ପ୍ରେୟସୀ ହୃଦୟ ଚାହେଁ ପ୍ରିୟତମର ସାନ୍ନିଧ୍ୟ,
ନଦୀ ଯେମିତି ପାଗଳିନୀ ପରି ବହିଯାଏ,
ହଜିଯାଏ ସାଗରର ପ୍ରଶସ୍ତ ବକ୍ଷରେ,
ଧରଣୀ ଖୋଜୁଥାଏ, ଦୂର ଦିଗନ୍ତରେ
ଆକାଶର ଚୁମ୍ୱନ (୧)
ଠିକ୍ ସେପରି,
ଜହ୍ନର ଶୀତଳ ଜ୍ୟୋତ୍ସ୍ନାରେ ଆହ୍ଲାଦିତ
କଇଁର ନରମ ଚିବୁକ,
ଏବଂ, ଚାତକର ତୃଷ୍ଣାରେ ଆକର୍ଷିତ
ବାରିଧିର କେତେଗୋଟି ବିନ୍ଦୁ (୨)
ବିଧାତାର ସୃଷ୍ଟି ଅନୁପମ,
ସେଠି ନାହିଁ ତର୍କ ବିତର୍କ,
ଅଥବା, ପାପ ଓ ପୁଣ୍ୟର ବିଶ୍ଳେଷଣ,
ସେଠି କେବଳ ପ୍ରତିଫଳିତ,
ଆତ୍ମାର ଆବେଗ ହୃଦୟର ସ୍ପନ୍ଦନ,
ପ୍ରଣୟ ତଥା ସାନ୍ନିଧ୍ୟର ସମନ୍ୱୟ (୩)
