ମାମୁଁ ଯାଇଥିଲେ ଭୁବନେଶ୍ୱର,
ଆଣିଲେ ଚଷମା ନାଲି ରଙ୍ଗର ।
ଗୋଲ୍ ଗୋଲ୍ ତା’ର କାଚ ଦୁଇଟି,
ମା’ର ହାତେ ସଜା ଚୁଡ଼ି ଯେମିତି ।
ଚଷମା ସାଥେ ଖରା ଟୋପି ସବୁଜ,
ମୁଣ୍ଡରେ ଲଗାଇ କଲି ବଡ଼ ମଉଜ ।
ଟୋପି ଟି ରଖିଲି ଯତନେ ଚଷମା ଉପରେ,
ଚାରିପଟେ ଟାଣିଲି ଗାର ପେନସିଲରେ ।
ଜିନିଷ ଦୁଇଟି ଉଠାଇ ଦେଖିଲି,
ଅକ୍ଷର ଟିଏ ମୁଁ ଯେ ନୂତନ ପାଇଲି ।
କେହି ନୁହେଁ ଇଏ ଥିଲା ହ୍ରସ୍ୱ ‘ ଇ ‘,
ଖୁସି ହେଲି ଭାରି ତାକୁ ପାଖରେ ପାଇ ।
ଦେଖିବାକୁ ଭାରି ସୁନ୍ଦର ଲାଗୁଛି ‘ଇ ‘,
ଆଉଥରେ ଲେଖିବି ତାକୁ ଟୋପି ଚଷମା ହଟେଇ ।
ପିଠିକୁ ପିଠି ଲଗାଇ ଦୁଇଟି ଗୋଲ୍ ଆଙ୍କିବି,
ବାମ ଗୋଲ୍ ର ବାମ ପଟୁ ଅଙ୍କୁର ଟାଣିବି ।
ଅଙ୍କୁର ଟିକୁ ଟୋପି ଭଳି ଟାଣିନେଇ,
ଡ଼ାହାଣ ପଟ ଗୋଲ୍ ଶେଷରେ ଦେବି ଲଗାଇ ।
ଛୋଟ ତେରେଛା ଗାରଟେ ଦେବି ସେଇଠି ଯୋଡ଼ି,
ଏବେ ‘ ଇ ‘ ହେଇଗଲା ଟୋପି ଚଷମା ଛାଡି ।
‘ ଇ’ ରୁ ବାହାରି ଆସିଲାଣି ଶବ୍ଦ କେଡ଼େ ସୁନ୍ଦର,
ଇମୋଜି ଇସାରାରେ ହଜିଛି ଇତିହାସ ଇଂରାଜୀର।
ଖଇ, କଇଥ, ଇଲିସି, ମିଶାଇ ଖାଇ,
ପଇଡ଼ ପିଇ ବଇଛି ଆମ ପାପାନି ଭାଇ ।