କିଛି ଅସାଡପଣକୁ ସମୁଦ୍ରରେ
ବିସର୍ଜି ଆସିଲି..
ହେଲେ ସମୁଦ୍ର କାଳେ ସବୁ ଫେରାଇଦିଏ ।
କିଛି ଅଯଥା କୋଳାହଳରୁ
ମୁହଁ ଫେରାଇ ଅନୁଭବ କଲି..
କୋଳହଳର ତୀକ୍ଷ୍ଣ ଛୁରିକା
ଲମ୍ବିଯାଇଥିଲା ମୋ ଗଳାଯାଏଁ..!
ଏଇ ଯେ ରକ୍ତ ଝରୁଛି ଗଳାରୁ..!
କଂଟକିତ ରାସ୍ତାରୁ ପାଦ ହଟାଇ
ଯେତେବାର ହାତେ ମାପି ଚାଖଣ୍ଡେ ଚାଲିଲି
କ୍ଷତ ଓ ଯନ୍ତ୍ରଣାରେ ଭରିଗଲି ।
ଯାହା ଦେଲି ଫେରି ପାଇଲିନି..
ଯାହା ପାଇଲି ତା ମୋ କର୍ମଫଳ ନଥିଲା!
ଫିଙ୍ଗିଦେଲି ସରଳତାର ଆଭରଣ..
ନିରବତାର ନିଷ୍ପାପ ପୃଥିବୀରୁ
ମୁକୁଳି ଯେବେଠୁ ପରଖିଲି ଦୁନିଆକୁ..
ସେବେଠୁ ଜାଣିଲି
ଶୁଭେଚ୍ଛୁଙ୍କ ଭିଡରେ ଏଠି
ଅଜସ୍ର ଶତ୍ରୁ..!
ହସୁଥିବା ଲୋକଙ୍କ ମେଳରେ
କେତେସବୁ ରକ୍ତପିପାସୁ!
ସତେ କି ଚାହିଁବସିଛନ୍ତି
ପାଦତଲେ ମଥିଦେବାକୁ ମୋର ଅସ୍ତିତ୍ୱ!
ସେବେଠୁ ନୀରବତା ହିଁ ସାଥୀ
ସାଧନା ହିଁ କର୍ମ…!
ସେଇ ସେ ମାଛର ଆଖି..
ଯେଉଁଠି ବିନ୍ଧିବାକୁ ହେବ ତୀର!
