାଟିବା ପୂର୍ବରୁ ତାର ଶେଷ ବାକ୍ୟ ଥିଲା, ସତେ ଯେପରି ଜୀବନ ଓ ମୃତ୍ୟୁ ତା ହାତରେ । ସେ ମଧ୍ୟ ଯଣିଥିଲା କି, ତାହା ହେଉଛି ସେ ଜେଜେଙ୍କୁ ଦେଇଥିବା ଏକ ମିଥ୍ୟା ଆଶ୍ୱସନା ।

ଜେଜେମା ଗତକାଲି ଇହଲୋକ ଛାଡି ଛାଲିଗଲେ । ମୁର୍ଦାରଟି ତା’ର ଇହଲୋକର ନାତି ପାଇଁ ଦେଢ଼ଦିନ ଅପେକ୍ଷା କଲା । କିନ୍ତୁ ନାତିର ଛୁଟି ଆବେଦନ ନାମଞ୍ଜୁର ହୋଇଥିବାରୁ ରଜନୀ ଯାଇପାରିଲା ନାହିଁ । ନାତି ଆଜି ଆନନ୍ଦ ଭାବନର ଶୀର୍ଷରେ ଠିଆ ହୋଇ, ଦୁଇଧାର ଅଶ୍ରୁ ଗଡ଼ାଇ, ନିଜ ମନକୁ ,ଆଉ ତାର ଜେଜେଙ୍କୁ ମନେ ମନେ ସାନ୍ତ୍ୱନା ଦେଉଥିଲା । ରଜନୀ ହୋଇ ଯାଇଥିଲା ଆଜି ସହରୀ ରଜନୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top