କବିତା

ଶଙ୍ଖା ସିନ୍ଦୂର

ହୋମ ନିଆଁ ଆଲୁଅରେ
ସାତ ଦୀପ ଆଠ କଳସ ସାଥୀରେ
କେବେ କେବେ ଶଙ୍ଖା ସିନ୍ଦୂରର ମୋହ
ନାରୀପାଇଁ ଅନ୍ତରାୟ

ଶଙ୍ଖା ସିନ୍ଦୂର

ଦି’ପଟ ଶଙ୍ଖା
ଅଦେଖା ବଳୟର ଯାଦୁଘର
ଶୁନ୍‌ଶାନ୍ ମନ ବିପଣୀରେ
ଆସେ କେଉଁ ସୌଦାଗର
ସପନର ଫୁଲ ବଗିଚା
ସୁନାରୂପା କାଉଁରୀ ଗାଲିଚା
ଅଳତା ବୋଳା ପାଦ
ଛମ୍‌ଛମ୍ ପାଉଁଜିର ଶବ୍ଦ
ମନତଳେ ସାହାନାଇ ବାଜେ
ଜୀବନର ସାତସ୍ୱର
ମହୁଫେଣା ଗଢ଼ିବାର ନିଶାରେ ବିଭୋର

ଟୋପାଏ ସିନ୍ଦୁର
କେତେ ସୁନ୍ଦର କାହା ସୀମନ୍ତରେ
ଶାଢ଼ୀ ଚୁଡ଼ି ଗହଣା ସଜରେ
ଅନାମିକା ଦୃଶ୍ୟଟିଏ ଜୀବନ୍ୟାସ ପାଇପାଏ
ପ୍ରୀତିମୟ ପାର୍ବଣ ଋତୁରେ
ଅଦେଖା ବନ୍ଧନ ସାକ୍ଷୀ ଦଶଦିଗ ପାଳ
ହୋମ ନିଆଁ ଆଲୁଅରେ
ସାତ ଦୀପ ଆଠ କଳସ ସାଥୀରେ
କେବେ କେବେ ଶଙ୍ଖା ସିନ୍ଦୂରର ମୋହ
ନାରୀପାଇଁ ଅନ୍ତରାୟ
ଜୀବନର ଦୋଛକିରେ ଭୁଲ୍ ଏକ ପ୍ରଶ୍ନବାଚୀ
ପ୍ରହେଳିକାମୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top