ବାହାରକୁ କ୍ରୋଧ ସିନା,
ଭିତରେ ହୁ ହୁ
ଜଳୁଥିବା ବହ୍ନି
କେବଳ ଦିବ୍ୟଚକ୍ଷୁ କୁ ହିଁ ଦିଶେ ।
ଜକାଇଲେ ଲୁହ,
ଆଖି କୋଣେ ସେଠି,
ପ୍ରଳୟଙ୍କରୀ, ଝଡ-
ବାତ୍ୟାର ଆଭାସ ଆସେ ।
ମୁହଁରେ ସ୍ମିତ ହାସ୍ୟ,
ନ ଛୁଇଁଲେ ଆଖି
ଅନ୍ତରର କୋହ ଟା
କୁହୁଡି ଓ ଧୂଆଁ ଭଳି ।
ହସ ସବୁ, ନୁହେଁ ମହୁ ପରି ମିଠା,
ମା’ର ମମତା
ଝରି ପଡେ ଯାହା
ଅମୃତ ବର୍ଷା ଧାରା ପରି ।
ହାତର କଲମ
ଖଡ୍ଗ ସାଜିପାରେ
ବହି ଓ କାଗଜ ଯୁଦ୍ଧ ଭୂମି ସାଜେ
ଦିବ୍ୟଚକ୍ଷୁ ତାହା ଦେଖିପାରେ ।
ଜୋକର ହସାଏ,
ଜୀବନ ମଞ୍ଚରେ
ନିଜର ଦୁଖ ହିଁ ଲୁଚାଏ
ହସାଇବା ଆଳରେ ।
ସ୍ପର୍ଶ-
ଦୈହିକ ନହୋଇ
ହେଉ ସବୁବେଳେ ଅନ୍ତରର
ଦୁନିଆର ଦୁଖ
ଦେଖିବାକୁ ଲୋଡା
ଅନେକ ଦିବ୍ୟଚକ୍ଷୁର ।