ଅଣୁଗଳ୍ପ

ଏକା ଏକା ନରହରି

Prafulla Tripathy's odia short story Eka Eka Narahari

ଯାଅ ! ତୁମେ ଏ ଘରଛାଡି କୁଆଡେ ଯିବା ଦରକାର ନାହିଁ, କିନ୍ତୁ ମୁଁ ତୁମ ସାଙ୍ଗରେ ରହିପାରିବିନି । ମୁଁ ବିବେକ ଘରେ ରହିବି ।

ନରି ମହାପାତ୍ର ଯେଉଁଦିନ ଦୀର୍ଘଦିନର ଚାକିରୀରୁ ଅବସର ନେଇ ଗାଆଁକୁ ଫେରିଲେ, ପରିବାର ଭିତରେ ସତେକି ଆନନ୍ଦର ଜୁଆର ମାଡି ଆସିଲା । ସମସ୍ତେ ତାଙ୍କ ଚାରିପଟେ ଘେରିବସିଲେ । ନରି ବାବୁ ଅଫିସର ଛୋଟ ଆଟାଚ୍ ଟି ଦେଇଦେଲେ । କହିଲେ ଦେଖରେ ପିଲା ଚାଳିଶ ବର୍ଷ ଚାକିରୀ ଭିତରେ ମୁଁ ଏତିକି ଅମଳ କରିଛି । ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, ଭାବିଲେ ଏତେ ବର୍ଷପରେ ବାପା ଆସିଛନ୍ତି ନିଶ୍ଚୟ ଟଙ୍କା ପଇସା ଥୋଡାଏ ଆଟାଚ୍ ଭିତରେ ଥିବ । ପ୍ରଥମେ ଝିଅ ମୋନାଲିସା ଆଟାଚ୍‌କୁ ଟାଣି ନେଇଗଲା। କହିଲା ବାପା, ‘ଚାବି ଦିଅ ।’ ନରହରି ବାବୁ କହିଲେ ସେଥିରେ କ’ଣ ଚାବି ପଡିଛି, କ’ଣ ଅଛି କି ସେଥିରେ କ’ଣ ଅଛି କି । କାଇଁ ଏତେ ବର୍ଷର ଚାକିରୀରେ କ’ଣ ତୁମକୁ କିଛି ପୁରସ୍କାର ମିଳିନି ?

ପୁଅ, ବୋହୂ, ସ୍ତ୍ରୀ, ନାତିନାତୁଣୀ ଆଟାଚ୍ ଚାରିପାଖେ ଘେରିଗଲେ । ମୋନାଲିସା କହିଲା, “ରୁହ ଆଗେ ମୁଁ ଆଟାଚ୍ ଖୋଲିବି ।” ମୁଁ ବାପାଙ୍କ ଗେହ୍ଲା ଝିଅ । ନରିବାବୁ ତାଙ୍କ ପାଖରେ କାନ୍ଥକୁ ଆଉଜି ମୁରୁକି ହସି ମନେମନେ କହୁଥିଲେ “ଆଉ ଦେଖ, ଏତେ ବଡ ଖରାରେ ମୁଁ ଆସି ପହଞ୍ଚିଲି, କିଏ ପାଣି ଗ୍ଲାସ୍ ଅବା ଚା’ କପେ ଦବାର ନାଆଁ ଧରୁ ନାହାନ୍ତି, ଖାଲି କ’ଣ ଆଣିଛ? ଖାଲି ତାକୁ ଖୋଜିବାରେ ଲାଗିଛନ୍ତି ।” ସେତିକି ବେଳେ ତାଙ୍କ ସ୍ତ୍ରୀ କହିଲେ, “ତୁମେ ଆସିଲ ଏତେ ବାଟରୁ, ଆଗେ ଫ୍ରେସ୍ ହେଇଯା । ପାଣି ଟିକେ ପିଅ । ମୁଁ ଚା’ କରି ଆଣୁଛି ।”

