ତମେ ସଜେଇ ଦେଇଛ
ଫୁଲ ଆଉ ଫଗୁଣରେ
ତମ ସିଂହାସନ
ପାତ୍ର, ମନ୍ତ୍ରୀ ସଦା ଜାଗୁଆର ।
ଚକ୍ମକ୍ କାନ୍ଥ ବାଡ଼
ଝଲସି ଯାଉଛି ଆଖି
ଦେଖା ନ ଯିବାକୁ
ତା’ ଦେହରେ ଲୁଚିଥିବା
ଛଳନା କି ଅହଂକାର ।
ଖସି ନ ଯିବାକୁ ପାଦ
ଜାବୁଡ଼ି ଧରିଛି ମାଟି
ମାଟିର ମଣିଷକୁ
ଆଖିରେ ବାନ୍ଧି ଦେଇଛ ପଟି
ଦେଖି ନ ପାରିବ ବୋଲି
ଆଲୋକର ଛିଟା
ତମ ପଶାପାଲି ।
ଖୋଲି ଯିବ କି ମୁଖା
ଛିଣ୍ଡି ପଡ଼ିବ ମୁଣ୍ଡ
ତେଣୁ ଧରିଛ
ରାଜନୀତି ଢାଲ ।
ସାବଧାନ
ଦାନା ବାନ୍ଧୁଛି ପ୍ରଜାମେଳି
ଭୁଷୁଡ଼ି ପଡ଼ିବ ରାଜପ୍ରାସାଦ
ପ୍ରଜାଙ୍କ ତାକତ୍
ଭାଙ୍ଗି ଦେଇପାରେ ସବୁ ଷଡ଼ଯନ୍ତ୍ର
ତମ ସିଂହାସନ-ତମ ଅହଂକାର ।
