ଗଳ୍ପ

କାହାଣୀ ନୀଳ ଆକାଶ

Rukeya Jabeen's odia poem Kaahani Neela Aakaasha

ତା କଥା ଶୁଣି ମତେ ଲାଗୁଥିଲା ମୁଁ ଆନନ୍ଦରେ ଫୁଲି ଉଠୁଛି । ଆଉ ମୋ ଦିଗବଳୟେ ବିରାଜିତ ଆକାଶେ ନୀଳ ର ନୀଳ ରଙ୍ଗ ହସି ହସି ଭାସି ଯାଉଛି ।

କାହାଣୀ ନୀଳ ଆକାଶ

କରୋନାର ମହାପ୍ରଳୟ ସାରା ଦୁନିଆରେ ତାଣ୍ଡବଲୀଳା କରୁଥିଲା। ଏହାକୁ ଆୟତ୍ତ କରିବା ପାଇଁ କେବଳ ଭାରତ କାହିଁକି ସାରା ବିଶ୍ବରେ ଲକ୍ ଡାଉନ୍, ସଟ୍ ଡାଉନ୍ ବଳବତ୍ତର ହେଇ ଚାଲିଥିଲା। ଗାଁ ଗଣ୍ଡାରେ ଯେଣ ତେଣ ପ୍ରକାରେଣ ଯାତାୟାତ ଚାଲୁ ରହିଥିଲା ବେଳେ ସହରାଞ୍ଚଳରେ ଏହାର ପ୍ରଭାବ ବେଶି ମାତ୍ରାରେ ଦେଖିବାକୁ ମିଳୁଥିଲା। ଲକ୍ ଡାଉନ୍ ଯୋଗୁଁ ପ୍ରାୟ ସମସ୍ତ ଘରୋଇ ସଂସ୍ଥା ବନ୍ଦ୍ ହେଇଯାଇଥିଲା। କଳକାରଖାନା ଠାରୁ ଆରମ୍ଭ କରି ସମସ୍ତ ଛୋଟ ବଡ଼ ଅଫିସ୍‌ କିଛି ଦିନ ପାଇଁ ବନ୍ଦ ଘୋଷଣା କରିଦେଇଥିଲେ। ମୁଁ ସେତେବେଳକୁ ବାଙ୍ଗାଲୋରରେ ଏକ କମ୍ପାନୀରେ କାମ କରୁଥାଏ। ମୋ ଅଫିସ୍‌ ବା ସେଥିରୁ କେମିତି ବାଦ୍ ପଡନ୍ତା।

ଆମେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ଅଫିସ୍‌ ଛୁଟିକୁ ସେଣେ ପିଲାଦୁଇଟିଙ୍କ ସ୍କୁଲ ବନ୍ଦ। ମୋର ଇଚ୍ଛା ହେଲା ଗାଁ ଆଡେ ଟିକେ ବୁଲି ଆସିବାକୁ । ଦୀର୍ଘ ଚାରିବର୍ଷ ହେଇଯିବ ଗାଁ ର ମୁହଁ ଦେଖି ନ ଥିଲି । ଆଗରୁ ଶାଶୁ ଥିବା ସମୟରେ କଥା ଅଲଗା ଥିଲା । ବାଙ୍ଗାଲୋରରେ ଆମ ସହ ରହିଲେ ମଧ୍ୟ ମନଟା ତାଙ୍କର ଗାଁ ମାଟିରେ ରହୁଥିଲା । ତାଙ୍କ ଖୁସି ପାଇଁ ଯେତେ କାମ ଥିଲେ ମଧ୍ୟ ପ୍ରତି ତିନି ଚାରି ମାସରେ ମୋ ସ୍ୱାମୀ ସମ୍ବିତ ଅନ୍ତତଃ ଆଠ ଦଶ ଦିନ ପାଇଁ ଛୁଟି ବାହାର କରି ନେଉଥିଲେ । ଶାଶୁଙ୍କ ବାହାନାରେ ମୁଁ ଆଉ ପିଲାମାନେ ମଧ୍ୟ ଗାଁ ଆଡେ ବୁଲିଆସୁଥିଲୁ । ଶାଶୁ ଗଲାପରେ ଥରୁଟେ ମାତ୍ର ଗାଁ କୁ ଯିବାର ସୁଯୋଗ ମିଳିଛି । ସମ୍ବିତ ବାପା ମା ଙ୍କର ଏକମାତ୍ର ସନ୍ତାନ ବୋଲି ଏମିତିରେ ଶାଶୁଘରେ କେହି ନାହାନ୍ତି । ପିଉସି ଶାଶୁ ଘର ପାଖରେ ରୁହନ୍ତି । ସେ ହିଁ ଘର କଥା ବୁଝାସୁଝା କରନ୍ତି । ପଡିସା ଘର ଟୁନି ମା ଆଉ ତାଙ୍କ ପିଲାମାନେ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କରି ସଞ୍ଜ ଦିଅନ୍ତି ।

ମୋର ନିଜର ବାପା ମା ବୋଲି ଦୁନିଆରେ କେହି ନାହାନ୍ତି । ଭାଇ ମାନେ ସମସ୍ତେ ଚାକିରୀ କରି ବାହାରେ ରୁହନ୍ତି । ମଝିଆଁ ଭାଇ ସେଇ ବାଙ୍ଗାଲୋରରେ ରହୁଥିବାରୁ ବେଳେ ବେଳେ ଆସନ୍ତି । ଗାଁ ରେ ଆଉ କିଏ ବା ଅଛି ଯେ ଯିବାକୁ ଇଚ୍ଛା ହେବ। ବେଳେ ବେଳେ ଇଚ୍ଛା ଥିଲେ ମଧ୍ୟ ଅଫିସ କାମ , ପିଲାଙ୍କ ପାଠପଢା କଥା ଭାବି ଚୁପ୍ ରୁହେ ।

ଲକ୍‌ଡାଉନ୍ କିନ୍ତୁ ଏସବୁ ବାଧ୍ୟ ବାଧକତାରୁ ମୁକୁଳାଇ ଦେଇଥିଲା । କାମ ଧନ୍ଦା ବନ୍ଦ ହେବାର ଜାଣି ଆମେ ଘରମୁହାଁ ହେଲୁ । ଷ୍ଟେସନ୍‌ରୁ ଓଲା କାରରେ ଘରକୁ ଫେରିଲା ବେଳେ ମୋ ଖୁସି କହିଲେ ନ ସରେ ‌। ଘର ଯେତିକି ଯେତିକି ପାଖେଇ ଆସୁଥିଲା ମୁଁ ସେତିକି ସେତିକି ଅତୀତର ସ୍ମୃତି ରେ ଭିଯି ଭିଯି ଯାଉଥିଲି । ଅଙ୍କାବଙ୍କା ରାସ୍ତା ଗୁଡ଼ିକ ଢଳେଇରେ ମଜବୁତ୍ ହେଇଯାଇଥିଲା। ଦୋକାନ ବଜାର ବେଶ୍ ବଢ଼ିଯାଇଥିଲା। ସ୍କୁଲ ଘର ଗୁଡ଼ିକ ଖୁବ୍ ଉନ୍ନତ ଦେଖାଯାଉଥିଲା। ନୂତନ ରଙ୍ଗ , ଫୁଲ ଚିତ୍ରରେ ସଜା ପାଚେରୀ ସୁସଜ୍ଜିତ ଗେଟ୍ ସବୁକିଛି ଖୁବ୍ ମନଲୋଭା ଲାଗୁଥିଲା । ମୁଁ ପିଲାମାନଙ୍କୁ ସବୁ ଦେଖେଇ ଚାଲିଥିଲି। ମନେ ମନେ ଆନନ୍ଦିତ ଥିଲି ଯାହା ହେଉ ମୋ ଗାଁ ଉନ୍ନତି ପଥେ ଆଗେଇ ଚାଲିଛି।

