କଥାବାର୍ତ୍ତାର ବିହ୍ୱଳତା
ମଧ୍ୟରେ,
ଅନେକ ଥର ଛୁଇଁଚ
ମୋ ହାତ ପିଠି
ମଥାର ଚୂନା ଚୂନା କେଶ
ହସଖୁସିର ଭିଡ଼ ଭିତରେ
କେତେଥର ମିଶାଇ ନେଇଚ
ସ୍ୱରରେ ସ୍ୱର
ଶବ୍ଦ ସହ ଶବ୍ଦ
ଭାବନାକୁ କବିତାରେ ଆଣିବାକୁ
ସମାନ ଆବେଗ ।
ବେଳେବେଳେ
କହିବା ଆଗରୁ
କିଛି କଥା ସରିଯାଏ ମୋର,
ସରିବା ଆଗରୁ କବିତା
ବୁଝିନେଇ ହଁ ହଁ ଶୁଭେ ତମର ।
ଏ ସବୁ ତମର
ପ୍ରଜ୍ଞା ନା ପ୍ରତିଭା ।
ଚଗଲାମି ନା ଚପଳାମି
ଜାଣିବାର ବାଟ ନଥାଏ ।
ତମର ସ୍ୱଚ୍ଛ ଗୁଣ
ସମସ୍ତ ଆଚରଣ
ମୋତେ ବୁଡ଼ାଇ ରଖେ
ବିଶ୍ୱାସରେ, ଆପଣା ପଣରେ
ମୁଁ ଭାବି ପାରେନି
ୟା’ ପରେ ଆଉ କିଛି ଥାଇପାରେ
ଦର୍ପଣର ଉହାଡ଼ରେ
ବାଘର କଙ୍କଣ ଦାନ
ଅଥବା
ମଝିନଈରେ କଲିଜା ମାଗିବା
କୁମ୍ଭୀର ମନ ।
ଶତଚେଷ୍ଟାରେ
ନିବୃତ୍ତ ରହିପାରିନି
ପଙ୍କ ପୋଖରୀରୁ
ପହଁରି ଫେରି ପାରୁନି
ନଦୀର ମଝିରୁ ।
ତଳକୁ ତଳ
ଗୋଡ଼ ଖସୁଥିବାବେଳେ
କିଏ ଫେରାଇନିଏ
ବାଟ ଭୁଲା ପଥରୁ ତ
ତମ ଆରଣ୍ୟକ କ୍ଷୁଧାର
ଅରଣ୍ୟ ଭିତରୁ ।
ତମେ ତଥାପି
ଯାଚୁଥା କଙ୍କଣ
ମାଗୁଥା କଲିଜା
ମୋ ଆଗରେ ରଖି
ଛଳନାର ପ୍ରୀତି ଦାନ ।
ମୁଁ ଅହରହ
ଆକୁଳ ବିକଳ ତମ ପାଇଁ
ତମ ମାୟା ଘେରରେ
ତଥାପି ମଗନ ।