ଯେଉଁଠୁ କୁଆଁ ରାବିଚି ବିରୂପା
ସେଇଠୁ ଆରମ୍ଭ ହେଇଚି କବିତା
ପଠା ପରିବା ଚାଷ ସାହିତ୍ୟ ସଂସ୍କୃତି
ଗାଁ କଡ଼ରେ ଗଜାପରି ମୁନେଇଚି
ଘାଟ ତୁଠ ତ୍ରିବେଣୀଶ୍ୱର ହାଟ
ଯେଉଁଠି ଗାରପଡ଼ିଚି ମାହାଙ୍ଗା
ସେଇଠି ବିରୂପା ହେଇଚି ଜମୁନା
ପାଣିର ବଂଶୀସ୍ୱନରେ
ଉଛୁଳିଚି କଦମ୍ୱ ମୂଳ ସପନା ନଈ
ଶୁକୁନଈର ଏନ୍ତୁଡ଼ିଶାଳ
ରାସକ୍ରୀଡ଼ା-ବିଷୟ- ହାରା ବଇଷ୍ଣବ
କୋଠାପଦା ମଠପାଖରେ
ଅଳତାରେ ଗାଧୋଇଚି ପଥର
ରଙ୍ଗିଲା ହେଇଚି ପ୍ରେମ
ଫୁଲେଇ ଫଳେଇ ହେଇ
ଲହରେଇଚି ତା’ ଅଣ୍ଟା ପ୍ରତିବାଙ୍କରେ
ଷୋହଳ ବୟସୀ ପରି କଣେଇ ଦେଖୁଚି
ସବୁ ଗଣ୍ଡରେ
ନୀଳ ଅଇନାରେ ଅଙ୍କା ଯାଇଚି ଧଳା ବାଦଲ
କଙ୍ଗଡ଼ା ଗଛର ଚେର ଉପରେ ବସି
ବାବାଜି ନାଟକ ଲେଖୁଛନ୍ତି
ଜଗନ୍ମୋହନ-ଆଦ୍ୟ ନାଟ୍ୟକାର
ସାହିତ୍ୟକୁ ଖଡ଼ି ଧରାଉଛନ୍ତି
ବାଗ୍ମୀ ବିଶ୍ୱନାଥ-ସଂସ୍କାରୀ ବୈରାଗୀ ମିଶ୍ର
ପିଣ୍ଢାକୁ ଡାକୁଛନ୍ତି ପାରାମାନଙ୍କୁ
ନଡ଼ିଆର ପାଣି ପିଆଇବେ- ନନ୍ଦ କିଶୋର
ରୋଷେଇ ଘରେ ବସି ଶାଗ ଖରଡୁଛନ୍ତି
ଦେଖୁଛନ୍ତି ମା’ର ବେସରଟା ଜାଇରଗଡ଼ା
କବି ନନ୍ଦ ସାମଲ ତ
ନଈକୁ ଗାଧୋଇ ଯାଉଥିବା ନୂଆ ବୋହୂମାନଙ୍କୁ
ଚିତ୍ରରେ ଆଙ୍କୁଚନ୍ତି ଶିଳ୍ପୀ-ବିମ୍ୱାଧର ବର୍ମା
ଦ୍ରୋଞ୍ଜମୂର୍ତ୍ତି-ବିପ୍ର ମହାନ୍ତି
ନାନପୁର ପୋଲ୍ଲକୁ- ଲଣ୍ଡନ ବ୍ରିଜ୍ ବୋଲି
ଭାବୁଥିବା-ପ୍ରଫୁଲ ମହାନ୍ତି ଦେଖୁଛନ୍ତି-
ନଈର ଛାତିକୁ କୋରି ନେଇଯାଉଚି
ଟ୍ରକ-ଟ୍ରାକ୍ଟର ରାସ୍ତା କାମ ପାଇଁ
ବାଲିମାଟି
ପୋତି ହେଇ ପଡୁଚି ତୁଠ-ଅତୀତ
ଘାଟ ଛାତିରେ ପହଁରି ଯାଉଛି
ସେତୁ ସରକାର ସମୟ ସଂସ୍କାର
ତଳକୁ ତଳକୁ ଖସି ଯାଉଚି-ବିରୂପା
ମାଟି ଭିତରକୁ ସୁନା-ସୋରିଷ ସଂସ୍କୃତି
ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ-
ଏକଥାକୁ ବୁଝି ସାରିଛି-ନଈ
ଏବେ ବିରୂପା କତରାନଗା ହେଇ ପଡ଼ିଚି ।