ଜୀବନଟା ତ ସବୁବେଳେ ସଂଘର୍ଷ
ରାମାୟଣର ଚଉଦ ବର୍ଷ
ନହେଲେ ମହାଭାରତର ଅଜ୍ଞାତବାସ
ସବୁଠି ନିଆଁ..ମିଛ ମୋହ ମାୟାର ।
ସଂଘର୍ଷ..ଅନ୍ୟାୟ ଅନୀତି ଅବିଚାରର ।
ସେଠି ମୋକ୍ଷ ଖାଲି କୁହୁଡି ଚାଦର
ଘୋଡିହେଲେ ଦିଶୁଥାଏ ଝାପ୍ସା,
ପାପ ଏଠି ସୁଗନ୍ଧିତ ଫୁଲ
ଶବାଧାର କି ରଙ୍ଗୀନ ମାହୋଲ ପାଇଁ
ଖୋଜୁଥାଏ ରାତିର ରୂପେଲି ଜ୍ୟୋସ୍ନା!
ହାତ ବଢାଇଲେ,ସେଇଠି ବିଷ ପୁଣି
ସେଇଠି ପୀୟୁଷ!
ପୂଣ୍ୟ କରି ଥକିଗଲେ ସରିଯାଏ ଆୟୁଷ!
ଜୀବନ ମରୁବାଲିରେ
ସବୁଜିମା ବି କଂଟାଗଛ ହୋଇଯାଏ!
ନିର୍ଦ୍ଧୁମ ବର୍ଷାରେ କିଛି ଥୁଣ୍ଟା ଗଛ ବି
ବୈଧବ୍ୟ ଆବୋରି,
କଂକାଳ ଦେଖାଇ ଛିଡା ହୋଇଥାଏ
ସବୁ ଶୃଙ୍ଖଳା, ବିଶୃଙ୍ଖଳା ଭିତରେ
ଛାଡି ଆସିଲି ମାୟା ମିରୀଗ,ସୁନା କିରୀଟ!
ଅନୁଭବକୁ ସାଇତିବାକୁ
ଆଜିକାଲି ମନ ବି ନିଅଣ୍ଟ ।