ନରିବାବୁ କହିଲେ, ” ହଁ, ହଁ ମୁଁ ସେକଥା ଭୁଲି ଯାଇଛି ।” ଏତେ ବର୍ଷ ପରିବାର ଠାରୁ ଦୂରେଇ ରହି ଯୋଉ କଷ୍ଟ ମନରେ ବରଫ ଜମିଥିଲା, ସେ ଧୀରେ ଧୀରେ ତରଳୁଛି । ନିଜକୁ ମୁଁ ଭୁଲିଗଲି । ସମସ୍ତଙ୍କୁ ଦେଖି ମୋର ସ୍ନେହ ଆଉ ମମତାର ପୁଲକିତ ଢେଉ ଗୁଡାକ ଉଦ୍‌ବେଳିତ ହେଉଛି । ମୁଁ ଯାଉଛି ଫ୍ରେସ୍ ହେଇ ଆସେ । ଏହା କହି ସେ ବାଥ୍‌ରୁମ୍‌କୁ ଚାଲିଗଲେ । ସେ ଗଲାପରେ ମୋନାଲିସା ଆଟାଚ୍‌ ଖୋଲିଲା । ସମସ୍ତେ ଭାବୁଥିଲେ ତା’ ଭିତରେ ପୁଳା ପୁଳା ଟଙ୍କା ଆଉ କିିିଛି ମୂଲ୍ୟବାନ ଜିିନିିଷ ଥିବ ।

ଯେମିତି ମୋନାଲିସା ଆଟାଚ୍‌ଟି ଖୋଲିଛି ତା’ ଭିତରେ ଥିବା ଜିନିଷକୁ ଦେଖି ସମସ୍ତେ ଅବାକ୍ ହେଇଗଲେ, ପୁରୁଣା ପ୍ୟାଣ୍ଟ, ସାର୍ଟ, କୋର୍ଟ, ଗୋଟାଏ ଅଧା ମଇଳା ଟୋପି, ଗୋଟିଏ ଭଗ୍‌ବତ୍‌ ଗୀତା, ଗୋଟିଏ ସାଲ୍, ଗୋଟିଏ ରାଇଟିଙ୍ଗ୍‌ ପ୍ୟାଡ୍‌ ଆଉ ଗୋଟିଏ ପେନ୍, ହଁ ଗୋଟାଏ ବଡ ଟର୍ଚ୍ଚ ବି, ହଁ ଗୋଟାଏ ଭଙ୍ଗା ଚଷମା । ଏହାକୁ ଦେଖି ସମସ୍ତଙ୍କ ଆଖି ଖୋସି ହେଇଗଲା । ପୁଅ, ବୋହୂ, ନାତି, ନାତୁଣୀ, ଝିଅ ସମସ୍ତେ ସେ ଜାଗା ଛାଡି ଚାଲିଗଲେ । ସ୍ତ୍ରୀ ମନୋରମା କେବଳ ସେଇଠି ବସି ଆଖିରୁ ଦୁଇ ଟୋପା ଲୁହ ଝରେଇ ପକେଇଲେ ।

ନରହରି ବାବୁଙ୍କର ଫେରିବାର ପାଦ ଶଦ୍ଦ ଶୁଣି ସ୍ତ୍ରୀ ମନୋରମା ନିଜକୁ ସଂଯତ କରିନେଲେ । ହସ ହସ ମୁହଁରେ ପଚାରିଲେ, “କ’ଣ ଚା ନା କଫି ?”

ଖେଳା ମେଳା ହେଇ ପଡିଥିବା ଆଟାଚକୁ ଦେଖି ନରହରି ବାବୁ ଟିକେ ଗୁମ୍ ଖାଇଗଲେ । ଭାବିଲେ ଏମାନେ ମତେ କ’ଣ ଭାବୁଥିଲେ ଆଟାଚ୍ ଭିତରେ ! ହଁ ମିଠା ପ୍ୟାକେଟ୍ ଟାଏ ଥିଲା, ତାକୁ ବି କେହି ନେଲେନି । କ’ଣ ମୋ ଉପରେ ଅଭିମାନ !

