ଶାନ୍ତି କି ଲୋଡା ହୁଏ
କାହା ମୃତ୍ୟୁର ଦଲିଲରେ?
ଧାରେ ହସ ପାଇଁ କାହା ଆଖିରୁ
ନିଗିଡି ପଡିବାକୁ ହୁଏ
ପାଣି ଧାର ହୋଇ ପୋଛିଦେବାକୁ
ତା ମନର ହଳାହଳ ବିଷ!
ୟା କି ସଂଭବ,ଜୀବନକୁ ବାଜି ଲଗାଇ
ପଦ୍ମ ପାଇଁ ଲଢିବାକୁ କଳାନାଗଙ୍କ ସହିତ!
ମୃତ୍ୟୁକୁ ଭଲ ପାଇବାକୁ, ଜୀବନଠୁ ଢେର୍ ଅଧିକ
ଲୋଡାହୁଏ ବେଦଶାସ୍ତ୍ର, ନିର୍ବାଣର ବିଧି ଓ ବିଧାନ!
କେମିତି ଜଳାନ୍ତି ଲୋକେ ନିଜ ଶବ
ଅନ୍ୟ ଗାଁ ମଶାଣୀରେ!
କେମିତି ପାଲଟି ଯାଆନ୍ତି ଚନ୍ଦ୍ରପରାଗ
ନିଜ ଅସ୍ତିତ୍ୱର ପୂର୍ଣ୍ଣମୀରେ!
ଭ୍ରମକୁ ସାରା ଜୀବନ ଅଂଟିରେ ପୂରାଇ
ଛାତିରେ ଜାକି ଧରି
ମନକୁ ମିଛରେ ବୁଝାଇବାକୁ
କେତେବାର ସନ୍ଧି କରିବାକୁ ପଡେ
ମିଛ ଆଦର୍ଶ ସହିତ
କହିବାକୁ –ହଁ ମୁଁ ଅଛି ତା ଭିତରେ
ପ୍ରଶ୍ୱାସଟେ ପରି ତା ରକ୍ତନଦୀରେ
ସନ୍ତରଣ କରିବାକୁ ।
ସ୍ନାୟୁର ପ୍ରବାହରେ
ଆଖିବୁଜି ନିଜକୁ ଅନୁଭବ କରିବାକୁ ।
ସେ ଗୋଟେ ଫସିଲ୍ ମୋ ଚେତନାର ।
ମୋ ଆଖିରେ ନିଆଁ ଗୁଂଜି
କହିବାକୁ-ତୁ ଶୁଖିଲା କାଠି ଖଣ୍ଡେ
ଯାହାକୁ ଜଳାଇ ସାରିଛି
ତୋ ପାଦଚିହ୍ନ ଲିଭିବା ପୂର୍ବରୁ!
