ଅଣୁଗଳ୍ପ

ପାଉଁଜି ଉପରେ ଅଧିକାର କାହାର ?

Pradipta Sundar Moharana's odia short story Paunji Upare Adhikaara Kaahaara ?

ନ୍ୟାୟ ଦିଅ ! ନ୍ୟାୟ ଦିଅ ! ହେ ପରମ ଧର୍ମ ଭଟ୍ଟାରକ, ନ୍ୟାୟ ଦିଅ !

କୋବଳନ୍‌ଙ୍କର ଶୀତଳ ମସ୍ତକକୁ କୋଳରେ ଧରି କନ୍ନଗୀ ସ୍ଥାଣୁ ପାଲଟି ସାରିଥିଲେ । ସ୍ୱାମୀ କୋବଳନ୍‌ କ’ଣ କିଛି ସୈନ୍ୟଙ୍କ ହାତରେ ମୃତ୍ୟୁବରଣ କରିବା ପାଇଁ, ଚୋଳ ସାମ୍ରାଜ୍ୟର ଏକ ବ୍ୟସ୍ତବହୁଳ ପୁହାର ସହରରୁ ମଦୁରାଇ ଆସିଥିଲେ? ହଁ, ହୋଇପାରେ ପାଣ୍ଡ୍ୟ ସାମ୍ରାଜ୍ୟର ରାଜଧାନୀ ମଦୁରାଇ, ପ୍ରାଚୁର୍ଯ୍ୟରେ ଭରପୁର, ହୋଇପାରେ ମଣି ରତ୍ନ ଏଠାକାର ସାଧାରଣ ବଜାରରେ ମିଳୁଥିବା ପଣ୍ୟଦ୍ରବ୍ୟ, ମାତ୍ର ଏକ ପତିବ୍ରତା ସ୍ତ୍ରୀ ପାଇଁ ସ୍ଵାମୀ ହିଁ ପରମ ଧନ । ସେମାନଙ୍କ ଜୀବନରେ ସୁଖ ଥିଲା ଏବଂ ଶାନ୍ତି ଥିଲା ।

କୋବଳନ୍‌ ଓ ମାଧବୀଙ୍କର ବିବାହ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଥିଲା । ସମ୍ଭ୍ରାନ୍ତ ବଂଶୀୟ ଉଭୟ ପତିପତ୍ନୀ ଏକ ସୁଖମୟ ଜୀବନଯାପନ କରୁଥିଲେ । ମାତ୍ର ତାଙ୍କର ସୁଖ ଅଧିକ ଦିନ ପର୍ଯ୍ୟନ୍ତ ରହିଲା ନାହିଁ ।

କୋବଳନ୍‌ ମାଧବୀ ନାମକ ଏକ ରାଜନର୍ତ୍ତକୀ ପ୍ରତି ଆକୃଷ୍ଟ ହେଲେ । ନଗରବଧୂ ମାଧବୀର ସୌନ୍ଦର୍ଯ୍ୟ ମନମୋହକ ଥିଲା ଏବଂ ନୃତ୍ୟକଳା ଥିଲା ମନମୁଗ୍ଧକର । କୋବଳନ୍ ସେହି ଆସକ୍ତିର ଜାଲରେ ଅଧୋଗାମୀ ହେବାକୁ ଲାଗିଲେ । ଏକ ପତ୍ନୀ ପିତୃ ଆଳୟ ତ୍ୟାଗ କରି ଆସିଲା ପରେ, ସ୍ଵାମୀଠାରୁ ଅବା କ’ଣ ଆଶା ରଖେ – ଟିକିଏ ପ୍ରେମ , ନିଷ୍ଠା ଓ ଭଲ ପାଇବା । ସ୍ଵାମୀର ପ୍ରେମକୁ ଅନ୍ୟର ପ୍ରେମ ସହିତ ବାଣ୍ଟି ଥାଆନ୍ତେ କିପରି ଅବା ? କନ୍ନଗୀଙ୍କ ବିରୋଧ ସତ୍ତ୍ୱେ, କୋବଳନ୍ ମାଧବୀ ସହିତ ଦିନ ବିତାଇବା ଆରମ୍ଭ କରିଲେ । ଧୀରେ ଧୀରେ ସେ ନିଜର ବ୍ୟବସାୟ, ଧନସମ୍ପତ୍ତି ଏବଂ ସାମାଜିକ ପ୍ରତିଷ୍ଠା ହରାଇବାକୁ ଲାଗିଲେ । କନ୍ନଗୀ ନୀରବ ରହୁଥିଲେ – କିନ୍ତୁ ତାଙ୍କ ହୃଦୟ ଧୀରେ ଧୀରେ ସମୁଦ୍ର ଢେଉ ମାଡ଼ରେ ଭାଙ୍ଗୁଥିବା, ଖସି ପଡୁଥିବା ପଥର ପରି ଭାଙ୍ଗିବାକୁ ଲାଗିଲା ।

