ଶବ ପରି ପଡ଼ିଥିଲି ଶବ୍ଦର ଶବଗୃହରେ,
କିଏ ତୁମେ ମୁନି ଆସି ସ୍ପର୍ଶ ଦେଲ
ତୁମ ଲେଖନୀ ମୁନରେ ?
ତୁମେ ମତେ ସାଉଁଟିଲ,
ସଞ୍ଜିବନୀ ଜଳ ସିଞ୍ଚି
ତୁମେ ମତେ ଜିଆଁଇଲ ।
ଭରିଦେଲ ଶରୀରରେ
ମୋହ ଆଉ ମାୟା
ଦେଖାଇଲା ମତେ ପୁଣି
ଜୀବନର ଛାୟା ।
ମତେ ନେଇ ଶବ୍ଦ ପରେ
ଶବ୍ଦ ଖଞ୍ଜି ଦେଲ
ସୁନ୍ଦର କବିତାର
କୋଣାର୍କଟେ ଗଢ଼ିଦେଲ
କାରିଗର ନିହାଣରେ
ପଥର ଖଣ୍ଡ ଜୀଇଁଯାଏ ଯେମିତି
ତୁମ ଲେଖନୀର ସ୍ପର୍ଶ ପାଇ
ମୁଁ ପୁନର୍ଜନ୍ମ ନେଇଗଲି ସେମିତି
ଏବେ ମୁଁ କଳକଳ ଛଳଛଳ
ଜୀବନ୍ତ ନଈଟିଏ,
ଉତଫୁଲ୍ଲିତ ହୋଇଯାଏ
ଝୁମିଝୁମି ବହିଯାଏ,
କେଉଁ ଏକ ସିନ୍ଧୁର ସନ୍ଧାନେ ?
କିଏ ମତେ ଆପଣାର କରିନେବ
ମୋ ପାଇଁ କି ହୃଦୟରେ
ବାସଟିଏ ତୋଳିଦେବ
ଭାବ ଆଉ ଭାବନାରେ
ଆହ୍ଲାଦିତ ହୋଇଯିବ
ମତେ ପାଇ ସପନର
ରାଇଜରେ ବୁଲିଯିବ ।
ତୁମ ପାଖରେ ମୁଁ ଚିର ଋଣୀ
ଆହେ ମୁନିବର
ମୋ ପାଇଁ ତୁମେ ଧାତ୍ରୀ
ତୁମେ ମୋ ଈଶ୍ୱର
ତୁମ ଚରଣରେ ମୋର
ଶତ ଶତ ପ୍ରଣିପାତ ଦେବି,
ହେ ମୋ ଶିଳ୍ପୀ, ହେ ମୋର ସ୍ରଷ୍ଟା
ଆହେ ମୋର କବି !