ଏସବୁ ଭିତରେ ଗାଡ଼ି ଆସି ଘର ଦୁଆରେ ଲାଗିଯାଇଥିଲା। କିନ୍ତୁ ଏ କ’ଣ ? ଦୁନିଆଟା ସାରା ବଦଳି ଯାଇଛି ହେଲେ ଟୁନି ମା ର ଘର! ଟୁନି‌ ମା ଘରର କିଛି ବି ପରିବର୍ତନ ହେଇନି । ସେଇ ଚାଳ , ସେଇ ଅର୍ଦ୍ଧ ଭଗ୍ନ ଦୁଆର ମୁହଁ , ତାଟି ବାଡ଼ ଘେରା ଅଗଣା , ଅଗଣାରେ ଗୋଟିଏ ପଟେ ଛେଳିମାନଙ୍କର ଆଶ୍ରୟସ୍ଥଳୀ ଅନ୍ୟ ପଟ କଣକୁ ଝୋଟି ପକା ତୁଳସୀ ଚଉରା । ଚାରିବର୍ଷ ଭିତରେ ସତରେ କ’ଣ ଟୁନି ମା ଘରେ କିଛି ବି ପରିବର୍ତନ ଘଟିନି ? କାଇଁ କିଛି ତ ଜଣା ପଡୁନି । ମୁଁ ସେଇଆଡ଼େ ଚାହିଁ ଅନ୍ୟ ମନସ୍କତାରେ ହଜି ରହିଥିଲା ବେଳେ ଟୁନି ମା ଦଉଡି ଆସି ମୋ ହାତରୁ ସୁଟ୍‌କେସ୍‌ ଟା ଭିଡିନେଲେ ।

ଆଲୋ ମା ବେବି , ମୁଁ ଥାଉଁ ଥାଉଁ ତମେ କିଆଁ ବୋଝ ବୋହିବ । ଛାଡ ଛାଡ ବେଗଟା ଛାଡ଼ । ନିଜ ଘର ଆଡ଼େ ମୁହଁ କରି ସାନ ଝିଅଟାକୁ ଡାକ ଛାଡ଼ିଲେ। ଆଲୋ ଏ ପର ଭାଇ ଭାଉଜ ଆସିଲେଣି ବା । ଆସେ , ପିଲାମାନଙ୍କର ଏ ବେଗ ଗୁଡ଼ାକ ଘରକୁ ନେଇ ଯା । ଦୂର ବାଟ । ମୋ ଛୁଆ ଗୁଡ଼ାକ ଥକି ଯାଇଥିବେ।

ସମ୍ବିତ ଆଉ ମୁଁ ତାଙ୍କୁ ଜୁହାର ହେଲା ବେଳକୁ ତାଙ୍କର ଏ ସବୁ କାମ ସରିଥିଲା। ଟୁନି ମା ମୋ ଶାଶୁ ଅମଳରୁ ଆମ ଘରର ଦେଖାଶୁଣା କରନ୍ତି। ମା କୁହନ୍ତି ସମ୍ବିତଙ୍କୁ ସେଇ କାଳେ କୋଳେଇ କାଖେଇ ବଡ କରିଛନ୍ତି । ସେତେବେଳେ ସିଏ ନୂଆ ବୋହୂଟିଏ ହିଁ ଥିଲେ । କିନ୍ତୁ ତାଙ୍କ ସ୍ବାମୀ ନରି ମଉସା ପ୍ରାୟତଃ ମଦ ନିଶାରେ ଟୁଲ ଥାଆନ୍ତି । ତେଣୁ ଟୁନି ମା ଆରମ୍ଭରୁ ହିଁ ନିଜ ପେଟ ନିଜେ ପୋଷିଛନ୍ତି କହିଲେ କିଛି ଭୁଲ୍ ହେବନାହିଁ । ନରି ମଉସା ଯାହା ଖାଲି ନାମକୁ ମାତ୍ର ସ୍ୱାମୀ । ବାହାଘରର ଦଶ ବର୍ଷ ଯାଏଁ ସନ୍ତାନଟିଏ କୋଳରେ ଧରି ପାରି ନ ଥିଲେ ବୋଲି ନରି ମଉସା ତାଙ୍କ ମାଙ୍କ କଥାରେ ପଡ଼ି ଟୁନି ମା ଙ୍କୁ ବହୁତ ହିନସ୍ଥା କରୁଥିଲେ। ଭଗବାନ ଙ୍କ କରୁଣାରୁ ବାହାଘରର ଏଗାର ବର୍ଷରେ ସିଏ ମା ହବାର ସୁଖ ପାଇଲେ । ପରେ ପରେ ସିଏ‌ ତିନି ତିନିଟି ଝିଅର ଜନନୀ ବୋଲାଇଲେ । ମାଉସା କିନ୍ତୁ ଯେମିତିକୁ ସେମିତି । ଆପେ ବଞ୍ଚିଲେ ବାପାର ନାଁ । ମୂଲ ଲାଗି ଯାହା କିଛି ଆଣନ୍ତି ନିଜେ ଖାଇ ପିଇ ମାତାଲ୍ । ସ୍ତ୍ରୀ ପିଲାଙ୍କ କଥା ତାଙ୍କ କାନକୁ ଯାଏନି । ଟୁନି ମା ବାର ଘରେ ପାଇଟି କରି ନିଜ ସଂସାର ଚଳେଇଛନ୍ତି। ବଡ଼ , ମଝିଆଁ ଝିଅ ଦୁଇଟିକୁ ବାହା ଦେଇ ସାରିଲେଣି । ଆଉ ଖାଲି ଏଇ ସାନ ଝିଅ ପର ଟା ଯାହା ଘରେ ଅଛି ।

ଶାଶୁ ଥିଲାବେଳେ ଯେହେତୁ ଗାଁ କୁ ବେଶି ଯିବା ଆସିବା ହଉଥିଲା ଏମାନଙ୍କ ଖବର ଭଲରେ ରଖି ହଉଥିଲା । ଏବେ କିନ୍ତୁ ଯିବା ଆସିବା କମିଯିବାରୁ ତାଙ୍କ ଭଲମନ୍ଦ ଆଉ ଆଗଭଳି ବୁଝି ହେଉନି। ବଡ଼ ଝିଅ ଛବି ବାହାଘର ବେଳକୁ ଶାଶୁ ନିଜେ ସବୁ ବୁଝାସୁଝା କରିଥିଲେ । ଦୁଇ ବର୍ଷ ତଳେ ମଝିଆଁ ଝିଅ ନୀଳ ବାହାଘର ବେଳକୁ ପିଉସୀ ଶାଶୁ ଙ୍କ ଯରିଆରେ ଡକେଇଥିଲେ ମଧ୍ୟ ଆମେ ଯୋଗ ଦେଇ ପାରି ନ ଥିଲୁ । ବାହାଘର ବାବଦକୁ ଯାହା କିଛି ଟଙ୍କା ପଠେଇ ଦେଇଥିଲୁ।

