ଚୂତଡାଳେ ପିକ କୁହୁରବ ଦେଲେ
ମୋ ମନ ପଲ୍ଲବି ଉଠେ
ଆଷାଢ଼ ଆକାଶେ ବଉଦ ଭାସିଲେ
ମନ ମୟୁରୀ ମୋ ନାଚିଉଠେ
ଶରତ ଲଗନେ କାଶତଣ୍ଡୀ ଫୁଲ
ଉତ୍ସବ ରଚଇ ଯେବେ
ନିଦାଘ ମଧ୍ୟାହ୍ନେ ଦୂର ତୋଟାମାଳେ
କପୋତୀ ବାହୁନେ ଯେବେ
କହିକି ପାରିବ କାହିଁକି ହେ ବନ୍ଧୁ
ମୋ ଛାତିରେ ଲହରୀ ଉଠେ
ପଶ୍ଚିମ ଗଗନେ ସୁରୁଜ ନଇଁଲେ
ଛାତିରେ ଛନକା ପଶେ
ଛପି ଛପି ଖାଲି ଅନ୍ଧାରକୁ ଚାହିଁ
କାହିଁ କେତେ କଥା ଭାବି ବସେ
କହିକି ପାରିବ କାହିଁକି ହେ ବନ୍ଧୁ
ହୃଦୟ ଗୁମରି ଉଠେ
ଚୂତଡାଳେ ପିକ କୁହୁରବ ଦେଲେ
ମୋ ମନ ପଲ୍ଲବି ଉଠେ ।
