ମେଘ ସବାରୀରୁ ଶ୍ରାବଣ ଓହ୍ଲାଇ
ମାଟିରେ ଥାପିଛି ପାଦ
କଳାମେଘୀ ପାଟ ବିଛେଇ ଦେଇଛି
ନଈ ନାଳ ଖେତ ହ୍ରଦ ।
ବରଷା ପ୍ରେମରେ ରାତି ପୁହାଇଛି
ବତୁରା ବତୁରା ମାଟି
ସାରା ପ୍ରକୃତିରେ ଆଙ୍କିଛି କିଏସେ
ନୂଆ ସର୍ଜନାର ଝୋଟି ।
ସୂଚୀସ୍ନାନ ସାରି ପାଦପ ହକାଳେ
ବାସିପିନ୍ଧା ଶାଢୀ ଗୋଟି
ନୂଆ ପତରରେ ଗଭା ସଜାଡୁଛି
ନିବିବନ୍ଧ ଯାଏ ଫିଟି ।
ପବନରେ ଲଘୁସଙ୍ଗୀତର ସୁର
ଝରକା ବାହାରେ ରହି
ପ୍ରଣୟର ଶେଯ ବିଛେଇ ଚାହିଁଛି
ବିରହୀ ହୃଦୟ ପାଇଁ ।
ଆକାଶ ମାଟିର ପ୍ରେମ ରାହାସରେ
ନଈରେ ଉଛୁଳା ବଢି
ଖରା ନାଲିଆଖି ଝାଉଁଳି ଯାଇଛି
ଥମିଛି ବନସ୍ତ ପୋଡ଼ି ।
ଲହଡି ଭାଙ୍ଗୁଛି ଖେତର ଛାତିରେ
ତଳି ମଥା ଯାଏ ବୁଡି
ଓଦା ସରସର ଖେତୁଆଳ କହେ
ଆଗକୁ ଆସୁଛି ଝଡ଼ି ।