ଆଜି ଏତେ ଦିନ ପରେ ଟୁନି ମା ଙ୍କୁ ଦେଖି ବହୁତ ଖୁସି ଲାଗୁଥିଲା। ଶାଶୁଙ୍କ କଥା ମନେପଡି ଯାଉଥିଲା। ଘର ଭିତରକୁ ଆସିଲା ପରେ ଟୁନି ମା ସବୁ ଜିନିଷ ପତ୍ର ଥୋଇଦେଇ ନିଜ ଘରକୁ ଫେରିଗଲେ। କିଛି ସମୟ ପରେ ହାତରେ ବିରି ଚକୁଳି ସହ କିଛି ଗୁଡ଼ ଓ କୋରା ନଡ଼ିଆ ଆଣି ଦେଇଗଲେ।ମତେ କହିଲେ ଆଗ ମୁହଁ ହାତ ଧୋଇ ଖାଇନିଅ ପରେ ଯାହା ରୋଷେଇ କରିବ । ତାଙ୍କ ହାତର ବିରି ଚକୁଳି ସମ୍ବିତ ଙ୍କୁ ବହୁତ ପସନ୍ଦ।

କିଛି ସମୟ ପରେ ମୁଁ ଛାତ ଉପରୁ ଟୁନି ମା ଅଗଣାକୁ ଦେଖୁଥାଏ । ତାଙ୍କ ମାଟି ଅଗଣାଟି ଖୁବ୍ ସୁନ୍ଦର। ଅଗଣା ମଝିରେ ପିଜୁଳି ଗଛ । ପିଜୁଳି ଗଛ ମୂଳେ କେହି ଜଣେ ପିଠି କରି ବସିଛି । କୋଳରେ ଛୁଆଟିଏ ଧରି ଗେଲ କରୁଛି । ଗୋଛାଏ ଚୁଟି ଖୋଷା ପଡ଼ିଛି । ମୁଁ କିନ୍ତୁ ବୁଝି ପାରୁନଥିଲି ଏତେ ସରୁଆ ପିଲାଟି କିଏ। ତାଙ୍କ ଘରେ ତ ଏମିତି କେହି ନାହାନ୍ତି। ଝିଅଟି ଯେତେବେଳେ ମୋ ଆଡ଼କୁ ବୁଲିଲା ମୁଁ ଅବାକ୍ ରହିଗଲି ।

ନୀଳ! ଇଏତ ନୀଳ । ଏ କି ଅବସ୍ଥା ତା’ର ! ଏଡ଼େ ସୁନ୍ଦର ଝିଅଟେ । ଏ କି ରୂପ ତାର! ତାର କୋଳରେ ଛୁଆଟିଏ ବୋଲି ମତେ ଜଣା ନ ଥିଲା।

ମତେ ଛାତ ଉପରେ ଦେଖି ଟିକିଏ ମୁରୁକି ହସିଲା ସିଏ। ମୁଁ କହିଲି , ନୀଳ?

କହିଲା , ଚିହ୍ନି ପାରୁନ ?

ମୁଁ ହାତ ହଲେଇ ଘରଆଡେ ଡାକିଲି।

ସିଏ ଟିକିଏ ଚୁପ୍ ରହିଲା ‌। ପୁଣି କ’ଣ ଭାବିଲା କେଜାଣି ବାରଣ୍ଡାରେ ବସିଥିବା ପର କୋଳରେ ଛୁଆଟିକୁ ଦେଇ ମୋ ଆଡେ ଆସିଲା।

ମୁଁ ତଳକୁ ଓହ୍ଲେଇ ଦୁଆର ପାଖକୁ ଗଲି । ପାଖରୁ ଯାହା ଦେଖିଲି ଆଶ୍ଚର୍ଯ୍ୟ ହେଲି । ଯଦିଓ ନୀଳ ବେଶି ଗୋରା ନ ଥିଲା ତା’ ଶରୀରର ଗଢଣୀ ବେଶ୍ ଭଲ ଥିଲା। ଗୋଲ ଗୋଲ ଆଖି । ଧାରୁଆ ନାକ । ଲମ୍ବା ଚୁଟି। ଖୁବ୍ ମନଲୋଭା ଲାଗେ। ସବୁବେଳେ ପରିସ୍କାର ପରିଛନ୍ନ ରୁହେ । ତା’ ଚେହେରାରୁ କେମିତି ଗୋଟେ ଉଜ୍ଜ୍ୱଳତା ଝଲସେ । ମୁଁ ସବୁବେଳେ ତା ସୌନ୍ଦର୍ଯ୍ୟରେ ଉତ୍କୃଷ୍ଟ । ଆଜି କିନ୍ତୁ ସବୁକିଛି ଓଲଟ ପାଲଟ ଲାଗୁଥିଲା । କଙ୍କାଳ ଉପରେ କେହି ଜଣେ ଜୋର୍ ଜବରଦସ୍ତ ଚମଡାଟେ ଗୁଡେ଼ଇ ଦେଲା ଭଳି ଲାଗୁଥିଲା । ତା ରୁକ୍ଷ ଚେହେରା ଆକର୍ଷଣର ମାନେ ଭୁଲିଯାଇଥିଲା । ମୁଁ ସ୍ତବଧ ଥିଲି।

ଦୁଆର ପାଖରେ ଠିଆ ହୋଇ କହିଲା – କ’ଣ ଭାଉଜ କିଛି କହୁନ ? ଏମିତି କ’ଣ ଦେଖୁଚ?

ମୁଁ ତତେ ଦେଖୁଛି । ତୁ ସେଇ ନୀଳଟି ?

ମଝିରେ ହସ୍ତକ୍ଷେପ କରି କହିଲା ‘ ପଛ କଥା କାଇଁ ଭାବୁଛ ଭାଉଜ ? ଆକାଶରେ ରଙ୍ଗ ଖେଳେଇବାକୁ ସ୍ୱପ୍ନ ଦେଖୁଥିବା ନୀଳ ଆଜି ରଙ୍ଗହୀନ ଭାଉଜ। ନୀଳ ଆଜି କେବଳ ନାମକୁ ମାତ୍ର ନୀଳ । ତା ଆକାଶ କେବେଠୁ ତାକୁ ପର କରି ଦେଇଛି । ନୀଳ ପାଇଁ ଯାହା ଖାଲି ସ୍ବପ୍ନ ଏବେ ସେ ନୀଳ ଆକାଶ ।

ସବୁବେଳେ ସୁଖକୁ ସାଉଁଟି ଆଣି ସେଇ ସୁଖର ରଙ୍ଗରେ ନିଜ ଆକାଶକୁ ରଙ୍ଗିନ କରିବାର ଆଶା ସଞ୍ଚାରୁଥିବା ନୀଳ ମୁହଁରୁ ଆଜି ଏଭଳି ନିରାଶାଜନକ ଶବ୍ଦ ଗୁଡ଼ାକ ବାହାରୁଥିବାର ଦେଖି ମୁଁ କିଛି ବୁଝି ପାରୁନଥିଲି । କଥା କ’ଣ ବୁଝିବାକୁ ଚେଷ୍ଟା କଲାବେଳକୁ ସମ୍ବିତ ଗାଧୁଆଘରୁ ବାହାରିଆସିଲେ । ତାଙ୍କୁ ଦେଖି ନୀଳ ପରେ ଆସିବ କହି ସେଠୁ ଚାଲିଗଲା।

