ଋତୁ ବଦଳି ଯାଏ
ଦିନ, ସପ୍ତାହ, ମାସ ବି,
ମୋ ଗାଁଆ ନଇରେ ବଢି ଆସେ
ଏ କୁଳ ସେ କୁଳ ଖାଉଥିବା
ପ୍ରଚଣ୍ଡ ଜଳ ଧାର ଟି ବଦଳି ଯାଏ
ତନୁ ପାତଳୀ କୁଆଁରୀ ଝିଅଟିଏ ପରି,
ହେଲେ ଉଦଣ୍ଡି ନୁହେଁ,
ନୁଆ ବୋହୁଟିଏ ପରି,
ଲାଜରେ ସରମି ଯାଏ,
ସରୁ ଜଳ ଧାର ଟିଏ
କୁଳୁ କୁଳୁ ଗୀତ ଗାଇ ବୋହିଯାଏ ।
ନିଦାଘ ଗ୍ରୀଷ୍ମ ଯାଏ,
ବର୍ଷା ବି ବାହୁଡେ,
ଗଛର ପତ୍ର ଝଡି ଯାଏ ପୁଣି
ନବ ପଲ୍ଲବିତ ହୁଏ।
ଶିତ ଆସେ ଶିତ ଯାଏ,
ବସନ୍ତର କୋଇଲି ଗାଏ,
ମଳୟ ବୋହେ,
ଅସୁମାରି ଫୁଲର ସମ୍ଭାର ନେଇ ।
ପୁଣି ଏକ ଶିତ ସଂଧ୍ୟାରେ,
ଅଭିନନ୍ଦନ ପତ୍ର ସବୁ
ଅଜାଡି ହୋଇ ପଡେ ଟେବୁଲ ଉପରେ,
କୋଳାହଳ ଭରା ମଧ୍ୟ ରାତ୍ରି
ଶାନ୍ତ ହୋଇଯାଏ ମୁହୁର୍ତ୍ତକ ପାଇଁ,
କାନ୍ଥ ରୁ ଓହ୍ଲାଇ ଯାଏ
ପୁରୁଣା କ୍ୟାଲେଣ୍ଡର,
ଅନେକ ତୋପର ସଲାମୀ ନେଇ,
ସଂଖ୍ୟାଟିଏ ବଦଳି ଯାଏ,
ବୟସ ବଢିଲା, କି
ଜୀବନରୁ ବର୍ଷଟିଏ କମିଲା
ଜଣା ପଡେ ନାହିଁ ।
ହେଲେ ବାର ମାସରେ ଥରେ,
ଏଇମିତି ସଂଖ୍ୟା ବଢି ବଢି ଚାଲେ
ବର୍ଷ ଆଉ ବୟସର
ବଢିବା କମିବା ର ଦ୍ୱନ୍ଦ
ହିସାବ କରିବାକୁ ବେଳ କାହାକୁ?
ସଭିଏଁ ନୁଆ ର ସ୍ୱାଗତ ରେ ବ୍ୟସ୍ତ ।