ମାଧବୀ ନିଶ୍ଚିତ ଭାବରେ କୋବଳନଙ୍କୁ ଅମାପ ପ୍ରେମ କରୁଥିଲେ, କିନ୍ତୁ ଏଥିରେ ମିଶିଥିଲା ସ୍ୱାର୍ଥପରତା ।

ସମୟକ୍ରମେ କୋବଳନ୍ ତାଙ୍କ କାର୍ଯ୍ୟ ପାଇଁ ଅନୁତାପ କଲେ । ମଦ୍ୟପ ଆଖିରୁ ନିଶାର ପରଳ ଓହରି ଗଲା ପରି ସେ ପ୍ରକୃତିସ୍ଥ ହେଲେ ଓ ତତ୍ପରେ ତାଙ୍କ ସ୍ତ୍ରୀଙ୍କର ତ୍ୟାଗ ଏବଂ ବିଶ୍ୱସ୍ତତା ତାଙ୍କ ମନକୁ ଆକର୍ଷଣ କଲା । କୋବଳନ୍ ମାଧବୀକୁ ତ୍ୟାଗ କରି ସମ୍ପୂର୍ଣ୍ଣ ଭାବେ କନ୍ନଗୀଙ୍କ ନିକଟକୁ ଫେରିଗଲେ । ଆଶ୍ଚର୍ଯ୍ୟଜନକ କଥା ଥିଲା ଯେ କନ୍ନଗୀ ତା’ଙ୍କୁ ପରିତ୍ୟାଗ କରିବା ପରିବର୍ତ୍ତେ କ୍ଷମା କରିଦେଲେ ଏବଂ ପ୍ରେମର ସହିତ ପୁନଃ ଗ୍ରହଣ କଲେ । କନ୍ନଗୀ କେବଳ କୋବଳନଙ୍କ ପତ୍ନୀ ନଥିଲେ ବରଂ ତାଙ୍କର ସବୁଠାରୁ ବଡ଼ ଶୁଭେଚ୍ଛୁ ମଧ୍ୟ ଥିଲେ ।

ସର୍ବସ୍ଵାନ୍ତ ହୋଇ ଯାଇଥିବା ସ୍ଵାମୀଙ୍କୁ ଧରି ନୂତନ ଜୀବନଧାରାର ଆଶା ନେଇ ପରମ ଧାର୍ମିକ ପ୍ରଜାବତ୍ସଳ ପାଣ୍ଡ୍ୟ ରାଜାଙ୍କ ରାଜଧାନୀ ମଦୁରାଇରେ ପହଞ୍ଚି ଥିଲେ ।

ଏକ ନୂତନ ସ୍ଥାନରେ, ଏକ ନୂତନ ଜୀବନ ଆରମ୍ଭ କରିବାକୁ । ପୁହାର ସହରର ଧନୀ ବ୍ୟବସାୟୀଙ୍କ ପୁଅ କୋବଳନ ଏବଂ ଦିବ୍ୟ ସୁନ୍ଦରୀ ଏବଂ ପବିତ୍ର ହୃଦୟର ତାଙ୍କ ପତ୍ନୀ ଥିଲେ ବର୍ତ୍ତମାନ ନିଃସ୍ଵ କିନ୍ତୁ ଏକ ନୂତନ ଜୀବନ ଆରମ୍ଭ କରିବାର ଆନନ୍ଦ ଓ ଉଦ୍ଦୀପନାରେ ଉତ୍ଫୁଲ୍ଲିତ ।