ମୁଁ ଘରକରଣାରେ ବ୍ୟସ୍ତ ରହିଲି । ସଂଧ୍ୟାରେ ସମ୍ବିତ ପିଲାମାନଙ୍କୁ ନେଇ ଗାଁ ହାଟକୁ ଚାଲିଗଲେ। ମତେ ସୁଯୋଗ ମିଳିଗଲା ନୀଳ ସହ ଏକାନ୍ତରେ କିଛି ସମୟ କଥା ହେବାପାଇଁ । ଦୁଆରେ ଠିଆ ହୋଇ ଡ଼ାକ ଛାଡ଼ିଲି । ଅବିଳମ୍ବେ ତାକୁ ସାମ୍ନାରେ ପାଇଲି । ସିଏ ଯେମିତି ମୋ ପାଖକୁ ଆସିବାକୁ ଅନେଇ ବସିଥିଲା । ଘରକୁ ଡ଼ାକି ଚା’ ବିସ୍କୁଟ ଦେଲି । ପ୍ରଥମେ ନାଇଁ ନାଇଁ କରୁଥିଲା। ଜୋର କରିବାରୁ ଚା’ ତକ ଖାଇଲା ।

ସେ ଚୁପ୍ ଚାପ୍ ଚା’ ଖାଉଥିଲା ବେଳେ ପଚାରିଲି ‘ ପୁଅ ନା ଝିଅ ?’

କହିଲା – ପୁଅ ।

କେତେ ମାସ ହେଲା ?

ତିନି ମାସ ।

ତୋର ପୁଅଟିଏ ହେଲାଣି ଅଥଚ ମତେ ଜଣାନାହିଁ ।

ସେ ଅଭିମାନ ଭରା କଣ୍ଠ ରେ କହିଲା ‘ ତମେ ବଡଲୋକ ଭାଉଜ । ଚାକିରୀ ବାକିରି କରି ସହରରେ ରହିଲ । ଆମ ଭଳିଆ ଗରିବ ଲୋକଙ୍କ କଥା କାଇଁ ବୁଝିବ ? ଆଉ କ’ଣ ବଡ଼ ମାଆ ଅଛନ୍ତି ନା ସେ ବେଳ ଅଛି । ‘

ତା କଥା ସତ । ଶାଶୁ ଥିଲାବେଳେ ଯେଉଁ ଭାବ ଥିଲା ସେଇଟା ଆଉ ନାହିଁ । ସେମାନଙ୍କ କଥା ଆଉ ଆଗଭଳି ବୁଝାଯାଉନି । ତା ଅଭିମାନ ଟା ପୁରା ଠିକ। କିନ୍ତୁ ମୁଁ ବା କ’ଣ କରି ପାରି ଥାନ୍ତି । ତଥାପି କହିଲି ନାଇଁ ଲୋ , ସେମିତି କିଛି ନାହିଁ। ମୁଁ ଏବେବି ତୁମ ମାନଙ୍କୁ ବହୁତ ମନେ ପକାଏ । କାମରେ ବ୍ୟସ୍ତ ରହି ଆସି ପାରେନି । ଆଉ ତୁ ଶାଶୁ ଘରୁ କେବେଠୁ ଆସିଲୁଣି । ତୋ ସ୍ୱାମୀ , ଶାଶୁ, ଶ୍ୱଶୁର ସମସ୍ତେ ଭଲଟି ?

ସେ ହସିବାକୁ ଲାଗିଲା । ପରିହାସର ହସ‌ । ସ୍ୱାମୀ, ଶାଶୁ, ଶ୍ୱଶୁର ? ଏ ଶବ୍ଦ ଗୁଡିକର ମୋ ଜୀବନରେ ମାନେ କିଛି ନାହିଁ ଭାଉଜ । ଏସବୁ ଯନ୍ତ୍ରଣା ର ଅନ୍ୟନାମ ମାତ୍ର । ସବୁଖାଲି ମାୟାଜାଲ। ମୁଁ ସେ ମାୟା ଜାଲେ ଛଟପଟ ହେଉଥିବା ସୂକ୍ଷ୍ମ କୀଟଟେ ମାତ୍ର । କାନ୍ଦିବାକୁ ଲାଗିଲା । ଅନବରତ । ତାକୁ ଏଭଳି ଦେଖି ମୁଁ ବ୍ୟସ୍ତ ଥିଲି। କ’ଣ ହେଇଛି କହୁନୁ ଏମିତି ପାଗେଳିଙ୍କ ଭଳି କ’ଣ କାନ୍ଦୁଛୁ। କ’ଣ ହେଇଛି କହୁନୁ ।

କିଛି ସମୟ କାନ୍ଦିବା ପରେ ନିଜକୁ ସମ୍ଭାଳି ଚୁପ୍ ହେଲା ‌ । ଗୋଟିଏ ଚଳଚଞ୍ଚଳ ତଥା ଖୁସ୍ ମିଜାଜ ମାନସିକତା ରଖୁଥିବା ଝିଅର ଏ ଅବସ୍ଥା ଦେଖି ମୁଁ ହତବାକ ରହିଯାଇଥିଲି । ତା’କୁ ଅଧିକ କିଛି ପଚାରିବାର ସତ୍ ସାହସ ମୋର ନ ଥିଲା ‌ ।

ନୀରବତା ଭଙ୍ଗ କରି କିଛି ସମୟ ପରେ ନିଜେ କହିଲା ” ଭାଉଜ କୈଳାସ ଗୋଟେ ପତ୍ନୀ ପରିତ୍ୟକ୍ତା ମଣିଷ । ମୋ ସହ ବାହାଘର ଆଗରୁ ମୋ ଠାରୁ ଅଧିକ ଶିକ୍ଷିତ , ସୁନ୍ଦର ଝିଅଟିଏକୁ ବିବାହ କରିଥିଲା ସିଏ । ବାହାଘର ର ଛଅ ମାସ ପରେ ପେଟରେ ଛୁଆ ଧରି ଝିଅଟି ୟା ଠାରୁ ଛାଡ଼ପତ୍ର ନେଇଗଲା । ପଞ୍ଚ ବସିଲା । ନ୍ୟାୟ ହେଲା। ସେ କିନ୍ତୁ କାହାରିକୁ ଦୋଷ ନ ଦେଇ ନିଜେ ସମ୍ପର୍କରେ ପୂର୍ଣ୍ଣଛେଦ ପକେଇ ଚାଲିଗଲା । ତା’ର ପରିବାର ଲୋକେ ତା’ର ନିଷ୍ପତ୍ତି ରେ ସମ୍ମତି ଜଣେଇ ତାକୁ ସାଙ୍ଗରେ ନେଇଗଲେ ।

