ଏଇତ ବସନ୍ତ ଆସିଛି
ଆରପାଖ ଆମ୍ବଗଛ
ସଜ କଅଁଳିଛି,
ବସନ୍ତ ରଙ୍ଗରେ ରଙ୍ଗି
ବଦଳୁଛି, ଧୀରେ ଧୀରେ କରି ।
କୋଇଲିର କୁହୁ ତାନ,
ମିଠା ବାସ୍ନା ପରି ପବନେ ଭାସୁଚି ।
ରହି ରହି କୋଇଲିର ସୁର
କରେ ଆଶାର ସଂଚାର
ସଭିଙ୍କର ମନେ ।
ଆଖିରେ ପିନ୍ଧାଏ
ରଙ୍ଗୀନ ଚଷମା
କୋଇଲିର ମିଠା ସୁର ଆଣେ
ଜୀବନରେ ଅନେକ ପ୍ରେରଣା
ବର୍ଷରେ କେଇଦିନ ?
ବସନ୍ତର ଉପସ୍ଥିତି
ତ’ କ୍ଷଣସ୍ଥାୟୀ,
ଉଛୁଳା ଆଶା ଆଉ
ସ୍ଵପ୍ନ ବିଭୋର ଆଖିରେ
ନିରାଶାର ଚିହ୍ନ ।
କୁଆରବ କା’ କା’ ନିହାତି କର୍କଶ
ନାହିଁ ସେଠି ମିଠା ସ୍ଵପ୍ନ, ବିଭୋର ସାମଗ୍ରୀ ।
ଅଛି ସେଠି, ନିଷ୍ଠୁର ବାସ୍ତବତା
ବର୍ଷ ସାରା ଧନ୍ଦି ହେଉଥିବା,
ଅହରହ ଜୀବନ ଜଞ୍ଜାଳର ସୂତ୍ର ।
ଅନେକ ଆପଣାର
ଜଣା ଶୁଣା ମଣିଷଟେ ପରି ।
ପାଦ ସ୍ଥିର ମାଟି ପରେ,
ତା ସୁନ୍ଦରତା ଦେଖିବାକୁ
ଅଭାବ ଆଖିର ।
କୋଇଲିର ମିଠା ସୁର, ମିଛ ସପନ
କଳ୍ପନା ଦୁନିଆ, ଅସ୍ତିତ୍ଵ ବିହୀନ
କୁଆ ରାବର କର୍କଶତା,
ସତ୍ୟତାରେ ଭରା ରାତିଦିନ ।