ପ୍ରବନ୍ଧ

ସବୁ ଅଘଟଣ ମହାପ୍ରଭୁଙ୍କ ଇଚ୍ଛାରେ

Dr Mousumi Parida

ସେ ଅଧିକାରରେ ଭକ୍ତ ପ୍ରତିବାଦ କରିବା ଶିଖୁ ନହେଲେ ମହାପ୍ରଭୁ ମଧ୍ୟ ନୀରବିଯିବେ । କାରଣ କର୍ମଣ୍ୟେବାଧିକାରସ୍ତେ ମାଫଳେଷୁ କଦାଚନ ।

ସବୁ ଅଘଟଣ ମହାପ୍ରଭୁଙ୍କ ଇଚ୍ଛାରେ

ସ୍ନାନବେଦୀରୁ ରଥଯାତ୍ରାରେ ରଥାରୂଢ ହେବାଯାଏଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଠିକ୍ ଭାବେ ଦର୍ଶନ କରିହୋଇନାହିଁ । ସ୍ନାନପୂର୍ଣ୍ଣମାରେ ଏଭଳି ସ୍ଥାନରେ କ୍ୟାମେରା ଖଂଜାଯାଇଥିଲା ଯେଉଁଠାରୁ ଏକାସାଙ୍ଗେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ପଷ୍ଟ-ଦର୍ଶନ କରିହେଉନଥିଲା । ପୃଥକ୍ ଭାବେ ଦର୍ଶନ ଦେଉଥିଲେ ମହାପ୍ରଭୁମାନେ । ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରା ଦୁହେଁ ଗୋଟେ ଫ୍ରେମ୍‌ରେ ପରିଦୃଷ୍ଟ ଦେଉଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ପୃଥକ୍ ଭାବେ ଦୃଶ୍ୟମାନ ହେଉଥିଲେ । ପୁଣି ଖୁଂଟଟିଏ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାରେ ବାଧକ ସାଜୁଥିଲା ବହୁ ସମୟରେ ।

ଲେଖିବାର ଉଦ୍ଧେଶ୍ୟ ସ୍ନାନବେଦୀରେ ପୂର୍ବଥର ପରି ଏକାସାଙ୍ଗେ ଚତୁର୍ଦ୍ଧା ମୂର୍ତ୍ତିମାନଙ୍କୁ ଦେଖିବାର ସୁଯୋଗ ମିଳିନଥିଲା, ଯେବେ ବି ଏକାଠି ତିନିଭାଇଭଉଣୀ ଦୃଶ୍ୟମାନ ହେଉଥିଲେ, ସ୍ପଷ୍ଟ ଦିଶୁନଥିଲେ କିମ୍ବା ଖୁବ୍ ଛୋଟ ଦିଶୁଥିଲେ । ହେଉ, ଏହାକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି ଧରିନେବା ।

ଗତବର୍ଷ ପରି ଏଥର ମଧ୍ୟ ରଥଯାତ୍ରା ସମୟରେ ନନ୍ଦିଘୋଷ ରଥରେ ମହାପ୍ରଭୁ ଡାହାଣ ପଟକୁ ଢଳିପଡିଥିବାର ସ୍ପଷ୍ଟ ବାରି ହେଉଥିଲା । ଅବଶ୍ୟ ପରେ ଏହାକୁ ବିଭିନ୍ନ ଘଟଣା ବା ଦୁର୍ଘଟଣା ସହିତ ଯୋଡି ତର୍ଜମା କରାଯାଇ ମହାପ୍ରଭୁଙ୍କ ଇଚ୍ଛା ବୋଲି କୁହାଯାଇପାରେ । କିନ୍ତୁ ଏଭଳି ବ୍ୟତିକ୍ରମରେ ଭକ୍ତର ଭାବାବେଗ ଆକ୍ରାନ୍ତ ହେବା ନିଶ୍ଚିତ । ସ୍ଥୂଳତଃ ଏଭଳି ବ୍ୟତିକ୍ରମ ଅସରନ୍ତି । ସେସବୁର ଯଦି ସମାଧାନ ନହୁଏ କିମ୍ବା ଚେଷ୍ଟା କରାନଯାଏ ତେବେ ବିଡମ୍ବନା ନୁହେଁ ତ ଆଉ କଣ କୁହାଯିବ! ରଥଯାତ୍ରାର ସିଧାପ୍ରସାରଣ ଭକ୍ତମାନଙ୍କ ଭାବାବେଗର ସୁରକ୍ଷା ନିମନ୍ତେ । ଦୂରରେ ଥାଇ ମହାପ୍ରଭୁଙ୍କୁ ଟିକେ ଆଖି ପୂରେଇ ଦେଖିବାର ଇଚ୍ଛା ଭିତରେ ସଂଘଟିତ ହେଉଥିବା ଅବ୍ୟବସ୍ଥାଗୁଡିକୁ ବାଦ୍ ଦେଇହେବ କିପରି !