ନରହରି ବାବୁଙ୍କୁ ମନୋରମା ଠିକ୍ ଜାଣିଛନ୍ତି ଭାରି ରାଇଟିଆ ଲୋକ । ସଚ୍ଚୋଟ, ଧର୍ମ ପରାୟଣ, ପରୋପକାରୀ, କାହାକୁ ଅସୁବିଧାରେ ପକେଇ ତଣ୍ଟି ଚିପି ଅର୍ଥ ରୋଜଗାର କରିବାର ନିଷ୍ଠୁର ହୃଦୟ ତାଙ୍କ ଭିତରେ ନାହିଁ । ସେଥିପାଇଁ ତାଙ୍କୁ ସମସ୍ତେ ଭଲ ପାଆନ୍ତି । ନରିବାବୁ ଭାବୁଥିଲେ, ଏ ଭଲ ପାଇବାରେ କ’ଣ ଅଛି ? ସେଥିରେ ତ ପେଟ ପୁରିବନି । ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ, ଚାଳିଶ ବର୍ଷର ଚାକିରୀ ଭିତରେ ଗୁଣ୍ଠେ ଜାଗା ବି ସହରରେ କରିପାରିଲେନି । ତା’ ଠାରୁ ବଡ କ୍ଷୋଭର ବିଷୟ ଆଉ କ’ଣ ଅଛି କିନ୍ତୁ ତାଙ୍କର ବିବେକ କହୁଥାଏ “ନରି , ତୁ ଯାହା କରିଛୁ ଠିକ୍‌ କରିଛୁ ।” କାହା ପାଇଁ ସେ ସବୁ କରିଅଛୁ ପରତଣ୍ଟି ଚିପି ପର ଆଗରେ ହାତ ପତେଇ ।

ସାମ୍ନାରେ ମନୋରମା ଚା’ ଧରି ସେତେବେଳୁ ଠିଆ ହେଇଛନ୍ତି । ତାଙ୍କୁ ଜୋରରେ ହଲେଇ ଦେଇ କହିଲେ, “ନିଅ ଚା’ ଟିକେ ପିଇ ଦିଅ। ପ୍ରକୃସ୍ଥିତ ହେଲେ ନରହରି । ଏ ସବୁ ଅବାନ୍ତର କଥାଗୁଡା କାହିଁକି ସେ ଭାବୁଛନ୍ତି ଯେ ?

କହିଲେ “ମନୋରମା । ଦିଅ ଚା’ ଦିଅ ।” ସମୟ ଧୀରେ ଧୀରେ ଅତିକ୍ରାନ୍ତ ହୋଇଗଲା । ଯେଉଁ ଘରେ ସେ କହିବା ମାତ୍ରକେ ସବୁ ଜିନିଷ ଆସି ପହଞ୍ଚୁଥିଲା, ଏବେ ଦିନ ନଅଟା ହେଲେ ବି ଚା’ କପେ ମିଳୁନି । କିଏ କେତେ ପ୍ରକାର ବାହାନା ଦେଖେଇ ମୁହଁ ଆଡେଇ ଚାଲି ଯାଉଛନ୍ତି । ଏମିତିକି ବୋହୂ ଥରେ ମୁହେଁ ମୁହେଁ କହିଦେଲା “ଯାଉନାହାନ୍ତି ଆପଣ ଚା’ କରି ଆଣିବେ, ଦେଖୁ ନାହାନ୍ତି ମୁଁ ପିଲାଟାକୁ ଧରିଛି ସେ କେମିତି ରଡି କରୁଛି ।”

ନରହରି କହିଲେ,” ହଉ ଯା ମା ! ଆଗେ ପିଲା ଖବର ବୁଝ ।” ମୋନାଲିସାକୁ କହିଲା ପରେ , ମୋନାଲିସା ବି ସେଇ ଜବାବ ଦେଲା ।ମୋର କ୍ଲାସ୍ ଡେରି ହେଇଯାଉଛି , ମୁଁ ଯାଉଛି । ଦ୍ୱିତୀୟ ବୋହୂ କହିଲା, “ଆପଣ ଆସିଲା ବେଳୁ ଖାଲି ଫରମାଇସି କରୁଛନ୍ତି । କୁଟା ଖଣ୍ଡକୁ ବି ଦି ଖଣ୍ଡ କରିବା ଲୋକ ନୁହନ୍ତି । ସେଥିରେ ଏତେ ଅର୍ଡର କ’ଣ । ମୁଁ ଯାଉଛି ମୋ ପୁଅକୁ ପ୍ରିପେୟାର କରିଦେବି, ସେ ସ୍କୁଲ ଯିବ ।

