କବିତା

ଆକାଶର ମେଘ ଆଉ ମୁଁ

Sanatan Das's odia poem Aakaashare Megha Aau Mun

ନୀଳ ବର୍ଣ୍ଣର ସେଇ ସୁନ୍ଦର ଆକାଶ ଟି
ମୋ ବଖାଣି ଥିବା ଦୁଃଖରେ ରଙ୍ଗ ବଦଳେଇ ସାରିଥିଲା…

ଆକାଶର ମେଘ ଆଉ ମୁଁ

ଆକାଶକୁ ସବୁ ଦୁଃଖ କହିଦେଲା ପରେ,
ବ୍ୟଥା ସବୁ ମିଳେଇ ଯାଉଥିଲା
ଥର୍ମୋସ୍ଫିୟରରେ ଧୂଳିକଣା ହୋଇ,

ଓଜନିଆ ମନ ଟା ପବନ ପରି ଟିକେ ଟିକେ ହାଲକା ଲାଗୁଥିଲା,
ଦୀର୍ଘ ଶ୍ଵାସ ଛାଡ଼ି ଗନ୍ତବ୍ୟ ସ୍ଥଳ ଦିଗେ
ଅଗ୍ରସର ହେଲି ଜୀବନ ଜୀବିକାର ଡାକରାରେ…!!

ମର୍ମଭେଦୀ ବେଦନା ସବୁ ଭାରାକ୍ରାନ୍ତ କରିଦେଇଥିଲା
ସେଇ ନୀଳ ଆକାଶକୁ,
ଧୀରେ ଧୀରେ ଦୁଃଖର କଳା ବାଦଲ
ଛାଇ ହୋଇଯାଇଥିଲା ତା ସ୍ୱଚ୍ଛ ବକ୍ଷରେ,

ନୀଳ ବର୍ଣ୍ଣର ସେଇ ସୁନ୍ଦର ଆକାଶ ଟି
ମୋ ବଖାଣି ଥିବା ଦୁଃଖରେ ରଙ୍ଗ ବଦଳେଇ ସାରିଥିଲା…
ଅପେକ୍ଷା ଥିଲା କେବଳ ବୁକୁ ଫଟା କରୁଣ କ୍ରନ୍ଦନକୁ,
ଲୋତକ ସବୁ ଅମାନିଆ ହୋଇ ଉଚ୍ଛାସର ଲହଡ଼ି ଭାଙ୍ଗି ଭୂପତିତ ହେବାକୁ ଚେଷ୍ଟିତ ଥିଲେ ଅନବରତ…!!

ହଠାତ୍ ବିଜୁଳିର ଚମକ୍ ରେ ସାନ୍ତ୍ଵନାର ଉଷୁମ ଛୁଆଁ
ଛୁଇଁ ଦେଇଗଲା ମୋ ମନରେ,…
ଆଉ ତା ପରେ….

ହଁ… ତାପରେ…..
ମୁଁ ଥିଲି ନୀରବ ଆଉ ନିଶ୍ଚଳ..
କିନ୍ତୁ, ମେଘ ବୁନ୍ଦା ସବୁ ଅଗ୍ରସର ହେଲେ
କ୍ଷୀପ୍ର ଗତିରେ ଲଂଘି ସୀମା ସରହଦ,
ବରଷି ଚାଲିଥିଲା ଆକାଶ ସାରା ରାତି,
ମୋ ହୃଦୟକୁ ଦେବା ପାଇଁ ଶୀତଳ ପରଶ..!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top