କବିତା

ଆଶାବାଦୀ

Brundabana Das's odia poem Aashaabaadi

ଗଢିବି ସେଇଠି ଭିନ୍ନ ଦୁନିଆଟେ
ନୂଆ ସାମିୟାନା ସୁନୀଳ ଆକାଶ ତଳେ
ଝରି ପଡୁଥିବ ପ୍ରେମର ବର୍ଷା
ଫୁଟି ଲୋଟୁଥିବ ଅଗଣିତ ମୁଖୁଁ
ମଧୁର ହସର ଫୁଲ
ଜଞ୍ଜାଳ ଥିବ ଝିନ୍‌ଝଟ୍‌ ଥିବ
ନଥିବ ପ୍ରାଚୀର ଅବରୋଧର ବାଧ୍ଯବାଧ୍ଯକତା
ଖୋଲା ଆକାଶର ପରିବ୍ୟାପ୍ତିରେ
ଜୀବନ ହେବ ଆହୁରି ଖୋଲା ଆହୁରି ଗୁଞ୍ଜରିତ।

ଚିରାଚରିତ ଦୁନିଆରୁ ବାହାରି
ବଞ୍ଚିବି ସେଇ ଦୁନିଆରେ
ଯେଉଁଠି ନଥିବ
ଅସମତାର ଖାଲ ଢିପରେ
ରକ୍ତ ଜର୍ଜର ବାଟବଣା ସମୟର
ପୁଳେ ଆହତ ବିଧୁର ସ୍ଵପ୍ନ
କାଳେ କାଳେ ଫିସାଦିର ଚକ୍ରବ୍ୟୂହରେ
ନିଷ୍ପେଷିତ ଜୀବନର ଯାହାକିଛି ମାନେ .
ଯାହାକିଛି ବ୍ୟର୍ଥ ବ୍ୟସ୍ତତାର ତୁଚ୍ଛା ଅବସୋସ ।

ବାହାରି ଆସିବି ସେଇ ଦୁନିଆରୁ
ଯେତେ ସବୁ ସହବନ୍ଧିତ ଅର୍ଗଳି ଭାଙ୍ଗି
ଯେଉଁଠି ଶୃଙ୍ଖଳା ନାଁରେ ଟୋକି ଦିଆଯାଏ
ମଣିଷ ପଣର ନିରୀହ କୁଆଁ
ବିକଶିବି ସେଠି ଚାରାଟିଏ ହୋଇ
ନୂଆ କିଶଳୟେ ମଣ୍ଡି
ଉକୁଟି ଉଠିବ ନୂତନ ସୂର୍ଯ୍ୟ
ନୂଆ ସକାଳର ଶୁଭ ଆବାହନେ
ମୁକ୍ତିର ରଙ୍ଗମାଖି ।

ଗଢିବି ସେଇଠି ଭିନ୍ନ ଦୁନିଆଟେ
ନୂଆ ସାମିୟାନା ସୁନୀଳ ଆକାଶ ତଳେ
ଝରି ପଡୁଥିବ ପ୍ରେମର ବର୍ଷା
ଫୁଟି ଲୋଟୁଥିବ ଅଗଣିତ ମୁଖୁଁ
ମଧୁର ହସର ଫୁଲ
ଜଞ୍ଜାଳ ଥିବ ଝିନ୍‌ଝଟ୍‌ ଥିବ
ନଥିବ ପ୍ରାଚୀର ଅବରୋଧର ବାଧ୍ଯବାଧ୍ଯକତା
ଖୋଲା ଆକାଶର ପରିବ୍ୟାପ୍ତିରେ
ଜୀବନ ହେବ ଆହୁରି ଖୋଲା ଆହୁରି ଗୁଞ୍ଜରିତ।

ସେଠି ନାରୀଟିଏ ହେଉ କି ପୁରୁଷଟିଏ
ବିଭେଦ ରହିତ ପୃଥିବୀର
ସମାନତାର ମଧୁ ଲଗ୍ନରେ
ବ୍ୟବସ୍ଥାଗତ ଦୃଢ଼ ସଂସ୍ଥାପନାରେ
ସମସ୍ତେ ଏକ ଭାଇ ଭାଇ
ଭାଇଚାରାରେ ଏକକୁ ଆରେକ ବଳି
ବଞ୍ଚିବି ସେଇ ଦୁନିଆରେ ସାମ୍ୟକୁ ପୁଞ୍ଜି କରି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top