କବିତା

ଏବେ ବି ଚମତ୍କାର

Annapurna Mohanty's odia poem ebe bi chamatkaara

ଭେଟିଥିବା
ଅନେକ ପଦାଧିକାରୀଙ୍କ ଠାରୁ
ଅଦେଖା ଅଧିକାରୀ ଯେତେ
ପାରଙ୍ଗମ ବେଶୀ କୁହୁକ କଥାର ।

ଏବେ ବି ଚମତ୍କାର

ନେତାଙ୍କ ପରି
ସତକୁ ଲୁଚାଇ ଦେବାର ଭାଙ୍ଗୀ
ସଭିଁଙ୍କର ବେଶ୍ ଚମତ୍କାର ।

ଭେଟିଥିବା
ଅନେକ ପଦାଧିକାରୀଙ୍କ ଠାରୁ
ଅଦେଖା ଅଧିକାରୀ ଯେତେ
ପାରଙ୍ଗମ ବେଶୀ କୁହୁକ କଥାର ।

ସେମାନଙ୍କ ଚାରିପାଖେ
ମାଛ ବିକାକିଣାର
ଗହଳ ଚହଳ
ନିଜ ନିଜ ଭିତରେ
ନିର୍ଜନତା ସତ୍ତ୍ୱେ
ବାଣ୍ଟୁଥାନ୍ତି ଅନାଥରେ
ଭଳି ଭଳି ସ୍ୱପ୍ନ ବର୍ଣ୍ଣାଳୀର ।

ବିଶ୍ୱାସ ବିଞ୍ଚନ୍ତି
ପାରାକୁ ଖୁଦ
କ୍ଷେତକୁ ବିହନ
ହାତକୁ କାମ
କାମକୁ ଭାତ ପରି
ଦୁଇଟଙ୍କା ଚାଉଳରେ
ସୁନେଲି ସପନ ।

ସବୁ ଗୋଟେଇଲା ବେଳକୁ
କିଛି ବି ନୁହଁ, ନଥାଏ
ନା ପେଟ ପୁରେ
ନା ଦେହ ଲୁଚେ
ଭାବନାରେ ଜଡ଼ସଡ଼ ପିଣ୍ଡପ୍ରାଣ
ଯିଏ ମରେ ତ ପଡ଼ି ଉଠି
ପୁଣି ଜୀଉ ଥାଏ ।

କିଏ ବା ଆଉ ଥରେ
ଫେରିଚାହେଁ
ବିନୀତ, ହସହସ, ଯୋଡ଼ ହସ୍ତ
ଅଭ୍ୟାସ କରିବା
କେତେ କଷ୍ଟ
ଯିଏ କରେ
ସିଏ ସିନା ଜାଣେ ।

କେତେ ଠାଣିରେ
ମଧ୍ୟବିତ୍ତ କ୍ଷେତର ବେଉଷଣ କରି
ବ୍ୟସ୍ତ, ଦେଶ, ଜାତି ପାଇଁ
ଯାଚି ପାରିନଥିବା ବିଶ୍ୱାସକୁ
ଦୋହରାଏ ବାରବାର,
ଶୋଷିନେବ ଦୁଃଖକଷ୍ଟ ଖାଲି ନୁହଁ
ଯାଚି ଦେବେ ପ୍ରତିଘରେ
ଘିଅ ଆଉ ଉହ୍ମେଇ ମହୁର ।

ସରୁନଥିବା କଥାରେ
ସ୍ଥିତି ଜାହିର୍ ଥାଏ
ଶବ୍ଦର ଅକ୍ଷର ଭଳି ତ
ବାକ୍ୟର ଶବ୍ଦ ମେଳି ଭଳି

ଆଜି କଥା କାଲି ନାହିଁ
କାଲି କେବେ ଆସେ ନାହିଁ
ପବନମରା କଥାରେ
ଝଲସୁଥାଏ ଦେଶ ଭବିଷ୍ୟ
ଯେତେ ଯେତେ ଚମତ୍କାର
ବୋଲି ବାଣୀ
ଶୁଣିବାର ଲୋକ ସରିନାହିଁ
କହିବାର ଫୁଲଗଛ ଜମା ମରିନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top