ମହାପ୍ରଭୁ ତ ବିଶ୍ୱାସର ପ୍ରତୀକ । ପୁଣି ରଥାରୂଢ ମହାପ୍ରଭୁଙ୍କୁ ଗୋଟେ ସେକେଣ୍ଡ ପାଇଁ ଦର୍ଶନ କରିବା ବି ସୌଭାଗ୍ୟର କଥା ଥିଲା ଏଥରକ !

ଆଖି ପୂରେଇ ଦେଖିବା ତ ଦୂରର କଥା! କାରଣ କ୍ୟାମେରା ବଡଦାଣ୍ଡର ଫଟୋ ଉତ୍ତୋଳନକୁ ଗୁରୁତ୍ୱ ଦେଉଥିଲା ..ଗୁରୁତ୍ୱ ଦେଉଥିଲା ବର୍ଦ୍ଧିତ ଜନଗହଳିକୁ, ଅଚେତ ହୋଇପଡୁଥିବା ଭକ୍ତମାନଙ୍କୁ ବୋହିନେଇଯାଉଥିବା ସ୍ୱେଚ୍ଛାସେବୀଙ୍କୁ, ଆଉମଧ୍ୟ ଡ୍ରୋନ୍ର କାର୍ଯ୍ୟକୁଶଳତାକୁ । ଭକ୍ତର ଏସବୁରେ କି ଲାଭ ! ଦୂରରେ ଥାଇ କି ପାଖକୁ ଯାଇ ଯଦି ଭକ୍ତ ମହାପ୍ରଭୁଙ୍କୁ ମନଲାଖି ଦର୍ଶନ କରିପାରିଲା ନାହିଁ ତେବେ ସେ ନିଜକୁ କି ଆଶ୍ୱାସନା ଦେବ! ବୁଝେଇନେବ କି ମନକୁ- ମହାପ୍ରଭୁଙ୍କ ଇଚ୍ଛା ବୋଲି କହି! ଯଦି ରଥମାନଙ୍କରେ ଭିଡ ବଢିବାରୁ ଦର୍ଶନ ନପାଇବ ତା ବି ମହାପ୍ରଭୁଙ୍କ ଇଚ୍ଛା ବୋଲି ଧରିନେବ !

ନିଜକୁ ଓ ଅନ୍ୟକୁ ପ୍ରବୋଧନା ଦେବା ସହିତ ଭୁଲ୍ ଲୁଚାଇବା ପାଇଁ ଏ ଉକ୍ତିଟି ସତରେ ଗୋଟେ ବ୍ରହ୍ମାସ୍ତ୍ର ! ସବୁକିଛି ମହାପ୍ରଭୁଙ୍କ ଇଚ୍ଛା ବୋଲି କହିଦେଲେ ସାମ୍ନାଲୋକରବଡ ପାଟି ବି ଖନେଇଯାଏ ପ୍ରତିବାଦ କରିବାକୁ । କାରଣ ସମାଜର ଅଧିକାଂଶ ଲୋକ ଧର୍ମଭୀରୁ ! ଲୋକଙ୍କ ଏହି ଦୁର୍ବଳତା ପାଇଁ ସତ୍ୟର କଣ୍ଠରୋଧ କରାଯାଏ । ଯେଉଁ ଭକ୍ତି ମଣିଷକୁ ଦୁର୍ବଳ କରେ ସେ ଭକ୍ତି ପରିପକ୍ୱ ନୁହେଁ । ଆତ୍ମସମର୍ପଣ ପରେ ମଣିଷ ଆଉ ନିଜ ଭିତରେ ସୀମିତ ରହେନା ଯାହାପାଇଁ ଚଂଚକତାର ଆଶ୍ରୟ ନେବାକୁ ପଡିବ । ଆମେ ଏଭଳି ସମାଜରେ ବଂଚୁଛେ ଯେଉଁଠାରେ ମହାପ୍ରଭୁ କେତେବେଳେ ଅସ୍ତ୍ର ତ କେତେବେଳେ ଢାଲ ରୂପେ ବ୍ୟବହୃତ । ଯେକୌଣସି ଦୋଷ ଓ ଚକ୍ରାନ୍ତକୁ ଘୋଡାଇବାକୁ ଏହି ଉକ୍ତିଟି ବହୁଳ ଭାବେ ବ୍ୟବହୃତ ଓ ପ୍ରଭାବଶାଳୀ ପ୍ରମାଣିତ ।

