ଅର୍ଜୁନଗୋଦା ଗୋଟେ ଗାଁ
ଗୋଟେ ସନ୍ତେଇ ଉଠିଥିବା
ସଦ୍ୟ ସମ୍ବାଦ-ଘୋଟି ଯାଇଚି ସାରା ରାଜ୍ୟ
ଦୁର୍ଦ୍ଦିନ ଦେଶର ଆକାଶ
ସବୁ ଛେଳିମାନଙ୍କ ମାଂସ ଭାରି ସୁଆଦ
ସେଥିପାଇଁ ବାଘମାନେ ଜଙ୍ଗଲରେ ରାଜା
ଧର୍ଷଣ ଧ୍ୱନିକୁ ନାଁ ଦିଆଯାଏ ‘ଧାସ ‘
ନାରୀମାନଙ୍କ ନଗ୍ନତାର-କଳାକୃତିରେ
ଅଙ୍କାଯାଇପାରେ କବିତା
ଲେଖାଯାଇପାରେ ଚିତ୍ର ଚରିତ୍ର ।
ସବୁକର୍ମୀଙ୍କ କୁକର୍ମ ଉପରେ
ଠିଆହେଇଚି ମୋ ଦେଶର ରାଜନୀତି
ଶାସନ ପ୍ରଶାସନ ଆସ୍ଥା ଅନାସ୍ଥା
ଗଣଧର୍ଷଣ-ଗଣତନ୍ତ୍ର ଭାଗ୍ୟ ଭଗବାନ
ସବୁ ପ୍ରମାଣ ଲିଭିଯାଏ – ସିଲଟର ଲେଖାପରି
ବନ୍ୟାଆସିଲେ – ସାଙ୍ଗରେ ଆଣେ ରିଲିଫ୍
କମିଶନ-ରିପୋର୍ଟ
ଆହା-ଆଶ୍ୱାସନା
ଧୋଇଯାଏ ଗୋପାଳ ସାହୁର ଚାଷ
ନରିଆ ମା’ର ବାସ-ବସନ୍ତ
ପେଟଖାଙ୍କି ପଡ଼େ ନଈ
ବାଲିର-ଅତଡ଼ା କଡ଼ରେ
ବେଣାବୁଦାରେ ଲଟକି ଯାଏ ଶାଢ଼ୀ
ଚିଆଁ ପାଦଚିହ୍ନ-ପ୍ରେତ ପ୍ରମାଣ
ନଈ ଛାଡିଗଲା ପରେ
ଧୋଇଯାଏ ସବୁ ଚିହ୍ନ-ସରଳ ନିଷ୍ପାପ
ଠିକ୍ ଅର୍ଜୁନଗୋଦା ଗାଁର ଝିଅ ପରି
କୁଟାଗଦାର ନିଆଁ ପରି
ଲିଭିଯାଏ ଗୋଟେ ଆନ୍ଦୋଳନ-ବିପ୍ଳବ
ଗୋଟେ ଗଣଧର୍ଷଣ-ଗଣତନ୍ତ୍ର ।