ପୁଣିଥରେ ମୋ ରୁମ୍ର ଲାଇନ୍ (Electricity) କଟିଯାଇଥିଲା । ଧାଇଁ ଯାଇ ଦେଖିଲି ପାଖ ଘର ଲାଇନ୍ ଥିଲା । ଶୀଘ୍ର ଶୀଘ୍ର ଦୁଇତାଲା ଉପରୁ ତଳ ମେନ୍ ସୁଇଚ୍ ପାଖେ ପହଞ୍ଚିଲା ବେଳକୁ ପାଖେ କାହାରିକୁ ପାଇନଥିଲି କିନ୍ତୁ ମୋ ରୁମ୍ର ଏମ୍ ସି ବିଟାକୁ କିଏ କାଢ଼ି ଦେଇଥିଲା । ପୁଣି ଥରେ ମନେ ପଡ଼ିଲା ସୁଶାନ୍ତ ଭାଇ ଆଉ ତା ରୁମ୍ର ଅନ୍ୟସବୁ ପିଲାଙ୍କ କଥା । ମୁଁ ମୋ Wifi ପାସ୍ୱାର୍ଡ ବଦଳେଇ ଦେଇଥିଲି ଆଉ ତାଙ୍କୁ ଦେଇନଥିଲି । କେତେ ଯେ ଦେଇଥାନ୍ତି ମାଗଣାରେ Wifi ମୋ Wifi ପାସ୍ୱାର୍ଡ ମୋ ଆପାଟ୍ମେଣ୍ଟରେ ସମସ୍ତେ ଜାଣିଥିଲେ । ଆଉ ସେଥିପାଇଁ ମୋତେ ସବୁ ସେଠି ବେଶୀ ଆଦର କରୁଥିଲେ । କିନ୍ତୁ ମୋ Wifi ବହୁତ ଧୀର ହୋଇଯାଉଥିଲା । ତେଣୁ ମୁଁ ସୁଶାନ୍ତ ଭାଇକୁ କହିଲି କି “ତୁମ ରୁମ୍ରେ ତ ଚାରିଜଣ ପିଲା ଅଛ । ମୋତେ ପ୍ରତିମାସ କିଛି ପଇସା ଦିଅ, କି ମୁଁ ବେଶୀ ଦାମୀ ବାଲା ପ୍ୟାକେଜ୍ ପକେଇବି ।” ଆଉ ସିଏ କ ‘ଣ ଭାବିଲା କେଜାଣେ ହସି ଦେଇ ଚାଲିଗଲା ଆଉ ମୁଁ ରାଗି ଯାଇ ପାସ୍ୱାର୍ଡ ବଦଳେଇ ଦେଇଥିଲି । ସେଇଦିନଠୁଁ ସେମାନେ ମୋ ସହ ଆଉ ଆଗ ଭଳି ମିଶୁ ନଥିଲେ । ଆଉ ତା’ପର ଦିନଠୁ ପ୍ରତିଦିନ ସକାଳ ପ୍ରାୟତଃ ୧୦.୦୦ AM ଠୁଁ ୧୧.୦୦ AM ଭିତରେ ମୋ ରୁମ୍ର କରେଣ୍ଟ କିଏ ତଳୁ କାଟି ଦେଉଥିଲା । ଆଉ ମୁଁ ପ୍ରାୟତ ନିଶ୍ଚିତ ଥିଲି କି ସିଏ କିମ୍ୱା ତାଙ୍କ ରୁମ୍ର ଆଉ ତିନିଜଣ ବାତେରାଙ୍କ କାମ ବୋଲି ଏଇଟା । ଥରେ ସାମ୍ନାସାମ୍ନୀ ଯାଇ ପଚାରି ବି ଥିଲି କିନ୍ତୁ ସେମାନେ ମାନି ନଥିଲେ । ଆଉ ମୁଁ ଥରେ ରାଗିଯାଇ ତାଙ୍କ ରୁମ୍ ସାମ୍ନାରୁ ତାଙ୍କ ଜୋତା ନେଇ ବାହାରେ ଫିଙ୍ଗି ଦେଇଥିଲି ଆଉ ସବୁବେଳେ ଖୋଜୁଥିଲି କି କେବେ ସାମ୍ନାରେ ଧରିବି ବୋଲି ।
ସେଦିନ ଥିଲା ସୋମବାର ଆଉ ମୁଁ ଅଫିସ୍ରୁ ଛୁଟି ନେଇଥିଲି କେବଳ ସକାଳେ ତାଙ୍କୁ ଧରିବି ବୋଲି ସକାଳ ୯.୩୦ ରୁ କବାଟ ପାଖରେ ବସିକି ରହିଥିଲି । କିଛି ସମୟ ପରେ ରୁମ୍ରୁ କରେଣ୍ଟ ଯାଇଥିଲା ଆଉ ମୁଁ ଧାଇଁ ଯାଇଥିଲି ତଳକୁ । କିନ୍ତୁ ପାଖରେ କେହି ନଥିଲେ । ତେଣୁ ମୁଁ ମୋ ଏମ୍. ସି. ବି. ଲଗେଇଲି । ଠିକ୍ ସେତେବେଳେ ପଛରୁ କିଏ ଡାକିଲା ଦେଖିଲି ସିଏ ଥିଲା ସରକାରୀ ଅଫିସର୍ ଲାଇନ୍ ମ୍ୟାନ୍ । ସେ ମୋତେ ବହୁତ ଗାଳି କରିଥିଲା କି ୨ ମାସ ହେଲା ମୁଁ ମାସିକ ବିଲ୍ ଦେଇନି ବୋଲି । ଯାହାକି ମୁଁ ରୁମ୍ ମାଲିକକୁ ଦେଇଥିଲି, ଆଉ ସିଏ ମଦ୍ୟପାନରେ ବ୍ୟୟ କରି ଦେଇଥିଲା । ସେଦିନ ରାତିରେ ମୁଁ କିଛି ଖାଇ ନ ଥିଲି, କେବଳ ଭାବୁଥିଲି ମୋ ସୁଶାନ୍ତ ଭାଇକଥା ଆଉ ମୋ ନିଜକୁ ଧିକ୍କାର କରୁଥିଲି ।