ଜ୍ୟୋତ୍ସ୍ନାର ରୁପେଲି ପରଦା ତଳେ,
ବସି ଭାବୁଥିଲି ମୁହିଁ ।
କାଗଜ ରୂପକ ହୃଦୟରେ ମୋର,
ଲେଖିବ କି ନାହିଁ କେହି ।
ପଚାରିଲି ଜହ୍ନ, କେବେ ହେବ ଦେଖା
କେବେ ଦେବ ସିଏ ଧରା ।
କେମିତି ସେ ଥିବ, ଯିଏ ସେ ଆସିବ
କିଏ ସେ ସରଗ ତରା ।
କାହିଁକି କେଜାଣି ଲାଗୁଅଛି ମୋତେ,
ଏକା ଏକା ଦୁନିଆରେ।
ଅଚିହ୍ନା ମୁହଁର ପ୍ରତିଛବି ସବୁ,
ଭାସୁଅଛି ସପନରେ ।
ହୃଦୟର ଭାଷା କହି ପାରୁ ନାହିଁ,
କି ବୋଲି କହିବି ତତେ।
ପ୍ରେମର ସୁଅରେ ଭାସୁଅଛି ମୁହିଁ,
ଭାବନା ବିହଙ୍ଗ ସାଥେ ।
ସମୟ ନଥିଲା କହିବାକୁ ତତେ,
ମନର ଗୁମର କଥା ।
ଖୋଲି ଦେଲି ଆଜି ତତେ ଦେଖି ସବୁ,
ମନର ଭାବନା ଯଥା ।
ହସିଦେଲା ଜହ୍ନ ମେଘ ପରଦାରୁ,
କହିଲା ଭାବନି ଏତେ ।
ସମୟ ଆସିବ, ଦେଖାହେବ ଦିନେ
ଜୀବନସାଥୀର ସାଥେ ।
ସେଦିନ ମୁଁ ଥିବି, ଥିବ ଏହି ରାତି
ନଥିବ ଏହି ଭାବନା ।
ଏକା ଏକା ନୁହେଁ, ଥିବ ସାଥୀ ସାଙ୍ଗେ
କଥା ଦେଉଅଛି ଜ୍ୟୋତ୍ସ୍ନା ।