କଳାମୁଗୁନି ପଥରରେ ସୁଶୋଭିତ କୋଣାର୍କ
ନୃତ୍ୟରତା ଅବତାରେ ସଜ୍ଜା ତୁମ ଅର୍କ
ସୌନ୍ଦର୍ଯ୍ୟରେ ନାହିଁ ପଟାନ୍ତର
ତୁମ ଶକ୍ତିର ଭଣ୍ଡାର
ସୂର୍ଯ୍ୟଙ୍କ ତେଜ ଯେବେ ପଡ଼େ
ଅପୂର୍ବ ଆଲୋକରେ ହୁଅ ଅଲୌକିକ
ତୁମେ କୋଣାର୍କ, ତୁମେ କୋଣାର୍କ ।।
ଇତିହାସ ତୁମର ଅତି ଉଚ୍ଚକୋଟୀର
ସମର୍ପଣ, ସମାନତା, ତ୍ୟାଗର ଦୃଷ୍ଟାନ୍ତ
ସାମର୍ଥ୍ୟ ଝଲସେ କଳିଙ୍ଗପୁତ୍ରର
ସ୍ୱର୍ଗର ଅପ୍ସରୀକୁ ଆଙ୍କିଲ ପଥରେ
ବାଳୁତ ଧର୍ମପଦ ଥିଲା ଯେ ସାଥୀରେ
ପ୍ରାଣ ଦେଇ ବଢେ଼ଇଙ୍କ ହରିଲା ଆତଙ୍କ
ଧନ୍ୟ ତୁମ ଧର୍ମପଦ ଧନ୍ୟ ତୁମେ କୋଣାର୍କ ।।
ବିସ୍ମିତ ଦର୍ଶକ ଦେଖି ତୁମ କୀର୍ତ୍ତି ରାଜି
ଆଶ୍ଚର୍ଯ୍ୟ ସମ୍ପଦ ତୁମେ ପୃଥିବୀରେ ଆଜି
ମନ୍ଦିର ନୁହଇ ଏଠି ନାହାନ୍ତି ଦେବତା
ରଥେ ବିରାଜ ହୁଅନ୍ତି ସ୍ୱୟଂ ପରମପିତା
ଅନ୍ଧାର ହଟାନ୍ତି ସେ ଶକ୍ତିର ପ୍ରତୀକ
ନମଃ ସୂର୍ଯ୍ୟ ନାରାୟଣ, ନମଃ କୋଣାର୍କ ।।
ସ୍ମୃତି ତୁମରି ସଭିଏଁ ରଖନ୍ତି ସାଇତି
ବାଳୁତ, ବୟସ୍କ ଅବା ନବଦମ୍ପତି
ସଭିଁଙ୍କ ହୃଦୟେ ତୁମ ସୌନ୍ଦର୍ଯ୍ୟର ଛାପ
ରହିଥିଲା ରହିଛି ଆଉ ରହିଥିବ
ବର୍ଷ ବର୍ଷର କାରୁକାର୍ଯ୍ୟ ଏ ନୁହେଁ ଆକସ୍ମିକ
ମଥାଟେକି ଚିରଦିନ ରହିଥାଏ ହେ କୋଣାର୍କ ।।