କିନ୍ତୁ କିଏ ଜାଣିଥିଲା ଯେ, ଏହି ଆନନ୍ଦ କ୍ଷଣିକ ପାଇଁ ଓ ବିଧାତା କନ୍ନଗୀଙ୍କର ଶଙ୍ଖାଳି, ତାଙ୍କ ଅତି ପ୍ରିୟ ସ୍ଵାମୀ କୋବଳନଙ୍କୁ ତାଙ୍କଠାରୁ ଛଡ଼ାଇ ନେବ ବୋଲି । ଏକ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସେ ସ୍ଥିର କଲେ ମାତ୍ର ଆବଶ୍ୟକୀୟ ଅର୍ଥ କମ୍ ପଡ଼ିବାରୁ କନ୍ନଗୀ ସହର୍ଷରେ ନିଜର ଗୋଟିଏ ଶୀଳପ୍ପା (ପାଉଁଜି ମାତ୍ର ତାହା ବଳା ସଦୃଶ, ଯାହାର ଭିଚରଟି ଫମ୍ପା କିନ୍ତୁ ଶବ୍ଦ କରିବା ପାଇଁ କେତେକ ପଥର ଭିତରେ ରଖା ଯାଇଥାଏ)କୁ ଦେଇ ତାହାକୁ ବିକ୍ରୟ କରି ଅର୍ଥ ଆଣି ବ୍ୟବସାୟ କରିବା ପାଇଁ ପ୍ରଥମ ପାହାଚର ଯୋଜନା କଲେ । ସେହି ଅର୍ଥ ମଧ୍ୟ ପ୍ରାଥମିକ ସ୍ତରରେ ଯଥେଷ୍ଟ ମଧ୍ୟ ହୋଇଥାଆନ୍ତା । ବହୁ ମୂଲ୍ୟବାନ ଥିଲା ସେହି ପାଉଁଜି । ସେମାନଙ୍କର ବିବାହ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା ଏବଂ ଉପହାର ସ୍ଵରୂପ ଏହି ଶୀଳପ୍ପା ଦୁଇଟିକୁ କନ୍ନଗୀଙ୍କ ପିତା ତାଙ୍କୁ ଦେଇଥିଲେ । ଗୋଟିଏ ଶୀଳପ୍ପା ଦେବା ପରେ ତାଙ୍କ ପାଦରେ ରହିଯାଇଥିଲା କେବଳ ଗୋଟିଏ ଶୀଳପ୍ପା । କନ୍ନଗୀ ଚାଲିଲା ବେଳେ ଆଉ ସେହି ରୁଣୁ ଝୁଣୁ ଶବ୍ଦ ବୋଧହୁଏ ଶୁଭିବନି । ରୁଣୁ -ଫାଙ୍କ୍– ରୁଣୁ ଅବା ଝୁଣୁ-ଫାଙ୍କ୍–ଝୁଣୁ ହୋଇ ଶୁଭିବ । ଲୋକେ କେବଳ ଗୋଟେ ପାଦରେ ଆଣ୍ଡୁ ପାଉଜି ଦେଖି ଉପହାସ ମଧ୍ୟ କରି ପାରନ୍ତି । ମାତ୍ର କନ୍ନଗୀଙ୍କର ସେ ପ୍ରତି ଭ୍ରୂକ୍ଷେପ ନ ଥିଲା । ଆଖିରେ ଥିଲା ଆନନ୍ଦ ଓ ଉତ୍ସାହ ଏକ ଭିନ୍ନ ସହରରେ ନୂତନ ଧାରାରେ ଜୀବନ ଆରମ୍ଭ କରିବାର ନବ ଉନ୍ମେଷ ।

