ଅନେକଥର ଏଇ ବର୍ଷା
ମୋତେ ଉପହାସ କରିଛି
ତା’ର ଅପରୂପ ସୌନ୍ଦର୍ଯ୍ୟ ପାଇଁ
ମନରେ ତା’ର ଅସୀମ ଆନନ୍ଦ
ପ୍ରକୃତିର ଛଟାକୁ ବୁହାଇ !
ବିଜୁଳିର ଚମକରେ ତା’ର ଉଜ୍ଜ୍ୱଳତା
ବଜ୍ରର ଗମ୍ଭୀର ସ୍ୱରରେ
ତା’ ଦାମ୍ଭିକତା
ସମୀରର ପ୍ରବାହରେ ସିନା
ୟା’ ଶୀତଳତା
ସିଏ କିନ୍ତୁ ଭୁଲିଯାଏ
ଖାଲି ଦେଖେଇ ହୁଏ ତାରି ସିକ୍ତତା
ଉଜାଣି ସୁଅ ବୁହାଇ
ଜଗତବାସୀଙ୍କ ସପନ ତୁଟାଇ
କାହିଁକି ଏ ମତ୍ତଗର୍ବ ତା’ର
ସ୍ୱେଚ୍ଛାଚାରିତାର ସ୍ୱର ନେଇ
କେହି କ’ଣ ଜିତିପାରେ
ମନ ଜଗତର !
ପ୍ରହେଳିକାକୁ ଦୂର କରି
ନିଜର ସ୍ୱଚ୍ଛତାରେ
ସିନା ବାନ୍ଧି ହୁଏ ଦୁନିଆଁକୁ
ଅଯଥା ଗରବ କରି
କେବଳ ଭାଙ୍ଗି ହୁଏ
ଏ ଜଗତକୁ !
