ବଳଭଦ୍ର କହୁଛନ୍ତି ଜଗା ଆଡେ ଚାହିଁ
ଆସିଗଲା ଝାଞ୍ଜି ଖରା କି କରିବା ଭାଇ ।
ଜଗନ୍ନାଥ ସ୍ମିତ ହସି ବୋଲନ୍ତି ଉଦନ୍ତ
ପଖାଳ ମହିମା ଶୁଣ ଭାଇ ବଳବନ୍ତ ।
ଶୀତଦିନେ କାଞ୍ଜି ଆଉ ଗ୍ରୀଷମେ ଛତୁଆ
ପଣା ପୋଡପିଠା କରେ ବିଜ୍ଞାନୀ ଓଡିଆ ।
ସଂସାରର ସବୁଠାରୁ ଦୁର୍ଲଭ ପଖାଳ
ଖାଇ ଆରମ୍ଭ କରିବ ତୁମ୍ଭର ସକାଳ ।
ଆମ୍ଭ ଟଂକ ତୋରାଣିରୁ ତାହାର ଉତ୍ପତ୍ତି
ବିଶ୍ଵରେ ଅନ୍ୟ କେ ସ୍ଥାନେ ଅଗୋଚର ଅତି ।
ସରଳ ପ୍ରସ୍ତୁତି ଯେଣୁ ହେଉଛି ବିସ୍ତାର
ହୋଟେଲ ବାଲାଏ ତାକୁ କରନ୍ତି ପ୍ରସାର ।
ଖାଇସାରି ଅନ୍ନ ମାଟି ହାଣ୍ଡିରେ ରଖିବ
ପେଜ ପାଣି ତହିଁରେ ଅଳପ ମିଶାଇବ ।
ସକାଳୁ ପଲମ ଧୀରେ ଟେକିଲେ ଦେଖିବ
ସୁବାସ ତାହାର ଚଉଦିଗ ଚହଟିବ ।
ଇଚ୍ଛା ମତେ ଲୁଣ ଦେବ ଲେମ୍ବୁ ଟିକେ ଦଳି
ମାଟି ପଲମରୁ ବସାଦହି ଅଳ୍ପ ଢାଳି ।
ଆମ୍ବକଷି ତହିଁରେ ଭଙ୍ଗା ହୋଇଥିବ
ପୁଦିନା ସାଥିରେ ଲଂକା ଦଳା ହୋଇଥିବ ।
ସାଥେ ଥିବ ଚଟଣି ଭରତା ଶାଗ ଭଜା
ବଡ଼ିଚୁରା ଛୁଇଁ ଭଜା ଆମ୍ବୁଲଟି ଖଞ୍ଜା ।
ତୁଣ୍ଡପୋଡା ପତ୍ର ଥିବ ଓଲୁଅ ଚଟଣୀ
ନିମକଢ ଭଜା ସାଥେ ଚିପ୍ସ ଛଣାଛଣି ।
ଦୁଃଖୀର ସାଥିଟି ଲୁଣ ଲଙ୍କା ଓ ପିଆଜ
ଭାତ ନଷ୍ଟ ହେବ ନାହିଁ ବାସି ହେଉ ସଜ ।
ଖାଇସାରି ଢକଢକ ପିଇବ ତା ପାଣି
ମହୌଷଧି ଅଟେ ପରା ଖରାକୁ ତୋରାଣୀ ।
ଶୀତ ଦିନେ ବାଡିପଟେ ଖରା ପିଠି କରି
ଘରଣୀ ମାନେ ବସନ୍ତି ପଖାଳ ଆବୋରି ।
କନ୍ୟା ଯେବେ ବାହାହୋଇ ବାପଘରୁ ଯାଏ
ତୋରାଣୀଖିଆ ବିଧାନ ସମାହିତ ହୁଏ ।
ଜଗତରେ ଧୀରେ ଧୀରେ ମହିମା ପ୍ରକାଶ
କୋଡିଏ ମାର୍ଚ୍ଚରେ ବିଶ୍ଵ ପଖାଳ ଦିବସ ।
ଜଗନ୍ନାଥ କହି ସାରି ମୁରୁକି ହସନ୍ତି
ଲକ୍ଷ୍ମୀ ଟଙ୍କ ତୋରାଣିଟି ବାଢି ଦେଉଥାନ୍ତି ।
(ଅଥଃ ବୟାଶିକ୍ୟାଂ ପରମ ହଂସ୍ୟାଂ ସଂହିତାୟାଂ ଅଧମ ବିଶ୍ଵେଶ୍ୱର କୃତ ଓଡିଆ ପୁରାଣେ ପଖାଳ ମହିମା ବର୍ଣ୍ଣନେ ନାମ ଆଦ୍ୟାନ୍ତ ଅଧ୍ୟାୟଃ ।)
