ବ୍ୟଙ୍ଗକବିତା

ନୂଆବର୍ଷ ପ୍ଲାନ

Shree Shree Hugulaa's odia satire poem Nooaabarsha Plaan

ବରଷକ ପରେ ସାଜସୁଜା ହୋଇ
ନୂଆବରଷଟା ଆସୁଛି
ଦେଖ ମୋ ଓଡ଼ିଶା ରାଇଜ ଏବେ
ବିଦେଶି ବିଦେଶି ବାସୁଛି ।

ନୂଆବର୍ଷ ପ୍ଲାନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବରଷକ ପରେ ସାଜସୁଜା ହୋଇ
ନୂଆବରଷଟା ଆସୁଛି
ଦେଖ ମୋ ଓଡ଼ିଶା ରାଇଜ ଏବେ
ବିଦେଶି ବିଦେଶି ବାସୁଛି ।

ଧନୀ ବାରିକ ପୁଅ କହିଛି
କିଣିବ ପଲ୍‌ସର
ପଡ଼ିଶା ଘର ଝିଅକୁ ନେଇ
ବୁଲିବ ଭୋନ୍‌ସର
ରାତି ଅଧରେ ହୋଟଲ ଯାଇ
ରଅମ, ସ୍କଚ୍, ହୁଇସ୍କି ପିଇ
ପାଳିବ ଦୁଇ ହଜାର ଅଠର
ସେଇ ଖୁସିରେ ଏଥର
ମନେ ମନେ ଖାଲି ରସୁଛି,
ଦେଖ ମୋ ଓଡ଼ିଶା ରାଇଜ ଏବେ
ବିଦେଶି ବିଦେଶି ବାସୁଛି ।

ମାଧ ବେହେରା ଝିଅ
ବୟସ ଏକରେ ନଅ
ବାପାକୁ କହିଛି ଆଜେବାଜେ ଜାମା
ପିନ୍ଧିବ ନାହିଁ, ପିନ୍ଧିବ ମିନି ସ୍କଅଟ
ଫରେନେ ଅତର ଦେହରେ ଢାଳି
ଦେହ ସଜେଇ କରିବ ହଅଟ
ପିନ୍ଧିବ ପୋଷାକ ଟାଇଟି
ପାଳିବ ଜିରୋ ନାଇଟି
ହିନ୍ଦୀ ଇଂରାଜୀ ଗୀତ ବାଜୁଥିବ
ଗୀତର ଗୀତର ତାଳରେ
ସୁରାପାନ କରି ନାଚିବ ପୁଣି
ଯବାନ ଟୋକାଙ୍କ ମେଳରେ ।
ଏଇ କଥା ଭାବି
ରାତି ସାରା ତାକୁ ନିଦ ନାହିଁ
କୁରୁଳି କୁରଳି ହସୁଛି,
ଦେଖ ମୋ ଓଡ଼ିଶା ରାଇଜ ଏବେ
ବିଦେଶି ବିଦେଶି ବାସୁଛି ।

କ୍ଲବ୍ ହେବ ଲଭ୍ ସେଣ୍ଟର
ଚୁମାଚୁମି ସବୁ ଫ୍ରି
ସେଇଥିପାଇଁ ସୁକୁଟା ଭାଇ
ବଇନା ଦେଇଛି
ନେଇକି ଯିବ ପଡ଼ିଶା ଘର ସ୍ତ୍ରୀ
ପଅପ ରଅକ ଜମେଇ ଦବ
ଧରିକି ଅଣ୍ଟା-ପିଠି,
ବେକରୁ ଓଠ ଚୁମ୍ବନ ଦେଇ
ଶୁଙ୍ଗିବ ତା’ ଜଡ଼ାତେଲିଆ ଚୁଟି ।
ମାସକ ଆଗୁ କହିଛି ତାକୁ
ମାଇଣ୍ଡି ମେକପକରି ରେଡ଼ି ହେବାକୁ
ସେଇଥିପାଇଁ ସେ ତା’ ବ୍ରଣ ମୁହଁରେ
ଆଳୁବାଟି ଖାଲି ନେସୁଛି,
ଦେଖ ମୋ ଓଡ଼ିଶା ରାଇଜ ଏବେ
ବିଦେଶି ବିଦେଶି ବାସୁଛି ।

ବୁଢ଼ାର ବି ମନ ଭାରି ଉଚ୍ଛନ
ବୁଢ଼ୀ ସହ ହେବ ସେଲିବ୍ରେସନ
ଆଜି ମନେପଡ଼ିଯାଏ
ତା’ ଯୁବାବେଳ କଥା ଏମିତି,
ନୂଆ ବରଷରେ ସ୍କୁଟରେ ବସେଇ
ଟେକିଆଣିଥିଲା କେମିତି ।
ଏବେ ଜାଗୁଛି ତା’ ଟୋକାପଣ,
ବୁଢ଼ୀକୁ ଟେକି ନାଚିବା ପାଇଁ
କରୁଛି କେତେ କଣ ।
ଜିଇମି ଯାଇ ବିଇମି ପରା ମାରୁଛି
ଲେନ୍ସ ଦେଇ ଡେନ୍ସ ପୁଣି କରୁଛି
ବୁଢ଼ାର ଏଭଳି ରଙ୍ଗ ଢଙ୍ଗ ଦେଖି
ବୁଢ଼ୀର ଓଢ଼ଣା ଖାଲି ଖସୁଛି,
ଦେଖ ମୋ ଓଡ଼ିଶା ରାଇଜ ଏବେ
ବିଦେଶି ବିଦେଶି ବାସୁଛି ।

1 Comment

1 Comment

  1. Asish kumar behera

    February 13, 2018 at 2:04 am

    ଦେଖ ମୋ ଓଡ଼ିଶା ରାଇଜ ଆଜି
    ବିଦେଶୀ ବିଦେଶୀ ବସୁଛି ।

    ସୁନ୍ଦର କବିତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top