ତା ପରେ କୈଳାସର ପ୍ରସ୍ତାବ ଆମ ଘରକୁ ଆସିଲା । ସେମାନେ ଭଲରେ ଜାଣିଥିଲେ ମୋ ମା’ ଗରିବ । ପଇସାର ବଳ ନାହିଁ ତା’ର । ଆଉ ବାପା କଥା ତମେ ତ ଜାଣ । ସେମାନେ ବିନା ଯୌତୁକରେ ବାହାଘର କରିବାର ପ୍ରସ୍ତାବ ରଖିଲେ । ପ୍ରଥମ ସ୍ତ୍ରୀ ବିଷୟରେ କହିଲେ ତା’ର କୁଆଡେ ଆଉ କାହା ସହ ଚୋରା ପିରତି ଚାଲିଥିଲା । ସେଇଥିପାଇଁ ନିଜ ଇଚ୍ଛାରେ ବାହାରିଗଲା । ବୋଉ ସେମାନଙ୍କ କଥାକୁ ବିଶ୍ୱାସ ନେଲା । ବିନା ଯୌତୁକରେ ବାହାଘର ତା ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । ବଡ଼ ଘର , ଜୋଇଁର ନିଜର ଦୋକାନ , ଆଉ କ’ଣ ଦରକାର । ଭାବିଥିଲା ଝିଅ ତା’ର ସେଠି ରାଣୀ ହୋଇ ରହିବ । ଥରେ ହେଲେ ଜାଣିବାକୁ ଚେଷ୍ଟା କଲାନି ପ୍ରଥମ ସ୍ତ୍ରୀ ଟା କାହିଁକି ଯେ ଛାଡ ପତ୍ର ନେଲା । ସିଏ ବି ତ ଗୋଟିଏ ନାରୀ । କିଛି ତ ହେଇଥିବ ?

ଇଚ୍ଛା ନ ଥିଲେ ମଧ୍ୟ ବୋଉ ମୁହଁକୁ ଚାହିଁ ବାହାଘର ପାଇଁ ରାଜି ହେଇଗଲି। ତୁମେ ଦେଇଥିବା ଟଙ୍କାରେ ଜୋଇଁ ପାଇଁ ସୁନା ମୁଦି ଟେ କିଣିଦେଲା ବୋଉ । ସାହି ପଡିଶାଏ ଯାହା ଦେଲେ ମିଶି ବାହାଘର ସରିଗଲା।

ବାହାଘରର ପ୍ରଥମ କିଛି ଦିନ ବେଶ୍ ହସ ଖୁସିରେ କଟିଗଲା । ମାସେ ଘରେ ରହି ଦେଢସୁର ସପରିବାର ଭୁବନେଶ୍ୱର ଫେରିଗଲେ । ଦିଅର ଗୁଜରାଟ ଚାଲିଗଲା । ଘରେ ରହିଗଲୁ ଶାଶୁ, ଶ୍ୱଶୁର, ମୁଁ ଆଉ ମୋ ସ୍ବାମୀ । କୈଳାସ ଅଧିକାଂଶ ସମୟ ଦୋକାନରେ ରୁହନ୍ତି । ବେଳେବେଳେ ଖାଇବାକୁ ଆସନ୍ତି। ନ ହେଲେ ସେଇ ରାତି । ଡେରି ହେଲେ କୁହନ୍ତି ସାଙ୍ଗ ମାନଙ୍କ ସହ ଭୋଜି ଖାଇ ଦେଇଛି । ଧିରେ ଧିରେ ଘରକୁ ଯିବା ଆସିବା ତାଙ୍କର କମିବାକୁ ଲାଗିଲା । ଘରଠୁ ଦୋକାନ ବେଶି ଦୂର ନ ଥିଲେ ମଧ୍ୟ ସମୟରେ କେବେ ଘରକୁ ଆସନ୍ତିନି। ପଚାରିଲେ କାମର ଆଳ ଦେଖାନ୍ତି । ଉତ୍ତର ଦବାର ଇଚ୍ଛା ନଥିଲେ ଗାଳିଗୁଲଜ ମଧ୍ୟ କରନ୍ତି ।

ଧିରେ ଧିରେ ତାଙ୍କର ଏ ଗାଳିଗୁଲଜ ମୋର ନିତିଦିନିଆ ହେଇଗଲା । ତା’ ସହ ଆରମ୍ଭ ହେଇଗଲା ଶାଶୁଙ୍କ ଅତ୍ୟାଚାର । ଖାଇବା, ପିଇବା, ବସିବା, ଉଠିବା, ପିନ୍ଧିବା ସବୁଥିରେ କଟକଣା । ଟିକିଏ ଟିକିଏ କଥାରେ ଉଲୁଗୁଣା ଦିଅନ୍ତି । ବୋପା ଘରୁ ଯଦି ଟ୍ରକରେ ପୁରେଇ ଯୌତୁକ ଆଣିଥାନ୍ତା ତାହେଲେ ଆହୁରି କେତେ ଗୋଡ଼ ମେଲେଇ ଖାଆନ୍ତା, ପିନ୍ଧନ୍ତା । ସାହି ପଡିଶାର ସ୍ତ୍ରୀ ଲୋକମାନଙ୍କ ଆଗେ ଦେଖେଇ ଶୁଣେଇ କହନ୍ତି , ହଁ ମ ଆମ ଘରକୁ ଗୋଟାଏ ଆସିଛି ଯେ ଯଉତୁକ ଦୂରେ ଥାଉ ଜୋଇଁ କୁ ସୁନା ଚେନ୍ ଟେ ଉପହାର ରେ ଦେଲେନି । ମା ତା’ର ଝିଅ ଜନମ କରିଥିଲା ଯେ ଦୁନିଆର ରିତି ନିତି କିଛି ଜାଣି ନ ଥିଲା। ଗାଡ଼ିରେ ଆସିବା ଛାଡ ଦିନେ ଅଧେ ସାଇକେଲରେ ବେଗଟେ ଭର୍ତ୍ତି କରି ଭାର ଗୋଟାଏ ନେଇ ଆସିନି କେବେ ।

ଶାଶୁଙ୍କ କଥା ଶୁଣି ମୁଁ ଏକା ଏକା ବହୁତ କାନ୍ଦେ । କିନ୍ତୁ ବୋଉ କୁ ଏସବୁ ଜଣାଏନି । ତା ହାତରେ କ’ଣ ଅଛି ଯେ ଦବ ‌। ଖାଲି ଯାହା ମନ ଦୁଃଖ କରିବ ।