ଅବଶ୍ୟ ଏହି ଉକ୍ତିଟିର ଘନଘଟା ଓ ଆବଶ୍ୟକତାକୁ ଚତୁର ଲୋକେ ବେଶ୍ ବୁଝିପାରୁଛନ୍ତି । ହେଲେ ନିରୂପାୟ ! ସ୍ପର୍ଶକାତର ଘଟଣାରେ ସ୍ୱର ଉତ୍ତୋଳନ କରି ପ୍ରତିବାଦ କରିବାକୁ ଆମେ ମହାପ୍ରଭୁଙ୍କ ଇଚ୍ଛା ବୋଲି କହିପାରିବା ନାହିଁ । କାରଣ ଆମେ ପ୍ରଭାବଶାଳୀ ଲୋକ କିମ୍ବା ପ୍ରଶାସନର ଅଂଶ ନୋହୁଁ । ଏଠି ପ୍ରତିବାଦର ସ୍ୱର ଥମିବା ଆଚମ୍ବିତ କଥା ନୁହେଁ । ବରଂ ଆଦୌ ନଉଠିବା ବିସ୍ମୟକର । ସେଥିପାଇଁ ସାମ୍ନାଲୋକକୁ ଭୟଭୀତ କରି ସ୍ଥାଣୁ କରିଦେବା ଅସଂଭବ ନୁହେଁ ।

ଉଦାହରଣ ସ୍ୱରୂପ ଆଜିକାଲି ପ୍ରତିଟି କଥାରେ –“ମହାପ୍ରଭୁଙ୍କ ଇଚ୍ଛା” ବୋଲି କହି ଅଧିକାଂଶ କଥାକୁ ଚପାଇ ଦିଆଯାଉଛି, ଭକ୍ତର ଭାବାବେଗ ସହିତ ଖେଳାଯାଉଛି ! ଅହମିକାକୁ ସିଦ୍ଧ ପ୍ରମାଣିତ କରି ବା ସ୍ୱାର୍ଥାର୍ଜିତ ଦୁଷ୍କର୍ମକୁ ଈଶ୍ୱରଙ୍କ ଇଚ୍ଛା ବୋଲି ଅଭିହିତ କରି ଭକ୍ତମାନଙ୍କୁ ବିଭିନ୍ନ ବାଗରେ ଠକା ଯାଉଛି । ଏଭଳି ଅତୀତରୁ ହୋଇଆସୁଛି । ଅଥଚ ପ୍ରତିବାଦର ସ୍ୱର ନାହିଁ ! କାହା ଉପରେ ବଜ୍ରାଘାତ ହେଲେ ମହାପ୍ରଭୁଙ୍କ ଇଚ୍ଛା, କେହି ଦୁର୍ଘଟଣାରେ ମୃତ୍ୟୁବରଣ କଲେ ମହାପ୍ରଭୁଙ୍କ ଇଚ୍ଛା..କାହାର ପୁତ୍ର ସନ୍ତାନ ଜାତ ହେଲେ ମହାପ୍ରଭୁଙ୍କ ଇଚ୍ଛା, କେହି ନିଃସନ୍ତାନ ହେଲେ ତାହା ବି ମହାପ୍ରଭୁଙ୍କ ଇଚ୍ଛା! ହଁ ମଣିଷ ଆୟତ୍ତର ବର୍ହିଭୂତ କଥାକୁ ଈଶ୍ୱରୀୟ ଇଚ୍ଛା ବୋଲି ଧରିନେବାରେ ଆପତ୍ତି ନାହିଁ କି ଦ୍ୱିମତ ହେବାର ଅବାକାଶ ମଧ୍ୟ ନାହିଁ ।
କିନ୍ତୁ ହୋଟେଲ୍ ନିର୍ମାଣ କରିବାକୁ କାହା ଘର ଭଙ୍ଗାଗଲେ, ବସ୍ତି ଭଂଗା ଯାଇ ଅଟ୍ଟାଳିକା ଗଢିଉଠିଲେ, ଅନ୍ୟ ସ୍ଥାନରେ ରଥର ଉଚ୍ଚତା ପୁରୀ ରଥର ଉଚ୍ଚତାଠାରୁ ଅଧିକ ହେଲେ ତାହା ମହାପ୍ରଭୁଙ୍କ ଇଚ୍ଛା ! ଅତୀତରେ ବି ମହାପ୍ରଭୁଙ୍କ ଇଚ୍ଛାରେ ଅନେକ ଅଘଟଣ ଘଟିଛି ! ଗତ ନବକଳେବର ସମୟର ଅଘଟଣ, ସ୍ନାନବେଦୀରେ ରକ୍ତଛିଟା, ରତ୍ନଭଣ୍ଡାରର ଚାବି ହଜିବା ଏସମସ୍ତ ଘଟଣା ବା ଦୁର୍ଘଟଣା ବି ମହାପ୍ରଭୁଙ୍କ ଇଚ୍ଛାରେ ଘଟିଛି ! ନୀତି ବିଳମ୍ବ ହେଲେ ମହାପ୍ରଭୁଙ୍କ ଇଚ୍ଛା, ସଅଳ ହେଲେ ବି ମହାପ୍ରଭୁଙ୍କ ଇଚ୍ଛା ! ସତରେ କଣ ସମସ୍ତେ ମହାପ୍ରଭୁଙ୍କ ହାତରେ ଏ ଜଗତକୁ ଟେକିଦେଇଛନ୍ତି ? ଆତ୍ମସମର୍ପଣ କରିଦେଇଛନ୍ତି ନିଜକୁ ତାଙ୍କ ଚରଣରେ ! ନା ଏସବୁ ଆତ୍ମପ୍ରବଂଚନା ସହିତ ସଂସାରକୁ ଛଳିବାର କୁତ୍ସିତ ମାନସିକତା ?