ନରହରି ଭାବୁଥିଲେ ସତରେ ବର୍ତ୍ତମାନର ଭବିଷ୍ୟତକୁ ସେମାନେ ଯେତିକି ସତର୍କ ମୁଁ ଯଦି ଆରମ୍ଭରୁ ସେତିକି ସତର୍କ ହେଇଥାନ୍ତି, ତେବେ ଆଜି ମତେ ଏ ଦଶା ଭୋଗିବାକୁ ପଡିନଥାନ୍ତା । ସବୁ ପଇସା ପତ୍ର ତ ତାଙ୍କରି ପିଛା ଖର୍ଚ୍ଚ କରିଦେଲି । ମୋ ହାତରେ କପର୍ଦ୍ଦକ ନାହିଁ, ଯାହା ଅଛି ମୋର ଏଇ ଛୋଟ ଘର ଖଣ୍ଡିକ । ଠିକ୍ ଅଛି ମୁଁ ବି ଆଜିଠାରୁ ସ୍ୱାର୍ଥପର ହେବାକୁ ଚେଷ୍ଟା କରିବି ।

ଦିନ ଦଶଟା ସୁଦ୍ଧା ମନୋରମାଙ୍କୁ ଧରି ସେ ଚାଲିଗଲେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ଘରକୁ । ତାଙ୍କୁ ଆଗରୁ ଖବର ଦେଇଥିଲେ । ନରହରି ପହଞ୍ଚିବା ପରେ ଯେମିତି କୃତ୍ୟ କୃତ୍ୟ ହୋଇଗଲେ । ସ୍ତ୍ରୀଙ୍କୁ ଡାକ ପକେଇଲେ, ଆରେ ଆସ ଦେଖିବ ଆସ କିଏ ଆସିଛନ୍ତି । ସ୍ତ୍ରୀ ସୁନନ୍ଦା ନରହରି ଓ ମନୋରମାଙ୍କୁ ଦେଖି ଖୁସିରେ ବିଭୋର ହୋଇଗଲେ । ଘର ଭିତରକୁ ଡାକିନେଇ ଯଥାମାନ୍ୟ କଲେ ।

ରାତି ପାଇଁ ଗୋଟିଏ ସୁନ୍ଦର ଭୋଜନ ହେଲା । ଦି’ ବନ୍ଧୁ ଗୋଟିଏ ଘରେ ଶୋଇଲେ । ନରିବାବୁ ସବୁକଥା କହିଲେ, ଆଶ୍ଚର୍ଯ୍ୟ ହେଇଗଲେ ବିବେକବାବୁ । ସେ ଜାଣିଛନ୍ତି ନରହରି କେତେ ଋଣଗ୍ରସ୍ତ ହେଇ, କେତେ କା’ ପାଖରେ ହାତ ପତେଇ ପିଲାଟାକୁ ଇଂଜିନିୟର କରିଦେଲେ, ଝିଅ ବି ଡାକ୍ତର । ଗୋଟାଏ କିରାଣୀ ଚାକିରୀ ଭିତରେ କ’ଣ ବା ଆଉ ସେ କରି ପାରିଥାନ୍ତା । ଅବସର ନେବାର ସମସ୍ତ ଟଙ୍କା କେବଳ ଋଣ ଶୁଝିବାରେ ଚାଲିଗଲା । ପକେଟରେ ମାତ୍ର ପଡିଥିଲା ପାଞ୍ଚଶହ ଟଙ୍କିଆ କେଇଟା । ଏ ତ୍ୟାଗର ମୂଲ୍ୟ କ’ଣ ଏଇଆ, ନରହରି କହିଲେ, ବିବେକ ତୁ ଚାଲ ଗୋଟାଏ ଓକିିଲ ବୁଝ ତାଙ୍କୁ ଘର ଛାଡିବାକୁ ହେବ । ବିବେକ କହିଲେ, “ଭାଇ ଟିକେ ରହିଯା ତାଙ୍କୁ ମୁଁ ବୁଝାବୁଝି କରିବି । ଏତେ ଦିନର ତପସ୍ୟା ଭାଙ୍ଗିବୁ କାହଁକି ।” ନରହରି କହିଲେ, “ବୁଝିଲୁ ବିବେକ ମୁଁ ପହଞ୍ଚିବା ପରେ ପାଣି ଗିଲାସେ କି ଚା’ କପେ କହି ଦେଲେନି । ଏମିତି କି ସେ ଝିଅ ମୋ ଆଟାଚ୍ ନେଇ ଖୋଜିଲା କାଳେ ତା ଭିତରେ କାଗଜ ବିଡା ବିଡା ନୋଟ ମୁଁ ରଖିଥିବି । ତେଣୁ ସେମାନଙ୍କଠାରୁ କ’ଣ ଆଶା କରୁଛୁ ।”

