ଦୁଃଖ. . .
ତୁମେ ଫେରିଯାଅ,
ଏତେ ଦିନ ରହିଗଲ,
ଅଜସ୍ର ଲୁହଢ଼ାଳି,
ଅପର୍ଯ୍ୟାପ୍ତ କୋହ ଓ ଅବସାଦରେ
ତୁମକୁ ଆପ୍ୟାୟିତ କରିଛି ।
ଏଥର ବିଦାୟ ନିଅ । (୧)
ସ୍ୱାଗତ ତ କରି ନଥିଲି ।
ତଥାପି,
କେମିତି ଏକ ଆତ୍ମୀୟତା ସୃଷ୍ଟି କରିଗଲ,
ଉପେକ୍ଷା ତଥା ଅପେକ୍ଷାର ପ୍ରବଞ୍ଚନାରେ
ଶୁଷ୍କ ଓ ଜର୍ଜରିତ ନ କରି,
ଧମନୀକୁ ମୋର,
ଆହୁରି ସଚେତ ଓ ସଞ୍ଜୀବିତ କରିଗଲ । (୨)
ନିରୂପଣ କରିଦେଲ,
ମୋହ ମାୟାରେ ଆଚ୍ଛନ୍ନ
ଏ ସଂସାର ଭିତରେ,
କିଏ ଅବିଶେଷ ଏବଂ କିଏ ଅବିଚ୍ଛିନ୍ନ । (୩)
ଜାଣିଛି ମୁଁ-
ନ ଡାକିଲେ ବି ପୁଣି ଥରେ ଅତିଥି ହେବ,
ଏଥର କିନ୍ତୁ ନଥିବ,
ମୋ ଅର୍ଘ୍ୟ ଥାଳୀରେ,
ଆଶଙ୍କା କିମ୍ୱା ଆବେଗ,
ପ୍ରତିବିମ୍ୱିତ ହେଉଥିବ,
ସୌମ୍ୟ ତଥା ନିଷ୍କପଟ ଧାରେ ହସ,
ତୁମ ଅନୁଦାନ ତଥା ଆତ୍ମବିଶ୍ୱାସର ଆଭାରେ
ଆହୁରି ଉଜ୍ଜ୍ୱଳ ଦିଶୁଥିବ । (୪)