ତେବେ ତୃଣମୂଳ ସ୍ତରକୁ ଆସି ମହାପ୍ରଭୁଙ୍କ ଇଚ୍ଛାକୁ ପରଖିବାକୁ ହେବ । ବିପିଏଲ୍ ତାଲିକାରେ ନାମ ଯୋଡାନଗଲେ, ତୋଷାମଦି କରି କେହି ଅଧିକ ଚାଉଳ କି କିରୋସିନ୍ ନେଇଗଲେ, ପଡୋଶୀ ଘର ଲୋକ ଦାମିକା ଗାଡି କିଣିଲେ କି ଭଲ କୋଠା ତିଆରି କଲେ, ପ୍ରତିଦ୍ୱନ୍ଦ୍ୱୀ ଚଂଚକତା କରି ନିଜଠାରୁ ଜିତିଗଲେ, ମେଧା ତାଲିକାରୁ କାହାର ନାମ ଅନୈତିକ ଉପାୟରେ କଟାଗଲେ, ଯୋଗ୍ୟତାନଥିବା ଲୋକଟିର ପଦୋନ୍ନତି ହେଲେ, ଯୋଗ୍ୟଲୋକଟିକୁ ତା ଅଧିକାରରୁ ବଂଚିତ କଲେ ମହାପ୍ରଭୁଙ୍କ ଇଚ୍ଛା ବୋଲି ଏଥର ଧରିନେବାକୁ ପଡିବ । ନିୟମିତ ଘଟୁଥିବା ଅଘଟଣଗୁଡିକୁ ମହାପ୍ରଭୁଙ୍କ ଇଚ୍ଛା କହି ଚୋର ବି ଆଖି ସାମ୍ନାରେ ଚୋରି କରି ଚାଲିଯିବ, ଅନ୍ୟାୟ ବିଜୟ ଲାଭ କରିବ, ଭୁଲ୍କୁ ଠିକ୍ ବୋଲି ଦର୍ଶାଯାଇ ଅନୀତିକୁ ନୀତି କୁହାଯାଇପାରିବ । ଗୋଟେ ଆଳ- “ମହାପ୍ରଭୁଙ୍କ ଇଚ୍ଛା”, ଯାହା ଅନୀତି, ଅନ୍ୟାୟକୁ ନୀତିଯୁକ୍ତ ଓ ନ୍ୟାୟସଂଗତ ପ୍ରମାଣିତ କରିଦେବ ।