ସେ ଦୁଃଖଦ ସମୟରେ ମତେ ସାହାରା ଦେଲେ ମୋ ଶ୍ୱଶୁର । ବୋଉ ଆଗେ କିଛି କୁହନ୍ତି ନାହିଁ। କିନ୍ତୁ ଏକା ଥିଲାବେଳେ ବୁଝାନ୍ତି । ଉପାସରେ ଥିଲେ ଶାଶୁଙ୍କୁ ଲୁଚାଇ ଖାଇବା ଆଣି ଦିଅନ୍ତି । କାନ୍ଦୁଥିଲା ବେଳେ ମୋ ମୁଣ୍ଡକୁ ଆଉଁସି ଦିଅନ୍ତି । ପିଠିକୁ ଆଉଁସି ମଥାକୁ ଚୁମି ଦିଅନ୍ତି । ଏସବୁ ପ୍ରଥମେ ପ୍ରଥମେ ମତେ ଭଲ ଲାଗୁଥିଲା । ତାଙ୍କ ସ୍ପର୍ଶରେ ମୁଁ ଗୋଟିଏ ପିତାର ଦରଦି ହୃଦୟକୁ ଅନୁଭବ କରୁଥିଲି । ନିଜକୁ ଧନ୍ୟ ମନେ କରୁଥିଲି ଯେ ମୁଁ ନିଜ ବାପାଙ୍କ ଠାରୁ ଅଧିକ ସ୍ନେହ କରୁଥିବା ଶ୍ୱଶୁର ପାଇଛି । କିନ୍ତୁ ମୁଁ ଭ୍ରମରେ ଥିଲି । ଧିରେ ଧିରେ ସେ ମୋର ଅଧିକରୁ ଅଧିକ ନିକଟବର୍ତ୍ତୀ ହବାକୁ ଲାଗିଲେ । ଏକା ଶୋଇଥିଲା ବେଳେ ମୋ ଘର ଭିତରେ ପଶିବାକୁ ଲାଗିଲେ । ବେଳେବେଳେ ମୋ ଶରୀରରେ ହାତ ମାରିବାକୁ ଲାଗିଲେ ।

ତାଙ୍କର ଏସବୁ ଆଚରଣ ମତେ ବିଚଳିତ କରିବାକୁ ଲାଗିଲା । ସେପଟେ ମୋର ତଥାକଥିତ ସ୍ୱାମୀ ମୋ ଠାରୁ ଦୂରେଇ ବାକୁ ଲାଗିଥିଲା । ସାହି ପଡିଶା ର ଲୋକମାନଙ୍କ ମୁହଁରୁ ଶୁଣିବାକୁ ପାଇଲି ସିଏ କୁଆଡେ ଗାଁ ର ଆଉ ଗୋଟେ ବିଧବା ସ୍ତ୍ରୀ ଲୋକ ସହିତ ସମ୍ପର୍କରେ ଅଛି । ଶାଶୁ ଶୁଣେଇ ଶୁଣେଇ କହିଲେ ହଉ ମ ଯାଉ । ସିଏ ତ ତା’ର ଧରମ ଭଉଣୀ । ତା ସ୍ବାମୀର ବାଟି ବାଟି ସମ୍ପତ୍ତିର ସିଏ ଏକଲା ହକଦାର । ପୁଅଟିଏ ପୁଣି କୋଳରେ । ଏଭଳି ସୁଯୋଗ କ’ଣ କେବେ ହାତଛଡ଼ା କରାଯାଏ । ଆଗରୁ ଦିନରେ ଘରକୁ ଫେରୁ ନ ଥିବା ଲୋକ ଏବେ ରାତିରେ ଗାଏବ ରହିବାକୁ ଲାଗିଲେ । ଇଚ୍ଛା ହେଲେ କେବେ କେମିତି ଆସନ୍ତି ।

ଦିନେ ଦ୍ବିପହର ବେଳା । ଶାଶୁ ସାହି ଆଡେ ବୁଲି ଯାଇଥାନ୍ତି । ୟା ଘର ତା ଘର କଥାରେ ମୁଣ୍ଡ ଖେଳାଇବା ତାଙ୍କର ଗୋଟାଏ ଅଭ୍ୟାସ । ଶ୍ୱଶୁର ମତେ ପାଖକୁ ଡାକି କହିଲେ , ମୁଣ୍ଡ ବିନ୍ଧୁଛି। ତେଲ ଟିକିଏ ଘଷିଦବୁ ? ମୁଁ ଅନିଚ୍ଛା ସତ୍ତ୍ବେ ତେଲ ଘସିଲି । ତା ପରେ ମୁଁ ତାଙ୍କ ରୁମ୍ ଭିତରୁ ବାହାରି ଆସୁଥିଲି । ପଛପଟୁ ଘାଇଲା ବାଘଟେ ଝାମ୍ପିଲା ଭଳିଆ ଝାମ୍ପିନେଲେ । ମୋ ସହ ଜୋର ଜବରଦସ୍ତ କରିବାକୁ ଲାଗିଲେ। ବହୁତ୍ କଷ୍ଟରେ ମୁଁ ତାକୁ ଠେଲିଦେଇ ପାରିଲି । ସେ ଛିଟିକି ଯାଇ ଖଟରେ ବାଡେଇ ହେଇ ତଳେ ପଡ଼ିଗଲା । ମୁଁ ଦଉଡ଼ି ଆସିଲି ବାହାରକୁ । ଅଗଣାରେ ଶାଶୁଙ୍କୁ ଦେଖି ଗୋଡତଳେ ପଡ଼ିଗଲି । ଭାବିଥିଲି ଗୋଟିଏ ସ୍ତ୍ରୀ ହିସାବରେ ସିଏ ମୋ ବେଦନାକୁ ବୁଝି ପାରିବେ । କିନ୍ତୁ ଭୂଲ୍ ବୁଝିଥିଲି । ସେ ମତେ ବୁଝି ପାରିଲେନି ।

ଶ୍ୱଶୁର ଶାଶୁ ଆଗେ ମିଛ କାହାଣୀ ପରସିଦେଲେ । କହିଲେ ମୁଣ୍ଡରେ ତେଲ ମାରିବାକୁ କହିଲାରୁ ମୁଁ କାଳେ ତାଙ୍କୁ ବାଡେଇଲି । ଶାଶୁ କିନ୍ତୁ ମତେ ଦେଖି ସବୁ ବୁଝି ପାରିଥିଲେ ବୋଧହୁଏ । ଶ୍ୱଶୁରଙ୍କୁ କିଛି ନ କହି ମତେ ଆଶ୍ବସ୍ତ କରାଇଲେ ।

କିଛି ସମୟ ପରେ ମତେ ଡକେଇ ତାଗିଦ୍ କରିଦେଲେ କଥାଟା ଯେମିତି କାନରୁ ଦି କାନ ନ ହୁଏ । ମୋ ଘରର ମାନ ସମ୍ମାନ ଯେମିତି ଟିପେ ହେଲେ ତଳେ ନ ପଡେ । ସେଇଟା ମୁଁ କେବେ ସହି ପାରିବି ନାହିଁ । ଯିବୁ ଯଦି ବାପା ଘରକୁ ଯା କିଛି ଦିନ ରହିଆସିବୁ । ମନଟା ହାଲକା ହେଇଯିବ । ମରଦ ଲୋକ । ଭାବନାରେ ବହିଗଲେ । ସେଇଟାକୁ ଦେହକୁ ନ ନେଲେ ଭଲ।