କିନ୍ତୁ, ଏ ନବ ଜନ୍ମିତ ସ୍ଵପ୍ନ ଟିକି ଟିକି ପାଦରେ କିଛି ପାଦ ଚାଲିବା ଆଗରୁ ଭାଙ୍ଗିଗଲା । ଏକ ଅପରିଚିତ ଭିଡ଼ ମଧ୍ୟରେ ରାଜରାସ୍ତାରେ ବସିଥିଲେ କନ୍ନଗୀ ଓ ତାଙ୍କ ପାଖରେ ପଡ଼ି ରହିଥିଲା ରକ୍ତରେ ଜୁଡୁବୁଡୁ କୋବଳନଙ୍କର ନିସ୍ତେଜ ଶୀତଳ ମୃତ ଶରୀର । ପାଖରେ ବୁଲୁଥିବା କଟୁଆଳଙ୍କୁ ରୁଦ୍ଧ କଣ୍ଠରେ ପ୍ରଶ୍ନ କଲେ, “କାହିଁକି?” – “ସେ ମହାରାଣୀଙ୍କର ଶୀଳପ୍ପା ଚୋରୀ କରିଥିଲା । ପରମ ଧାର୍ମିକ ପ୍ରଜାବତ୍ସଳ ପାଣ୍ଡ୍ୟ ରାଜାଙ୍କ ରାଜ୍ୟରେ ଚୌର୍ଯ୍ୟ ବୃତ୍ତିର ଏକ ମାତ୍ର ଦଣ୍ଡ – ମୃତ୍ୟୁଦଣ୍ଡ । ” ଉଦ୍ଦାମ କଣ୍ଠରେ ବୋଲି ଉଠିଲା ନଗର କଟୁଆଳ । – “ଚୌର୍ଯ୍ୟ ବୃତ୍ତି ?” – ଆଶ୍ଚର୍ଯ୍ୟ ଓ ଉଦ୍ବିଗ୍ନତା ଭରା କଣ୍ଠରେ କନ୍ନଗୀ ବାକ୍ୟ ସମ୍ପୂର୍ଣ୍ଣ କରିବା ପୂର୍ବରୁ , ଭିଡ଼ ମଧ୍ୟରୁ ସ୍ଵର୍ଣ୍ଣ ଆଭୂଷଣରେ ବିମଣ୍ଡିତ ଏକ ବ୍ୟକ୍ତି କହି ଉଠିଲା – “ହଁ , ହଁ ସେ ଚୋର । ତୁମେ ଗୃହିଣୀ, ହୁଏତ ଜାଣି ନଥିବ ତୁମ ସ୍ୱାମୀ ବିଷୟରେ । ତୁମେ ତ ସ୍ଵଗୃହରେ ଥିବ । ମୁଁ ସ୍ଵର୍ଣ୍ଣକାର । ଏହି ଲୋକଟି ଏକ ଶୀଳପ୍ପା ନେଇ ଆସିଥିଲା ମୋ ପାଖକୁ, ବିକ୍ରୟ କରିବା ପାଇଁ । ଏତେ ବର୍ଷର ଅଭିଜ୍ଞତା ମୋ’ର । ଭାବିଥିଲା କି ମୋତେ ଠକି ଦେବ । ଦେଖୁ ଦେଖୁ ଚିହ୍ନିଗଲି କି ତାହା ମହାରାଣୀଙ୍କର । ଏକା ଧାତୁ, ଏକା ଗଠନ, ଏକା ଚିତ୍ରକୃତି । ମହାରାଣୀଙ୍କୁ ରାଜା ଉପହାର ଦେଇଥିଲେ । ଏଇ କିଛିଦିନ ପୂର୍ବରୁ ହଜିଥିଲା ମହାରଣୀଙ୍କ ଶୀଳପ୍ପା । ଏ ବ୍ୟକ୍ତିର ଏତେ ଦୁଃସାହସ ? ରାଜଧନ ଚୋରୀ କରିବ ? ମୃତ୍ୟୁଦଣ୍ଡ ତା’ପାଇଁ ଉଚିତ । ମୁଁ ମହାରାଜଙ୍କୁ ଫେରାଇ ଦେଇଛି ସେ ଶୀଳପ୍ପା । ହଁ, ମୁଁ ହିଁ ଜଣାଇଥିଲି କଟୁଆଳଙ୍କୁ ତୁମ ସ୍ୱାମୀ ବିଷୟରେ । ”

ମୁକ୍ତକେଶା କନ୍ନଗୀ, ନିଜ କୋଳରେ ଥିବା ମୃତ ସ୍ୱାମୀଙ୍କର ମସ୍ତକକୁ ସମ୍ମାନର ସହ ତଳେ ରଖି ସଦମ୍ଭେ ଉଠି ଠିଆ ହେଲେ । ନଗ୍ନ ପାଦରେ ଧାଇଁ ଚାଲିଲେ କନ୍ନଗୀ ଜନ ସମାଗମକୁ ଅତିକ୍ରମ କରି ରାଜମହଲ ଆଡ଼କୁ । ଅବିଳମ୍ବେ ପହଞ୍ଚି ବଜାଇଲେ “ରାଜା-ଧର୍ମଘଣ୍ଟା” – “ନ୍ୟାୟ ଦିଅ ! ନ୍ୟାୟ ଦିଅ ! ହେ ପରମ ଧର୍ମ ଭଟ୍ଟାରକ, ନ୍ୟାୟ ଦିଅ !” ରୋଦନ, ଆର୍ତ୍ତନାଦ ସତ୍ତ୍ୱେ କନ୍ନଗୀଙ୍କ ଚତୁର୍ପାର୍ଶ୍ଵରେ ଥିଲା ଏକ ନିଃଶବ୍ଦ ପୃଥିବୀ – ଧର୍ମଘଣ୍ଟାକୁ ଅବଜ୍ଞା କରି ପାରିବେ ନାହିଁ ରାଜା । ଅବିଳମ୍ବେ ସୈନ୍ୟ ସାମନ୍ତ ଘେନିଗଲେ କନ୍ନଗୀଙ୍କୁ ରାଜଦରବାର ମଧ୍ୟକୁ । ପୁହାରଠାରୁ ମଦୁରାଇ ପର୍ଯ୍ୟନ୍ତ ସବୁକିଛି ବଖାଣି ବସିଲେ କନ୍ନଗୀ ।