ଠିକ୍ ଅଛି ନରହରି କାଲି ମୁଁ ସବୁ ବ୍ୟବସ୍ଥା କରି ଦଉଛି ।

x – x – x

ଆଠ ଦିନପରେ କୋର୍ଟରୁ ନୋଟିସ୍ ଚାଲିଗଲା ପରିବାରର ସମସ୍ତଙ୍କ ପାଖକୁ । ନୋଟିସ୍ ପଢି ସମସ୍ତେ ହତବାକ୍ ହେଇଗଲେ । କହିଲେ ଯିଏ ଆମକୁ ଏତେ ଭଲପାଉଥିଲେ ସିଏ ଆମକୁ ବାହାର କରିଦେବେ ? କିନ୍ତୁ ତାଙ୍କର କାର୍ଯ୍ୟକଳାପ ବାପାଙ୍କ ପାଖରେ କ୍ଷମଣୀୟ । ତେଣୁ ସମସ୍ତେ ନିଜ ନିଜର ଜିନିଷପତ୍ର ଧରି ବାହାରି ପଡିଲେ । ବାହାରେ ଗୋଟିଏ ବଡ ଗାଡି ଠିଆ ହୋଇଥାଏ । ଘରେ ତାଲା ପକାଇଲା ବଡପୁଅ, ଚାବି ଦବାକୁ ପଡିବ ବାପାଙ୍କୁ ।

ଠିକ୍ଏଇ ସମୟରେ ଗୋଟିଏ ନାଲି କାର୍ ଲାଗିଲା ଘର ସାମ୍ନାରେ । ନରହରିବାବୁ, ବିବେକବାବୁ ଏବଂ ମନୋରମା ସମସ୍ତେ ସେଇ ଘରଆଡେ ଚାଲିଲେ । ସମସ୍ତେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, ବଡ ପୁଅ ଆସି ବାପାମାଆଙ୍କ ପାଦତଳେ ପଡି ଭୁଲ୍ ମାଗିଲା । କହିଲା ଆମର ଭୁଲ୍ ହେଇଯାଇଛି । ଆପଣଙ୍କର ଏବଂ ବୋଉର ମହାନ୍ ତ୍ୟାଗକୁ ଆମେ ବୁଝି ପାରିଲୁନି । ଆପଣ ଆମକୁ ଏ ଘରୁ ତଡି ଦିଅନ୍ତୁନି । ଏଇ ଘରେ ଆପଣ ରୁହନ୍ତୁ, ଆମେ ଆପଣଙ୍କର ଯଥେଷ୍ଟ ସେବା କରିବୁ ।

ନରହରି କରୁଣ ଦୃଷ୍ଟିରେ ସମସ୍ତଙ୍କୁ ଚାହିଁଲେ ଏବଂ କହିଲେ “ଯାଅ ! ତୁମେ ଏ ଘରଛାଡି କୁଆଡେ ଯିବା ଦରକାର ନାହିଁ, କିନ୍ତୁ ମୁଁ ତୁମ ସାଙ୍ଗରେ ରହିପାରିବିନି । ମୁଁ ବିବେକ ଘରେ ରହିବି ।”

ଏତିକି କହି ଫଟକିନା ମୁହଁ ବୁଲେଇ ଦେଇ ବିବେକର ଗାଡି ଭିତରେ ବସିଲେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top