ଜୀବନ!
ଅହରହ ଜାଳୁଥିବା ମଧୁର ଦହନ!
ଅମୃତ ବାଣ୍ଟୁଥିବା ଛଦ୍ମବେଶୀ ସୁନ୍ଦରୀ ପରି
ରହସ୍ୟମୟ ତ କେବେ ବିଷକନ୍ୟା !
ଗଭିର ଜଳର ଭଉଁରି ପରି ଜିଦିଆ
ତ ଆକର୍ଷଣରେ ଛଳେଇ
ତଳକୁ ବାରବାର ଫିଙ୍ଗୁଥିବା
ଭୟଙ୍କର ଉନ୍ମାଦନା..!!
ତେବେ ବି ତାର ଦୁର୍ବାର ଆକର୍ଷଣୀରେ
ଯନ୍ତ୍ରଣା ଓ ଅବଶୋଷର ଭାରାରେ
ଅଣ୍ଟା ନଇଁପଡିଥିଲେ ବି
ତିରସ୍କାର ଓ ହତାଦାରରେ
କାନ୍ଧ ଭାଙ୍ଗି ପଡିଥିଲେ ବି
ଉପେକ୍ଷା ଓ ଛଳନାରେ
ମନ ପୋଡି ଯାଇଥିଲେ ବି
ବଞ୍ଚିବାକୁ ହାତ ଯୋଡୁଥାଏ,
ଗୁଡେ ସିନ୍ଦୂର ଚନ୍ଦନ ବୋଳା
ଶିଳା ମୂର୍ତିଙ୍କ ପାଖେ ।
ମୃତ୍ୟୁ!!
ମହାକାଳୀଙ୍କ ଉଗ୍ରରୂପ
ଶିବଙ୍କ ତାଣ୍ଡବ
ଶ୍ରୀକୃଷ୍ଣଙ୍କ ବିଶ୍ୱ ରୂପଦର୍ଶନ ପରି
ଭୟଙ୍କର..ଅସହ୍ୟ ଓ ଦାରୁଣ ସତ୍ୟ !
ତଥାପି ହାତ ପାତିଥାଏ ମହାକାଳ
କୋଳେଇ ନେବାକୁ ସବୁ ନିନ୍ଦା ଅପବାଦ ।
ଚନ୍ଦନସମ ଶୀତଳତା ଭରିଦେଇ
ମଥାରେ କୁଢେଇନେବାକୁ
ଗୋଟେ ଜନ୍ମର ଅବଶେଷ ।
ସେ ଏରୁଣ୍ଡିକୁ ଡେଇଁଯିବା ପାଇଁ
ପରୀକ୍ଷାଟେ ଦେବାକୁ ହୁଏ..
ମୃତ୍ୟୁକାଳୀନ ଜମାନବନ୍ଦୀ ପରି
ଲେଖିହୋଇଯାଏ-ଇତି !
ତା ପରେ..ସବୁ ଶେଷ..!
ଲକ୍ଷ୍ୟଲକ୍ଷ୍ୟ ସୁକର୍ମ ଅପକର୍ମ ଭରା ଶରୀର
ଖାଲି କେଇମୁଠା ପାଉଁଶ..!