ରାଜା ବାଢ଼ିଲେ ଦୃଢ଼ୋକ୍ତି , “ପାଣ୍ଡ୍ୟ ଶାସନରେ ହୋଇ ପାରିବ ନାହିଁ ଅନ୍ୟାୟ । ଯଦି ହୋଇଥିବ ଅନ୍ୟାୟ, ତେବେ କରୁଛି ସତ୍ୟ, ତ୍ୟାଗ କରିବି ନିଜ ପ୍ରାଣ ମୋର । ” । କନ୍ନଗୀ ଗର୍ଜି ଉଠି କହିଲେ, “ହେ ରାଜା, ଆପଣଙ୍କ ଧର୍ମପତ୍ନୀ ପିନ୍ଧିଥିବା ଶୀଳପ୍ପା କାହାର ? ତାହା ଉପରେ ଅଧିକାର କାହାର ? ମୋହର ନା ତାଙ୍କର ? ଡକାଇ ପଠାନ୍ତୁ ରାଣୀଙ୍କୁ ଅନ୍ତଃପୁରରୁ । ହୋଇବ ସମାଧାନ । ” – ରାଣୀଙ୍କର ଆଗମନ ପରେ, କନ୍ନଗୀ ରାଣୀଙ୍କୁ ପ୍ରଶ୍ନ କଲେ, “ମହାରାଣୀ, ଆପଣଙ୍କ ଶୀଳପ୍ପାର ମଧ୍ୟ ନଳୀରେ ରୁଣୁଝୁଣୁ ଶବ୍ଦ କରୁଥିବା ପଥର କ’ଣ ଥିଲା?” – ରାଣୀ ଉତ୍ତର ଦେଲେ “ମୁକ୍ତା” – କନ୍ନଗୀ ପ୍ରଶ୍ନ କଲେ “ଭାଙ୍ଗି ପାରିବେ କି ଆପଣ ସେହି ଶୀଳପ୍ପାକୁ ? ସ୍ଵର୍ଣ୍ଣକାର ସହଜରେ ସଜାଡ଼ି ଦେବେ । ” – ରାଜାଙ୍କ ଇଙ୍ଗିତରେ ଭଙ୍ଗା ହେଲା ଶୀଳପ୍ପା । ଆଉ ସତରେ ବାହାରିଲା ମୁକ୍ତା । କନ୍ନଗୀ ପୁଣି ପ୍ରଶ୍ନ କଲେ, “ଆଉ ଯେଉଁ ଦ୍ୱିତୀୟ ଶୀଳପ୍ପାଟି ଯାହା ଚୋରି ହୋଇ ଥିଲା ଏବଂ ପରେ ଯାହା ମୋ ସ୍ଵାମୀଙ୍କ ନିକଟରୁ ମିଳିଥିଲା, ତାହାକୁ ଭାଙ୍ଗିବେ କି ଆପଣ?” ଭଙ୍ଗାହେଲା ଦ୍ଵିତୀୟ ଶୀଳପ୍ପା । କିନ୍ତୁ ଏଥର ବାହାରିଲା ନବରତ୍ନ । କନ୍ନଗୀ ବିଦଗ୍ଧ ହୃଦୟର କୋହ ଧାର ଧାର ହୋଇ, ଲୋତକ ରୂପରେ, ବୋହି ଯାଉଥିଲା ଖୋଲିଲେ ସେ ନିଜ ପାଦରୁ ଶୀଳପ୍ପା ଗୋଟିକ । ଉଠାଇଲେ ଶୀଳପ୍ପା ଉପରକୁ, ବିଜୟ ପତାକା ସମ ତାହାକୁ ହାତରେ ଧରି । କଚି ଦେଲେ ରାଜଦରବାର ଚଟାଣରେ – ଭାଙ୍ଗିଗଲା ଶୀଳପ୍ପା । ବିଚ୍ଛୁରିତ ହୋଇଗଲା ଚଟ୍ଟାଣରେ ହୀରା, ନୀଳା, ମାଣିକ୍ୟ ପରି ନବରତ୍ନ । “ନବରତ୍ନ?” କହିଉଠିଲେ ପାରିଷଡବର୍ଗ । ରାଜା ରାଣୀଙ୍କର ମଥା ନତମସ୍ତକ ହେଲା ଲଜ୍ଜାରେ ।

