ସମୟର ନିର୍ଘାତ ପ୍ରହରେ
ଦୁଃଖ ସଂଗେ ହେଲା ଯେବେ ଭେଟ
ଭାଇବନ୍ଧୁ ଜ୍ଞାତି ସହ ମିଶି
ଓଗାଳିଲେ ପଥେ କରି ମେଣ୍ଟ । ।
କହିଲି ମୁଁ ତମେ କିମ୍ପା ବୃଥା
ମୋ ଦୁଆର ଖଟ ଖଟ କର
ଦୁଃଖକୁ ଯେ ସୁଖ ପ୍ରାୟ ମଣି
ରହିଅଛ ଚଳି ନିରନ୍ତର । ।
କା’ ମନରେ ନାହିଁ କେବେ ଆଶା
ବାସନା ଯେ, ନାହିଁ ତ ମୋହରି
ନିଶ୍ୱାସକୁ କରେନି ଭରସା
ସ୍ଥିତା-ବସ୍ଥା ମନ୍ତ୍ର ଅଛି ଧରି । ।
ଗତ କଥା ଧରେ ନାହିଁ ମନେ
ଯାହା ଅଟେ ଅନ୍ଧକାରମୟ
ବାଟ ଚାଲି ଚାହିଁଲେ ପଛକୁ
ଝୁଣ୍ଟିବାର ଅଛି ଯେଣୁ ଭୟ । ।
ସୁଖ ଆଉ ଦୁଃଖ ତମେ ଦିହେଁ
ଏକ ମୁଦ୍ରା ଦୁଇଟି ପାରୁଷ
ଭାବନାରେ ତମ ଉପସ୍ଥିତି
ଭାବନାରେ ତମର ବିନାଶ । ।
ସତ୍ୟ ଶାନ୍ତି ଦୟା ନ୍ୟାୟ ପଥେ
ଆସୁଥିବ ଚଳି ଯେଉଁ ଜନ
କି କରି ପାରିବ ତମେ ଦିହେଁ
ଭାଙ୍ଗି ପାରିବ କି ତାଙ୍କ ମନ । ।