।।୧ ।।
ବର୍ଷା ଏକ କୁମାରୀର ନାମ
ବର୍ଷା ତମେ ଆକାଶ ଓ ପୃଥିବୀର
ମଧୁର ସଙ୍ଗମ !
ବର୍ଷା ତମେ ପ୍ରତିବର୍ଷ ଆସ
ରତି ମିଶ୍ରର ପଞ୍ଚମ ଶ୍ରେଣୀର ରଚନା
ଖାତାରେ
ବର୍ଷା ତମେ ହଜିଯାଅ
ଦଶମ ଶ୍ରେଣୀର ପରୀକ୍ଷାର ପରେ ।
ଭୁଲିଯାଏ ରତିମିଶ୍ର
ତମ ଶିହରଣ କିଶୋରୀ ବୟସେ
ପୁନଶ୍ଚ ତମେ ଫେରି ଆସି
ଯଉବନ ସିଡ଼ିରେ
ଚହଲେଇ ଦିଅ ତା’ର
ରକ୍ତ, ମାଂସ ସ୍ନାୟୁର ସହର ।।
।। ୨ ।।
ଟୁପୁର ଟୁପୁର ବର୍ଷାରେ
ଲିଭିଯିବା ନିଆଁ ଦିକିଦିକି ଜଳେ
ସେଇ ଷୋଡ଼ଶୀର ଛାତିରେ ।
ଟୁପୁର ଟୁପୁର ବର୍ଷାରେ
ହଜିଯିବା ସ୍ମୃତି ଲତେଇ ଯାଏ
ସେଇ ଷୋଡ଼ଶୀର ପ୍ରୀତିରେ
ବର୍ଷା, ବର୍ଷା, ବର୍ଷା !
ମନ ଅଙ୍ଗନେ ତୁମ ଆଗମନୀ
ଖୋଲିଦିଏ ସ୍ମୃତି ଝର୍କା !