କନ୍ନଗୀ କହିଲେ, “ହେ ଧର୍ମରାଜ !ଏବେ ନ୍ୟାୟ କରନ୍ତୁ । ଦେଇଥିବା ବଚନ ପାଳନ କରନ୍ତୁ । ପତି ହରାଇଛି ମୁହିଁ । କିନ୍ତୁ କରିଥିଲେ ସତ୍ୟ ଆପଣ କି, ଅନ୍ୟାୟ ହୋଇଥିଲେ ତ୍ୟାଗ କରିବେ ପରାଣ । ”
ପାଣ୍ଡ୍ୟ ରାଜା ଥିଲେ ନିର୍ବାକ । ହାତ ଯାଉଥିଲା ଖଡ୍ଗକୁ ନିଜ ଶିରଚ୍ଛେଦନ ପାଇଁ । ଧର୍ମ ରକ୍ଷା ପାଇଁ ଦେବାକୁ ହେବ ପ୍ରାଣ । ରାଣୀ ଇଙ୍ଗିତରେ କହିଲେ, “ନା-କରନ୍ତୁ ନାହିଁ ତାହା” । ହାତ ଅଟକିଗଲା, ଖଡ୍ଗ ତୁଣୀରରେ ପଶିଗଲା । ଲଜ୍ଜା ଅବନତ ନୟନରେ ରାଜା ହୋଇ ଗଲେ ନିସ୍ତବ୍ଧ ନଥିଲା ଦମ୍ଭ କନ୍ନଗୀଙ୍କ ଆଖିରେ ଦେଖିବାକୁ ।

“ଓଃ “! ଆପଣ ତେବେ ଏପରି ଧର୍ମ ଭଟ୍ଟାରକ? ଏପରି ଧର୍ମ ରକ୍ଷକ ?”

କହି ବୁଲି ପଡ଼ି ରାଜଦରବାରରୁ ବାହାରକୁ ଚାଲିବାକୁ ଲାଗିଲେ, ଦେବୀ କନ୍ନଗୀ । ରାଜମହଲ ଦ୍ଵାରଦେଶରେ ପହଞ୍ଚୁ ପହଞ୍ଚୁ ଧର୍ମଘଣ୍ଟା ତା’ନିଜ ସ୍ଥାନରୁ ଛିଣ୍ଡି ତଳେ ପଡ଼ିଗଲା । “ହେ ପ୍ରଭୁ , ରକ୍ଷା କର, ରକ୍ଷା କର” କହି ଦୌଡୁ ଥିଲେ ଉପସ୍ଥିତ ସମସ୍ତ ନଗରବାସୀ । ଏକ ହୁତାଶନ ଗ୍ରାସ କରୁଥିଲା ମଦୁରାଇକୁ । ସେ କାଳ ଅଗ୍ନି ଥିଲା, ଧର୍ମଗ୍ଳାନିର, କ୍ଷୋଭ ସତୀ କନ୍ନଗୀଙ୍କର, ଦେବୀ କନ୍ନଗୀଙ୍କର ।

ଧର୍ମ ଏବଂ ହତୋ ହନ୍ତି ଧର୍ମୋ ରକ୍ଷତି ରକ୍ଷିତଃ ।
ତସ୍ମାଦ୍ ଧର୍ମଂ ନ ତ୍ୟଜାମି ମା ନୋ ଧର୍ମୋ ହତୋଽବଧୀତ୍॥

ଯିଏ ଧର୍ମକୁ ନଷ୍ଟ କରେ, ସେ ଧର୍ମ ଦ୍ୱାରା ହିଁ ନଷ୍ଟ ହୁଏ, ଏବଂ ଯିଏ ଧର୍ମକୁ ରକ୍ଷା କରେ, ସେ ଧର୍ମ ଦ୍ୱାରା ହିଁ ସୁରକ୍ଷିତ ହୁଏ ।

ତେଣୁ ମୁଁ ଯେପରି କେବେ ଧର୍ମ ପରିତ୍ୟାଗ କରି ନାହିଁ, ନଚେତ୍ ନଷ୍ଟ ହୋଇଥିବା ଧର୍ମ ମୋତେ ନଷ୍ଟ କରିଦେବ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top