ସମୟ !
ମୁଁ ଆଜି ଉପରେ,
ବହୁତ ଉପରେ
ବାଦଲ କୋଳରେ,
ଯେଉଁଠି ଜହ୍ନ ବି ଖେଳୁଚି,
ଲୁଚକାଳି ସମସ୍ତଙ୍କ ସହ ।
ପବନ !
ବି ପହଞ୍ଚି ପାରିନି
ମୋ ପାଖେ, ମୁଁ ହସୁଛି
ତାର ଉଚ୍ଚତାକୁ ଦେଖି ।
ସାଗର !
ଦୂରରୁ ଆକାଶକୁ
ଅନନ୍ତ ଯାଏ ଯାହା ବ୍ୟାପି ଥାଏ
ମୋତେ ଦୃଶ୍ୟମାନ ତାହା
ଆଜି ପକ୍ଷୀ ନଜରରେ ।
ସମୟ !
ତୁମେ କଣ ପହଞ୍ଚି ପାରିବ
ମୋ ପାଖେ ?
ତୁମର ବଳୟ
ସେଇ ପବନ, ସାଗର ଓ ବାଦଲ ଭିତରେ ।
ମୁଁ ଫେରିବାକୁ
ଚାହୁଁ ନାହିଁ ଆଉ ସେ ଧାରା ପୃଷ୍ଠକୁ ।
ସେଠି ଥିବେ ବୁଢ଼ୀ ଅସୁରୁଣୀ
ବାଦଲ, ପବନ ଆଉ ସାଗର ସମସ୍ତେ ।
ତୁମ ପରେ ଭରସା ନାହିଁ
ବଞ୍ଚାଇ ପାରିବ ମୋତେ ଏମାନଙ୍କ କବଳରୁ ।
ସଜାଇବ ରାଜରାଣୀ ପରି ସପନ ରାଇଜେ ।
ମୁକ୍ତ କରି ପାରିବ ଆବାହମାନ କାଳର ସେ
ଅଭିଶପ୍ତ ଜୀବନରୁ ।