ଦୁଆର ମୁହଁରୁ ତାଗିଦ୍ କରି ଫେରିଗଲେ । ମୁଁ ତାଙ୍କ ଗଲା ବାଟକୁ ଚାହିଁ ରହିଥାଏ । ସେତେବେଳକୁ ମୋର ବାକଶକ୍ତି ଯେପରି ଲୋପ ପାଇଯାଇଥିଲା । ଗୋଡ଼ ହାତ ସ୍ଥାଣୁ ପାଲଟି ଯାଇଥିଲା । ହୃଦୟର ପ୍ରକମ୍ପନ ଅଧିର ହେଇ ଚାଲିଥିଲା । ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା । ସେଇ ଖଟ ଉପରେ ବସି ବସି ରାତି ହେଇଗଲା । କୈଳାସ ଦୋକାନରୁ ସଞ୍ଜ ବେଳୁ ଫେରି ଆସିଥିଲେ । ହେଲେ କ’ଣ ହେଇଛି ବୋଲି ଥରେ ମାତ୍ର ପଚାରିଲେ ନାହିଁ। ମୁଁ ଭାବିଲି ସିଏ ବୋଧେ କିଛି ଜାଣି ନାହାନ୍ତି । ମୁଁ ରାତିର ଅପେକ୍ଷାରେ ଥିଲି ‌। ତାଙ୍କୁ ସବୁତକ ଘଟଣା ବୁଝେଇ ଦବାକୁ ଚାହୁଁଥିଲି ।

ଶୋଇବା ଆଗରୁ ସେ ଗୋଟିଏ ଥାଳିରେ କିଛି ଖାଦ୍ୟ ଧରି ଆସିଲେ । ମୁଁ କୋହ ସମ୍ଭାଳି ନ ପାରି ଭୋ ଭୋ ହେଇ କାନ୍ଦିବାକୁ ଲାଗିଲି । ସେ କହିଲେ , କାନ୍ଦ ନା। ଯାହା ହେଲା ହେଲା । ରାତି ଅନେକ ହେଲାଣି ଖାଇନେ । ସକାଳେ କଥା ହେବା । ଆଉ ପୁଣି ସିଏ ତ ମୋର ନିଜ ବାପା । କଥା ପଦାକୁ ଗଲେ ସାହି ପଡ଼ିଶାରେ ଚଳି ହବଟି ‌ ? ତୁ ଚୁପ୍ ରହିଯିବୁ ଯଦି ସମସ୍ତଙ୍କ ପାଇଁ ଭଲ ହବ ।

ଆଶ୍ଚର୍ଯ୍ୟ ଚକିତ ଥିଲି । କେମିତି ସେ ଏଭଳି ନିର୍ଲଜ କଥା ଗୁଡାକ ମୁହଁ ରେ ଧରି ପାରୁଥିଲେ । ମୁଁ କିଛି ଉତ୍ତର ଦବା ଆଗରୁ ଲାଇଟ୍ ବନ୍ଦ‌ କରି ଶୋଇପଡ଼ିଲେ ।

ସେଦିନ ରାତିରେ ମୋ ଆଖିକୁ ନିଦ ନ ଥିଲା ।

ସତରେ କ’ଣ ମୋ ଜୀବନ ଏମିତି ମରି ମରି କଟିବ । ମୋ ପାଇଁ କ’ଣ ଟିକିଏ ବି ନ୍ୟାୟ ନାହିଁ ? ଯେଉଁ ଝିଅର ବାପା ମା ଙ୍କ ପାଖରେ ପଇସାର ବଳ ନ ଥାଏ ସେମାନେ କ’ଣ ଏଇମିତି ତିଳ ତିଳ ହେଇ ଜିଅନ୍ତି ପୁଣି ମରନ୍ତି । ଅନେକ ପ୍ରଶ୍ନ ମୋ ମନକୁ କାମୁଡି ଚାଲିଥିଲା ।

ଭୋର ଚାରିଟା ପାଖାପାଖି । ମୁଁ ଅଣନିଃଶ୍ବାସୀ ହେଇ ବାହାରକୁ ବାହାରି ଆସିଲି । ଦାଣ୍ଡଘର ପାଖକୁ ଶାଶୁଙ୍କ ର କ୍ଷୀଣ ସ୍ବର ଶୁଣାଯାଉଥିଲା । ଶ୍ୱଶୁରଙ୍କୁ ଧିକ୍କାର କରୁଥିଲେ ,ତମର ଏଇ ବଦଭ୍ୟାସ ଯୋଗୁଁ ବଡ଼ ବୋହୁଟା ଘରୁ ବାହାରେ ରହିଲା । କୈଳାସର ପ୍ରଥମ ସ୍ତ୍ରୀ କାହାରିକୁ କିଛି ନ କହି ଚାଲିଗଲା । ତଥାପି ତୁମେ ଏଡେ ଅଲାଜୁକ ଯେ ୟା ପଛରେ ଲାଗିଛ । ମୁଁ ତାକୁ ସେତିକି ଚପେଇ ରଖିଛି ବୋଲି ସିନା , ନ ହେଲେ ସିଏ ତ ଗାଁ ଟାକୁ ଏକାଠି କରି ଦେଇଥାନ୍ତା । ଏବେ ସିନା କିଛି କହୁନାହିଁ କିନ୍ତୁ ମୁଁ ତାକୁ ଭଲରେ ଜାଣେ ସିଏ ମୁହଁ ବନ୍ଦ ରଖିବା ଝିଅ ନୁହେଁ । ହୁସିଆର୍‌ ।

ଶ୍ୱଶୁର କହିଲେ ତାକୁ ରାସ୍ତାରୁ ପୁରାପୁରି ହଟେଇ ଦେଲେ କେମିତି ହବ ?

କ’ଣ କହିବାକୁ ଚାହୁଁଛ ତମେ ଶାଶୁ ପଚାରିଲେ ।

ଆଜି ଦ୍ୱିପ୍ରହର ବେଳା ଦେଖି ତାକୁ ଖତମ୍ କରିଦେବା । ଖରାଦିନେ ଦ୍ବିପ୍ରହର ବେଳାରେ ବାହାରେ ସେତେ କେହି ବୁଲାବୁଲି କରନ୍ତି ନାହିଁ । ସିଏ ଏବେ ରାଗରେ ଅଛି । ରୋଷେଇ କରୁନି । ତା ଖାଦ୍ୟରେ ବିଷ ଗୋଳେଇ ଦେ । ମଲାପରେ ଗାଏବ କରିଦେବା । ତା ଘରକୁ ଖବର ପଠେଇ ଦବା କୋଉ ଟୋକା ସାଙ୍ଗରେ ଚୋରା ସମ୍ପର୍କ ରଖି ଘରୁ ପଳାଇଗଲା ।

ଶାଶୁ କହିଲା ଠିକ୍ କହୁଛ । ଏଇଟା ସହଜରେ ମୁହଁ ବନ୍ଦ ରଖିବା ଜନ୍ତୁ ନୁହଁ । ଜମା ମାନିବନି । ଆଉ ତା ମାଆଟା ବି କୋଉ ଅଫିସରିଆଣିଟେ ଯେ ଆମ ସହ ଆଣ୍ଠୁ ପକେଇ ଲଢିବ ? ଆଜି ହିଁ ତାକୁ ଆରପାରିକୁ ପହଞ୍ଚାଇବାକୁ ପଡ଼ିବ ।

ଦରଜା ସେପଟୁ ମୁଁ ସବୁ ଶୁଣୁଥିଲି । ମୋ ମୁଣ୍ଡ କାମ କରୁ ନ ଥିଲା । ମୁଁ ଭଲରେ ଜାଣିଥିଲି ମୋ ସ୍ୱାମୀ ତା ମା କଥାକୁ ହିଁ ବିଶ୍ଵାସ ଯିବ । ତା ପାଇଁ ତା ମା ସବୁକିଛି । ସେମାନଙ୍କର ଯେତେ ଭୁଲ୍ ଥିଲେ ବି ସିଏ ଶୁଣିବନି ।

