କବିତା

ଆମ ଗାଆଁ ରାସ୍ତା

Rahas Kumar Behera's odia poem Aama Gaan Rasta

ମୋ ଗାଆଁ ର ରାସ୍ତା ଏବେ ଏବେ ପିନ୍ଧିଚି
ଫିକା କଳା ରଙ୍ଗର ଶାଢ଼ୀ
କୁଞ୍ଚ କରି ଜୋରରେ ଅଣ୍ଟାରେ ଭିଡିକି ପିନ୍ଧିବା ପୂର୍ବରୁ
ହଜିଗଲାଣି ତା’ଝିଲି ମିଲି ଧୂସର ରଙ୍ଗର ଧଡ଼ି ,

ଆମ ଗାଆଁ ରାସ୍ତା

ବାର ମାସରେ ବାର ପ୍ରକାରର
ଛିଟ ଶାଢ଼ୀ ପିନ୍ଧି ଫୁଲେଇ କି’ଲାଜେଇ ଜମା ନୁହେଁ
ମୋ ଗାଆଁର ଖାଲ ଢିପର ମାଟି ରାସ୍ତା,
ଅଣ୍ଟାକୁ ଅଙ୍କେଇ,ବଙ୍କେଇ ବେଣିକି ଲମ୍ବେଇ
ଅନେକ ମାନ,ଅଭିମାନ ରଖି
କହି ପାରେନା କାହାକୁ ଲିଭେଇବାକୁ
ତା’ଛାତି ତଳେ ଅହରହ ଜଳୁଥିବା
ଅକୁହା ମନର ହୁତୁହୁତୁ ନିଆଁକୁ ।

ସେ’ତ ଅଭିଶପ୍ତ ନାରୀଟିଏ
ଠିକ ପାଷାଣୀ ଅହଲ୍ୟା ପରି
ହଜିଯାଇଛି ତା’ନିଚ୍ଛକ ସରଳ ଭଲପାଇବା,
ମନ ବନ୍ଧାପଡିଛି କେଉଁ ଅତୀତରୁ
ଦୂଷିତ ସମୟର ଦୂର ଅପହଞ୍ଚ ଇଲାକାରେ ,
କେମିତି ଦୟନୀୟା, ଅସହାୟା ସତେ ସେ,
ନିଜର ଦୁଃଖଦ ହାଡ଼ କଙ୍କାଳ ସାର ଦେହ ପାଇଁ
ତେଣୁ, ଢାଳେ ଅନ୍ତରରୁ ଅଜସ୍ର ଅଶାନ୍ତିର ଲୁହ ।

ତା’କୁ ବାରମ୍ବାର ଲାଞ୍ଚ୍ଛିତ, ପ୍ରତାରିତ କରିଛନ୍ତି
ନିଜ ଗାଆଁର ଠିକାଦାର, ଟାଉଟର, ସରପଞ୍ଚ, ସାହୁକାର
ତା’ର ସ୍ୱାଭିମାନ ସହ ପ୍ରତାରଣାର ଖେଳ ଖେଳି ,
ହୋଇଛନ୍ତି କେତେ ମାଲାମାଲ
ଗଢ଼ିଛନ୍ତି ନିଜର କୋଠା ପରେ କୋଠା
ବଢେଇଛନ୍ତି କଳା ଟଙ୍କାର ବ୍ୟାଙ୍କ ବାଲାନ୍ସ ।

ଭାରି ଖାରପ ଲାଗେ
ଲାଜରେ ମୁଣ୍ଡ ନଇଁଯାଏ ସେତେବେଳେ
ଯେତେବେଳେ ଘୃଣାରେ ନାକ ଟେକନ୍ତି ଆଉ କହନ୍ତି
କେହି ବାହାର ଗାଁରୁ କୁଣିଆ, ଅତିଥି ଆସିଲେ
“କେତେ ନୀଚ ମନା ଲୋକ ଗୁଡାକ ଏଠି ଅଛନ୍ତି ସତରେ
ପ୍ରତିବର୍ଷ କିଛି କାମ ଚଳାଇ ସ୍ୱାର୍ଥର ମାଟି ଘୋଡେଇ
ଲୁଟି ଚାଲିଛନ୍ତି ସର୍ବସାଧାରଣ /ଦେଶର ରାଜକୋଷ
ନାହିଁ ଏମାନଙ୍କର ସମ୍ମାନବୋଧ ଅବା ସ୍ୱାଭିମାନ କିଛି ” ।

ଏଠି ବିରୋଧୀ ନେତା, ଜନତା ପୁରା ଭକୁଆ
ନାହିଁ କାହାରି ତିଳେମାତ୍ର ପ୍ରତିବାଦ
ଯେମିତି ଖୋଲି ଦେଇଛନ୍ତି ରୋଜଗାରର ଗୋଟେ ନୂଆ ହାଟ
ଶସ୍ତାରେ ବିକା ଚାଲିଛି ଯେଉଁଠି
ସୁଲଭ ଦରରେ ରାସ୍ତାର ଇଜ୍ଜତ ଆଉ କାଲିର ଭବିଷ୍ୟତ ।

ସ୍ୱାଧୀନତାର ଅନେକ ବର୍ଷ ପରେ
ମୋ ଗାଆଁ ର ରାସ୍ତା ଏବେ ଏବେ ପିନ୍ଧିଚି
ଫିକା କଳା ରଙ୍ଗର ଶାଢ଼ୀ
କୁଞ୍ଚ କରି ଜୋରରେ ଅଣ୍ଟାରେ ଭିଡିକି ପିନ୍ଧିବା ପୂର୍ବରୁ
ହଜିଗଲାଣି ତା’ଝିଲି ମିଲି ଧୂସର ରଙ୍ଗର ଧଡ଼ି ,
କେଇ ଦିନରେ ଚିରା ଫଟାରେ ଦିଶିଲାଣି ତାର ଫୁଙ୍ଗୁଳା ଅବୟବ
ଯେମିତି ସେ ଲାଜ ଲୁଚେଇବାକୁ ଯାଇ
ଖୋଜୁଛି କାହାର ଗୋଟେ ନିହାତି ଆଶ୍ରୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top