ଆଜି ନହେଲା ନାହିଁ
କାଲିପାଇଁ ତ ଦବାନବାର ବୁଝାମଣାରେ
ନୂଆ ଉତ୍ସାହର ହାତ ମାଲିସିରେ ବର୍ତ୍ତମାନକୁ
ମଙ୍ଗେଇହେବ ସଳଖ ଚାଲିବାକୁ
ପ୍ରେମ ନିଶାଣରେ ଅନ୍ତତଃ
ମୂହୁର୍ତ୍ତ ତଳର ଗଦା ଗଦା ଅବସୋସ, ବ୍ୟର୍ଥତାର
ମର୍ମଦାହ ଦୁଃଖ ଭୁଲି
ନିଜକୁ ପ୍ରସ୍ତୁତ କରିବାକୁ ହେବ ପୁଣି
ଚାଲିବାକୁ ରକ୍ତଝରା ପଥେ ।
ଏଇତ …ସମୟର ନିଆଁ ଚେଙ୍କ
ଲିଭିନି ମନରୁ ଦାଗ
ପାଉଁଶର ଅବଶେଷ କହିଯାଏ
ଗଲାକାଲି ଅନ୍ଧାର ମୁହଁର କଥା
ଚାପା ସ୍ୱର ଶୁଭେ
ଖିନ୍ଭିନ୍ ସମ୍ପର୍କର କରୁଣ ଗୀତିର ସ୍ୱର
କେତେ ଉଜୁଡ଼ା ସ୍ୱପ୍ନର କୋହ ଘୁରିବୁଲେ
ବାତୁଳ ପବନ ସଙ୍ଗେ ମୁହୂର୍ତ୍ତର ହାତ ଧରି ।
ସମୟର ଭୂଲାପଣ ନୁହେଁ
ସୁଖପାଇଁ ଦୁଃଖର ଚକ୍ରବ୍ୟୁହରେ
ଅସହାୟତାର ସ୍ତୂପୀକୃତ ନିର୍ବୋଧପଣ ହିଁ
ଅନ୍ଧାରଠୁ ଆଲୋକ ଉତୁରି ଆସିବାର
ସବୁବାଟ ବନ୍ଦ କରିଥାଏ ।
ସ୍ମୃତିର ଦରଲିଭା ପାଉଁଶତଳୁ
ଅନ୍ଧ ତାମସାର ଯେତେ ସବୁ ଅବିଶ୍ୱସ୍ତ କାରନାମା
ଆଗକୁ ଟପିବାର ଘୋଡାଦୌଡ଼ରେ
କ୍ଷତାକ୍ତ ସକାଳର ଦୃଶ୍ୟ ହୋଇ ନାଚେ ।
ଦୋ’ ଦୋ’ ଚିହ୍ନା ସମ୍ପର୍କର ଦ୍ୱାହି ଦେଇ
ମୁହୂର୍ତ୍ତକୁ ଭାରାକ୍ରାନ୍ତ କରେ
କ୍ଷତକୁ ଉଖାରେ
ଗଲା କାଲିଠୁଁ ଆଜିଯାଏ
ବ୍ୟସ୍ତ ବ୍ୟର୍ଥତାର ଲମ୍ବା ଅଭିସାର
ନିଷ୍ଫଳ ହୋଇନି
ବରଂ ହୀନ ଆସ୍ପର୍ଦ୍ଧାର ଗୋଟେ ଗୋଟେ
ସଫଳ ଅଧ୍ୟାୟ ରଚିଛି ।
ଲାଭ କ୍ଷତି ପ୍ରାପ୍ତି ଅପ୍ରାପ୍ତିର
ବ୍ୟବଚ୍ଛେଦ ହିଁ କହିଦେବ
ଏବେଠୁଁ କାଲି ପାଇଁ ପଛ କଥା ଭୁଲି
ବର୍ତ୍ତମାନ ନିଅଁ ପକା
ବିଶ୍ୱାସ – ଅନୁରକ୍ତି – ସାମର୍ଥ୍ୟର ଯେତେସବୁ
କ୍ରିୟାକର୍ମ ଆନୁସଙ୍ଗିକ ଉପାଦାନରେ
ହୁଏତ ଇତିହାସର ଖାଲଖମା ଭରିହେବ
ଆସନ୍ତାକାଲିର ଅନୁଚିନ୍ତା ଓ ଭବ୍ୟ ପ୍ରସ୍ତୁତିରେ ।