ମୋ ପାଖରେ ଅନ୍ୟ କିଛି ଉପାୟ ନ ଥିଲା । ମୁଁ ସେଠୁ ଚୁପ୍ ଚାପ୍ ଲୁଚି ପଳେଇ ଆସିଲି । ଚାଲି ଚାଲି ଆସି ଘରେ ପହଞ୍ଚିଲି । ବୋଉ କୁ ସବୁକଥା ଜଣେଇଲି । ବୋଉ ମତେ ନିର୍ଦ୍ବନ୍ଦ୍ବରେ ଆପଣେଇ ନେଲା । ବାପା ବେଳେ ବେଳେ ମଦ ନିଶାରେ ଗାଳି କରନ୍ତି । ବୋଉ କିନ୍ତୁ ଆଜିଯାଏଁ ପଦେ କହିନି ।

ବୋଉ ଅନେକ ବାର ଗାଁ ର ମୁରବିଙ୍କୁ ନେଇ ଯାଇଛି ନ୍ୟାୟ ପାଇଁ । ହେଲେ କେହି ଶୁଣୁ ନାହାନ୍ତି । ସେମାନଙ୍କୁ ଆହୁରି ମଉକା ମିଳିଗଲା ମୋ ଉପରେ ଦୋଷ ନଦିବାର ଯେତେବେଳେ ସେମାନେ ଜାଣିଲେ ମୁଁ ଅନ୍ତଃସତ୍ତା ବୋଲି । କାରଣ ଏଠାକୁ ଆସିବାର ଅଳ୍ପ ଦିନ ପରେ ହିଁ ମୁଁ ଜାଣିବାକୁ ପାଇଥିଲି ଯେ ମୁଁ ମା ହବାକୁ ଯାଉଛି ।

ସେମାନେ ଏବେ କହୁଛନ୍ତି ମୋର କାଳେ ଅନ୍ୟ ଟୋକା ସହ ସମ୍ପର୍କ ଅଛି ମୁଁ ସେଇଥିପାଇଁ ତାଙ୍କ ଘରେ ରହିପାରିଲିନି । ସେମାନେ ନ୍ୟାୟରେ ବସୁ ନାହାନ୍ତି ।

ସତ କହିବି ଭାଉଜ ମୋର ଆଉ ସେ ଘରେ ପାଦ ରଖିବାର ତିଳେ ମାତ୍ର ଇଚ୍ଛା ନାହିଁ । ଆଉ ଶକ୍ତି ହିଁ ନାହିଁ ଏତେ ସବୁ ଅନ୍ୟାୟ ସହିବାର । ସେ ଯାହା ବି ହେଉ ମୁଁ ଆଉ ସେଠାକୁ ଯିବିନି । ଏଇଟା ହିଁ ମୋର ଶେଷ ନିଷ୍ପତ୍ତି ।

ତା କଥା ଶୁଣି ମୁଁ ନିଜକୁ ଧିକ୍କାର କରୁଥିଲି । ଏଠି ଏତେ ସବୁ ଘଟିଗଲା ଅଥଚ ଆମେ କିଛି ବି ଜାଣିପାରିଲୁନି ।

ରାତିରେ ସମ୍ବିତଙ୍କୁ ସବୁକଥା ଜଣେଇଲି । ସିଏ ନୀଳର ନିଷ୍ପତ୍ତି ରେ ଏକମତ ହେଲେ । ତାଙ୍କ ମତରେ ଏମିତି ସ୍ୱାମୀ ପାଖରେ ରହି ଲାଭ ବା କ’ଣ ଯିଏ ନିଜ ସ୍ତ୍ରୀ ର ସମ୍ମାନ ନ ରକ୍ଷା କରିପାରିଲା ନାହିଁ । ନିଜ ସନ୍ତାନ କୁ ନିଜର ବୋଲି କହିପାରୁନି ‌ । ଏମିତି କା- ପୁରୁଷ ଠାରୁ ଏକା ଏକା ଜୀବନ ବରଂ ଭଲ ।

ଲକଡାଉନ୍ ଖୋଲିଲା ପରେ ଆମେ ବାଙ୍ଗାଲୋର ଫେରି ଆସିଲୁ । ଆସିଲା ବେଳେ ନୀଳ ହାତରେ ସାତ ହଜାର ଟଙ୍କା ଆଉ ମୋର ଗୋଟାଏ କି – ପ୍ୟାଡ ଫୋନ୍ ଦେଇ ଆସି ଥିଲି । ଭାବିଲି ଏକାକୀ ମଣିଷ । ପାଖରେ ଛୋଟ ଛୁଆଟିଏ। ରଖିଥାଉ କାମରେ ଆସିବ ।

ବାଙ୍ଗାଲୋର ଫେରିବାର ମାସେ ପରେ ଗୋଟେ କଲ୍ ଆସିଲା । ମୁଁ ରିସିଭ୍ କଲି । ସେପଟୁ ନୀଳର ସ୍ୱର । ଭାଉଜ ମୁଁ ନୀଳ ।

ପଚାରିଲି, ସବୁ ଭଲ ଟି ?

ହସ ହସ ମୁହଁରେ କହିଲା ସବୁ ଭଲ ଭାଉଜ। ବହୁତ୍ ଭଲ । ତୁମେ ଦେଇଥିବା ଟଙ୍କାରେ ମୁଁ ଗୋଟିଏ ପୁରୁଣା ସାଇକେଲ କିଣିଛି । ଏବେ ବରା , ଘୁଗୁନି, ଇଡିଲି ଉପମା, ଗୁଲୁଗୁଲା , ପୁରି, ସବୁ ନିଜେ ରୋଷେଇ କରି ସାଇକେଲରେ ନେଇ ଗାଁ ଗାଁ ବୁଲି ବିକି ଆସୁଛି । ତମ ପଇସାରେ ମୁଁ ବଞ୍ଚିବାର ରାହା ପାଇଗଲି ଭାଉଜ । ଏବେ ମୋ ପୁଅ ଖର୍ଚ୍ଚ ମୁଁ ନିଜେ ତୁଲେଇ ପାରୁଛି । ଆଉ ବା କ’ଣ ଦରକାର । ଆଜି ମୋ ପୁଅ ପାଇଁ ନୂଆ ଡ୍ରେସଟେ ଆଣିଛି ନିଜ ପଇସାରେ ।

ଭାଉଜ ସତରେ ଆଜି ତମ ନୀଳ ସେଇ ଦୂର ଆକାଶେ ରଙ୍ଗ ବିଞ୍ଚିବାକୁ ପୁଣି ଥରେ ଡେଣାଟେ ପାଇଛି ।

ତା କଥା ଶୁଣି ମତେ ଲାଗୁଥିଲା ମୁଁ ଆନନ୍ଦରେ ଫୁଲି ଉଠୁଛି । ଆଉ ମୋ ଦିଗବଳୟେ ବିରାଜିତ ଆକାଶେ ନୀଳ ର ନୀଳ ରଙ୍ଗ ହସି ହସି ଭାସି ଯାଉଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top