ଅଘୋରୀର ନଥାଏ ଘର
ନଥାଏ ସଂସାର
କିନ୍ତୁ ଅଘୋରୀର ଅନ୍ୱେଷଣ ନିରନ୍ତର ।।
ଅଘୋରୀ ଘର ଖୋଜେନା
କ’ଣ ସେ ଖୋଜୁଥାଏ ନିରବରେ
ପଚାରିଲେ ନଥାଏ ଉତ୍ତର ।।
କଥା କଥାକେ ଗୀତ ଯୋଡୁଥାଏ
କାହାକୁ ଅଭିସମ୍ପାତ ତ
କାହାକୁ ବର ।।
କାହା ଆଖିରେ ସିଏ
ଈଶ୍ୱରଙ୍କ ଅବତାର
ପୁନଶ୍ଚ କାହା ଆଖିରେ ଅତ୍ୟନ୍ତ ବର୍ବର ।।
ଅଘୋରୀ କେଉଁଠି ଖାଏ,
କେଉଁଠି ଶୁଏ ଓ କ’ଣ ସେ କହେ
କେହି ବୁଝେନା ।।
ଅବୁଝା କଥାରେ ଭାସୁଥାଏ
ଅଘୋରୀର ଜୀବନ ନଉକା
କେହି, କେହି ଠାର ବୁଝେ, ଅନେକ ଅବୁଝା ।।
ଅସ୍ଥିରତାରେ ଡୁବିଥାଏ, ମନ ଚଇତନ
ଜୀବନ ଆଲେଖ୍ୟ ତା’ର ସମ୍ପୂର୍ଣ୍ଣ ଭିନ୍ନ ।।
ଆହାଃ ଅଘୋରୀ ।
ତା’ ବିଶ୍ୱାସରେ କେହି ନୁହେଁ ଆପଣାର
କିମ୍ୱା କେହି ତା’ର ପର
ସନ୍ନ୍ୟାସର ଚୌକାଠ ଭିତରେ
ଯୋଡୁଥାଏ ସମ୍ପର୍କର ଘର
ଈଶ୍ୱର ଏବଂ ମଣିଷର ।
