କବିତା

ଏବର ଜୀବନ

Annapurna Mohanty's odia poem Ebara Jeeban

କିମ୍ୱଦନ୍ତୀକୁ ଆଉ ଜୀବନ୍ତ କରନାହିଁ
ଛାତି ଫୁଲେଇ
ମୁଣ୍ଡ ଉଠେଇ କହିବେ ବୋଲି
ପୁତ୍ରପ୍ରୌତ୍ରାଦିମାନେ
ସେଠି ତ କେବେଠୁଁ
ଚରିଯାଇଛି ଉଇ ।

ଏବର ଜୀବନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଥାଉ,
ଆଉ ଏବେ ସ୍ୱପ୍ନ ଦେଖନାହିଁ
ଭୁଲିଯାଅ,
ସେ କର୍ପୂର, ସେ କନା
ଭୁଲିଯାଅ ରାଜା, ରାଜମୁକୁଟ
ସିଂହାସନର
କୂଟିକମ ଭରା ଚନ୍ଦନ ଆସ୍ଥାନ
ରହିଛି ଯା’
ଇତିହାସ ହୋଇ
ଥାଉ ।

ଖୋଲନାହିଁ
କର୍ପୂର ବଦଳେ
ଆଘ୍ରାଣ ସହି ହେଉନଥିବା ଗନ୍ଧରେ
ପବନ ଖେଳାଇ ଦେବ ଅତୀତର ବାସ୍ନା ।
ଖୋଲିଯିବ ଅଫିଟା ଐତିହ୍ୟ
ପାରା ଖସିଲା ଦର୍ପଣରେ
ଧୂଆଁଳିଆ ପ୍ରତିବିମ୍ୱପରି
ଯାହା ଦିଶିବ,
ଅଦୃଶ୍ୟ ତା’ ଠାରୁ ବରଂ ରମଣୀୟ ।

କିମ୍ୱଦନ୍ତୀକୁ ଆଉ ଜୀବନ୍ତ କରନାହିଁ
ଛାତି ଫୁଲେଇ
ମୁଣ୍ଡ ଉଠେଇ କହିବେ ବୋଲି
ପୁତ୍ରପ୍ରୌତ୍ରାଦିମାନେ
ସେଠି ତ କେବେଠୁଁ
ଚରିଯାଇଛି ଉଇ ।

କାନ ପାର ତ !
ସିରିସିର ଶୁଣାଏ ପବନ
ତମଠୁଁ ଅଲଗା ବୋଲି
ବାରି ହୋଇ ଯାଉଥିଲା
ସେ ଠଣ ସୁନ୍ଦର ଅତିଥି ମନ ।

ଶୋଣିତର ଉଦାତ୍ତ ସ୍ୱରରେ
ଫୁଟୁଥିଲା ଟକମକ
ନିଃସହାୟ ପ୍ରଜାର ଜୀବନ
ବେଡ଼ି ଓ କୋରଡ଼ାର
ଭଳି ଭଳି ଗହଣାରେ
ଘୋଷାରି ହେଉଥିଲା
ନିରୀହଙ୍କ ଦେହ ଜୀବନ ।

ଉଖୁରା ନା,
ରକ୍ତାକ୍ତ କ୍ଷତକୁ
ଶୁଣାଅନା, କଳଙ୍କିତ ରକ୍ତର
ଅସହ୍ୟ ଗାଥାକୁ
ଏବେ ଆଉ ଦେଖ ନାହିଁ ସ୍ୱପ୍ନ
ଅତୀତର ତେଲକୁ
ନିଶରେ ବୋଳି ନେଇ
ବଖାଣନି ପାରିବାର ପଣ
ଭଲ ହେବ ନାହିଁ କି
ସମ୍ଭଳା ପଡ଼ିବ ନାହିଁ
କିଛି ଶୁଣୁ ଶୁଣୁ ତାତିଯାଏ
ଏବର ଜୀବନ ! !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top