କବିତା

ଜୀବନ ସଂଗୀତ

Binay Mohapatra's odia poem Jeebana Sangeeta

ନିଶବ୍ଦ ତ ସବୁ କିଛି ଏଠି
ଚତୁର୍ଦ୍ଦିଗ ଶୁନ ଶାନ,
ହୃଦୟ ମୋ ଶୁନ୍ୟ ତୁମ ବିନା,
ନା ପବନରେ ଶୁଭେ କିଛି
ନା ଅରୁତୁରେ କୁହୁ କୁହୁ,
କୋଇଲି ଗାଉଛି,
ତୁମ ବିନା ବେସୁରା ଜୀବନ ମୋର
ନିଃଶବ୍ଦେ ଝୁରୁଛି ।

ଜୀବନର ସଙ୍ଗୀତ ମୋର
ଗାଇବାକୁ କହିଦେଇ ଗଲ,
ଭାବିଲନି ଥରେ,
ବିନା ଶବ୍ଦର ଏଇ ଗୀତ
ମୁଁ ଅବା ଗାଇବି କି ସୁରେ ?
ତୁମ ବିନା କୁହ, କିଏ ବା ଭରିବ
ଶବ୍ଦ ଏଇ ସଙ୍ଗୀତରେ,
ପଦ ପରେ ପଦ ଯୋଡି
ମିତ୍ରା ଅବା ଅମିତ୍ରା ଛନ୍ଦରେ ।

ତୁମେ ସିନା ପାରିଥାନ୍ତ ଭରି,
ତୁମରି ସେ ପ୍ରେମର ଆଶ୍ଳେଷ,
ଅବା ତୁମ ମଧୂଝରା
ଖିଲି ଖିଲି ହସର ଜୁଆରେ,
ତୁମ ମିଠା ମିଠା ପ୍ରଣୟ ସନ୍ଦେଶ
ତୁମ କର କଙ୍କଣର ରୁଣୁ ଝୁଣୁ ସୁର
ଅବା ତୁମ ପାଦ ପାଉଁଜୀର
ଛମ ଛମ ମଧୁର ଝଙ୍କାରେ ।

ସ୍ୱର ବି ତ ଜଣା ନାହିଁ
କେଉଁ ରାଗ ଅବା ରାଗିଣୀର
ସ୍ୱର ଜଣା ଥିଲେ ଅବା,
ଗୁଣୁ ଗୁଣୁ ଭ୍ରାମରୀ ଗାଆନ୍ତି,
କିଛି ନହେଲେ ନାହିଁ, ବିନା କିଛି ଶବ୍ଦ,
କରି ଯା’ନ୍ତି ରାଗ ଆଳାପନ,
ଅବା ସିଟି ବଜାଇ ପାରନ୍ତି ।

ନିଶବ୍ଦ ତ ସବୁ କିଛି ଏଠି
ଚତୁର୍ଦ୍ଦିଗ ଶୁନ ଶାନ,
ହୃଦୟ ମୋ ଶୁନ୍ୟ ତୁମ ବିନା,
ନା ପବନରେ ଶୁଭେ କିଛି
ନା ଅରୁତୁରେ କୁହୁ କୁହୁ,
କୋଇଲି ଗାଉଛି,
ତୁମ ବିନା ବେସୁରା ଜୀବନ ମୋର
ନିଃଶବ୍ଦେ ଝୁରୁଛି ।

ବର୍ଷା ବି ତ ଚାଲିଗଲା
ମୁହଁ ମୋଡି ଦେଇ,
କେବେ ପୁଣି ଆସିବ,
କେହି ଜାଣେ ନାହିଁ,
ନହେଲେ ତୁମ ଆସିବା ଆଶାରେ,
ଆକାଶକୁ ଅନାଇ ବସନ୍ତି,
ଶୁଣିବାକୁ ରିମ୍ ଝିମ୍ ବର୍ଷାର ସ୍ୱର
ଅବା ଛମ୍ ଛମ୍ ଜଳ ବୁନ୍ଦାର ନୃତ୍ଯ,
ତୁମ ବିନା ନିଶବ୍ଦ ଏ ରାତି,
ଆଉ ମୋର ଜୀବନ ସଂଗୀତ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top