ଏ ଯେଉଁ ସାଂଘାତିକ ବାହାନା କରି ଆମେ ମହାପ୍ରଭୁଙ୍କୁ ଦାୟୀ କରୁଛେ ପ୍ରତିକ୍ଷଣରେ, ସେ ଅନ୍ୟାୟ ଆମକୁ ଭସାଇନେବନି ତ ନିର୍ମୂଳ କରି, ସଚେତନ ହେବା କଥା ! କାଲି ଯଦି ଆମ ପରପିଢୀ ଭୁଲ୍ ରାସ୍ତାକୁ ଯାଇ ଆମକୁ କହିବେ- ମହାପ୍ରଭୁଙ୍କ ଇଚ୍ଛାରେ ହେଉଛି, ଆମର ଦୋଷ ନାହିଁ ! ଡ୍ରାଇଭର୍ ମଦ୍ୟପାନ କରି ଗାଡି ଦୁର୍ଘଟଣା କରି କହିପାରେ- ମହାପ୍ରଭୁଙ୍କ ଇଚ୍ଛାରେ ହୋଇଗଲା ! ଅନ୍ୟ ଦେଶ ଆମଦେଶକୁ ଆକ୍ରମଣ କଲେ ଆମ ସୈନିକମାନେ କହିବେ- ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି ! ପିଲାଟିଏ ହାତରେ କଲମ ଯାଗାରେ ବନ୍ଧୁକ ଉଠେଇ କହିପାରେ- ମହାପ୍ରଭୁଙ୍କ ଇଚ୍ଛା ବୋଲି ! ବାରୁଦଗଦାରେ ନିଆଁ ଲଗାଇ କିମ୍ବା ଦୁଷ୍କର୍ମ କରି ଯଦି ଏଭଳି କିଛି ସଫେଇ ଦିଏ ଦୁର୍ବୁର୍ତ୍ତ,ତେବେ ତାକୁ ଦଣ୍ଡ ମିଳିବ ତ ? ନା ମହାପ୍ରଭୁଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଧେଶ କରି ଆମେମାନେ ତ୍ରାହି ପାଇଯିବା ?

ମଣିଷ ପରି ଅମୂଲ୍ୟ ଜନ୍ମ ପାଇଛେ । ପ୍ରତି ମଣିଷ ଭିତରେ ଭଲ ମନ୍ଦ ଗୁଣ ନିହିତ ରହିଛି । ସୌଭାଗ୍ୟ ଦୁର୍ଭାଗ୍ୟକୁ ନେଇ ମଧ୍ୟ ମଣିଷ ଆଶାବାନ୍ ହେଉଛି । ସବୁ ଅସହାୟତା ସତ୍ତ୍ୱେ ସେ ମହାପ୍ରଭୁଙ୍କ ପାଖରେ ଆସ୍ଥା ରଖିଛି । ଆଖିମୁଦି ବିଶ୍ୱାସ କରୁଛି । ଯଦି ସେହି ବିଶ୍ୱାସକୁ ଭାଂଗିବାର କୁଚେଷ୍ଟା କରାଯାଏ ତେବେ ସାରା ମଣିଷ ସମାଜ ଘୋର ବିପତ୍ତି0ର ସମ୍ମୁଖୀନ ହେବ । ପରପିଢୀଙ୍କ ପାଖରେ ଭୁଲ୍ ବାର୍ତ୍ତା ପହଂଚିବ । ସେତେବେଳକୁ ହୁଏତ ମହାପ୍ରଭୁଙ୍କ ଉପରୁ ଲୋକମାନଙ୍କ ଆସ୍ଥା କମିଆସିଥିବ । ତେଣୁ ନିଜ ନିଜର ଭୁଲ୍କୁ ନସଜାଡି ମହାପ୍ରଭୁଙ୍କ ନାମ ଧରି ପାପର ବୈତରଣୀ ପାର ନକରୁ କେହି ଛଦ୍ମଭକ୍ତ । ପ୍ରକୃତ ଭକ୍ତମାନଙ୍କର ଆସ୍ଥା ଓ ବିଶ୍ୱାସକୁ ପାଦରେ ମନ୍ଥି ବା କ୍ଷତାକ୍ତ କରି ଏ କାଳଖଣ୍ଡ ଆଗକୁ ଖରାପ ପରମ୍ପରା ସୃଷ୍ଟି ନକରୁ । ଏଥିପାଇଁ ପ୍ରକୃତ ଭକ୍ତଟିଏ ସଚେତନ ହେଉ ପ୍ରଥମେ । କାରଣ ମହାପ୍ରଭୁ ବ୍ୟକ୍ତିଗତ ସଂପତ୍ତି ନୁହନ୍ତି କାହାର । ସେ ସମସ୍ତଙ୍କର । ସେ ଅଧିକାରରେ ଭକ୍ତ ପ୍ରତିବାଦ କରିବା ଶିଖୁ ନହେଲେ ମହାପ୍ରଭୁ ମଧ୍ୟ ନୀରବିଯିବେ । କାରଣ କର୍ମଣ୍ୟେବାଧିକାରସ୍ତେ ମାଫଳେଷୁ କଦାଚନ । ଏହାର ବାସ୍ତବତା ହେଜିବାକୁ ପଡିବ ଆମ ସମସ୍ତଙ୍କୁ ।

ଲୋକପ୍ରିୟ ଲେଖା

To Top