ଆଜିର ସକାଳ ଆଖି ମିଟିକା ମାରୁଥିଲା
ନିଜର ଅପାରଗ ପଣିଆ ପାଇଁ
ସୁସ୍ଥ ମନଟା କେତେ ବିଷାକ୍ତ ଲାଗୁଥିଲା
ମାନବିକତା ହାର ମାନୁଥିଲା
ନିଜର ନିଷ୍ପ୍ରଭ ଆତ୍ମ ଗର୍ବ ନେଇ ।
ମଣିଷ ବୁଝୁନି
ଜଳ ହିଁ ଜୀବନ !
ହୃଦୟର ରଙ୍ଗ ଲାଲ ହୁଏ
ଢେଉ ଢେଉକା ଖେଳେ ନିଶ୍ୱାସ ପ୍ରଶ୍ୱାସରେ
ତିଆରି କରେ ବଞ୍ଚିବାର
ଯେତେସବୁ ନିଗୁଢ଼ ସମ୍ପର୍କ ।
ଆଜିର ସ୍ୱାର୍ଥପର ମଣିଷ
ବେଶ ବଳଶାଳୀ ,ବହୁତ ଚାଲାକ
ସୁବିଧା ପାଇଁ ଭାଇ ଭାଇ
ବାପ ପୁଅର ସମ୍ପର୍କ ବହୁତ ତିକ୍ତ
ପ୍ରଦୂଷିତ ସମୟରେ ଯେମିତି
ପୁରା ଫାଇଦା ନେଇ କହୁଛି ସବୁ ମୋର
ଅନ୍ୟକୁ କାବୁକରି
ଚଢ଼ୁଛି ନିଜ ଧ୍ୱଂସର ପାହାଚ ।
ନିରୀହ ବୃକ୍ଷ ଲତା କାଟି ତିଆରି ଚାଲିଛି
କେତେ କୋଠା ଖାଲି କଂକ୍ରିଟି ସହର
ମାଇଲି ମାଇଲି ଯେତେସବୁ ବସ୍ତୁବାଦୀ
ସ୍ୱପ୍ନର ରାଜ ରାସ୍ତା
ନାହିଁ ସେମାନଙ୍କର ସତ୍ତା
ଜୀବନ୍ତ ହୁଅନ୍ତି ସେମାନେ ହତ୍ୟା
ଯେମିତି କେହି ନାହାନ୍ତି
ପ୍ରତିବାଦ ଅବା କରିବାକୁ ଟିକିଏ ବିଳାପ ।
ସେହି ବେଳର କା-କା ଶବ୍ଦ
ସାହି ମାଇପୀ ମାନଙ୍କର
ଲମ୍ବା ଧାଡି ଲମ୍ବିଯାଇଛି ପାଞ୍ଚ କି ଛଅ କୋଶ
ଚୁଟି ଭିଡା,ରାଂପୁଡା,କାମୁଡାର କରୁଣ ଚିତ୍କାର
ଏକ ଦାରିଦ୍ର ଭାବନାର ପ୍ରତିଧ୍ୱନିର ଆଭାସ
ପ୍ରତିଦ୍ୱନ୍ଦିତାର କରୁଣ ସମୟ
ମାଗେ ଖାଲି ଦିଅ ଆଉ ଟୋପେ ଜଳ ।
